Unknown

 

 

 

 

 

 

 

 

 

 

 

ନବପର୍ଣ୍ଣିକା

କମଳାକାନ୍ତ ଦାସ

 

ଅଙ୍ଗସଂସ୍ଥା

 

୧.

ସ୍ନେହମୟୀର ସଂସାର

୨.

ମିଠା ବିଷ

୩.

ଚିଂଡ଼ିଲାଇ

୪.

ପିଅନ ପ୍ରାର୍ଥୀ

୫.

ମଦଭାଟି

୬.

ଉତ୍ତର ମିଳି ନାହିଁ

୭.

ତମରୁଦ୍ଦିନ୍‌ ମିଆଁ

୮.

ଭାଇ

୯.

ନଈ ଶୁଖିଲେ

★★★

 

ସ୍ନେହମୟୀର ସଂସାର

 

ବ୍ୟବସାୟୀ ବିନୋଦବିହାରୀ ବସନ୍ତରାୟଙ୍କର ଗୋଟିଏ ମାତ୍ର ଝିଅ ସ୍ନେହମୟୀ । ତାରି ବିଭା ପ୍ରସ୍ତାବ ଘେନି ଭଦ୍ରଲୋକ ରାଜ୍ୟ ତମାମ ବୁଲୁଛନ୍ତି । ଗୁଣମଣି ହରିଚନ୍ଦନଙ୍କର ବଡ଼ ରେଡ଼ିଓ ଷ୍ଟେସନର ସମ୍ୱାଦ ସରବରାହ ବିଭାଗର ଜଣେ କର୍ମଚାରୀ । ଗୁଣମଣିବାବୁ ଜଣେ ନାମଜାଦା ଲୋକ । ତାଙ୍କରି ବଡ଼ପୁଅ ଜେନାମଣି ହରିଚନ୍ଦନ । ବସନ୍ତରାୟଙ୍କ ଝିଅ ପ୍ରସ୍ତାବ ଆସିଲା ବେଳକୁ ଗୁଣମଣି ବାବୁଙ୍କର ଘରଟା ଆରମ୍ଭ ହୋଇଥାଏ । ଟଙ୍କାର ଅଭାବ । କାନ୍ଥି ଗଢ଼ାଯାଇ ବନ୍ଦ ହୋଇଛି-। ବିରାଟ ଘର । ଲୋକେ ଦେଖି ପଚାରିଦିଅନ୍ତି ‘‘କଅଣ କରୁଛନ୍ତି ଆଜ୍ଞା ?’’ ଉତ୍ତରରେ ଗୁଣମଣିବାବୁ କହନ୍ତି ‘‘ସେତିକି ତ ! ଲୋକେ ଜାଣନ୍ତୁ ହରିଚନ୍ଦନ ବାବୁ କଅଣ ଗୋଟାଏ କରୁଛନ୍ତି-।’’

 

ସେଇ ‘‘କଅଣ ଗୋଟାଏ’’ ଶେଷ ହୋଇପାରୁନାହିଁ । ସେଥିଲାଗି ଟଙ୍କା ଲୋଡ଼ା । ଭଦ୍ରଲୋକଙ୍କୁ ଗୁଣମଣିବାବୁ ହାଙ୍କିଦେଲେ ‘‘ବିନୋଦବିହାରୀବାବୁଙ୍କୁ କହିବ, ପଚାଶହଜାର ଟଙ୍କା ଦେଲେ ମୁଁ ତାଙ୍କ ଘରେ ବନ୍ଧୁ କରିବି ।’’

 

ଜେନାମଣି ଶୁଣିପାରି ବାପାଙ୍କୁ ଆସି ସିଧାସଳଖ କହିଲେ– ବାପା, ତୁମେ ମୋତେ ନ ପଚାରି ବସନ୍ତରାୟଙ୍କୁ ଜବାବ ଦେବାକୁ ଯାଉଛ କିମିତି ? ଝିଅଟା ଅସୁନ୍ଦରୀ ! କାଳୀ ।

 

ବାପା ଗର୍ଜିଉଠିଲେ–ତୋର ସେଥିରୁ କି ମିଳିବ ? ମୋର ଟଙ୍କା ଦରକାର । ମୁଁ ବସନ୍ତରା ଝିଅଟିକୁ ବୋହୂ କରି ଆଣିବି । ତେଣିକି ତୋ ମନକୁ ନପାଇଲେ ତୁ ପାଞ୍ଚୁଟା ବିଭା ହଉଥା । ବସନ୍ତରା ବୁଢ଼ା, ଟଙ୍କା ସୁନା ବହୁତ ଦେବରେ, ବୋକା । ସଂସାରରେ ଧନଠାରୁ ବଡ଼ ଆଉ କଅଣ ଅଛି ?

 

ବାପାଙ୍କଠାରୁ ଏ ଖବର ପାଇ ପୁଅ ଚୁପ୍‌ ହୋଇ ରହିଲା । ବାପା ଗୋଟିକ ପରେ ଗୋଟିଏ ହୋଇ ଚାରୋଟି ବିଭା ହୋଇଛନ୍ତି । ଜେନାମଣିଙ୍କ ମା’ କେବେଠଉଁ ମରିଛନ୍ତି । ତାଙ୍କ ତଳ ଦୁଇଟି ମରିଛନ୍ତି । ସାନ ମାଆକୁ ବର୍ତ୍ତମାନ ପଚିଶ ବର୍ଷ ମାତ୍ର । ବାପାଙ୍କ ବୟସ ଖୁବ୍‌ ବେଶୀ ହେଲେ ବି ଦେହରେ ତାକତ ଅଛି । ମଝିଆଣୀ ବୋଉ ଦୁହିଁଙ୍କର ଚାରୋଟି ପୁଅ ଝିଅ । ସେଥିରୁ ଗୋଟିଏ ପୁଅ, ପିଲାଟିଦିନୁ ପାଗଳ । ଲଙ୍ଗଳା ହୋଇ ଗୋଟାଏ ଘରେ ବନ୍ଦ ହୋଇଥାଏ ।

 

ବିନୋଦବିହାରୀବାବୁ ଗୁଣମଣିବାବୁଙ୍କ ସହିତ ବହୁତ ଭିଡ଼ାଓଟରା ପରେ ନଗଦ ତିରିଶ ହଜାର ଟଙ୍କା ଓ ଷାଠିଏଭରି ସୁନାର ଅଳଙ୍କାର ଦେଇ ଜେନାମଣିଙ୍କ ସହିତ ସ୍ନେହମୟୀଙ୍କୁ ବିଭାଦେଇ ନିଜ କୁଳକୁ ଗୌରବାନ୍ୱିତ ମନେକଲେ । ତା’ପରେ ତାଙ୍କର ଏ ସଂସାରର କର୍ତ୍ତବ୍ୟ ଆଉ କିଛି ବାକି ରହିଲା ନାହିଁ । ବୟସ ଅତିରିକ୍ତ ହୋଇଥାଏ । ସାନଭାଇର ବିଧବା ସ୍ତ୍ରୀ ଏବଂ ତାଙ୍କର ଦୁଇଟି ପିଲାଙ୍କୁ ଅବଶିଷ୍ଟ ଘରବାଡ଼ିତକ ଦତ୍ତ ପତ୍ର ଦ୍ୱାରା ଦାନ କରିଦେଇ ଜୀବନର ଶେଷ କେଇଟା ଦିନ କଟାଇବା ନିମନ୍ତେ ହାତରେ ସାମାନ୍ୟ ପାଞ୍ଚହଜାରଟି ଟଙ୍କା ଧରି ବୃନ୍ଦାବନ ଚାଲିଗଲେ । ବର୍ଷକ ଭିତରେ ସେହିଠାରେ ତାଙ୍କର ମୃତ୍ୟୁ ଘଟିଲା ।

 

ବସନ୍ତରାୟଙ୍କ ଯୌତୁକ ଟଙ୍କାରେ ଗୁଣମଣି ବାବୁଙ୍କ ନଅର ତୋଳା ବାରପଣ ବଢ଼ିଲା । ବାକି ଚାରିପଣ ଲାଗି ଗୁଣମଣିବାକୁ ବୋହୂକୁ ଫୁସୁଲାଇଲେ–ଦେଇଥା ମା’, ଘରଖଣ୍ଡକ ଶେଷ ହୋଇଗଲେ ଭଡ଼ା ଲାଗିବ–ମାସକୁ ହଜାରେ–ତୋ ଗହଣା କେଇଖଣ୍ଡ ମୁଁ ବ୍ୟାଙ୍କରେ ଥୋଇ ଟଙ୍କା ଆଣିଥିବି । କାଲି ସକାଳୁ ମୁକୁଳାଇ ଆଣି ତୋରି ହାତକୁ ବଢ଼ାଇଦେବି । ମୋତେ ଅବିଶ୍ୱାସ କରୁଛୁ କାହିଁକି ?

 

ଜେନାମଣି ଦୂରରେ ଥାଆନ୍ତି । ବାପା ବଦଳରେ ଶ୍ୱଶୁର, ଏକମାତ୍ର ଭରସା । ତାଙ୍କ କଥାରେ ଅବିଶ୍ୱାସ କରିବ କିମିତି ? ବାପଘରେ କେହି ନାହିଁ କହିଲେ ଚଳେ । ଅନେକଦିନ ଆଗରୁ ବୋଉ ମରିଥିଲା । ଏବେ ବାପା ବି ଚାଲିଗଲେଣି । ବହୁବର୍ଷ ତଳୁ ଭିନେହେଲା ଖୁଡ଼ୀ ଓ ଦାଦିପୁଅ ଦୋଟି । ସ୍ୱାମୀ ତ ପଚାରନ୍ତି ନାହିଁ । ଖଣ୍ଡେ ଚିଠି ସୁଦ୍ଧା ତାଙ୍କ ପାଖରୁ ମିଳେ ନାହିଁ । ଚାରି ଛଅ ଦିନ ପାଇଁ ଘରକୁ ଆସିଲେ ମନଖୋଲା କଥାଭାଷା ଦି’ପଦ ହେବାକୁ ତାଙ୍କର ବେଳ ହୁଏନାହିଁ । ସତେକି କାଠ କି ପଥର ସେ । ସ୍ନେହମୟୀ ଏ ସଂସାରର ହାଲ୍‍ଚାଲ୍ କିଛି ବୁଝିପାରେ ନାହିଁ । କାହାରି ପ୍ରାଣରେ କାଣିଚାଏ ମମତା ଥିବାର ପରିଚୟ ସେ ପାଏ ନାହିଁ । ଏଘରେ ଚାକରବାକର ଅଛନ୍ତି, ମୂଲିଆ ମଜୁରିଆ କାମ କରୁଛନ୍ତି, ଖାଉଛନ୍ତି, ପିଉଚନ୍ତି, ମୂଲ ନେଉଚନ୍ତି । ସେ ବି ଦିନରାତି କାମ କରୁଚି । ଗୋରୁ ଗାଈପରି ବନ୍ଧାହୋଇ ପଡ଼ିଚି । ଗଣ୍ଡାଏ ଖାଉଛି, ଖଣ୍ଡେ ପିନ୍ଧୁଚି ଏବଂ ମୁନ୍ଦାଏ ପିଉଚି । ଏତିକି ମାତ୍ର । ସ୍ନେହମୟୀ ଭାବିହୁଏ–ଏଇ କଅଣ ତେବେ ତା’ର ସଂସାରର ସୁଖ ଶ୍ରଦ୍ଧା ? ଦିନେ ଦିନେ ଭାରି ବିକଳ ଲାଗେ । ସେ କାନ୍ଦିପକାଏ । ରାତି ରାତି ଶୁଏ ନାହିଁ । ବହିପତ୍ର ପଢ଼ିବସେ ଯେ, ମୁଣ୍ଡରେ କିଛି ପଶେ ନାହିଁ । ଶୋଇଲେ ନିଦ ଆସେନାହିଁ । ଚିନ୍ତାରେ ସଂସାରଟା ପିତା ଲାଗେ । ସ୍ନେହମୟୀ କବାଟ ଫିଟାଇ ବାରଣ୍ଡାକୁ ଆସେ । ପାଖ ଘରଟିରେ ପାଗଳା ଲଙ୍ଗଳା ହୋଇ ଠିଆହୋଇଚି । ବୟସ ତାକୁ ପନ୍ଦର ଷୋହଳ । ବାହାରଆଡ଼ୁ ବନ୍ଦ । ଘରଯାକ ହଗିମୂତି ଆଣ୍ଠିଏ କରିଛି । ଗନ୍ଧରେ ନାକ ଫାଟିଯାଉଚି । ଭିତରୁ ଝରକାର ରେଲିଙ୍ଗ ଧରି ପାଗଳା ହାଉଁ ହାଉଁ ହେଉଚି । କଥା କହିପାରେ ନାହିଁ ସେ । ଅସ୍ପଷ୍ଟ ଆଲୁଅରେ ସ୍ନେହମୟୀ ଖିଡ଼ିକ ପାଖରେ ଠିଆହେଲା । ପଗଳା ହାତ ଗଳାଇ ଭାଉଜ-ହାତ ଧରି ହାଉଁ ହାଉଁ ହେଉଚି । ଅଜ୍ଞାନତା ଭିତରେ ବି ତା’ର କିଛି ଜ୍ଞାନ ଅଛି । କିଛି ସ୍ନେହ ଅଛି । ସ୍ନେହମୟୀ ବୁଝିଲା–ତାକୁ ପଗଳା ତା’ ଭାଷାରେ ପଚାରୁଚି–ତୁ କିଆଁ ଏତେ ରାତିରେ ବାହାରେ ବୁଲୁଚୁ ? କାହିଁକି କାନ୍ଦୁଚୁ ?

 

ପାଗଳା ହାତ ଗଳାଇ ଭାଉଜର ଆଖିଲୁହ ପୋଛିଦେଲା । ନିଜେ ଭାଉ ଭାଉ ହୋଇ କାନ୍ଦିଉଠିଲା । ମୁଣ୍ଡଟାକୁ ଝରକାର କାଠ ଫ୍ରେମରେ ପିଟିଦେଲା । ସ୍ନେହମୟୀ ଦି’ହାତକୁ ଗଳାଇ ତା’ ମୁଣ୍ଡଟାକୁ ଧରିପକାଇଲା । ପଗଳା ତା’ର ସେହି ଦି’ହାତ ଭିତରେ ମୁଣ୍ଡଟାକୁ ରଖି କାନ୍ଦୁଥାଏ । ଝର ଝର ଲୁହରେ ସ୍ନେହମୟୀର ହାତ ଓଦା ହୋଇଯାଉଥାଏ । ସ୍ନେହମୟୀ ନିଜେ ବି କୋହ କୋହ ହୋଇ କାନ୍ଦୁଥାଏ ।

 

ପାଗଳ ହେଲେ ବି ପିଲାଟା ସ୍ନେହମୟୀର ‘ମନଟା କ’ଣ’ କିଛି କିଛି ବୁଝେ । ଆଜନ୍ମ ପାଗଳ । ଅଦ୍ଭୁତ ଲଙ୍ଗଳା । ମା’ ମରିଗଲା ପରେ ଚାକରଟା ଉପରେ ଭାର ପଡ଼ିଲା । ଘରଟାରେ ବନ୍ଦୀ ହୋଇ ପଡ଼ିଥାଏ । କେତେବେଳେ କେହି ଗଣ୍ଡାଏ ଭାତ ତିଅଣ ଥୋଇଦେଇ ଯାଆନ୍ତି । ମନହେଲେ ଖାଏ । ମନ ନ ହେଲେ ଫିଙ୍ଗିଦିଏ । ଗୁହ ମୂତ ଉପରେ ଗଡ଼ିଯାଏ । ବନ୍ଧନ ଭିତରେ ପଡ଼ିରହି ହାଉଁ ହାଉଁ ହେଉଥାଏ । ଆସିଲା ସାନ ମା’ । ସେ ଚାହେଁ ନାହିଁ । ଭୟରେ ପାଗଳା ପାଖକୁ ଯାଏ ନାହିଁ । କିନ୍ତୁ ପାଗଳଟି କାହାରି କିଛି ଅନିଷ୍ଟ କରେ ନାହିଁ । ବେଳେବେଳେ ଫିଟିଗଲେ ହାଉଁ ହାଉଁ ହେଉଥାଏ ଏବଂ ବାଟେ ବାଟେ ଚାଲିଯାଉଥାଏ । ଚାକର ପିଲାଟି ଦୌଡ଼ିଯାଇ ଧରିପକାଏ । ନିର୍ମମ ମାଡ଼ ଦିଏ । ପାଗଳା ବିକଳହୋଇ କାନ୍ଦେ । ସାଇ ପିଲାଏ ମଜା ଦେଖିବାପାଇଁ ଢେଲାପଥର ଫିଙ୍ଗନ୍ତି । ଦିହ ହାତ ତା’ର ଖଣ୍ଡିଆଖାବରା ହୋଇଯାଏ । ରକ୍ତ ବୁହେ-। ତେବେ ବି କାହାରି ପ୍ରାଣ କାନ୍ଦେ ନାହିଁ । ବାପା ଥିଲେ କହନ୍ତି, ‘‘ପାଗଳାଟା ମରିଯାଉ ନାହିଁ-?’’ ରାତିରେ ସାନମା ପାଟିକରି ଉଠନ୍ତି–ପାଗଳାଟା କେଡ଼େ ପାଟି କରୁଚି ହେ ! ତା’ପାଇଁ କେହି କଅଣ ଟିକେ ଶୋଇପାରିବେ ନାହିଁ ନା କଅଣ-?

 

ସ୍ନେହମୟୀ ଆସିଲାଦିନୁ ତା’ର ଭାଗ୍ୟ ବଦଳିଚି । ଏ ସଂସାରରେ ତା’ପାଇଁ ସ୍ନେହ ଓ ମମତା କାହାରି ନାହିଁ । ସ୍ୱାମୀ ପଚାରନ୍ତି ନାହିଁ । ଶ୍ୱଶୁର ଟଙ୍କା ଲାଗି ତା’ ପ୍ରାଣ ଖାଉଥିଲେ । ଗହଣାତକ ନେଇ ତାକୁ କେଳୁଣୀ କରି ଛାଡ଼ିଦେଲା ପରେ ସେ ମଲା କି ଗଲା, ପଦେହେଲେ ପଚାରନ୍ତି ନାହିଁ । ଶାଶୁଙ୍କର ବେଳ ନାହିଁ । ଗୁଣମଣି ବାବୁଙ୍କ ସ୍ତ୍ରୀ ବୋଲି କେଡ଼େ ବଡ଼ ବଡ଼ ଘରୁ କେତେ ଝିଅ ବୋହୂ ସଦାବେଳେ ଦୌଡ଼ିଛନ୍ତି ତାଙ୍କ ପାଖକୁ ସୁନାର ଗହଣା ଦିହସାରା ଛାଇହୋଇ-। ଏ ଘରେ କିନ୍ତୁ କାଙ୍ଗାଳୁଣୀ ଏକା ସ୍ନେହମୟୀ–ଅରକ୍ଷିତ ପିଲାଟି ପରି କେଉଁ କୋଣରେ ପଡ଼ିଥାଏ-। ନିତାନ୍ତ ଅବଲମ୍ୱନହୀନ ସଂସାରଟା ଭିତରେ ପଗଳାର ଦୁଃଖ ଦେଖି ତାରି ଅନ୍ତରଟି କାନ୍ଦିଲା-। ବୋହୂ ହୋଇ ଆସିବାର ଠିକ୍‌ ମାସକ ପରେ ସେ ସ୍ୱଇଚ୍ଛାରେ ପଗଳାର ଭାର ଗ୍ରହଣ କରିନେଲା-। ବାହାରୁ ଶିକୁଳି ଲାଗିଥାଏ । ନିର୍ଭୟରେ ସେ ଫିଟାଇ ଭିତରକୁ ପଶେ । ନିର୍ବିକାର ଚିତ୍ତରେ ପଗଳାର ମଇଳା ମୂତ ଧୋଇ ସଫା କରେ । ପଗଳାକୁ ଧୋଇଧାଇ ପରିଷ୍କାର କରେ । ତାକୁ ଖାଇବାକୁ ଦିଏ । ସେ ବୁଝୁ ବା ନ ବୁଝୁ ତା’ ସହିତ କଥାଭାଷା ହୁଏ । ପଗଳା ହାଉଁ ହାଉଁ ହେଉଥାଏ । ଗାଉଁ ଗାଉଁ ହେଉଥାଏ । ସ୍ନେହମୟୀ କହିଯାଉଥାଏ–ଏମିତି କିଆଁ ହଉଚ ? ଖାଉନ-? ମଇଳା ହଉଚ । ବାଡ଼େଇ ପିଟି ଦିହ ହାତ ଖଣ୍ଡିଆ କରୁଛ ? ଛି, ଛି ! ଏଡ଼େ ବଡ଼ ପିଲା ଲଙ୍ଗଳା ହୁଅନ୍ତି ନାହିଁ ।

 

ସ୍ନେହ ଖଣ୍ଡେ କିଛି ଅଣ୍ଟାରେ ତା’ର ଘେରାଇଦିଏ । ପଗଳା ହସି ହସି ନିଜଆଡ଼କୁ ଅନାଏ । ଭାଉଜର ହାତଟାକୁ ଧରି କଅଣ ଗୁଡ଼ାଏ କହିବାକୁ ଚେଷ୍ଟା କରେ । ତା’ପରେ କାନ୍ଦିପକାଏ । କାନ୍ଦୁ କାନ୍ଦୁ ହସିଉଠେ । ହସୁ ହସୁ ତଳେ ଗଡ଼ିଯାଏ । ଭାଉଜର ଗୋଡ଼ଟାକୁ ଧରି ତାରି ଉପରେ ମୁଣ୍ଡ ଥୋଇଦିଏ । ଭାଉଜ ବସେ । ପଗଳା ତଳେ ଗଡ଼ି କାନ୍ଦୁଥାଏ । ତା’ ଦୁଃଖରେ ଭାଉଜ ବି ଆଖିଲୁହ ସମ୍ଭାଳିପାରେ ନାହିଁ ।

 

ଫିଟିଲେ ପଗଳା ଦାଣ୍ଡେ ଦାଣ୍ଡେ ଚାଲିଯାଉଥିବ । ଭାଉଜ ଡାକପକାଏ । ଭାଉଜର ପାଟି ସେ ବାରିପାରେ । ହସି ହସି ଫେରିଆସେ । ଦୌଡ଼ି ଦୌଡ଼ି ନିଜ ଘରେ ପଶିଯାଏ । କବାଟ ଆଉଜାଇ ଦେଇ ଖିଡ଼ିକି ବାଟେ ଅନାଏ । ହାଉଁ ହାଉଁ ହୋଇ ଡାକେ । ଭାଉଜ ପାଖକୁ ଆସେ । କିଛି ତାକୁ ଖାଇବାକୁ ଦିଏ । ସେ ଖାଏ । ହାଉଁ ହାଉଁ ହୋଇ କାନ୍ଦେ ।

 

ପିଲାପିଲି କେହି ନାହିଁ । ସ୍ନେହମୟୀର ଏକମାତ୍ର ଅବଲମ୍ୱନ ପଗଳାଟି । ପାଗଳ କଥା କହିପାରେ ନାହିଁ । ମାତ୍ର ମୁଣ୍ଡ ତା’ର ସବୁବେଳେ ବୋଧହୁଏ ଖରାପ ନ ଥାଏ । ସେ ବୁଝେ; ଭାବପ୍ରକାଶ କରେ । ଭାଉଜର ଦୁଃଖରେ ସମବେଦନା ଜଣାଏ । ତା’ କଥା ବୁଝେ ଏକା ତା’ର ଭାଉଜ ସ୍ନେହଟି । ତା’ ଆଡ଼କୁ ଚାହିଁବାର ଅନ୍ୟ କାହାରି ବେଳ ନାହିଁ କି ଲେଶମାତ୍ର ସ୍ପୃହା ନାହିଁ ।

 

ସଂସାର ତା’ ପ୍ରତି ପୂର୍ଣ୍ଣ ଅବହେଳା କରେ । ସେ ବି ନିଜର ଦେହ ମୁଣ୍ଡ ପ୍ରତି ପୂରାମାତ୍ରାରେ ଅବହେଳା କରିଗଲେ । ମନେପଡ଼ିଲେ ଗାଧାଏ; ନୋହିଲେ ଦିନେ ଦିନେ ଭୁଲିଯାଏ-। ମୁଣ୍ଡ କୁଣ୍ଡାଏ ନାହିଁ । ଖଟ ଥିଲେ ସୁଦ୍ଧା ତଳଟାରେ ସଉପ ଖଣ୍ଡିଏ ପକାଇ ଶୋଇପଡ଼େ-। ମଶାରି ଟାଙ୍ଗିଲେ ଟାଙ୍ଗିଲା, ନୋହିଲେ ନାହିଁ । ମଶା ଖାଇ ଫୁଲାଇ ଦିଅନ୍ତି । କେହି ତା’ ପ୍ରତି ନଜର ଦିଅନ୍ତି ନାହିଁ ।

 

ଜେନାମଣିବାବୁ ବିଦେଶରୁ ଫେରିଛନ୍ତି । ସାଙ୍ଗରେ ଯୁବତୀଟିଏ । ଦେଖିବାକୁ ସୁନ୍ଦର ଏବଂ ବୟସ କୋଡ଼ିଏ ଭିତରେ । ଗଢ଼ଣ ସୁନ୍ଦର । ଲୁଗାପଟାରୁ ସୁରୁଚିର ପରିଚୟ ମିଳେ । ସାଙ୍ଗରେ ଦୁଇ ତିନି ବର୍ଷର ପିଲାଟିଏ । ନାଲି ରଙ୍ଗର ପତଳା ଜାମା ଖଣ୍ଡିଏ ଦିହରେ । ପାଦରେ ନାଲିଆ ଜୋତା ହଳେ । ଗୁଣମଣିବାବୁ ବସିଥିଲେ । ଅଳ୍ପ ଦୂରରେ ବସି ତାଙ୍କ ସ୍ତ୍ରୀ ଉପନ୍ୟାସ ଖଣ୍ଡିଏ ପଢ଼ୁଥିଲେ । ଜେନାମଣି ସଙ୍ଗରେ ଆଣିଥିବା ମହିଳାକୁ ଅଙ୍ଗୁଳିଦ୍ୱାରା ନିର୍ଦ୍ଦେଶ ଦେଇ କହିଲେ–ନିରୁ, ବାପା ବୋଉଙ୍କୁ ଦଣ୍ଡବତ କରି ଆସ ।

 

ନିରୁପମା ଦୁହିଁଙ୍କୁ ଦଣ୍ଡବତ କଲା । ସାନ ଛୁଆଟିକୁ ଟେକିନେଇ ଜେନାମଣି ଗୁଣମଣିବାବୁଙ୍କ କୋଳରେ ଥୋଇଦେଇ କହିଲେ–ତୁମ ନାତି ।

 

ମା’, ଉଠିଆସି ପଚାରିଲେ– ଏ ବୋହୂଟି କିଏ, ଜେନାମଣି ? ଜେନାମଣି ଘରଟି ଭିତରକୁ ପଶି ଯାଉ ଯାଉ ବାପା ଓ ବୋଉଙ୍କ ପାଦ ଛୁଇଁ ମୁଣ୍ଡରେ ମାରି କହିଲା–ତମର ନୂଆବୋହୂ । ତାରି ଛୁଆ ଏଇଟି । ୟାଙ୍କ ଘର ବାଲେଶ୍ୱରରେ । ସେ ଜଣେ ରେଡ଼ିଓ ଆଟିଷ୍ଟ୍‌ । ଚାରିବର୍ଷ ହେଲା ଆମର ଚିହ୍ନାପରିଚୟ ।

 

ନିରୁପମାର ହାତ ଧରି ମା’ ଘରଭିତରକୁ ନେଇଗଲେ । ଗୁଣମଣିବାବୁ ଦଣ୍ଡେ ଜେନାମଣି ମୁହଁକୁ ଚାହିଁ ମନେମନେ କଅଣ ଭାବିହୋଇ ପଚାରିବେ କି ନାହିଁ ଇତଃସ୍ତତଃ ହୋଇ ଛୋଟ ପିଲାଟିକୁ କୋଳରେ ଧରି ପଚାରିଦେଲେ–ତୁ କଅଣ, ବିବାହ କରିଚୁ ? ନା ସେମିତି ?

 

ଚାଲି ଯାଉ ଯାଉ ଜେନାମଣି କହିଦେଇଗଲା–ଉଭୟର ଅର୍ଥ ସମାନ । ଏଉଟି ମୋର ପୁଅ । କେଡ଼େ ସୁନ୍ଦର ହୋଇଚି ?

 

ବୁଢ଼ାଙ୍କ ମନ ଲେଉଟି ଆସିଲା ନାତିଟି ଆଡ଼କୁ । ବାସ୍ତବିକ ଭାରୀ କଉତୁକିଆ ଦେଖିବାକୁ । ଗେଲ କରିବାକୁ ସ୍ୱତଃ ଇଚ୍ଛାହୁଏ । ଜେନାମଣି ଓ ନୂଆ ବୋହୂଟିର ସମ୍ପର୍କ କଅଣ ଗୁଣମଣିବାବୁ ବୁଝିପାରିଲେ ।

 

ନିଶ୍ଚୟ ରକ୍ଷିତା । ଆଉ କିଛି ପଚାରିବା ଉଚିତ ମନେକଲେ ନାହିଁ ।

 

ସ୍ନେହମୟୀ ଶୁଣିଲା–ସ୍ୱାମୀ ଆସିଛନ୍ତି । ଆଉ ମଧ୍ୟ ଶୁଣିଲା ସାଙ୍ଗରେ ରକ୍ଷିତା ସ୍ତ୍ରୀ ଓ ତା’ର ପୁଅଟିଏ । ତଥାପି ଧୀରେ ଧୀରେ ଆସି ସ୍ୱାମୀ ପାଦତଳେ ମୁଣ୍ଡଲଗାଇ ଦଣ୍ଡବତ ହେଲା । ଛୋଟ ଛୁଆଟିକୁ ଶ୍ୱଶୁରଙ୍କ କୋଳରୁ ଉଠାଇ କାଖେଇ ନେଇଗଲା । ପିଲାଟି କଟମଟ କରି ସ୍ନେହ ମୁହଁକୁ ଚାହୁଁଥାଏ । ନିଜର ପରିଚୟ ଦେବାକୁ ଯାଇ ସ୍ନେହ କହିଲା–ମୁଁ ତୋ ମାଆ ପରା–ଚାହୁଁଚୁ କଅଣ ?

 

ତିନିବର୍ଷର ପିଲା । ଗୁଲୁ ଗୁଲୁ କଥା କହୁଛି । କହିଲା–ନା ! ମୋ ମା’ ନୁହେଁ । ମୋ ମା’ ହେଇତି ସେ ।

 

ଆଙ୍ଗୁଠି ଠାରି ଦେଖାଇଦେଲା ନିରୁଆଡ଼କୁ । ନିରୁ ବେଖାତିର କରି ଜେନାମଣି ସାଙ୍ଗରେ ଶୋଇବା-ଘରଭିତରକୁ ପଶିଯାଇ ଭ୍ୟାନିଟି ବ୍ୟାଗ୍‌ଟି ଖଟଉପରକୁ ପକାଇଦେଲା । କହିଲା–ଇହି, କେଡ଼େ ଅପରିଷ୍କାର ହେଇଚି ଏ ଘରଦ୍ୱାର ଗୁଡ଼ାକ !

 

ଜେନାମଣି ସ୍ନେହଆଡ଼କୁ କଟମଟ କରି ଚାହିଁ କହିଉଠିଲେ–ସଫା କର ।

 

ସ୍ନେହମୟୀର ପାଦଠାରୁ ମୁଣ୍ଡଯାକେ ଥରିଉଠିଲା । ହୃଦୟ ଭିତରଟା ଜଳିଉଠୁଥାଏ ଦାଉ ଦାଉ ହୋଇ । ସେ ଦୂରକୁ ଦୂରେଇ ଗଲା । ଜେନାମଣିର ଭାଇଟି ହାଇସ୍କୁଲରେ ପଢ଼େ । ତା’ ନା ରତ୍ନମଣି । ଡାକ ନା ରତନ । ଅଳ୍ପ ଦୂରରେ ଠିଆହୋଇ ଭାଇଙ୍କ କଥା ସେ ଶୁଣିଲା, ଏବଂ ସ୍ନେହମୟୀର ବିମର୍ଷତା ମଧ୍ୟରେ କରୁଣ କାତର ଛବିଟିକୁ ଲକ୍ଷ୍ୟ କରିନେଇ ଦୀର୍ଘ ନିଃଶ୍ୱାସଟିଏ ଟାଣିଲା ।

 

ନିରୁପମା ସୁନ୍ଦରୀ ଓ ଗାୟିକା । ପୁଅକୁ କିଛି କହିବା କଥା ତେଣିକି ଥାଉ ରକ୍ଷିତା ବୋହୂଟିର ଗୁଣଗାନ କରିବାକୁ ଗୁଣମଣିବାବୁ ଶତମୁଖ ହୋଇପଡ଼ିଛନ୍ତି । କହନ୍ତି ‘‘ଜାତିରେ ଯାହା ହେଉ ନିରୁଟି ରାନ୍ଧେ ଭଲ । ଜେନାମଣିର ବାସ୍ତବିକ ରୁଚି ଅଛି ।’’ ନିରୁପମା ସୀତାରା ବଜାଇ ଗୀତ ଗାଏ । ଜେନାମଣି ସାଙ୍ଗରେ ବୁଲିବାକୁ ଯାଏ । ସଭା ସମିତିରେ ବକ୍ତୃତା ଦିଏ, ନାଚେ, ଗାଏ । ଲୋକଙ୍କଠାରୁ ବାହାବା ପାଏ । ଜେନାମଣିର ରହଣିକାଳ ଦଶ ବାର ଦିନ ମଧ୍ୟରେ ସ୍ନେହମୟୀ ତା’ ପାଖକୁ ଯାଇପାରେ ନାହିଁ । ତା’ର ମଧ୍ୟ ଅବସର ନାହିଁ ଏକୁ ପଦେ ପଚାରିଦେବାକୁ–କେମିତି ଅଛୁ ସ୍ନେହ ? ଭିକାରୁଣୀ ପରି ସେ ଏଣେତେଣେ ବୁଲେ । ପାଗଳର ସେବା କରେ । ନୀରବରେ ଲୁହ ଗଡ଼ାଏ । ନିରୁର ପୁଅଟିକୁ କୋଳରେ ଧରି ଗଛମୂଳରେ ଲୁଚି କାନ୍ଦେ । ରୋଷେଇଘର ପାଖରେ ଖଣ୍ଡେ ଚାଳିଆ । ତାରି ଭିତରେ କାନିପାରି ଶୋଇ ଶୋଇ ରାତିଟା କଟାଇଦିଏ । ନିଦ ହୁଏକି ନା ସେ ଜାଣେ, ଆଉ ଜାଣନ୍ତି ଅନ୍ତର୍ଯ୍ୟାମୀ ଭଗବାନ । ବେଶି ବେଳ ପାଗଳର ପିଣ୍ଡାରେ ଏକୁଟିଆ ଠିଆହୋଇ ଭାବେ–ଦୁନିଆରେ ମୋ’ଠାରୁ ବଳି ଦୁଃଖୀ ମଧ୍ୟ ଅଛନ୍ତି ।

 

ଦିନେ ସ୍ନେହ ଗୁଣମଣିବାକୁଙ୍କର ପାଦତଳେ ଦଣ୍ଡବତ ହୋଇ କହିଲା–ବାପା, ମୁଁ ଟିକେ ଖୁଡ଼ୀ ପାଖକୁ ଯାଉଚି । ଏମାନେ ବିଦେଶ ଗଲେ ମୋତେ ଡକାଇ ପଠାଇବ–ଆସିବି ।

 

ଚଷମାଟା ଆଖିରେ ସେମିତି ଥାଏ । ଗୁଣମଣିବାବୁ ଚାହିଁଲେ ବୋହୂଆଡ଼କୁ । ଚଷମାଟା ଖୋଲି କାନିରେ ଆଖି ଦି’ଟା ପୋଛିନେଲେ । ଥାଆ ବୋଲି କହିବାକୁ ସାହସ ହେଉନାହିଁ । ଯାଆ ବୋଲି କହିବାକୁ ମନ ବଳୁ ନାହିଁ । ଯେତେହେଲେ ବୋହୂକରି ଆଣିଚନ୍ତି ଘରକୁ । ମନଭିତରେ ମମତା କଅଣ କାଣିଚାଏ ନାହିଁ ? ଆଖି ଦି’ଟାକୁ ପୁଣି ପୋଛିପକାଇ ଦୀର୍ଘନିଃଶ୍ୱାସଟିଏ ଟାଣିଲେ ଏବଂ କହିଲେ–ରତନ ଯାଉ ସାଙ୍ଗରେ ।

 

ତଳକୁ ମୁହଁ ରଖି କାନ୍ଦୁରା ସ୍ୱରରେ ସ୍ନେହ କହିଲା–ରତନ ଯାଇଛନ୍ତି ରିକ୍‌ସା ଡାକିବାକୁ-

 

ଗୁଣମଣିବାବୁ ଖବରକାଗଜ ଉପରକୁ ଆଖି ବୁଲାଇନେଇ କହିଲେ–ହଉ ଯା ।

 

ଗହିଡ଼ିଆ ଦୀର୍ଘନିଃଶ୍ୱାସ ଟାଣିଲେ । ବୋହୂ ପୁଣି ଥରେ ଦଣ୍ଡବତ ହୋଇ ଫାଟକ ବାହାରକୁ ଗୋଡ଼ ବଢ଼ାଇଲା । ରିକ୍‌ସା ଖଣ୍ଡିକ ଉପରକୁ ଉଠି ବସିଲା । ମୁହଁରେ କାନି ଦେଇ କାନ୍ଦୁଚି ସେ । କାନ୍ଦ ଲୁଚାଇବାକୁ ପ୍ରାଣପଣେ ଚେଷ୍ଟା ମଧ୍ୟ କରୁଚି । ପଛେ ପଛେ ଆଉ ଖଣ୍ଡେ ରିକ୍‌ସାରେ ଚାଲିଚି ରତନ । ତା’ର ବି ଆଖି ଦି’ଟା ଛଳଛଳ, ମୁହଁ ଫଣ ଫଣ ।

 

ଖୁଡ଼ୀ ପଚାରିଲେ–ଜୋଇଁ ଆସିଚି ପରା ?

 

ସଂକ୍ଷିପ୍ତ ଉତ୍ତର ଦେଲା ସ୍ନେହ–ହୁଁ ।

 

ତୁ ଚାଲିଆସିଲୁ ଯେ !

 

ସେହି ଉତ୍ତର–ହୁଁ ।

 

ଅନେକ କଥା ଅଛି କହିବାକୁ–ମାତ୍ର ସ୍ନେହ କିଛି କହିଲା ନାହିଁ । ପୁଣି ପ୍ରଶ୍ନ ହେଲା–କିଲୋ ଏମିତି ଭିକାରୁଣୀ ପରି ଦିହହାତ ଖାଲି ଖାଲି ?

 

ସେଇ ସଂକ୍ଷିପ୍ତ ଉତ୍ତର–ହୁଁ ।

 

ଗୋଟିଏ ଦିନ ବିତିଲା । ରାଗକରି ବାପଘରକୁ ଚାଲିଆସିଚି ସ୍ନେହ । ବାପା ବୋଉ କେହି ନାହାଁନ୍ତି । ଖୁଡ଼ୀ ତ ଅଛି ! ବାପ ଘରର ଦମ୍ଭ ପ୍ରତ୍ୟେକ ଝିଅର ପ୍ରାଣରେ ଅଳ୍ପେ ବହୁତେ ଥାଏ-। ଅନେକ ଦିନର ଅନିଦ୍ରା ପରେ ସେଦିନ ରାତିରେ ନିଦ ଟିକେ ହୋଇଯାଇଚି । ସ୍ନେହ ସ୍ୱପ୍ନ ଦେଖିଲା–ପାଗଳ କାନ୍ଦୁଚି । ଖାଉ ନାହିଁ ପିଉ ନାହିଁ । କାହାରିକୁ ଘରଭିତରକୁ ପୂରାଇ ଦେଉନାହିଁ-। ଘରଯାକ ଗୁହମୂତ । ବାଡ଼େଇପିଟି ହୋଇ ଦିହ ହାତ ଖଣ୍ଡିଆ । ଝରକା ପାଖରେ ଠିଆହୋଇ ନିଜ ଦିହ ହାତ ପୁଳା ପୁଳା କାମୁଡ଼ି ପକାଉଚି । ପାଟି କରି ସାହି କମ୍ପାଉଚି । କାନ୍ଦୁଚି ଯେ ଦି’ ଆଖିରୁ ତା’ର ଲୁହଧାର ଶୁଖୁନାହିଁ । ରତନଟି ଆସି ଦାଣ୍ଡ କବାଟରେ ଦୁଲ୍ ଦୁଲ୍ ବାଡ଼େଇ କାନ୍ଦି କାଟି ଉଚ୍ଛନ୍ନ ହୋଇ କହୁଚି ଭାଉଜ, ତୁମେ ଫେରିଚାଲ । ନୋହିଲେ ମୁଁ ଖାଇବା ବିନା ମରିଯିବି । ଭାଉଜ ବୋଉ, ମା’ ମଲାପରେ ତୁମେ ମାଆ ପରି ଆସିଥିଲ । ମାଆ ପରି ଆମ ଦୁଃଖ ବୁଝୁଥିଲ-। ତୁମେ ଚାଲିଗଲ ରାଗିମାଗି । ହତଭାଗା ମୁଁ ଆଉ ପାଗଳାଟା ବଞ୍ଚିବୁ କିମିତି ଭାଉଜ ?

 

ଚାଲ ଚାଲ ମୁଁ ଯିବି ଚାଲ–ନିଦ ବାଉଳାରେ ହାଉଳି ଖାଇ ଉଠି ଅସ୍ତବ୍ୟସ୍ତ ଅବସ୍ଥାରେ ସ୍ନେହ ଧାଇଁଚି ଦାଣ୍ଡ ଦୁଆର କବାଟ ଫିଟାଇବାକୁ । ଖୁଡ଼ୀ ଡାକ ପକାଇଲେ–କିଲୋ ମା’, କୁଆଡ଼େ ଧାଇଁଚୁ ? ନିଦ ବାଉଳାରେ କଅଣ କହୁଚୁ ? ବାୟାଣୀଟାଏ ନା କଅଣ ?

 

ବାୟାଣୀ ସ୍ନେହର ନିଦ ଭାଙ୍ଗିଗଲା । ଦିହ ଥରୁଚି । ଜ୍ଞାନ ହୋଇ ସୁଦ୍ଧା ଜ୍ଞାନ ହେଉ ନାହିଁ । ରତନର ମୁହଁ ଦିଶିଯାଉଚି ଛାଇ ଛାଇ ହୋଇ । ପଗଳା ଡେଉଁଚି । ମନ ବୁଝୁନାହିଁ–ମିଛ ବୋଲି, ଭ୍ରମ ବୋଲି, ସ୍ୱପ୍ନ ବୋଲି । ଚାଲିଚି ସେ ଆଗକୁ–ଦାଣ୍ଡ କବାଟ ଫିଟାଇବା ଲାଗି । ଖୁଡ଼ୀ ତା’ ହାତଟାକୁ ଧରିପକାଇ ଭିଡ଼ିଧରିଲେ ପଛକୁ ।

 

ତହିଁ ଆରଦିନ ସଞ୍ଜକୁ ସ୍ନେହମୟୀର ରିକ୍‍ସା ଖଣ୍ଡିକ ଆସି ଗୁଣମଣିବାବୁଙ୍କ ଫାଟକ ପାଖରେ ଠିଆହେଲା । ରିକ୍‌ସାବାଲାକୁ ବିଦାୟ କରି ସ୍ନେହ ପଶିଗଲା ଭିତରକୁ । ପାଗଳା ଝରକା ସେପଟେ ଭିତରେ ଥାଇ ଭାଉ ଭାଉ ହୋଇ କାନ୍ଦିଉଠି ଡେଉଁଚି ଏବଂ ସ୍ନେହ ଆଡ଼କୁ ଚାହିଁଚି । ଦିହ ହାତ ତା’ର ମଇଳା । ବାହାରୁ ଶିକୁଳି ଖୋଲି ଭିତରକୁ ପଶିଗଲା ସ୍ନେହ । ଆଖି-ପତା ତଳେ ଫୁଣ୍ଟା ଫୁଣ୍ଟା ଲୁହ ବିନ୍ଦୁ ଗଡ଼ି ପଡ଼ୁଚି ତଳକୁ । ପାଗଳା ତା’ ମୁହଁକୁ ଚାହିଁ କଅଣ ଗୁଡ଼ାଏ କହି ଯାଉଚି । ଘରଟାଯାକ ମଇଳା ମୂତ । ଗନ୍ଧରେ ନାକ ଫାଟିଯାଉଚି । ଭାତଗୁଡ଼ାକ ଏଣେତେଣେ ବିଞ୍ଚା ହୋଇଚି । ବୋଧହୁଏ ଭାତ ତିଅଣ ଦି’ଟା କିଏ ଥୋଇଦେଇ ଯାଇଥିଲା–ପଗଳା ଖାଇନାହିଁ । ବାହୁ ଦେଖାଇ ଦେଉଚି ପାଗଳା ଭାଉଜକୁ । କିଏ ମାରିଚି ଯେ ନୋଳା ଫାଟିଯାଇଚି । ପାଖକୁ ଘୁଞ୍ଚିଯାଇ ସ୍ନେହ ଆଉଁଷି ଦେଲା । ହାତ ଧରି ବାହାରକୁ ଆଣିଲା । କୂଅ ପାଖରେ ପାଣି ଢାଳି ଗାଧୋଇ ସଫା କରିଦେଲା । ଶାନ୍ତଶିଷ୍ଟ ପିଲାଟି ପରି ପାଗଳ ତୁନିହୋଇ ବସି ରହିଲା ।

 

ଦି-ଦିନ ପରେ ଜେନାମଣି ଓ ନିରୁ ଫେରିଗଲେ । ସ୍ନେହ ଦେଖିଲା–ପଦୁଟିଏ କଥା ବି କହିଗଲା ନାହିଁ ସ୍ୱାମୀ ତା’ର । ‘‘ଯାଉଚି ସ୍ନେହ ଥା’’ । ଏତକ ବି ଶୁଣିବାର ଭାଜନ ନୁହେଁ ସ୍ନେହ ! ପେଟ ଭିତରଟା ତା’ର ଘାଣ୍ଟିଚକଟି ପକାଉଚି କୋହ । କାନିରେ ମୁହଁ ଲୁଚାଇ ମନଇଚ୍ଛା କାନ୍ଦିଲା । ପଗଳା ଖିଡ଼ିକିବାଟେ ଚାହିଁଚି । ତାକୁ ଦେଖି ଘଣ୍ଟାକ ପରେ ମନଟାକୁ ଭୁଲାଇନେଲା ସ୍ନେହ ।

 

ଚାରିମାସ ପରେ ଜେନାମଣି ଓ ନିରୁପମା ଫେରିଚନ୍ତି । ଘରେ ଗୀତ ବାଦ୍ୟ ଓ ମେଳା ମଉଛବ ଲାଗିଯାଇଚି । କେତେ ସାଙ୍ଗ ଆସୁଚନ୍ତି । ଆନନ୍ଦର ରୋଳ ଉଠୁଛି । ନିରୁପମାର ପ୍ରଶଂସାରେ ସମସ୍ତେ ଶତମୁଖ । ମାତ୍ର କାଙ୍ଗାଳୁଣୀଟିଏ କାହୁଁ ଅଇଲାପରି ପରିପୂର୍ଣ୍ଣ ଦୀନତାର ଦୁର୍ବହ ବୋଝ ବୋହି ସ୍ନେହମୟୀ କେଉଁ କୋଣରେ ପଡ଼ି ରହିଚି । ବେଳେବେଳେ ନିରୁପମାର ପିଲାଟିକୁ କୋଳରେ ଧରି ସ୍ନେହ ଦାସୀ ପୋଇଲି ପରି ମନେମନେ ଝୁରିହେଉଚି ଏବଂ କାନ୍ଦୁଚି । ପିଲାଟି ତା’ ମୁହଁକୁ ଚାହିଁ କାବାହୋଇ ଭାବିହେଉଚି କେବଳ । ଥଳକୂଳ ପାଉନାହିଁ । ସ୍ନେହ ଭାବି ଭାବି ସ୍ଥିର କରିଚି ଦୁଇଟା କଥା । ଗୋଟିଏ ହେଉଚି ଶ୍ୱଶୁରଙ୍କଠାରୁ ଅଳଙ୍କାରତକ ଆଦାୟ କରି ପଗଳାଟିକି ସାଙ୍ଗରେ ଧରି ଏଘରୁ ବାହାରି ଚାଲିଯିବ । ନୋହିଲେ ନଈ ପୋଖରୀକୁ ଡେଇଁପଡ଼ି ଆତ୍ମହତ୍ୟା କରିବ ।

 

ଚାରି ଛଅଦିନ ପରେ ଗୁଣମଣିବାବୁ ନିଜ ଘରେ ବସି ଖବରକାଗଜ ପଢ଼ୁଛନ୍ତି । ସ୍ନେହ ଆସି ଦୁଆର ମୁହଁରେ ବସିଲା । ଗୁଣମଣି ବାବୁ ପଚାରିଲେ–କୁଆଡ଼େ ଆସିଲୁ ମା’ ?

 

ଧୀର ସ୍ୱରରେ ସ୍ନେହ କହିଲା– ମୁଁ ଆଉ ଏଘରେ ରହିପାରିବି ନାହିଁ ବାପା । ତେଣେ ଖୁଡ଼ୀଙ୍କ ଅବସ୍ଥା ତ ଭଲ ନୁହେଁ । ଚଳିବି କିମିତି ? ମୋ ଗହଣା ଦି’ଖଣ୍ଡି ଦିଅ । ମୁଁ ଯାଏଁ ।

 

ଆଁ କରି କଟମଟ ଆଖିରେ ଚାହିଁଲେ ଗୁଣମଣିବାବୁ । ପଚାରିଲେ–କଅଣ ଗୋଟାଏ ସଦାବେଳେ ଗହଣା ଦି’ଖଣ୍ଡ କଥା କହୁଚୁ ଲୋ ? ଯୌତୁକ ଧନରେ ତୋର କି ଅଧିକାର ?

 

ଗହଣା ଦି’ଖଣ୍ଡ ବାପା ମୋତେ ଦେଇଥିଲେ । ଆପଣ ଫେରାଇ ଦେବାକୁ କହି ନେଇଚନ୍ତି ।

 

ଗୁଣମଣିବାବୁ ରାଗିଯାଇ ଉଠିଆସିଲେ । ବଡ଼ପାଟିରେ କହିଲେ–ଅଲକ୍ଷଣୀ ! ମୁଁ ତୋର କିଛି ନେଇନାହିଁ । ନିକଲ ଏ ଘରୁ । ସଦାବେଳେ ଗୋଟାଏ ଅଶାନ୍ତି ଲଗାଇଚି ।

 

ସ୍ନେହ ସେଇଠି ବସିରହି ସୁଁ ସୁଁ ହୋଇ କାନ୍ଦିଲା; ମାତ୍ର ଉତ୍ତର ଦେଲା ନାହିଁ । ବାପାଙ୍କ ପାଟି ଶୁଣି ଜେନାମଣି ଉଠିଆସିଲା ଅନ୍ୟଘରୁ । ପଚାରିଲା–କଅଣ ବାପା ? କଅଣ କହୁଚି ? ପାତି ମାଙ୍କଡ଼ର ରୂପ ଯେମିତି ଗୁଣ ବି ସେମିତି !

 

କଟମଟକରି ସ୍ୱାମୀଆଡ଼କୁ ଚାହିଁଲା ସ୍ନେହ । କ୍ରୋଧରେ ଅନ୍ତର ଜଳୁଚି । ରକ୍ତର ପ୍ରତି କଣାରେ ପ୍ରତିହିଂସା ଓ ଘୃଣାର ଅଗ୍ନିଶିଖା ହୁତ୍‌ହୁତ୍‌ ହୋଇ ଜଳୁଚି । କହିପକାଇଲା–କିଛି କହୁନାଇଁ ମୁଁ । ମୋ ଗହଣା ଦି’ଖଣ୍ଡ ମାଗୁଚି । ବାପା ନେଇଥିଲେ । ମୁଁ ବି ଏଘରେ ଆଉ ରହିବାକୁ ଚାହୁଁନାହିଁ-। ଏତେଗୁଡ଼ାଏ ସୁଖ ଭିତରେ ମୁଁ ଅଜନ୍ତରିଆ ହୋଇଯାଉଚି ।

 

ଜେନାମଣି ପାଖକୁ ଲାଗିଆସି ଗୋଟାଏ ଗୋଇଠା ପକାଇଲା ସ୍ନେହର ପିଠିକି । ମୁହଁମାଡ଼ି କଚାଡ଼ିହୋଇ ପଡ଼ିଲା ସେ । ଜେନାମଣି ତମତମ ହୋଇ କହୁଥାଏ–ଗେଟ୍‌ ଆଉଟ୍‌, ନିକଲଯା । ଅପରଛନି, ପାତିମାଙ୍କଡ଼ । ଭାଗ୍‌ ।

 

ବଡ଼ ପାଟିରେ କାନ୍ଦିଉଠିଲା ସ୍ନେହ । ଅନେକଦିନର ଅମୁହାଁ ନଈରେ ବହୁଦିନର ବେଦନା ସ୍ରୋତ ରୁଦ୍ଧ ହୋଇ ରହିଥିଲା–ଆଜି ମୁହଁ ଫିଟିଯାଇଛି । କାନ୍ଦୁ କାନ୍ଦୁ କହିଉଠିଲା–ମାର ରାକ୍ଷସ, କେତେ ମାରିବୁ ମାର୍‌ । ମାରିପକା ମତେ । ଭଗବାନ ବୁଝିବେ ସବୁ କଥା ।

 

ଆଉ ଗୋଇଠାଏ କସିଦେଲା ଜେନାମଣି–ସ୍ନେହର ପିଠି ଉପରକୁ–ମାରିଦେବି, ମାରିପକାଇବି । କହୁଚି ଯା ଚାଲି ଏ ଘରୁ । ତୋ ମୁହଁ ଚାହିଁଲେ ମତେ ଅଶାନ୍ତି ଲାଗୁଚି ।

 

ଗୁଣମଣିବାବୁ ସ୍ନେହର ଡାହାଣ ହାତଟାକୁ ଧରି ଉଠାଇବାକୁ ଚେଷ୍ଟାକରି ଭିଡ଼ୁଥାଆନ୍ତି । ଆର ହାତଟାକୁ ଧରି ବାହାର ଆଡ଼କୁ ଭିଡ଼ି ଟାଣୁଥାଏ ଜେନାମଣି ଏବଂ ବଡ଼ ପାଟିରେ କହୁଥାଏ–ବାହାର ରାକ୍ଷସୀ, ଅଲକ୍ଷଣୀ, କୁକୁର !

 

ଅଲରା ମଲରା ଲୁଗାପଟା । ନିର୍ମମ ମାଡ଼ରେ ଅର୍ଦ୍ଧଅଜ୍ଞାନ ହୋଇପଡ଼ିଲାଣି ସ୍ନେହ । କୋହ ଉଠୁଚି ଯେ କାନ୍ଦିପାରୁ ନାହିଁ । ବାଳ ମୁକୁଳା, ଲୁଗାପଟା ଅସଞ୍ଜତ । ନଡ଼ ନଡ଼ ହୋଇ ତଳେ ଘୁଷୁଡ଼ି ଯାଉଚି । ବାପ ପୁଅ ଦି’ଜଣଯାକ ଦି’ଆଡ଼କୁ ଭିଡ଼ୁଛନ୍ତି । ରତନ ତେଣୁ ଧାଇଁଆସି ପାଟିକରିଉଠିଲା–ମାରିପକାଅ ମ, ଦି’ଜଣଯାକ ମିଶି । ନିରୀହ ଗରିବଟାକୁ ମାରିଦିଅ ।

 

ଗର୍ଜିଉଠିଲା ଜେନାମଣି–ମାମଲତକାର ବାହାରିଲେ ହୋ । ତୁ ବି ବାହାର ଏ ଘରୁ । ମୋ କଥାରେ କଥା କହୁଛୁ; ଭାଉଜକୁ ପିଠେଇ ପଡ଼ୁଛୁ ?

 

ପଗଳାକୁ ଦିଶିଯାଉଚି ସେ ଦୃଶ୍ୟ । ସେ ବି ଗର୍ଜନ କରିଉଠୁଚି ଘରଭିତରେ । ବାହାରୁ ବନ୍ଦ ଥିବା କବାଟ ଦି’ଟାକୁ ଜୋରରେ ପିଟୁଚି ଫିଟାଇ ଧାଇଁଆସିବାକୁ । କିନ୍ତୁ ପାରୁନାହିଁ । ଆପଣାର ଦିହହାତ କୁମୁଡ଼ି ପକାଉଚି । ଅଜ୍ଞାନ ପାଗଳ ହେଲେ ସୁଦ୍ଧା ସେ ବି ଏ ଅତ୍ୟାଚାରର ପ୍ରତିଶୋଧ କରିବାପାଇଁ ପ୍ରାଣପଣେ ଗର୍ଜନ କରୁଚି ।

 

ଜେନାମଣିର ସାବତ ମା’ ଓ ନିରୁ ଦୂରରେ ଠିଆହୋଇ ଏ ଦୃଶ୍ୟ ଦେଖୁଚନ୍ତି । ନିରୁର ପିଲାଟି ପାଖକୁ ଧାଇଁଆସି ରଡ଼ି ଛାଡ଼ି କାନ୍ଦୁଚି–‘‘ବୋଉ ମଲି ଯିବ’’ । ଦେବ ଶିଶୁ ସେ ଦୁନିଆର କୂଟ କପଟତା ତାକୁ ସ୍ପର୍ଶ କରିନାହିଁ । ବେଳେବେଳେ ସ୍ନେହର କୋଳରେ ପଶି, ବସି, ତା’ର ସ୍ନେହକଣିକା ଚାଖିଚି । ସେ ବି ପ୍ରତିବାଦ କରିଉଠୁଚି । ଘରେ ବନ୍ଧାହୋଇଥିବା ଭାଲୁଆ କୁକୁରଟା ବି ‘‘ଭୋ, ଭୋ’’ ପାଟିକରି ଉଠି ଜଣାଇଦେଉଛି ତା’ର ପ୍ରତିବାଦ । କିନ୍ତୁ ବାପ ଟାଣୁଚି ହାତଟାଏ ଧରି, ପୁଅ ଟାଣୁଚି ଆର ହାତଟା ଧରି । ପାଖଆଖ ପଡ଼ିଶା ଘରର ଛାତ ଉପରେ ଠିଆହୋଇ କେତେ କିଏ ଦେଖୁଛନ୍ତି । ଆଖି ଲୁହ କାନିରେ ପୋଛୁଛନ୍ତି । ପାଖକୁ ଯାଇ ପ୍ରତିବାଦ ଜଣାଇବାକୁ କାହାରି ଭରସା ପାଉନାହିଁ–ବଡ଼ଲୋକକୁ ଉତ୍ତର ନାହିଁ ।

 

ସେଇଦିନ ସଞ୍ଜଗାଡ଼ିରେ ଜେନାମଣି ଓ ନିରୁପମା ପିଲାଟିକି ଧରି ବିଦେଶ ଚାଲିଗଲେ-। ପ୍ରତିବାଦ ସ୍ୱରୂପ ଚିଠି ଖଣ୍ଡିଏ ଲେଖି ବାପାଙ୍କ ଖଟ ଉପରେ ଥୋଇଦେଇ ଖଣ୍ଡେ ଲୁଗା ଓ ଖଣ୍ଡେ ହାପ୍-କାମିଜ ପିନ୍ଧି ଚାଲିଗଲା ରତନ–ନିରୁଦ୍ଦେଶ୍ୟ ପଥର ପଥିକ ହୋଇ । ଲେଖିଚି–ବାପା, ତୁମର ଓ ଭାଇଙ୍କର ବିଚାରହୀନ ପାଶବିକ ବ୍ୟବହାରର ପ୍ରତିବାଦ ସ୍ୱରୂପ ମୁଁ ଏ ଘର ଛାଡ଼ିଲି-

 

ରତନର ଭଉଣୀଟି ଅର୍ଦ୍ଧ-ଅଜ୍ଞାନ ଅବସ୍ଥାରେ ପଡ଼ିଥିବା ଭାଉଜର ମସିଣା ଖଣ୍ଡିକ ଉପରେ ପଡ଼ି ନିଜେ କାନ୍ଦିଲା । ଆଉଁସିଦେଲା । ବାପାଙ୍କ ଦୁଆରକୁ ଯାଇ ଦେଖିଲା–ସେ କିଛି ଶୁଣିବା ଅବସ୍ଥାରେ ନାହାନ୍ତି । ଦୁର୍ବାସା ମୂର୍ତ୍ତି, ବାଡ଼ି ଖଣ୍ଡେ ହାତରେ ଧରି ଘରଭିତରେ ଟହଲୁଚନ୍ତି । ଭୟରେ ଫେରିଆସିଲା । ସାବତମା’ ପାଖକୁ ଗଲା । ଦେଖିଲା ସେ ଖିଡ଼ିକିବାଟେ ବାହାରକୁ ଏକ ଲୟରେ ଚାହିଁ ରହିଛି । ପାଗଳା କିନ୍ତୁ ଗର୍ଜନ କରୁଛି । କବାଟ ବାଡ଼ଉଚି, ମୁଣ୍ଡ ପିଟୁଚି । ଝରକା ରେଲିଂ ଧରି ଭାଙ୍ଗିଦେବାକୁ ପ୍ରାଣମୂର୍ଚ୍ଛା ଚେଷ୍ଟା କରୁଚି । ଅସହାୟା ବାଳିକାଟି କାହାରିକି କିଛି ନ କହି ଅଖିଆ ଅପିଆ ଗୋଟାଏ ଘରେ ଖଟ ଉପରେ ମୁହଁମାଡ଼ି ପଡ଼ିରହିଲା । ଧୀରେ ଧୀରେ ରାତି ବହୁତ ହେଲା ନିଦ ଆସିଗଲା । ସେ ଢୁଳାଇ ପଡ଼ିଲା ।

 

କୃଷ୍ଣପକ୍ଷ ରାତ୍ରୀ । ଚାରିଆଡ଼ ଅନ୍ଧକାର । ଆକାଶରେ ତାରା କେତୋଟା ମିଟି ମିଟି ଜଳୁଛନ୍ତି । ଘରେ ସମସ୍ତେ ଯିଏ ଯୁଆଡ଼େ ଶୋଇପଡ଼ିଲେଣି । ନିଛାଟିଆ କୋଣଟାରେ ଗହିଡ଼ିଆ ପୋଖରୀଟାରେ ତିନିପୁରୁଷ ପାଣି ଦର୍ପଣ ପରି ଦିଶୁଛି । ରୁଦ୍ଧ ଘରଭିତରେ ପଗଳା ରହି ରହି ହାଉ ହାଉ ହେଉଚି । ରାତି ଅଧା ଗଡ଼ିଗଲାଣି । ଚାରିଆଡ଼େ ଶୂନଶାନ୍‍ । ସ୍ନେହ ସ୍ଥିର କରିନେଇଚି ଆଉ ଏ ଜୀବନ ରଖିବ ନାହିଁ । ଧୀରେ ଧୀରେ ସେ ଉଠିଚି । ଚାରିଆଡ଼କୁ ଚାହିଁଚି । ସଇତାନ ତା’ ମନଭିତରେ ପ୍ରତିଜ୍ଞା କରିଚି–ପୋଖରୀକି ଡେଇଁପଡ଼ି ମରିବ ନିଶ୍ଚେ । ଅନ୍ଧକାର ନିଶୂନ ରାତି । କେହି ଦେଖିବେ ନାହିଁ । କାଲି ସକାଳକୁ ସେ ଆଉ ନ ଥିବ–ମଡ଼ା ତା’ର ଭାସୁଥିବ ମାତ୍ର । ଧୀରେ ଧୀରେ ପାଦ ଟିପି ଟିପି ବଗିଚାର ଗଛ ଉହାଡ଼ ଦେଇ ଚାଲିଚି ସ୍ନେହ । ଜୀବନର ସବୁ ମାୟା ମମତା ତା’ର ନିଭିଯାଇଛି । ଜୀବନଟା ଦୁର୍ବହ, ଦୁର୍ବିସହ । ବଞ୍ଚିରହିବା ତା’ ପକ୍ଷରେ ଯନ୍ତ୍ରଣାର ଚରମତା ମାତ୍ର । ସେ ଚାଲିଛି ଆଗକୁ । ପଛକୁ ଥରେ ଥରେ ଫେରି ଚାହୁଁଛି । ପଗଳାପାଇଁ ଆଖି କୋଣରେ ତା’ର ଝରିଆସୁଚି ଲୁହ ବିନ୍ଦୁ । ରତନର ମମତାଭରା ପ୍ରତିବାଦ କଥା ଭାବିଲାବେଳକୁ ଅନ୍ତରରେ କିଏ ଯେମିତି କହିଦେଉଛି–ଅସୁରପୁରୀରେ ତା’ ଦୁଃଖ ବୁଝନ୍ତି ରତନ ଆଉ ତା’ ଭଉଣୀଟି । ମାତୃହୀନ ପିଲା ଦୋ’ଟି ଲାଗି ସ୍ନେହର ଆଖି କୋଣରେ ଜକେଇ ଆସୁଚି ଲୁହ ବିନ୍ଦୁ । ପାଦ ଥକିପଡ଼ୁଚି । କିନ୍ତୁ ସ୍ୱାମୀ, ଶ୍ୱଶୁର ଆଉ ଶାଶୁ ! ମଣିଷ ନୁହେଁ ତ ସେମାନେ ! କାଠ ପାଷାଣ, ରାକ୍ଷସ । ତରତର ହୋଇ ଆଗକୁ ପାଦ ବଢ଼ାଉଚି ସ୍ନେହମୟୀ । ପୋଖରୀ ହୁଡ଼ା ଉପରେ ଠିଆହେଲା । ପାଣି ତଳେ କେତେଟା ନକ୍ଷତ୍ର ଜଳ ଜଳ ହୋଇ ପ୍ରତିବିମ୍ୱିତ ହେଉଛି । ପାଣି ତଳେ ସ୍ୱର୍ଗର ତାରକା । ପାଣିକି ଡେଇଁ ସେ ସଂସାରରୁ ବିଦାୟ ନେବ ।

 

ପଛରୁ ଶୁଭିଲା–ଖଟ୍‌, ଖଟ୍‌ ଖଡ଼ଂ, ଧଡ୍‌ ଧାଡ଼୍‌ । କିଏ ଦୌଡ଼ି ଆସୁଚି । ଆଉ ଅବସର ମିଳିବ କି ନାହିଁ । ସ୍ନେହ ଭୁସ୍‌କିନା ଡେଇଁପଡ଼ିଲା ଗଭୀର ପାଣି ଭିତରକୁ ।

 

କିନ୍ତୁ ପଛରେ ଘୁଷୁରୁଥିବା ଲୁଗା କାନିଟାକୁ ଧରି ଛାତିଏ ପାଣି ଭିତରେ ପଶି କିଏ ଭିଡ଼ିଆଣିଲା ତାକୁ କୂଳକୁ । ସ୍ନେହ ମରିପାରିଲା ନାହିଁ । ହତଭାଗ୍ୟକୁ ମରଣ ବି ଗ୍ରହଣ କରିବାକୁ ଚାହେଁନା । କବାଟ ଭାଙ୍ଗି ଧାଇଁଆସିଛି ପଗଳା, ଲଙ୍ଗଳା ଫୁଙ୍ଗୁଳା । ଛାତିକ ପାଣିରେ ପଶି କାନିଟାକୁ ଧରି ସ୍ନେହକୁ ସେ ଭିଡ଼ିଆଣିଲା ଉପରକୁ । ଢୋକେ ଦି’ ଢୋକ ପାଣି ପିଇଥିଲା ସ୍ନେହ । ମାତ୍ର ମରିପାରିଲା ନାହିଁ । ଦିହରେ ଲମ୍ୱ ଲୁଗାଟା ଗୁଡ଼ାଇ ହୋଇଚି । ଓଦାହୋଇ ଜଡ଼ିଯାଇଚି । ପଗଳା ଭିଡ଼ିଆଣିଲା ଉପରକୁ । ହାଉ ହାଉ ପାଟି କରି ଉଠିଲା । ଭାଉଜର ହାତଟାକୁ ଧରି ଉଠାଇ ଠିଆ କରିଦେଲା–ଭିଡ଼ି ଭିଡ଼ି ନେଇଗଲା ବାରଣ୍ଡା ଉପରକୁ । ନିଜ ମୁଣ୍ଡଟାକୁ ଥରକୁ ଥର ପିଟୁଥାଏ ଭାଉଜର ପାଦ ଉପରେ ଏବଂ ହାଉଁ ହାଉଁ ହୋଇ କଅଣ ଗୁଡ଼ାଏ କହିବାକୁ ଚେଷ୍ଟା କରୁଥାଏ । ମୁହଁଟାକୁ ଟେକି ଭାଉଜ ମୁହଁକୁ ବଲ ବଲ କରି ଚାହୁଁଥାଏ । ତାରା ଆଲୁଅରେ ଅସ୍ପଷ୍ଟ ଦେଖାଯାଉଥାଏ ତା’ର ମୁହଁ । ସେ କାନ୍ଦୁଚି । ସ୍ନେହ ବୁଝିଲା ତା’ ଭାଷାରେ ସେ ଯେମିତିକି କହୁଚି–ତୁ ତ ମରିବୁ, ମୁଁ ବଞ୍ଚିବି କେମିତି ଭାଉଜ ?

 

ବସିପଡ଼ିଲା ସ୍ନେହମୟୀ । ପାଗଳାର ମୁଣ୍ଡଟାକୁ କୋଳ ଉପରେ ଥୋଇ ଦି’ହାତରେ ତା’ର ମୁହଁଟାକୁ ଆଉଁସୁ ଆଉଁସୁ କହିଲା– ମୁଁ ଆଉ ମରିବି ନାହିଁରେ ପାଗଳ, ମରିବି ନାହିଁ । ତୁ ବଞ୍ଚିଥିବାଯାକେ ସମସ୍ତଙ୍କର ସବୁ ଅତ୍ୟାଚାର ସହିବି ପଛକେ, ତତେ ଛାଡ଼ି ମରିପାରିବି ନାହିଁ ।

 

ଦି’ ଆଖିରୁ ତା’ର ଦି’ଧାର ଲୁହ ନିଗିଡ଼ ପଡ଼ିଲା–ପାଗଳ ଉପରେ । ହାତଟାକୁ ଟେକି ପାଗଳ ଭାଉଜର ଆଖି ପୋଛିଦେଲା ।

 

ପାଗଳ ଗର୍ଜିଉଠୁଥାଏ । କଅଣ ଗୁଡ଼ାଏ କହି ପକାଉଥାଏ । ଅବୋଧ୍ୟ ଭାଷା–ବୁଝେ ଏକମାତ୍ର ସ୍ନେହମୟୀ ।

★★★

 

ମିଠା ବିଷ

 

ରଙ୍ଗମଞ୍ଚ ଉପରେ ପାଗଳ ଭୂମିକାରେ ବିଶ୍ୱଜିତ୍‌ କହୁଚି–ତାକୁ ବିଶ୍ୱାସ ନାହିଁ । ସେ ମଣିଷ । ହିଂସ୍ରଜନ୍ତୁ ବାଘ ସିଂହଠାରୁ ସେ ଭୟଙ୍କର । ପେଟଟି ପୂରିଗଲେ ବାଘ ଫେରିଯାଏ । କିନ୍ତୁ, କିନ୍ତୁ ସେ ମଣିଷ । ତା’ର କ୍ଷୁଧାର ସୀମା ନାହିଁ । ସେ ସର୍ବନାଶ କରିଦିଏ । ସେ ସର୍ବଗ୍ରାସୀ ରାକ୍ଷସ, ବର୍ବର, ପିଶାଚ ।

 

ବିଶ୍ୱଜିତ୍‌ ରଙ୍ଗମଞ୍ଚ ଉପରେ ପାଗଳ । ଚମତ୍କାର ତା’ର ଅଭିନୟ । କଲେଜର ଉପାଧ୍ୟାୟ (Lecturer) ସେ । ତାହାରି ନିର୍ଦ୍ଦେଶରେ ନାଟକଟି ଅଭିନୀତ ହେଉଚି । ଦର୍ଶକ ବହୁତ, ନରନାରୀ ବାଳକବାଳିକା ସମସ୍ତେ ମୁଗ୍‌ଧ ।

 

ତିନୋଟି ବର୍ଷତଳେ ବିଶ୍ୱଜିତ୍‌ ରିକ୍‌ସା ଦି’ଖଣ୍ଡିରେ ଟ୍ରଙ୍କ ସୁଟକେଶ ବିଛଣାପତ୍ର ଦି’ଖଣ୍ଡ ଧରି ଯେଉଁଦିନ ଆସି ବସାଘର ଖଣ୍ଡିକ ଭିତରକୁ ପ୍ରବେଶ କଲା, ସେଦିନ ପଡ଼ାଲୋକେ ଜାଣିଲେ ଯେ କଲେଜର ଜଣେ ଯୁବକ ଅଧ୍ୟାପକ ଆସି ଏ ପଡ଼ାରେ ରହିଲେ । ଅଦୂରବର୍ତ୍ତୀ ଘରଟିର ଝରକା ବାଟଦେଇ କେତେଗୁଡ଼ିଏ ଆଖି ଏଇ ଘରଟି ଆଡ଼କୁ ଚାହିଁରହିଲା । ଅନେକ ଦିନରୁ ଶୂନ୍ୟ ପଡ଼ିଥିବା ଘର ଖଣ୍ଡିକରେ ଆଜି ଖୁଡ଼ଖାଡ଼ ଶବ୍ଦ ହେଲା । ବିଶ୍ୱଜିତ୍‌ ସଙ୍ଗରେ କେତୋଟି ସହକର୍ମୀ ଓ ଛାତ୍ର ଆସିଲେ । ଗହଳି ଚହଳି ଆରମ୍ଭ ହେଲା । ମଣିଷର ଘର ପାଖରେ ମଣିଷ ବସା ବାନ୍ଧେ । ସାମାଜିକ ଜୀବନ ସମାଜ ଛାଡ଼ି ରହିପାରେ ନାହିଁ । ସାନ ସାନ ଛୁଆ ଦୁଇଟି ଦାଣ୍ଡରେ ଛିଡ଼ାହୋଇ ଘରଭିତରକୁ ଅନାଇ ଦେଖୁଥାଆନ୍ତି–ଅଚିହ୍ନା ନୂଆ ମଣିଷ କେତୋଟି ନୂଆ ହୋଇ ଆସିଲେ, ଘରେ ରହିଲେ । କଥାଭାଷା ହେଲେ । କିଛି ସମୟ ପରେ କିଏ କୁଆଡ଼େ ଚାଲିଗଲେ । ଏକା ରହିଲେ ବିଶ୍ୱଜିତ୍‌ବାବୁ ଏବଂ ତାଙ୍କର ରୋଷେଇବାସ କରିବାକୁ ସାନ ପିଲାଟିଏ । ଏ ଦାଣ୍ଡପିଣ୍ଡାକୁ ସେ ଦାଣ୍ଡପିଣ୍ଡା ସାମନାସାମନି । ଭଦ୍ରତାର ପରଦା ଅଦୃଶ୍ୟଭାବେ ମଝିରେ ବାଡ଼ ପକାଉଚି । ପରିଚୟ ନହେଲା ପର୍ଯ୍ୟନ୍ତ କେହି କାହାରି ସହିତ କଥାବାର୍ତ୍ତା ହେଉନାହାନ୍ତି । ମାତ୍ର ପରିଚୟ ହେବାକୁ ବେଶୀ ସମୟ ଲାଗେ ନାହିଁ ।

 

‘‘ନମସ୍କାର ସାର୍‌ ।’’

 

‘‘କିଏ, ପ୍ରମୋଦ ? ସେଠି କାହିଁକି ? ଭିତରକୁ ଆସ । ତୁମ ଘର ?’’

 

ଆଜ୍ଞା ସାମନାରେ ।

 

ପ୍ରମୋଦ କଲେଜ ଛାତ୍ର ।

 

ଭିତରକୁ ଆସ । କେମିତି କୁଆଡ଼େ ?

 

ସବୁବେଳେ ତ ସାର୍‌ ଆପଣ ଏକୁଟିଆ ଏକୁଟିଆ । ମତେ ଡାକିଲେ ତ ହୁଅନ୍ତା । ଖାଲି ବହି ଆଉ ଆପଣ, ଏ ଦଉଡ଼ିଆ ଖଟ ଖଣ୍ଡିକ ଏବଂ ଚୌକିଟା । ମତେ କିନ୍ତୁ ଠାଆକେ ଏକୁଟିଆ ଚଳିବାକୁ କେମିତି ଲାଗେ ।

 

ବଡ଼ ଖୁସିହେଲି ପ୍ରମୋଦ, ତୁମର ସହାନୁଭୂତିକୁ ଧନ୍ୟବାଦ । କିନ୍ତୁ କୁଆଡ଼େ ବାହାରିବି-? କାହାରି ସଙ୍ଗରେ ଚିହ୍ନା ନାହିଁ । ନ ଡାକିଲେ ଛାଏଁ ଛାଏଁ କେମିତି କାହା ସହିତ ବଳେ ପଶି ଚିହ୍ନାଜଣା ହେବି ସେ ବିଦ୍ୟାଟା ମତେ ଜଣାନାହିଁ ଯେ ! ଆଚ୍ଛା ପ୍ରମୋଦ, ଠିଆହୋଇ ରହିଲ କିଆଁ-? ବସିପଡ଼ ।

 

ବିଶ୍ୱଜିତ୍‌ ଖଟ ଉପରେ ବସି କଅଣ ଖଣ୍ଡେ ବହି ପଢ଼ୁଥିଲେ । ପ୍ରମୋଦ ପାଇଁ ଚୌକି ଖଣ୍ଡିକ ଦେଖାଇଦେଇ କହିଲେ–ବସ । ମତେ ବି ଏକୁଟିଆ ଭଲ ଲାଗୁ ନାହିଁ । କିନ୍ତୁ ନାଚାର । ଭଦ୍ରତାର ଖୋଳ ଭିତରେ ଆମେ ବନ୍ଦୀ । ଆରେ ନାଥିଆ, ଚାହା ଆଣ ତ ।

 

ଥାଉ ସାର୍‌ । ମୁଁ ତ ଏଇ ଖାଇକରି ଆସିଲି ।

 

ହଉ କପେ ତ, ବେଶୀ ନୁହେଁ । ମୋର ତ ଦିନକୁ ଦଶ ପନ୍ଦର ଥର ଚାଲେ ।

 

ଚାକର ପିଲାଟି ଦି’କପ ଚାହା ଆଣି ଥୋଇଲା ।

 

ଆଜି ସାର୍‌, ଆପଣ ଆମ ଘରଆଡ଼େ ଯିବେ । ମୁଁ ପଛକୁ ଆସିବି । ଯିବେ ନିଶ୍ଚୟ ।

 

ନିଶ୍ଚୟ ଯିବି । ପଛକୁ ଆସିବ ।

 

ନମସ୍କାର

 

ନମସ୍କାର

 

ସାର୍‌, ବସନ୍ତୁ । କେତେଦିନୁ ବାପା ମୋତେ ଆପଣଙ୍କ କଥା ପଚାରୁଛନ୍ତି ।

 

ବୃଦ୍ଧ ନିରାକାରବାବୁ ବିଶ୍ୱଜିତ୍‌ଙ୍କୁ ବସିବାକୁ କହି ନିଜେ ବସିପଡ଼ିଲେ ।

 

ସାର୍‌ଙ୍କର ଭାରୀ ସୁଖ୍ୟାତି କଲେଜ ସାରା । ଖୁବ୍‌ ଭଲ ପଢ଼ାନ୍ତି । କିନ୍ତୁ ଘରକୁ ଆସିଲେ ଚୁପ୍‌ଚାପ୍‍, ନୀରବ ନିଶ୍ଚଳ ।

 

ଗୋଟିଏ ତନ୍ୱୀ ତରୁଣୀ ଟ୍ରେଟିରେ ଦୁଇକପ୍ ଚା’ ଆଣି ଟେବୁଲ ଉପରେ ଥୋଇଲା । ଆଧୁନିକା । ବୟସ ବାଇଶ ତେଇଶ ହେବ । ନମସ୍କାର ହେଲା ।

 

ବିଶ୍ୱଜିତ୍‌ ନମସ୍କାର କଲେ ।

 

ବୃଦ୍ଧ ପରିଚୟ କରାଇଦେଲେ–ମୋ ଝିଅ । ବି.ଏ. ପାସ୍‌ କରି ହାଇସ୍କୁଲରେ ଶିକ୍ଷୟିତ୍ରୀ କାମ କରେ । ଘରେ ରନ୍ଧାବଢ଼ା ତାରି ହାତରେ । ନାଆଁ ଆଭାରାଣୀ ।

 

ଦୋଟି ହାତଯୋଡ଼ି ଆଭା ଦ୍ୱିତୀୟଥର ନମସ୍କାର କଲା ।

 

ବିଶ୍ୱଜିତ୍‌ ପ୍ରତି-ନମସ୍କାର କରି ଆଖି ଫେରାଇ ନେଲେ ।

 

ବସନ୍ତୁ–କହିଲେ ବିଶ୍ୱଜିତ୍‌ ।

 

ଧନ୍ୟବାଦ । ବାପାଙ୍କ ସଙ୍ଗରେ କଥା ହୁଅନ୍ତୁ । ମୁଁ ଟିକେ ଆସୁଚି ।

 

ନିରାକାରବାବୁ କହିଲେ–ଘରେ ତାକୁ ଅନେକ କାମ କରିବାକୁ ପଡ଼େ । ପ୍ରମୋଦ କହିଲା– ମୁଁ ସାର୍‌ ବସୁଚି ।

 

ପାଖରେ ରେଡ଼ିଓରେ ବାଜିଉଠୁଥାଏ ଖଣ୍ଡେ ପୂରବୀ ରାଗିଣୀ । ଆଭାରାଣୀ ଖଣ୍ଡେ କାଚ ଥାଳିଆରେ କେତୋଟି ଭଙ୍ଗାପାନ ଓ କିଛି ମସଲା ଆଣି ଟେବୁଲ ଉପରେ ଥୋଇଲା ।

 

ଧନ୍ୟବାଦ । ମୁଁ ପାନ ଖାଏ ନାହିଁ ।

 

ବୃଦ୍ଧ କହିଲେ ନିଅନ୍ତୁ ଖଣ୍ଡେ । ମୁଁ ତ ଖାଇବି । ହାତ ବଢ଼ାଇ ପାନଖଣ୍ଡେ ଓ ଗୁଣ୍ଡି ଧରିଲେ ।

 

ବିଶ୍ୱଜିତ୍‌ବାବୁ ମସଲା ଟିକେ ଉଠାଇନେଇ ପାଟିରେ ପକାଇଲେ ।

 

ନିରାକାରବାବୁ ଓ ବିଶ୍ୱଜିତ୍‌ ମଧ୍ୟରେ କଥା ଜମିଉଠିଲା । ପ୍ରମୋଦ ବ୍ୟବଧାନର ସୀମାରେଖା ଜଗି କଥାରେ ଯୋଗ ଦେଉଥାଏ ।

 

ଆଭା ସ୍କୁଲକୁ ଚାଲି ଚାଲି ଯାଉଥାଏ ଠିକ୍‌ ଦଶଟାବେଳକୁ । ବିଶ୍ୱଜିତ୍‌ ସାଇକେଲରେ କଲେଜ ଯାଏ ଠିକ୍‌ ସେଇବାଟେ । ସାଇକେଲର ଘଣ୍ଟି ବଜାଏ ନାହିଁ । ବ୍ରେକ୍‌ ଦିଏ । ଆଭା ଅଳ୍ପଟିକିଏ ପଛକୁ ଚାହିଁ ବାଁ କଡ଼କୁ ଘୁଞ୍ଚିଯାଏ । ଆକ୍‌ସିଡେଣ୍ଟକୁ ରୋକିନେଇ ବିଶ୍ୱଜିତ୍‌ ବ୍ରେକ୍‌ ଚିପିଧରେ । ଭଦ୍ରତାର ବ୍ରେକ୍‌ ଉଭୟଙ୍କ ହାତରେ । କିନ୍ତୁ ବାଟ ତ ଗୋଟିଏ । ଆଗକୁ ଚକ ଗଡ଼ାଇ ଆଗେଇ ଗଲାବେଳକୁ ପଛକୁ ଥରେ ଫେରି ଚାହିଁଦେବାକୁ ମନହୁଏ । ସ୍ମିତ ହାସ୍ୟମୟ କମଳ କଳିକାଟି ଫୁଟିଉଠିଲେ ଆଖି ଦି’ଟା ତାରିଆଡ଼କୁ ଟାଣିହୋଇ ଯିବ ହିଁ ଯିବ । ହାତରେ ଭ୍ୟାନିଟିବ୍ୟାଗ ଧରି ଧୀରେ ଧୀରେ ଆଭା ଆଗକୁ ପାଦ ପକାଉଚି । ଆଗକୁ ଗଡ଼ିଯାଉଚି ସାଇକେଲଟି । ଆଗକୁ ବି ରାସ୍ତାଟି ଲମ୍ୱିଯାଇଚି । କିନ୍ତୁ ଗୋଟିଏ ବାଟ ।

 

ସ୍କୁଲର ପୁରସ୍କାର ବିତରଣୀ ସଭାକୁ ବିଶ୍ୱଜିତ୍‌ ନିମନ୍ତ୍ରିତ । କଲେଜର ବିଭିନ୍ନ ଅନୁଷ୍ଠାନକୁ ଅନ୍ୟାନ୍ୟ ମହିଳାଙ୍କ ସଙ୍ଗରେ ଆଭାରାଣୀ ନିମନ୍ତ୍ରିତ ।

 

ଆଭା ଭଲ ଗୀତ ଗାଇ ଜାଣେ । ସହରର ନାନା ଅନୁଷ୍ଠାନରେ ଅନ୍ୟ ସବୁ ଝିଅଙ୍କ ଅପେକ୍ଷା ଆଭାର ସୁମଧୁର ମିଳିତ ସଙ୍ଗୀତ ଶୁଣିବା ଲାଗି ଦର୍ଶକମଣ୍ଡଳୀ ଉତ୍କର୍ଣ୍ଣ । ବିଶ୍ୱଜିତ୍‌ର ନିର୍ଦ୍ଦେଶନାରେ ନୂଆ ପ୍ଲେ ହେଉଚି । ବିଶ୍ୱଜିତ୍‌ର ଅନୁରୋଧରେ ଆଭା ନାୟିକାର ଅଂଶ ଗ୍ରହଣ କରିଚି । ବିଶ୍ୱଜିତ୍‌ ନାୟକ ଭୂମିକାରେ ଅବତୀର୍ଣ୍ଣ । ଅଭିନୟର ଅଳୀକ କଳା ମଧ୍ୟରେ କେଉଁ ଦୁର୍ବଳ ମୁହୂର୍ତ୍ତରେ ଉଭୟେ ଉଭୟଙ୍କୁ ଭଲପାଇଚନ୍ତି, କେହି ଜାଣନ୍ତି ନାହିଁ । ସେମାନେ ବି ଜାଣନ୍ତି ନାହିଁ । କିନ୍ତୁ ଅଭିନୟଟି ସୌଷ୍ଟବ ମଣ୍ଡିତ ହୋଇଚି । ସ୍ୱପ୍ନପରି ଉଭୟେ ବୁଝିଚନ୍ତି । ମିଥ୍ୟାରୁ ସତ୍ୟ ଜାତ ହୋଇପଡ଼ିଚି । ଦୁହେଁ ଫେରିଚନ୍ତି ଘରକୁ । କିନ୍ତୁ ଗୋଟିଏ ବାଟ, ଏ ଦୁନିଆରେ ଗୋଟିଏ ମାତ୍ର ବାଟ । ସେ ବାଟ ଛାଡ଼ି ଆଉ ବାଟନାହିଁ । ଜଣେ ଯୁବକ, ଆରଜଣକ ଯୁବତୀ । ବିଶ୍ୱଜିତ୍‌ର ସାଇକେଲ ଖଣ୍ଡିକ ଧୀରେ ଧୀରେ ପୁରୁଣା ହୋଇଯାଉଚି । ରୋଜଘୋସରେ ବ୍ରେକ୍‌ଟା ହୁଗୁଳା ହୋଇଗଲାଣି । ଅନ୍ୟମନା ହୋଇ ଆଭା ବାଟ ଚାଲିଚି । ପଛରୁ ସାଇକେଲ ଆସୁଚି ବୋଲି ତା’ର ଆଉ ସୋର ରହୁ ନାହିଁ । ଆକ୍‌ସିଡେଣ୍ଟର ଭୟ ତା’ର ଭୁଲ୍ ବାଟ ଧରିଲାଣି । ବାଟକଡ଼କୁ ଆଡ଼େଇ ହୋଇଯିବାକୁ ସେ ଏବେ ଭୁଲିଗଲାଣି ।

 

ଖଟ ଉପରେ ଶାଲ ଖଣ୍ଡକ ଘୋଡ଼ିହୋଇ ଶୋଇରହି ବିଶ୍ୱଜିତ୍‌ କହିଲେ–ପ୍ରମୋଦ, ଅପାଙ୍କୁ କହିବୁ ମୋ’ପାଇଁ ଟିକେ ବାର୍ଲି ପଠାଇବେ । ଟୋକାଟା କଅଣ କରୁଚି ମୋତେ ଭଲ ଲାଗୁନାହିଁ ।

 

ଚାକର ପିଲାଟିର ହାତରନ୍ଧା ଆଉ ଭଲ ଲାଗୁନାହିଁ । ବିଶ୍ୱଜିତ୍‌ଙ୍କୁ ଜ୍ୱର ହୋଇଚି । କମଳା-ଲେମ୍ୱୁ ଛଡ଼ାଇ ଦେଉ ଦେଉ ପ୍ରମୋଦ କହିଲା–କେତେ ଜ୍ୱର ହେବ ଦେଖନ୍ତେ !

 

ଥର୍ମୋମିଟର ନାହିଁ ।

 

ଆଚ୍ଛା ମୁଁ ଆଣେ । –ପ୍ରମୋଦ ଉଠିଗଲା ।

 

କିନ୍ତୁ ସେ ଫେରିଲା ନାହିଁ । ୧୫ ମିନିଟ ପରେ ଗୋଟିଏ ହାତରେ କପେ ଗରମ ଦୁଧ ଓ ଆର ହାତରେ ଥର୍ମୋମିଟର ଧରି ଆଭାରାଣୀ ଆସି ଖଟଟି ପାଖରେ ବସିପଡ଼ିଲେ । ମୁହଁଟି କାଢ଼ି ଧୀରେ ହସି ବିଶ୍ୱଜିତ୍‌ କହିଲେ–ଆସିଚ ! କେବେ ଆସୁଚ ? ସତକରି କୁହ କେବେ ତୁମେ ଆସିବାକୁ ଠିକ୍‌ କରିଚ ?

 

ଦୀର୍ଘନିଃଶ୍ୱାସ ଟାଣି ଆଭାରାଣୀ ଥର୍ମୋମିଟରଟି ଝାଡ଼ିଦେଇ ବିଶ୍ୱଜିତ୍‌ର ଜିଭ ତଳକୁ ବଢ଼ାଇଦେଲା ।

 

ଶହେତିନି ଜର । କଥା କୁହ ନାହିଁ । ପାଣିପଟି ଦେବି କି ମୁଣ୍ଡରେ ?

 

ପାଣିପଟି ଦରକାର ନାହିଁ । ହାତଟା ଖାଲି ଦିଅ । ତୁମରି ହାତ ଲାଗିଲେ ମୁଁ ଭଲ ହୋଇଯିବି । ଦୂରେଇ ରୁହ ନାହିଁ । ପାଖକୁ ଘୁଞ୍ଚିଆସ । କେବେ ଏ ବ୍ୟବଧାନଟା ଦୂର ହୋଇଯିବ-? କେବେ ତୁମେ ଆସିବାକୁ ଚାହଁ ସତକରି କୁହ ଆଜି ଆଭାରାଣୀ ।

 

ହାତଟା ବଢ଼ାଇ ବିଶ୍ୱଜିତ୍‌ ଆଭାର ହାତଟିକି ଧରିପକାଇ ଭିଡ଼ିନେଲା ନିଜ ଛାତି ଉପରକୁ । ଶହେତିନି ଡିଗ୍ରୀ ଜର । ଆଭାର ଦେହ ଥରୁଚି । ନିଃଶ୍ୱାସଟା ଘନ ଉଠୁଚି । ଛାତି ଦୁଲୁକୁଚି । ମନ ଭିତରଟା ଫୁଲି ଫୁଲି ଉଠୁଚି ।

 

ଛାତି ଉପରେ ଆଭାର ହାତ । ବିଶ୍ୱଜିତ୍‌ କହିଲା ‘ଭଲପାଇବାର ଜହର ମୁଁ ପିଇଦେଇଚି-। ତୁମକୁ ନ ପାଇ ମୁଁ ମରିଯିବି, ବଞ୍ଚିବି ନାହିଁ । କହ ରାଣୀ, କେବେ ଆସିବ । କହ, କହିଦିଅ-

 

ମୂକ ମୁଖରୁ ବଚନ ସ୍ଫୁରିଲା । କମ୍ପିତ କଣ୍ଠରେ ଆଭା କହିଲା–ଯେବେ ଆଣିବ ।

 

ବିଶ୍ୱଜିତ୍‌ର ଛାତିଉପରେ ଆଭାର ମୁଣ୍ଡଟି । ଆଖିରେ ତା’ର ଆନନ୍ଦର ଅଶ୍ରୁ ।

 

ବାଟଘାଟ ଚାରିଆଡ଼େ କଥାଟା ପ୍ରଘଟ ହୋଇଗଲା । ବ୍ରେକ୍‌ ନମାନିଲେ ସାଇକେଲ ଚାଳକ ଦିଗ୍‍ବିଦିଗ ଜ୍ଞାନ ହରାଏ । ସେ ପଡ଼ିଯାଏ । ଗଲା ଲୋକ ଜମା ହୋଇଯାଆନ୍ତି । ଦେଖନ୍ତି ଆଉ ହସନ୍ତି । ତାଳି ମାରନ୍ତି । ଲାଜରେ ସଢ଼ିଯାଏ ଚାଳକ । ତଥାପି ଉଠିପଡ଼ି ସେ ଛାତି ଦମ୍ଭ କରିନିଏ । କ୍ଷତି ବୃଦ୍ଧି ତା’ର । ତହିଁରେ କାହାର କଅଣ ଯାଏଆସେ ? ଦୁନିଆର ବାଟରେ ଚାଲିବାକୁ ହେଲେ ଦୁର୍ଘଟଣା ଘଟିଥାଏ ।

 

ବାଟେ ବାଟେ ସ୍କୁଲକୁ ଧୀରେ ଧୀରେ ଚାଲିଯାଏ ଆଭା । କାହାରି ଆଡ଼କୁ ଚାହେଁ ନାହିଁ-। ସାଇକେଲରେ ଯାଏଆସେ ବିଶ୍ୱଜିତ୍‌ । ସାତଦିନରେ ଥରେ ହାଟଦିନ; ବାଟ ଉପରେ ଭାରି ଭିଡ଼ ହୁଏ । ସେଇ ଗୋଟିଏ ମାତ୍ର ବାଟ । ସେଇ ବାଟଦେଇ ଶହ ଶହ ବର୍ଷ ଧରି ହଜାର ହଜାର ଯାତ୍ରୀ ଯାଆଆସ କରୁଛନ୍ତି । କିଏ କାହା ସହିତ ନ ମିଶୁଚି ? କିଏ କାହାଠାରୁ ଛାଡ଼ ନହେଉଚି ? କେଉଁ ଗାଆଁର ଇଏ, କେଉଁ ଗାଆଁର ସିଏ । ବାଟରେ ଚିହ୍ନା ପରିଚୟ । କଥାବାର୍ତ୍ତା କେତେଆଡ଼ୁ କେତେ କଥା, କେତେ ଗଳ୍ପ । ଗଳ୍ପ ଛଳରେ ଜଣେ କହୁଚି ଆରଜଣକୁ–ତେରା ମେରା ଯବ୍‌ ରାଜି, କ୍ୟା କରେଗା କାଜି । କିଏ କହୁଚି–କାହା କଥାରୁ କି ମିଳିବ ଭାଇ, କିଏ ଦବ ନା ନବ । ମନ ଭାବୁଚି କଥା ।

 

ବିଶ୍ୱଜିତ୍‌ ଆଉ ଆଭା କାନରେ କେତେ କଥା ପଡ଼େ । ଦୁନିଆର ଦାଣ୍ଡରେ ଚାଲିଗଲା ବେଳକୁ କେତେ ପ୍ରକାରର ଗଳ୍ପ କାନରେ ବାଜେ । ଦୁନିଆଟାଯାକ ବାତୁଳ । ସବୁ ଆସେ ସବୁ ଯାଏ । ବସନ୍ତ ଯାଏ ପୁଣି ବସନ୍ତ ଆସେ, ମାତ୍ର ଯୌବନ ସଙ୍ଗେ ଭଲପାଇବାଟା ଥରେମାତ୍ର ଆସେ-। ଯୌବନ ଯାଏ ମାତ୍ର ସ୍ମୃତି ତା’ର ଜୀବ ଥିବାଯାକେ ବଞ୍ଚି ରହିଯାଏ । ଅପବାଦ କାନକୁ ଭଲ ନ ଶୁଭିଲେ ସୁଦ୍ଧା ମନଭିତରେ ମଧୁମାଦକତାର ଅମୂଲ୍ୟ ସମ୍ପଦ ସୃଜିଦିଏ । ଦୁନିଆର ଦାଣ୍ଡରେ ଚାଲିହୁଏ ନାହିଁ ସତ; ମାତ୍ର ତାହାରି ଭିତରେ ହିଁ ଆଶାୟୀ ପ୍ରାଣରେ ଆନନ୍ଦର ଢେଉ ଉଛୁଳିଉଠେ-। ବାଟେ ବାଟେ ଆଭା ସ୍କୁଲକୁ ଯାଏ । ଫେରି ବି ଆସେ । ସାଇକେଲ ଚଳାଇ ବିଶ୍ୱଜିତ୍‌ ଠିକ୍‌ ସେଇବାଟେ ହିଁ ଯାଏଆସେ–ଠିକ୍‌ ପୂର୍ବପରି ନିର୍ବିକାର ଚିତ୍ତରେ ।

 

ଆକ୍‌ସିଡେଣ୍ଟ । ସାଙ୍ଘାତିକ ଦୁର୍ଘଟଣା ନିରାକାର ବାବୁ ! ଭୟାନକ ଦୁର୍ବିପାକ ! ଭୁଲ୍ । ଟିକିଏ ଭୁଲରେ ମଣିଷ ପଡ଼ିଯାଏ । ତେବେ କଅଣ ସେ ଉଠି ବସିବ ନାହିଁ ? ନିଜର ଭୁଲ୍ ସଂଶୋଧନ କରିନବ ନାହିଁ । ମୋର ଭୁଲ୍, ଆପଣଙ୍କର ଭୁଲ୍, ବିଶ୍ୱଜିତ୍‌ର ଭୁଲ୍, ଏବଂ ଆପଣଙ୍କ ଝିଅଟିର ମଧ୍ୟ ଭୁଲ୍ । ଦୁନିଆରେ ସମସ୍ତଙ୍କର ଭୁଲ୍ ହୁଏ । ସେମାନେ ବି ଭୁଲ୍ କରିବସିବା ସ୍ୱାଭାବିକ । ଭୁଲ୍‍ଟାକୁ ଆମକୁ ହିଁ ସୁଧାରିନେବାକୁ ହେବ । ଏ ବିବାହ ହୋଇପାରେନା । ବିଶ୍ୱଜିତ୍‌ ଆପଣଙ୍କ ଝିଅଟିକୁ ବିବାହ କରିପାରେନା । ତା’ର ବାପାହୋଇ ମୁଁ ତାକୁ କୌଣସିମତେ ଅନୁମତି ଦେଇପାରିବି ନାହିଁ । ସମାଜର ନିବିଡ଼ ବନ୍ଧନ ଛିଣ୍ଡାଇ, ପରିବାରର ସମସ୍ତଙ୍କୁ ଛାଡ଼ି ବିଶ୍ୱଜିତ୍‌ ଆପଣଙ୍କ କନ୍ୟାକୁ ଘରକୁ ଆଣିପାରିବ ନାହିଁ । ଦୁଃସ୍ୱପ୍ନ ପରି ଆପଣ ଭୁଲିଯାଆନ୍ତୁ । ଘଟନାଚକ୍ର ଘୂରୁଚି । ଚକ ବି ବୁଲିଯାଉଚି; ସବୁ ବୁଲିଯିବ । ସମସ୍ତେ ଭୁଲିଯିବା । ଆପଣ ମୋତେ କ୍ଷମା ଦିଅନ୍ତୁ-

 

ବିଶ୍ୱଜିତ୍‌ ବାବୁଙ୍କ ବାପା ଧନଞ୍ଜୟ ବାବୁ ନିରାକାର ବାବୁଙ୍କୁ ନାସ୍ତିବାଣୀ ଶୁଣାଇଦେଲେ-। ନିରାକର ବାବୁ ଜଳଜଳ କରି ଅନାଇ ରହିଚନ୍ତି । ଦି’ ଆଖିରୁ ଲୁହଧାର ବହିପଡ଼ୁଚି । ଘର ଭିତରୁ ଶୁଭୁଚି ବିଶ୍ୱଜିତ୍‌ଙ୍କ ମାଆଙ୍କ କଣ୍ଠସ୍ୱର–କାହିଁକି ଜିତ୍ ତୁ ଏ ବୁଦ୍ଧି କରିବସିଲୁ-? ମତେ ବିଷ ଟିକେ ଆଣି ଦେ, ମୁଁ ଖାଇଦେଇ ମରିଯାଏଁ । ତେଣିକି ତୁ ଯାହା ଇଚ୍ଛା ତା’ କରୁଥା-

 

ନିରାକାର ବାବୁ ପ୍ରସ୍ତାବ ଘେନିଆସିଥିଲେ । ନିରାଶ ହୋଇ ଫେରିଗଲେ । ବିଶ୍ୱଜିତ୍‌ ବେମାର ପଡ଼ି ଚାରିମାସ ଛୁଟିନେଲା । ବସାରେ ତା’ର ତାଲା ପଡ଼ିଲା । ଆଭା ଭାଙ୍ଗିପଡ଼ିଲା । ବାହାରକୁ ବାହାରିବାକୁ ମୁହଁ ନାହିଁ । କିଏ କଅଣ କହୁଚନ୍ତି, କେତେ କଥା ଆସି କାନରେ ବାଜୁଚି । ଶଯ୍ୟା ଉପରେ ପଡ଼ି ସେ ଭାବୁଚି । କେବଳ ଭାବିହେଉଚି । ଆଖିର ଲୁହ ମରିଗଲାଣି । ସାମାନ୍ୟ ଅବଳା ଜୀବନରେ ଏତେବଡ଼ ଧକ୍‌କା, ଏତେବଡ଼ ଆକ୍‌ସିଡେଣ୍ଟ । ‘ବିଶ୍ୱଜିତ୍‌ ବାବୁ, ଆପଣ ମୋର ସର୍ବନାଶ କରିଗଲେ । ଇଜତ୍‌ ମହତ ସବୁ ମୋର ଗଲା । ମଣିଷପଣିଆରୁ ମୁଁ ସରିଗଲି । ଶେଷ ହୋଇଗଲି ଏକାବେଳକେ ।’

 

ତଥାପି ଝରକାବାଟେ ବିଶ୍ୱଜିତ୍‌ ବସାଆଡ଼କୁ ସେ ଏକ ଦୃଷ୍ଟିରେ ଚାହିଁରହେ । ଆଖିରୁ ଝରଫିଟେ । ଝରିପଡ଼େ ଧାରଧାର ଲୁହ । ରୁଦ୍ଧଦ୍ୱାରରେ ତାଲା ପଡ଼ିଯାଇଚି । ଭିତରକୁ ପ୍ରବେଶ କରିବାର ଉପାୟ ନାହିଁ । ଆଭା ଭାବେ–ଏତେବଡ଼ ତାଲାଟା ପକାଇଦେଲ ବିଶ୍ୱଜିତ୍‌ ବାବୁ, ସବୁଦିନ ପାଇଁ ! ଏତେ କଥା ତୁମ ମନେ ଥିଲା ତ ଦ୍ୱାର ମୁକୁଳା କରି ଡାକିନେଇଥିଲ କାହିଁକି ମତେ ?

 

ଆଖି ବୁଜେ । ସ୍ୱପ୍ନ ଦେଖେ–ହାତଟି ଧରି ଛାତି ଉପରକୁ ଟାଣିନେଲେ । ତାଙ୍କରି ଛାତି ଉପରେ ମୁଣ୍ଡଟି ରଖି ଆଭା ଆନନ୍ଦରେ କାନ୍ଦିଲା । ତା’ର କଅଣ ମୂଲ୍ୟ କିଛି ନାହିଁ ! ସେସବୁ କଅଣ ଅଳିକ ସ୍ୱପ୍ନ ମାତ୍ର ! ତୁମେ ଠକ ବିଶ୍ୱଜିତ୍‌, ତୁମେ ଧପ୍‌ପାବାଜ୍‌, ଦଗାବାଜ୍‌ । ତୁମେ ଭୀରୁ, କାପୁରୁଷ–ମନେମନେ ଗାଳିଦିଏ ଆଭା ମନଇଚ୍ଛା । ତଥାପି ସେହି ଗାଳିମନ୍ଦ ଭିତରେ ହିଁ ଆଭାର ଆନନ୍ଦ ପ୍ରଚ୍ଛନ୍ନ ଥାଏ । ଗୋଟିଏ ଆଖିରେ ତା’ର ଦୁଃଖର ଲୁହଧାର, ଆର ଆଖିଟିରେ ଆନନ୍ଦର ଅଶ୍ରୁ । ବାହାରେ ବାଟଘାଟରେ ଡିବି ଡିବି ନାଗରା ବାଜେ । ସେହି ଅପବାଦର ସ୍ମୃତି–ସର୍ବସ୍ୱ ହିଁ ତା’ର ସର୍ବସ୍ୱ ହୋଇ ରହିଲା ।

 

ବିଶ୍ୱଜିତ୍‌ ବିବାହ କରିଚି । ବୋହୂଟିକି ଘେନି କେତେଦିନ ପରେ ଫେରିଆସିଚି । ଅନ୍ୟତ୍ର ବସାକରି ଆନନ୍ଦରେ ଅଛି । ବର୍ଷେ ବିତିଚି । ଦୁଇବର୍ଷ ବିତିଚି । ତିନୋଟି ବର୍ଷରେ ତା’ର ଦୋ’ଟି ପିଲା ହୋଇଚନ୍ତି । ସଂସାର ତା’ର ଆନନ୍ଦରୋଳରେ ପରିପୂର୍ଣ୍ଣ । ସେ ଅଧ୍ୟାପକ । ତା’ର ସୁନାମ ବ୍ୟାପିଯାଇଚି ।

 

କିନ୍ତୁ ଆଭା ? ଦୁଇଟି ବର୍ଷ ବାହାରକୁ ବାହାରିପାରି ନାହିଁ । ତା’ର ଯାହା କ୍ଷତି ହୋଇଚି, ତାହା ଅପୂରଣୀୟ । ତଥାପି ସେ ବାହାରିଚି । କାର୍ଯ୍ୟରେ ଯୋଗ ଦେଇଚି । ଦାଣ୍ଡରେ ଚାଲିଚି । ଦୁନିଆ ଦାଣ୍ଡରେ ଚାଲିବାକୁ ହିଁ ହେବ ତାକୁ । ଭିତରେ ଭିତରେ କୁହୁଳିଥିଲେ ବି ଦୁନିଆର ରଙ୍ଗମଞ୍ଚ ଉପରକୁ ହସିହସି ପାଦ ପକାଇବାକୁ ହେବ ।

 

ପରଦା ଉଠିଚି । ରଙ୍ଗମଞ୍ଚ ଉପରକୁ ପାଗଳ ବେଶରେ ବିଶ୍ୱଜିତ୍‌ ଆଜି ପାଦ ବଢ଼ାଇ କହୁଚି–ସେ ମଣିଷ । ତାକୁ ବିଶ୍ୱାସ ନାହିଁ । ସେ ରାକ୍ଷସ ଆଉ ମଣିଷ, ଦୁଇର ମିଶ୍ରଣ । ଗୋଟିଏ ଆଖିରେ ତୋତେ ସେ ହସାଇ, ଆରଆଖିରେ କନ୍ଦାଇବ । ଗୋଟାଏ ହାତରେ ଅମୃତ ଧରି ଆର ହାତରେ ହଳାହଳ ବିଷ ତୋ ପାଟିରେ ସେ ଢାଳିଦେବ । ତାକୁ ବିଶ୍ୱାସ ନାହିଁ ।

 

ଦର୍ଶକ ମଞ୍ଚରେ ମହିଳାଙ୍କ ଭିତରେ ସମସ୍ତଙ୍କ ପଛକୁ ଲୁଚି ବସି କିଏ ଜଣେ ଆଖିଲୁହ ସମ୍ଭାଳି ପାରୁନାହିଁ । ମନେମନେ ସେ ପାଗଳକୁ ଲକ୍ଷ୍ୟକରି କହୁଚି–ନା, ନା, ସେମିତି କଥା କୁହ ନାହିଁ ପାଗଳ ତୁମେ । ସେ ଦୁଇଟି ନୁହଁ । ତିନିଟିର ସମନ୍ୱୟ । ତାରି ଭିତରେ ମଣିଷ ଅଛି, ରାକ୍ଷସ ଅଛି । ଦି’କଡ଼କୁ ଦୁଇଜଣ ଓ ମଝିରେ ରହିଚି ଦେବତା । ସେ ନିକିତିଧରି ତଉଲିଦେଇ କହୁଚି–ମଣିଷ ହୁଅ ରାକ୍ଷସ ହୁଅ ମୁଁ ଠିକ୍‌ ତୁମରି ମଝିରେ ଅଛି–ଠିକ୍ ବାଟଟି ଦେଖାଇ ଦେବାଲାଗି । ଦୁଃଖ ଆଉ ସୁଖ ଦୁଇଟାକୁ ମିଶାଇ ମଝିରେ ଆଉ ଗୋଟାଏ ଜିନିଷ ଅଛି–ସେଇଟା ହେଲା ଆନନ୍ଦ । ତାକୁଇ ଆଜି ଚିହ୍ନାଇ ଦେଇଚ ପାଗଳ ତୁମେ । ମାନବ ଆଉ ଦାନବ ଉଭୟର ମଝିରେ ଆଜି ଦେବତାର ଆବିର୍ଭାବ । ଅଛି ଆଉ ନାହିଁ, ଠିକ୍‌ ଆଉ ଭୁଲ୍ ଦୁଇଟାଯାକ ବେଠିକ୍‍ । ଠିକ୍‌ ଯାହା, ସତ୍ୟ ଯାହା, ସେଇ ଚିରନ୍ତନ ଧନ ବିଚ୍ଛେଦରେ ନାହିଁ କି ମିଳନରେ ନାହିଁ ।

 

ମଞ୍ଚ ଉପରେ ପାଗଳ ହସୁଚି, କାନ୍ଦୁଚି । ଭଦ୍ର ମହିଳା ଚାହିଁରହିଚି । ଆଖିର ପଲକ ପଡ଼ୁ ନାହିଁ । ଧାର ଧାର ଅଶ୍ରୁ ଝରିଯାଉଚି । ଆନନ୍ଦରେ କଣ୍ଠ ରୁଦ୍ଧ ହେଇଉଠୁଚି । ସେ ମନେମନେ କହୁଚି–ତୁମେ ଛାଡ଼ି ନାହଁ ପାଗଳ, ଛାଡ଼ିପାରିବ ନାହିଁ । ବିବାହ କରିଚ, ସଂସାର କରିଚ, ଦୂରକୁ ଘୁଞ୍ଚିଯାଇଚ; ତଥାପି ତୁମେ ଭୁଲିନାହଁ ପାଗଳ । ଭୁଲିପାରିବ ନାହିଁ । ତୁମେ ଆଜି ପାଗଳ । ତୁମେ ଆଜି ଦେବତା । ତୁମରି ସ୍ମୃତିହିଁ ମୋର ସର୍ବସ୍ୱ ହୋଇ ରହିଥାଉ ବିଶ୍ୱଜିତ୍‌ । ତୁମେ ଝୁରୁଚ । ଝୁରି ହେଉଚ ବିଶ୍ୱଜିତ୍‌ । ମୁଁ ବି ସେଇ ଝୁରିବାର ଅମୃତ ପିଇ ଏ ଜୀବନ ତ୍ୟାଗକରେଁ, ଏତିକି ମାତ୍ର ଆଶୀର୍ବାଦ କରି ଯାଅ ଆଜି ବିଶ୍ୱଜିତ୍‌ ବାବୁ । ତୁମରି ସ୍ମୃତିହିଁ ଆଭାର ସର୍ବସ୍ୱ ହୋଇ ରହୁ ।

★★★

 

ଚିଂଡ଼ିଲାଇ

 

‘‘ଚିଂଡ଼ିଲାଇ । ହେଇ ଆସିଗଲା । ଚିନାଭୂତ । ହେଇ ହେଇ । ଦେଖନ୍ତୁ ଉତ୍ତର-ପୂର୍ବ ଆକାଶ ଆଡ଼ୁ ଉଡ଼ି ଉଡ଼ି ଆସୁଚି । ଈଷତ୍‌ ହଳଦିଆ ଚେହେରାଟା । ଆଖି ଦି’ଟା ବଙ୍କା ବଙ୍କା । ସରୁଆ ଭ୍ରୂଲତା, ନାକ ଚେପ୍‌ଟା । ଚୀନ ଦେଶରୁ ଆସିଚି ଏ ଭୂତ । ଆପଣମାନେ ଡରିବେ, ପଳାନ୍ତୁ ପଳାନ୍ତୁ । ଯାଏଁ ମୁଁ ଖଣ୍ଡେ ବାଡ଼ି ଆଣେ ।’’

 

ମୁଣ୍ଡରେ ବାଳଗୁଡ଼ିକ ରୁକ୍ଷ, ଶୁଷ୍କ ଚେହେରା, ଅସ୍ଥିର ମନ । କଅଣ କେତେବେଳେ କହୁଛନ୍ତି ଠିକଣା ନାହିଁ । ଏଙ୍କରି ନାଁ ଚନ୍ଦ୍ରଶେଖର ମହାପାତ୍ର । କେତେଦିନ ହେଲା ପାଗଳ ହୋଇଯାଇଛନ୍ତି । ମୁଣ୍ଡରେ ତାଙ୍କର ଖିଆଲ ପଶିଚି ଯେ ତାଙ୍କୁ ଚିଂଡ଼ିଲାଇ ନାମକ ଜଣେ ଚୀନାଭୂତ ଆକ୍ରମଣ କରୁଛି । ଯାଉଚି, ଆସୁଚି, ପୁଣି ଯାଉଚି, ପୁଣି ଆସୁଚି । ଚନ୍ଦ୍ରଶେଖର ବାବୁ ଜଣେ ସାହିତ୍ୟିକ କବି । ତାଙ୍କ କବିତା ବହି କେତେ ଖଣ୍ଡି ବହୁଦିନ ହେଲା ପ୍ରକାଶ ପାଇ ତାଙ୍କୁ ଜନପ୍ରିୟ କରାଇଚି । ପାଗଳ ହୋଇଗଲା ଦିନୁ ପରିଚିତ ଅପରିଚିତ ବହୁ ବ୍ୟକ୍ତି ସମବେଦନା ଜଣାଇବାକୁ ଆସି ଦୁଃଖପ୍ରକାଶ କରି ଯାଆନ୍ତି । ଚନ୍ଦ୍ରଶେଖର ବାବୁଙ୍କର ବୟସ ଖୁବ୍‌ ବେଶୀ ନୁହେଁ, ପ୍ରାୟ ପଇଁତିରିଶ ଚାଳିଶ ଭିତରେ । ଥାଆନ୍ତି କଟକ ସହରର ଗୋଟିଏ କଡ଼କୁ । ଘର ଖଣ୍ଡିକ ନିଜର । ସେହି ଖଣ୍ଡିକ ମାତ୍ର ସମ୍ୱଳ । ଘରେ ଯୁବତୀ ସ୍ତ୍ରୀ ଅନୁରାଧା ଓ ଦୁଇ ତିନଟି ସାନ ସାନ ଝିଅପୁଅ । ଉଚ୍ଚଶିକ୍ଷିତ ଚନ୍ଦ୍ରଶେଖର, ସେକ୍ରେଟେରୀଏଟ୍‌ରେ କାମ । ଲେଖକ ହିସାବରେ ସମସ୍ତଙ୍କଠାରୁ ଆଦର ପାଆନ୍ତି । ପାଗଳ ହେବାଦିନୁ ଛୁଟିନେଇ ଘରେ ରହୁଛନ୍ତି । ବହୁ ଚେଷ୍ଟା ସତ୍ତ୍ୱେ ଭଲହେବାର ଆଶା ଦିଶୁ ନାହିଁ । ପୂରାଦରମା ଅଧାଦରମା ସବୁପ୍ରକାରର ଛୁଟି ଶେଷ ହେବାକୁ ବସିଲାଣି । ଏଣିକି ଭିକ୍ଷା ଛଡ଼ା ଉପାୟ ନାହିଁ । କିନ୍ତୁ ମାଗିଯିବ କିଏ, ଏଇଟି ହେଲା ଏ ପରିବାରର ବର୍ତ୍ତମାନର ସମସ୍ୟା ।

 

‘‘ଚିଂଡ଼ିଲାଇ, ଆସିଗଲା ଆସିଗଲା ।’’

 

ପାଗଳ ଉଠିଗଲା ଘରଭିତରକୁ । ଘର ଭିତରୁ ପିଲା ଦି’ଟା ଚିତ୍କାର କରିଉଠିଲେ । ଚାବୁକ୍‌ରେ ପଟାସ୍‌ ପଟାସ୍‌ ଶବ୍ଦ ଶୁଭିଲା । ସେଦିନର ଦର୍ଶକ ଦୁଇଜଣ । ଜଣେ ନାରୀ, ଆର ଜଣଙ୍କ ତାଙ୍କର ଜଣେ ବନ୍ଧୁ । ଏଇ ମହିଳାଙ୍କ ସାହାଯ୍ୟ ସହାନୁଭୂତିରେ ବର୍ତ୍ତମାନ ଏ ପରିବାରଟି ଏକପ୍ରକାର ଚଳୁଚି । ଏଙ୍କ ନାଁ ନଳିନୀ । ଚନ୍ଦ୍ରଶେଖର ବାବୁଙ୍କ ବସାଠାରୁ ଅଳ୍ପ ଦୂରରେ ବସା । ଏଙ୍କ ସ୍ୱାମୀ ଜଣେ ପଦସ୍ଥ ବ୍ୟକ୍ତି । ଏଇ ମହାଶୟ ପାଗଳଙ୍କ ପରିବାରଟିକୁ ସବୁ ପ୍ରକାରର ସାହାଯ୍ୟ ଦେଇ ଚଳାଇ ନେଉଚନ୍ତି ।

 

ଚିଂଡ଼ିଲାଇ । ପଟାସ୍‌ ପଟାସ୍‌ । ‘‘ବୋଉ ମରିଗଲି ମରିଗଲି । ବାପା ହୋ, ମାରନା, ମାରନା, ଆଉ ମାର ନାହିଁ ।’’ ନଳିନୀ ଦୌଡ଼ିଗଲେ ଭିତରକୁ । ବହୁ କଷ୍ଟରେ ପାଗଳ ହାତରୁ ଚାବୁକଟା ଛଡ଼ାଇନେଲେ । ସଂସାରରେ ପାଗଳ କେବଳ ଏଙ୍କୁଇ ଭୟ କରେ ଏବଂ କଥାମାନେ । କେବଳ ଭୟ କରେନାହିଁ, ଭକ୍ତି ମଧ୍ୟ କରେ । ପାଗଳର ମନଟା ଏଙ୍କୁ ଦେଖିଲେ ସ୍ଥିର ହୋଇଯାଏ ।

 

ଅନୁରାଧା କବାଟ କଣରେ ଲୁଚି ଠିଆହୋଇଛି ତ ! ପିଠିରେ ଚାବୁକ ପାହାର । ଲୁଗା କାଢ଼ି ନଳିନୀ ଦେଖିଲେ ନୋଳା ବସିଯାଇଚି । ନିଜ ଆଖିରୁ ଲୁହ ଗଡ଼ିପଡ଼ୁଛି । ପଚିଶ ଛବିଶ ବର୍ଷର ରାଧାକୁ କୋଳଆଡ଼କୁ ଭିଡ଼ିଧରି ନଳିନୀ କଟମଟ କରି ଚାହିଁଲେ ଚନ୍ଦ୍ରଶେଖର ଆଡ଼କୁ । ଧମକଦେଇ କହିଲେ–କଅଣ କରୁଚ ଶେଖରବାବୁ ? କାହିଁକି ସେ ନିରୀହ ଲୋକଟାକୁ ପିଟୁଚ ?

 

‘‘ଭୁଲ୍ ହୋଇଚି ଦେଈ । ଭୂତଟା ହେଇ ଆସିଥିଲା । ଗଲାଣି ପଳାଇ । ଫେର ରାତିକି ଆସିବ ! ଏମିତି ନିତି ପ୍ରତି ରାତିରେ ଆସେ । ରାତିଟି ସାରା ଏଇ ଘରେ ପଶିରହେ । ରାଧା ତାରି ପାଖରେ ବସେ ଉଠେ, ହସେ ଖେଳେ । ଦାଣ୍ଡଘରେ ପଡ଼ିରହି ମୁଁ ସବୁ ଦେଖେ । ମୋ ଛାତି ଫାଟିଯାଏ ଦେଈ ! ଛାତି ଫାଟିଯାଏ ।’’

 

ପାଗଳ ନିଜ ଛାତିଟାକୁ ଦି’ହାତ ନଖରେ ଚିରି ପକାଉଚି । ନଳିନୀ କୋଳରୁ କାନ୍ଦୁରା ମୁହଁଟିକୁ କାଢ଼ି ରାଧା ଚାହିଁଲା ଚନ୍ଦ୍ରଶେଖର ଆଡ଼କୁ । ଧାଇଁଗଲା । ନିଜ ପିଠିର ବେଦନା ଭୁଲି ସ୍ୱାମୀର ଦି’ହାତକୁ ଦି’ଆଡ଼କୁ ଭିଡ଼ିଧରିଲା । କହିଲା–ଛି, ଛି କଅଣ କରୁଚ ? ଏଡ଼େ ଏଡ଼େ ନଖ ଗୁଡ଼ାକ । ମିଛରେ ଛାତିଟାକୁ ଚିରି ରକ୍ତବୁହା କରିଦେଲଣି ! ତୁମେ କାହିଁକି ଏମିତି ହେଉଚ ଭଲା ? ମୁଁ କଅଣ ଆଉ ନଈପୋଖରୀକି ଡେଇଁପଡ଼ିବି ?

 

ପାଗଳର ଚେତା ପଶିଚି । ରାଧାର ପିଠିଟାକୁ ଆଉଁସି ବସି କହିଲା, ରାଧା–ତୋତେ କିଏ ଏମିତି ନିର୍ମମ ଭାବରେ ମାଇଲାରେ ? ଏତେ ବଡ଼ ନୋଳାଟାମାନ ଫାଟିଯାଇଚି ଯେ ! ରକ୍ତ ଚହ ଚହ ଦିଶୁଛି । ରାଧା, ରାଧା, ତୁ କାନ୍ଦୁଚୁ ? ଛି ଛି କାନ୍ଦନା ।

 

ବଡ଼ ପିଲାଟା ଦୌଡ଼ିଆସି ଚନ୍ଦ୍ରଶେଖର ପିଠିରେ ନାଉ ହୋଇପଡ଼ି କାନ୍ଦି କାନ୍ଦି କହୁଚି–ତମେଇ ତ ମାଇଲ ବାପା । ବୋଉକୁ ତମେ ମାରିପକେଇବ ବାବା ! ତୁମଠେଇଁ ଟିକିଏ ହେଲେ ଦୟାମାୟା ନାହିଁ ! ବୋଉ ତୁମର କଅଣ ଦୋଷ କଲା ଯେ ତୁମେ ମାଇଲ ? ଏମିତି ନିତି ମାରୁଚ–ନିତି ପ୍ରତି ! କେମିତି ସେ ବଞ୍ଚିବ ? ସେଦିନ ମାଇଲ ଯେ ସେ ବେହୋସ ହୋଇଗଲା । ମାମୁ ଆସିଥିଲେ, ତାଙ୍କୁ ଆଉ ଆମକୁ ନେଇଗଲେ ତାଙ୍କ ଘରକୁ । ତୁମେ ସଞ୍ଜ ବେଳକୁ ପହଞ୍ଚିଲ । କାନ୍ଦିକାଟି ଘେନିଆସିଲ ।

 

ପୁଅଟିକି କୋଳକୁ ଭିଡ଼ିଆଣି ପାଗଳ ଚୁମାଖାଇ ନିଜେ କାନ୍ଦିଲା । କହିଲା– ମୁଁ ମାରୁନାହିଁରେ ଧନ, ମୋ ରାଧାକୁ ମୁଁ ମାରିପାରିବି ନାହିଁ । ସେଇ ଏକା ମତେ ବଞ୍ଚେଇ ରଖିଚି । ମାରୁଚି ତାକୁ ସେଇ ଚୀନାଭୂତ, ଚିଂଡ଼ିଲାଇ । ହେଇ ଆସିଲା । ଆସିଲା । ଆଣିବୁଟିରେ ବାଡ଼ିଟା ।

 

କହି ପିଲାଟାକୁ ତଳେ ଫିଙ୍ଗିଦେଇ ପାଗଳ ଧାଇଁଗଲା ବାଡ଼ି ଆଣିବାକୁ । ନଳିନୀ ଡାକ ପକେଇଲା–ଶେଖରବାବୁ ! କୁଆଡ଼େ ଯାଉଚ ?

 

ଅନୁରାଧା ଧାଇଁଯାଇ ଧରିପକାଇଲା । ନୋହିଲେ ପାଗଳ କୁଆଡ଼କୁ ଦୌଡ଼ି ପଳାଇଥାଆନ୍ତା ।

 

ମୁଣ୍ଡର ବିକୃତି । ମୁହୂର୍ତ୍ତକେ ବିଗିଡ଼ିଯାଏ । ମୁହୂର୍ତ୍ତକ ପରେ ପରେ ପ୍ରକୃତିସ୍ଥ ହୋଇଯାଏ-। ଚନ୍ଦ୍ରଶେଖର ପାଗଳ, ଏମିତି ଚାଲିଛି ତାଙ୍କର ନିତିପ୍ରତି ସଂସାରଟି । ମାଡ଼ ଖାଇ ଗାଳି ଖାଇ ଅନୁରାଧା ପିଲାଙ୍କୁ ବଞ୍ଚାଇ ସ୍ୱାମୀକୁ ବଞ୍ଚାଇ ରଖିଚି । ଆଖି ଲୁହ ହାତ ପିଠିରେ ପୋଛି ତା’ର ଦିନ ସରୁଚି । ସ୍ୱାମୀର ଅତ୍ୟାଚାର ସହି ସହି ସେ ପଥର ପାଲଟିଗଲାଣି । ବାପଘରକୁ ଦିନକପାଇଁ ଗଲେ ପାଗଳ ଯାଇ ହାଜର ହେଉଚି । କାନ୍ଦି କାଟି ରାଧାର ହାତ ଧରି କହୁଚି ତୁ ତ ଚାଲିଆସିଲୁ ରାଧି । ମୁଁ ବଞ୍ଚିବି କେମିତି ? ମୁଁ ମଲେ ତୁ ଯେଉଁଠିକି ଯିବୁ ସିନା । ମୁଁ ବେଶିଦିନ ଆଉନାହିଁ-। ‘‘ସେ’’ ମରିଚି ମୁଁ ବି ମରିବିରେ ଅନୁରାଧା ।

 

‘‘ସେ’’ଟି କିଏ ? ‘‘ସେ’’ ପୁଣି କେବେ ଓ କାହିଁକି ମରିଚି ? ଏଇ ହେଲା ଚିଂଡ଼ିଲାଇ ଭୂତର ପ୍ରକୃତ ପରିଚୟ ।

 

ନଳିନୀ ଗମ୍ଭୀର ହୋଇଗଲେ । କହିଲେ–ଚାଲନ୍ତୁ ଯିବା । ହେଇ ଦେଖନ୍ତୁ, ପାଗଳ ଆଲମାରିଟା ଫିଟାଇ ଖୋଜୁଚି । ଖୋଜୁଚି ଚିଠିପତ୍ର । କାହାର ଚିଠି ?

 

ଅନୁରାଧା ମୁହଁ ଶୁଖାଇଚି । ଅନ୍ତର ଭିତରେ ତା’ର ପ୍ରାଣମୂର୍ଚ୍ଛା କୋହଉଠୁଚି । ତଥାପି ମୁହଁ ଫିଟାଇ କହିପାରୁ ନାହିଁ । ଦୁଃଖରେ ଆଜି ତା’ର ଛାତି ଫାଟିଯାଉଚି । ତେବେ ବି ସେ କିଛି କହୁନାହିଁ । କହିବାର ତା’ର ଢେର ଅଛି, କିନ୍ତୁ କହିବ କାହାଆଗରେ ? କିଏ ଶୁଣିବ ? କଅଣ ବା କହିବ ?

 

ଚନ୍ଦ୍ରଶେଖର ଆଲମାରି ଅଣ୍ଡାଳୁଚି । ରାଧା ଠିଆହୋଇ ଚାହିଁ ଚାହିଁ କାନ୍ଦୁଚି । ନଳିନୀଙ୍କ ଓଠ ଥରିଉଠୁଚି–ସହାନୁଭୂତିରେ । ବେନି ପ୍ରାଣ ମଧ୍ୟରେ ସମବେଦନାର ତରଙ୍ଗ ଢେଉ ଭାଙ୍ଗୁଚି ।

 

‘‘କାନ୍ଦନା ଲୋ ରାଧା’’ । କହିଉଠିଲେ ନଳିନୀ ।

 

ଏ ଘରକୁ ଆସିଲାବେଳେ ଅନୁରାଧା ମନ-ପୂରା ଆନନ୍ଦ ଅନୁଭବ କରିଥିଲା । ହସିଥିଲା । ଖୁବ୍‌ ଆନନ୍ଦରେ ଖେଳିଥିଲା । ଭାବବିଭୋଳ କବିକି ସ୍ୱାମୀରୂପେ ପାଇ ବାପ ମାଆ ଭାଇ ଭଉଣୀଙ୍କୁ ସେ ପାସୋରି ପକାଇଥିଲା । କେତେ ମଧୁଯାମିନୀ ବିତିଯାଇଛି ଅନିଦ୍ରାରେ । ଆକାଶରେ ଚନ୍ଦ୍ରମା, ବଗିଚାରେ ସଜଫୁଟା ଫୁଲ, ପାଖରେ କଳ୍ପନା-ବିଳାସୀ କବି । କେତେ ଗଳ୍ପ, କେତେ କବିତା, କେତେ ହାସ୍ୟ, କେତେ ରହସ୍ୟ । ଅନ୍ତର ଭିତରେ ପୁଞ୍ଜୀଭୂତ ଅନୁଭୂତି ନବ ନବ ରୂପ ଘେନିଚି ନିତିପ୍ରତି । ସରସ ସଂସାରରେ ନବ ରସର ସଞ୍ଚାର ହେଲା ସେଇଦିନ–ଯେଉଁଦିନ ପୁଅଟି କୋଳକୁ ଆସିଲା । ଦୁଇଟି ଜୀବନର ସଂଯୋଜକ, ଦୁଇଟି ପ୍ରାଣର ସମ୍ମୋହକ, ସଂସାରଟି ସ୍ୱର୍ଗ ପାଲଟିଗଲା ସେଇଦିନ । କବିଙ୍କର ଅଭିନବ ଅବଦାନ ‘‘ଗୀତି ମଞ୍ଜରୀ’’ ପ୍ରକାଶ ପାଇଲା । ଦୈନିକ ପତ୍ରିକାରେ ପରିଚିତ ପ୍ରକାଶିତ ହେଲା । କବିଙ୍କ ପ୍ରତିଛବି ଛପାଗଲା । ନଚିହ୍ନିଲା ଲୋକେ ଚିହ୍ନିଲେ । ନଜାଣିଲା ଲୋକେ ଜାଣିଲେ । ରାଧାର ମନଟା ପୁଲକି ଉଠିଲା । କବି ଗରିବ, ତଥାପି ଦୁନିଆ ତାକୁ ଆଦର ସମ୍ମାନ ଦିଏ ।

 

ଚନ୍ଦ୍ରଶେଖର ସେକ୍ରେଟେରୀଏଟର ଜଣେ କର୍ମଚାରୀ । ନିତି ଦଶଟା ବେଳକୁ ବସାରୁ ବାହାରି ସାଇକେଲ ଚଢ଼ି ଦୁଇମାଇଲ ବାଟ ଅତିକ୍ରମ କରିଯାଆନ୍ତି ଅଫିସକୁ । ଫେରନ୍ତି ପ୍ରାୟ ସାଢ଼େଚାରିଟା ପରେ ।

 

ବଜାର ସେ ମୁଣ୍ଡକୁ ରାସ୍ତାର ମୋଡ଼ ଉପରେ ବାଁକଡ଼କୁ ଖଣ୍ଡିଏ ଏକୁଟିଆ ଏକମହଲା ପକ୍‌କା ଘର । ଦୁଇଟି ବଖୁରି, ଠିକ୍‌ ରାସ୍ତା କଡ଼କୁ ଖିଡ଼ିକି । ସରୁ ଗଳିଟି ଦେଇ ଅଗଣାକୁ ବାଟ । ଖିଡ଼ିକି ଭିତରୁ କିଏଜଣେ ବାଳିକା । ଚାହିଁରହିଚି ରାସ୍ତା ଉପରକୁ ଠିକ୍‌ ଦଶଟାବେଳକୁ । ଅନୁଚ୍ଚ ସ୍ୱରରେ ଗୁଣୁ ଗୁଣୁ ଗୀତ ଗାଉଚି । ହାତରେ ଖଣ୍ଡିଏ ବହି–ଗୀତି ମଞ୍ଜରୀ । କଳା କଳା ଆଖିଯୋଡ଼ିକ ରାସ୍ତାକୁ ଚାହୁଁଚି, ପୁଣି ଫେରିଯାଉଚି । ଦିନେ ହଠାତ୍‌ ଚନ୍ଦ୍ରଶେଖର ବାବୁଙ୍କ ଆଖିରେ ଆଖି ମିଶିଲା । ସୁନ୍ଦର ଚେହେରା । ବୟସ ଅଠର କି କୋଡ଼ିଏ ହେବ । ଭାବବିଭୋଳ ଭଙ୍ଗିମା । ସତେ କି କିଛି କହିବା ଉଦ୍ଦେଶ୍ୟ । ସାଇକେଲଟି ଗଡ଼ିଗଲାବେଳକୁ ଚାହିଁରହିଚି ଚାତକ ପରି ଖିଡ଼ିକିର ଲୁହା ରେଲିଙ୍ଗ ଧରି ଅଦୃଶ୍ୟ ହୋଇଯିବାଯାକେ । ସାଢ଼େଚାରିଟାବେଳେ ଫେରନ୍ତି ବାଟରେ ପୁଣି ସେହି ଆଖିଯୋଡ଼ିକ ଖିଡ଼ିକି ସେପଟେ ଅପେକ୍ଷା କରି ରହିଚି । ପୁଣି ତହିଁଆରଦିନ ଅଫିସ୍ ଗଲାବେଳକୁ । ପୁଣି ଲେଉଟିଲାବେଳକୁ ।

 

ଚନ୍ଦ୍ରଶେଖରଙ୍କ ସାଇକେଲ ଗତି ମନ୍ଥର ହୋଇଯାଏ । ପାଦ ରହିଯାଏ, ଆଖି ଅଟକି ରହେ, ମନ ପଛେଇ ପଡ଼େ, ଚଳନ୍ତି ଛବିଟି ଖିଡ଼ିକି ପଛପଟେ ଉଙ୍କିମାରେ । ଚାହେଁ, କଅଣ କହିବାକୁ ମନକରେ । ଭାଷା ପରାସ୍ତ ହୁଏ । ଭାବ ମୁଖର ହୋଇଉଠେ । ଅନ୍ତରେ ଅନ୍ତରେ ଭଙ୍ଗିମାର ଛବି, ସତେକି ହାତଠାରି ଡାକେ ।

 

ଦିନେ କିଏ ଭିତରୁ ଡାକୁଚି–ମଞ୍ଜରୀ, ଏଣିକି ଆସିବ ? ଖିଡ଼ିକି ପାଖରେ ବୁଲୁ ବୁଲୁ ଅନିଚ୍ଛା ସତ୍ତ୍ୱେ ଜବାବ ଦେଲା କିଏ–ଯାଉଚି ।

 

‘‘ନାଆଁଟି ମଞ୍ଜରୀ’’ ? ଧୀରେ ଧୀରେ ସାଇକେଲ ଗଡ଼ାଇ ନେଉ ନେଉ ଚନ୍ଦ୍ରଶେଖର ଭାବିହେଲେ–ମଞ୍ଜରୀ, ମୋହରି ଦିଆ ନାଆଁଟି ଗୀତି ମଞ୍ଜରୀ !!

 

କିଏ ଡାକେ ଭିତରୁ ରହି ରହି ଦିନେ ଦିନେ । ସବୁଦିନ ତ ପ୍ରାୟ ଏକୁଟିଆ ଘରେ ସେ ଏକା ଏକା ଥାଏ । ଠିକା ଦାସୀଟିଏ ସକାଳେ ସଞ୍ଜେ କାମକରି ଚାଲିଯାଏ । ଘରେ ଅନ୍ୟ କେହି ନଥିଲାବେଳେ ବୋଧହୁଏ ରହିଯାଏ । ‘‘ମଞ୍ଜରୀ’’ ସୁନ୍ଦର ନାଆଁଟିଏ । ମଞ୍ଜରୀ ଡାକେ–‘‘ଇଲୋ’’ ଅନ୍ନ, ପାଣି ଦେଇଯାଆ ତ । ହେ ଅନ୍ନ, ଦେଇଯାଆ ତ ପରିବା ଝୁଡ଼ିଟା, ଇଲୋ ସେ ବହି ଖଣ୍ଡିକ କାହିଁ ଗଲା ? ପାଉ ତ ନାହିଁ । ଖଟ ଉପରେ ଥିଲା । ବିଛଣା ଝାଡ଼ିଲାବେଳେ କୁଆଡ଼େ ଫିଙ୍ଗିଦେଲୁ କି ? ଆଲୋ ଏ ଘରଟା ଭଲ ତ ଝାଡ଼ିଲୁ ନାହିଁ ।

 

ଦିନେ ଦିନେ ଦୋଟିମୁହଁ ଖିଡ଼ିକି ପାଖରେ ବାହାରକୁ ଅନାଇ ରହିଥାଏ । ଗୋଟିଏ ମଞ୍ଜରୀର, ଅନ୍ୟଟି ଶୁଖିଲା ମୁହଁ–ଦାରିଦ୍ର୍ୟର ପରିଚୟ ଦିଏ । ଏଇଟି ନିଶ୍ଚୟ ଠିକା ଚାକରାଣୀ ଅନ୍ନର ମୁହଁଟି । ବୟସ ଅନୁମାନ ହୁଏ ଚାଳିଶ ହେବ । ଅନ୍ନ ହସୁଚି, ଚାହୁଁଚି, ଆଖି ଆଖିରେ ତା’ର ଭାବ ।

 

ଦିନେ ଛକଉପରେ ପାଣିକଳ ପାଖରେ ଚନ୍ଦ୍ରଶେଖର ଠିଆହୋଇ ତୁଚ୍ଛାଟାରେ ପାଣି ଟ୍ୟାପଟାକୁ ମୋଡ଼ି ହାତ ଧୋଉଚନ୍ତି । ବୋଧହୁଏ ମନେମନେ ଅପେକ୍ଷା କରିଛନ୍ତି । ମାଠିଆ ଧରି ଅନ୍ନ ଆସି ଅଳ୍ପ ହସି କହିଲା–କେତେ ଘଷିମାଜି ହଉଚ ବାବୁ, ମୁଁ ପରା ପାଣି ନେବି ! ମଞ୍ଜରୀ ଅପା ହେଇଟି ପରା ମତେ ଅନେଇ ରହିଚନ୍ତି ।

 

ଚମକିଉଠିଲା ଚନ୍ଦ୍ରଶେଖରଙ୍କ ଛାତି । ପଛେଇ ଚାହିଁଦେଲେ । ଗଳିଟି ଭିତରୁ ମୁହଁ ବଢ଼ାଇ ବାହାରକୁ ଚାହିଁଚି–ମଞ୍ଜରୀ ।

 

ସେଇଠି ସେମିତି ହାତ ଧୋଉ ଧୋଉ ଚନ୍ଦ୍ରଶେଖର ଅନ୍ନ ଆଡ଼କୁ ଚାହିଁ ଅଳ୍ପ ହସିଲେ । ପଚାରିଲେ ଆଲୋ ଅନ୍ନ, ତମ ଘରେ କିଏ ଆଉ ଥାଏମ ?

 

କାହିଁକି ବାବୁ ? ଏତେ ପଚାରୁଛ ଯେ ! ଆମ ଘରେ ମୁଁ ଥାଏ, ମଞ୍ଜରୀଅପା ଥାଆନ୍ତି । ତାଙ୍କ ସ୍ୱାମୀ ତ ମାସ ଭିତରେ ପଚିଶଦିନ ଗସ୍ତକରି ବୁଲନ୍ତି, ବାହାରେ ବାହାରେ ସରକାରୀ କାମରେ । କଅଣ ବାବୁ, ଟଙ୍କା କାହାକୁ ସର୍ଗ ନେଲାଣି କେଜାଣି ! ଘରେ ଭୁଆସୁଣୀ ବୋହୂଟା ଦେଖିନ ବାବୁ ।

 

କେଡ଼େ ସୁନ୍ଦର ଆମ ମଞ୍ଜରୀ ଅପାଟି ? ନିତିପ୍ରତି ଏଇବାଟେ ଯାଆଆସ କରୁଚ ଦେଖିନଥିବ ପରା, ଛିଆଲୋ !

 

ମୁହଁ ମୋଡ଼ିଦେଇ ଅନ୍ନ ହସୁଚି । ଚନ୍ଦ୍ରଶେଖର ତାରି ଆଡ଼କୁ ଅନାଇ ରହିଚନ୍ତି । କିଛି କହିପାରୁନାହାନ୍ତି । ମଞ୍ଜରୀ ଧୀର ସ୍ୱରରେ ଡାକିଲା– ଇଲୋ ଅନ୍ନ, ପାଣି ଟୋପାଏ ଆଣୁନଉ ! କେତେ ଗପ କରୁଚୁ ମ ?

 

ହଁ ଯାଉଚି ଗୋ । ‘‘ଏ ଘରେ କେତେ କାମ କରିବି ମୁଁ’’ । ମୋର ଫେଣେ ଘରସଂସାର ଅଛି ତ ! ମାସକୁ ପଚିଶଦିନ ଏଙ୍କ ଘରେ ଶୋଇବି । କାମରୁ ପାଇଟିରୁ ସବୁଯାକ କରିବି । ଛିଆଛିଆ, କେବଠୁଁ ଛାଡ଼ିଯିବାକୁ ମନହେଲାଣି । ଛାଡ଼ିପାରୁନି ଗୋ ଚନ୍ଦ୍ରଶେଖରବାବୁ । ମଞ୍ଜରୀର ମାୟା ଛାଡ଼ିପାରୁ ନାହିଁ ।

 

ଚନ୍ଦ୍ରଶେଖର ଚମକିପଡ଼ି ଠିଆହୋଇଗଲେ । ତାଙ୍କ ନାଆଁଟି ବି ଏକୁ ମାଲୁମ ଅଛି ? ବିସ୍ମୟରେ ଦେହ ଥରିଉଠିଲା । ଧୀର ମନ୍ଥର ଗତିରେ ଅନ୍ନ ଶୂନ୍ୟ ମାଠିଆଟି ଆଣି ଟ୍ୱାପ୍‌ ତଳେ ଥୋଇଲା । ତଳକୁ ଚାହିଁ ଧୀରେ କହିପକାଇଲା–ଆସୁନ ବାବୁ ଦିନେ । କଅଣ କାଠ ପଥରରେ ତମ ଛାତି ଗଢ଼ା କିହେ । ମଞ୍ଜରୀ ଅପା ତ ତମ ବହି ପଢ଼ି କାନ୍ଦି କାନ୍ଦି ଝୁରିମରୁଚି ଗୋ । ରାତି ରାତି ତୁମେ ଆସିବ ବୋଲି ବିଳିବିଳେଇ ହଉଚି ।

 

ଚନ୍ଦ୍ରଶେଖରର ସାରା ଦିହ ଥରୁଛି । ଗଳି ଭିତରୁ ମଞ୍ଜରୀ ଚାହିଁରହିଚି । ପାଣିମାଠିଆଟି କାଖକୁ ଉଠାଇ ନେଇ ଅନ୍ନ ଚାଲି ଯାଉଯାଉ କହିଦେଲା– କିଏ ଅଛି ମ ଏତେ ଡର ! ରାତି ଘଡ଼ିକୁ ସାଇ ଶୂନଶାନ୍ । ଆଜି ମୁଁ ବାଟରେ ଠିଆହୋଇଥିବି । ଅପା ଡାକିଚି ତୁମକୁ ଆସିବ ନିଶ୍ଚେ ।

 

କିଏ କୁଆଡ଼େ ଶୁଣିବ ପରା ! କିନ୍ତୁ ପାଖରେ କେହି ନାହିଁ ।

 

ସେଇଦିନ ଠିକ୍ ରାତି ଘଡ଼ିକ ସରିକି । ମ୍ୟୁନିସିପାଲିଟିର ଦୂର କିରୋସିନି ବତିର ମିଞ୍ଜିମିଞ୍ଜି ଆଲୁଅ । ପାଖ ନଡ଼ିଆଗଛ ବାହୁଙ୍ଗା ଛାଇତଳେ ଅନ୍ନ ଅପେକ୍ଷା କରିଚି । ଗଳିଟି ମେଲା-। ଚାଲି ଚାଲି ଯାଉଥିଲେ ଚନ୍ଦ୍ରଶେଖର । ଅଟକିଗଲେ ।

 

ସେଇଦିନ ଏବଂ ସେଇଦିନୁ । ଘରେ ଅନୁରାଧା ପିଲାଟିକୁ ଧରି ଅପେକ୍ଷାକରି ବସେ । ରାତି ଦଶଟା ବାଜେ, ବାରଟା ବାଜେ, ଗୋଟାଏ ଦୁଇଟା ବାଜେ । ଢଳିଢଳି ଚନ୍ଦ୍ରଶେଖର ଘରକୁ ଫେରନ୍ତି । କହନ୍ତି–ଅଫିସରେ କାମ ଥିଲା । ହାକିମଙ୍କ ଘରକୁ ଜରୁର କାମରେ ଯାଇଥିଲି । ଯାଇଥିଲି ଭୁବନେଶ୍ୱର । ଏଇତ ଫେରିଲି । ହୋଟେଲରେ ଖାଇଚି । ତୁମେ ଖାଇ ଶୋଇପଡ଼ ।

 

ଅନୁରାଧାର ମନରେ ସନ୍ଦେହ ଜାଗେ । ପ୍ରାଣ କାନ୍ଦିଉଠେ । କେତେ ପାପକଥା ମନେପଡ଼େ । କିନ୍ତୁ କଅଣ କହିବ ? ସ୍ୱାମୀ–ଦେବତା !

 

ଚନ୍ଦ୍ରଶେଖରଙ୍କ ପିଇସୀପୁଅ ଭାଇ ମନୋଜକୁମାର କଟକରେ କେଉଁଠାରେ ଚାକିରି କରନ୍ତି । ଏକୁଟିଆ ଥାଆନ୍ତି । ବୟସରେ ଚନ୍ଦ୍ରଶେଖରଙ୍କ ଠାରୁ ସାନ । ମଝିରେ ମଝିରେ ବୁଲିଆସନ୍ତି । ଭାଉଜଙ୍କ ପାଖରୁ ଜଳଖିଆ ଓ ପାନ ଖାଇଯାଆନ୍ତି । ଭାଇଙ୍କ ଭେଟ ମିଳିଲେ କଥାବାର୍ତ୍ତା ହୋଇଯାଆନ୍ତି । ସେଦିନ ରାତି ନ’ଟାବେଳେ ସେ ବୁଲି ଆସିଚନ୍ତି । ଦେଖିଲେ ଭାଉଜ ବସି କାନ୍ଦୁଚନ୍ତି । ମନ ଦୁଃଖରେ ମୁହଁ ମଳିନ ପଡ଼ିଯାଇଛି । ପିଲାଏ ଶୋଇପଡ଼ିଲେଣି । ତାଙ୍କ ଦେହ ଭଲନାହିଁ । ଘରେ ଆଉ କେହିନାହିଁ । ଡରମାଡ଼ୁଚି । ଚୋର ତସ୍କରଙ୍କ ଭୟ । ଏଣେ ପୁଣି ପିଲାପିଲି କଅଣ ହେବାର ଅଛି । ସେ କଥା ବି ମନୋଜ ଜାଣନ୍ତି । ପଚାରିଦେଲେ–ଭାଉଜ, ଭାଇଙ୍କର ଆଜିକାଲି ଏତେ ଡେରିହେଉଚି କାହିଁକି ?

 

କେଜାଣି ବାବୁ !

 

କେତେବେଳେ ଫେରନ୍ତି ?

 

ତା’ର ଠିକଣା ନାହିଁ ।

 

ମୁଁ ଆଜି ଏଇଠି ବସିରହିବି । ଆସିଲେ ପଚାରିବି ।

 

ରାଧା ମନାକରୁଥିଲେ ସୁଦ୍ଧା ସେ ରହିଗଲେ । ଦାଣ୍ଡଘରେ ଶୋଇଲେ ।

 

ରାତି ଗୋଟାଏ ହେବ । ଦାଣ୍ଡ କବାଟରେ ହାତମାରି ଚନ୍ଦ୍ରଶେଖର ଡାକୁଚନ୍ତି–ଫିଟାଅ ।

 

ମନୋଜ ଫିଟାଇଦେଇ ପଚାରିଲେ–ଏତେ ରାତିଯାକେ ଭାଇ, କୁଆଡ଼େ ଯାଅ ? ଘରେ ଏକୁଟିଆ ଭାଉଜଟି । ଡରଭୟ କଅଣ ତାଙ୍କର କିଛି ନାହିଁ ? ପାଖରେ ସାଇପଡ଼ିଶା ତ କେହି ପ୍ରାୟ ନାହିଁ !

 

ଚନ୍ଦ୍ରଶେଖରଙ୍କ ମନ ବଦଳିଗଲା । କିଛି ଜବାବ ଦେଇପାରିଲେ ନାହିଁ । ତାଙ୍କ ଘରେ ମନୋଜ, ନିଛାଟିଆ ରାତିରେ ଯୁବତୀ ସ୍ତ୍ରୀ ପାଖଘରେ ଶୋଇଚି । ମନଭିତରେ ଘୁଣପୋକ ପଶିଗଲା । ଗୁମ୍‌ ହୋଇ ଶୋଇପଡ଼ିଲେ । ଶୋଇପାରିଲେ ନାହିଁ । ରାତିସାରା ନିଦ ଆସିଲାନାହିଁ । ସକାଳୁ ଉଠି କାହାରିକି କିଛି ନକହି ଫାଇଲ ଧରି ବସିପଡ଼ିଲେ । ଦଶଟାବେଳକୁ ଅଫିସ୍ ଚାଲିଗଲେ । ଚାଲିଗଲା ବାଟରେ ଖିଡ଼ିକି ସେପଟେ ସୁନ୍ଦର ମୁହଁଟିଏ ଚାହିଁରହି ହସୁଚି । ଚନ୍ଦ୍ରଶେଖରଙ୍କ କଲିଜା ଭିତରେ ଘୁଣପୋକ ରୁଟୁ ରୁଟୁ କାଟୁଚି । ସାଇକେଲ ଚଳାଇ ଚାଲିଗଲେ ଆଗକୁ । ମନଭିତରେ ରହିରହି କିଏ ପ୍ରଶ୍ନକଲା ବାରମ୍ୱାର–ମନୋଜ ତେବେ କ’ଣ ତାଙ୍କ ଘରକୁ ଆସେ ?

 

ତଥାପି ଫେରିଲାବେଳକୁ ଦେଖିଲେ–ପାଣି ପାଇପ୍‌ ପାଖରେ ଅନ୍ନ ମୁରୁକି ମୁରୁକି ହସୁଚି ଏବଂ ଗଳିବାଟ ପାଖରେ ଟହଲି ଟହଲି ମଞ୍ଜରୀ ଅଗଣା ଭିତରକୁ ପଶିଯାଉଚି ।

 

କେତୋଟି ଦିନ ପରେ ସ୍ୱାମୀର ବଦଳି ଆଦେଶ ଆସିଲା । ଅନ୍ୟ ଜିଲାକୁ । ଏକୁଟିଆ ଘରେ ଅନ୍ନକୁ କୁଣ୍ଢାଇ ଧରି ମଞ୍ଜରୀ କାନ୍ଦି କାନ୍ଦି ଲୋଟିଯାଉଚି । କହୁଚି–ଏ ମନକଥା କାହାକୁ କହିବି ଲୋ ଅନ୍ନ ? କିଏ ବୁଝିବ ? ମୁଁ ତ ଆଉ ବଞ୍ଚିବି ନାହିଁ । ତୁ ଚାଲେ ମୋ ସାଥିରେ । କେତୁଟା ଦିନ ଦୁଃଖ ସୁଖ ହୋଇ ମରିବି ଭଲା ।

 

ଅନ୍ନ–ଛି, ଏମିତି କଥା କହୁଚ ଅପା ! ଖୁସିବାସିଆ କଥା–ସକ୍‌ବକ୍‌ ବେଳ କଥା–ସବୁଦିନେ କଅଣ ଥାଏ ଅପା ! ସବୁଦିନିଆ ଘର କରିବ ଯାହାକୁ ନେଇ, ସେ ତ ସାଙ୍ଗରେ ଯାଉଚନ୍ତି । ଏତେ ଭାବନା କାହିଁକି ?

 

ତୁ ଚାଲ ଅନ୍ନ । ଏଠି ତୋର କୋଉ ସାନପିଲା କାନ୍ଦୁଚି କି ? ବୁଢ଼ୀ ମାଆଟା ଆଉ ଭାଇଟା । ଟଙ୍କା ତ ପଠାଇବୁ–ସେମାନେ ଚଳିଯିବେ ନାହିଁ ଯେ । ତତେ ମୁଁ ଜମା ଛାଡ଼ିଯିବି ନାହିଁ । ତୁ ନଗଲେ ମୁଁ ଏଇଠି ଏଇ ଘରେ ବିଷ ଖାଇ ମରିବି ଜାଣିଥା ।

 

ମଞ୍ଜରୀ ଓ ତା’ ସ୍ୱାମୀ ସାଙ୍ଗରେ ଅନ୍ନ ଯାଉଚି । ରେଳଷ୍ଟେସନରେ ଜିନିଷପତ୍ର ଜମାହୋଇଚି । ଟିକଟ କିଣା ସରିଲାଣି । ଗାଡ଼ି ଆସି ପହଞ୍ଚିଲା । ଲୋକଗହଳି ଭିତରେ କିଏ ଜଣେ ମୁହଁରେ ରୁମାଲ ଦେଇ ଚାହିଁ ଚାହିଁ ଟହଲି ଟହଲି ଚାଲିଯାଉଚି । ଆଖିପତା ଦୁଇଟି ଆଉ ଭ୍ରୂଲତା ଦିଓଟି ମୁକୁଳା ଅଛି । ସେତିକିରୁ କାନ୍ଦୁରା ମୁହଁଟି ବାରିହୋଇ ପଡ଼ୁଚି । ଗହଳି ଭିତରେ ପାଖକୁ ଲାଗିଆସି ଅନ୍ନ କହିଲା–କାନ୍ଦୁଚ ଶେଖର ବାବୁ ? ଛି ।

 

ଗାଡ଼ି ଛାଡ଼ିଦେଲା । ଦୁଇଟି କରୁଣ ଆଖି ଗାଡ଼ି ଭିତରୁ ପ୍ଲାଟ୍‍ଫର୍ମ୍‍ ଆଡ଼କୁ ଚାହିଁରହିଚି । ଠୋପା ଠୋପା ହୋଇ ଲୁହ ଗଡ଼ିପଡ଼ୁଚି ତଳକୁ । ଚଳନ୍ତା ଗାଡ଼ି ଉଡ଼ିଯାଉଚି । ଛବି ନିଭିଯାଉଚି । ଧୂଆଁ ଫେରିଆସୁଚି ପଛକୁ । ପ୍ଲାଟ୍‍ଫର୍ମ୍‍ ଉପରେ କୁହୁଳୁଚି ଗୋଟାଏ ଅନ୍ତର । ଚାହିଁ ରହିଚି–ଚଳନ୍ତା ଗାଡ଼ି ଅଦୃଶ୍ୟ ହେବାଯାକେ । ଶେଷକୁ ଦୃଶ୍ୟପଟ ଅଦୃଶ୍ୟ ହୋଇଗଲା । ଅନ୍ତରଭରା ହା ହୁତାଶର ଗୁରୁବୋଝ ବହି ଘରକୁ ଫେରିଆସିଲେ ଚନ୍ଦ୍ରଶେଖର ।

 

ଦାଣ୍ଡଘରେ ମନୋଜ । ଭିତରେ ନର୍ସଟିଏ ବସିଚି ଅନୁରାଧା ପାଖରେ । ରାଧା କେତେବେଳୁ ଦୁଃଖ ପାଉଚି । ମନୋଜ ରାଗରେ ମୁହଁ ଗରଗର କରି ବସିଚି । ସେ ଅନୁମାନ କରିନେଇଚି ଶେଖର ଭାଇର ଗତିବିଧି । ଅଭିମାନ ଓ ଘୃଣାରେ ମନ ଭିତରଟା ତା’ର କୁହୁଳୁଚି । ସତେକି ପରମୁହୂର୍ତ୍ତରେ ଆଗ୍ନେୟଗିରି ପ୍ରଚଣ୍ଡ ଅଗ୍ନିସ୍ରୋତ ଉଦ୍‌ଗାରି ପକାଇବ ।

 

ମନୋଜ–ଦାଣ୍ଡଘରେ । ଶେଖରର ମନଭିତରେ ଘୁଣପୋକ ରୁଟୁରୁଟୁ କାଟିପକାଉଚି । କିଛି କାହାରିକି ନ କହି ଘରଭିତରକୁ ପଶିଗଲା ଶେଖର । ମନଭିତରେ ତା’ର ଦୁଇଆଡ଼ୁ ଟଣାଓଟରା ଚାଲିଚି । ଚିନ୍ତାର ଖିଅ ତେଣୁ ଛିଡ଼ିଯାଉଚି, ଏଣେ ଅଡ଼ୁଆତଡ଼ୁଆ ହୋଇଯାଉଚି । ଇଜି ଚୌକି ଖଣ୍ଡେ ଟାଣି ବସିପଡ଼ିଲା–ଶେଖର । ପୁଅଟି ପାଖକୁ ଆଉଜିପଡ଼ି ଚାହିଁଲା ବାପା ମୁହଁକୁ । ଥଳକୂଳ ପାଉନାହିଁ ସେ ବାପାଙ୍କ ମନ ଭିତରଟାର । କାବାହୋଇ ଅନାଇ ରହିଚି । ସେ ବି ଭାବୁଚି–ବାପା ବଦଳିଗଲେଣି ।

 

ସଞ୍ଜବେଳକୁ ପ୍ରସୂତି ଘରୁ କୁଆଁ କୁଆଁ ରାବ ଶୁଭିଲା । ନର୍ସ କହିଲା–ଝିଅଟିଏ–ଦି’ଖଣ୍ଡ ପୁରୁଣା ଲୁଗା କାଢ଼ିଦିଅନ୍ତୁ ।

 

କାଠପରି ଚନ୍ଦ୍ରଶେଖର ସେଇଠି ସେଇ ଇଜି ଚେୟାର ଖଣ୍ଡିକ ଉପରେ ବସିରହିଲା । ମନୋଜ ଦାଣ୍ଡଘରେ ଥିବା ଟ୍ରଙ୍କ ଖଣ୍ଡିକ ଫିଟାଇ ଗୋଟିଏ ପୁରୁଣା ଶାଢ଼ି କାଢ଼ିଆଣି ନର୍ସ ହାତକୁ ବଢ଼ାଇଦେଲା । ଚନ୍ଦ୍ରଶେଖର କଟମଟ କରି ତାରି ଆଡ଼କୁ ଅନାଇ ରହିଲା । ମନେମନେ ଭାବିହେଲା–ମୋର ଅନୁମତି ବି ଲୋଡ଼ୁନାହିଁ ମନୋଜ ! ଟ୍ରଙ୍କ ଖୋଲି ଲୁଗା କାଢ଼ିଦେଉଚି । ଏତେ ଅଧିକାର କେମିତି ସେ ପାଇଲା ! କିଏ ଦେଲା !

 

ମନ ଭିତରଟା ଖାଁ ଖାଁ ଗୋଡ଼ାଉଚି । ରାଟୁ ରାଟୁ କାମୁଡ଼ି ପକାଉଚି ପୋକଟା ମନ ଭିତରର କୋମଳ ମଞ୍ଜରେ । ଆଖିବୁଜି ସେ ଭାବିହେଲା ମାତ୍ର । ଦେଖାଗଲା–ଚଳନ୍ତା ରେଳଗାଡ଼ି ଚାଲିଯାଇଚି । ରାତି ଗୋଟାକବେଳେ ଦାଣ୍ଡଘର ଭିତରୁ କବାଟ ଫିଟାଉଚି ମନୋଜ । ପାଖଘରେ ଶୋଇଚି ଯୁବତୀ ସ୍ତ୍ରୀ ଅନୁରାଧା ।

 

ଚାରିଦିନ ପରେ ଅଫିସରେ ବସି ବସି ଫାଇଲ ଫିଟାଉ ଫିଟାଉ ସବୁକଥା ଭାବିହେଉଚି ଚନ୍ଦ୍ରଶେଖର । କାମରେ ମନ ନାହିଁ, ଘରେ ମନ ନାହିଁ । ପିଅନ ଆଣିଦେଇଗଲା ଚିଠି । ଲଫାପା ଖଣ୍ଡେ । ଉପରେ ଓଡ଼ିଆରେ ଠିକଣା ଲେଖାଯାଇଛି–ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର । ତର ତର ହାତରେ ଖୋଲିପକାଇ ଦେଖିଲା–ଲେଖାଅଛି–ମୁଁ ବିଷ ଖାଇଚି । ଆଜି ନିଶ୍ଚୟ ମରିଯିବି । ତୁମରିପାଇଁ ମଲି । ଆରଜନ୍ମରେ ଦେଖାହେବ । ଇତି

 

ମଞ୍ଜରୀ

 

ଚନ୍ଦ୍ରଶେଖରର ମୁଣ୍ଡ ଗରମ ହୋଇଗଲା । ଚିଠି ଖଣ୍ଡିକୁ ଟିକି ଟିକି କରି ଚିରିପକାଇଲା । ଫାଇଲଗୁଡ଼ାକ ଆଡ଼େଇଦେଲା । ବାହାରକୁ ବାହାରିଗଲା । ଘରେ ମୁହଁମାଡ଼ି ଶୋଇରହିଲା–ଖାଣ୍ଟି ଦିନଟିଏ । ଡାକିଲେ ଉଠିଲା ନାହିଁ । ଖାଇଲା ନାହିଁ । ମନୋଜକୁ ଦେଖିଲେ ତା’ର ଜହର ଜଳିଯାଉଚି । ଖାଁ ଖାଁ କାମୁଡ଼ି ଉଠୁଚି ସେ ସ୍ତ୍ରୀ ଉପରକୁ ।

 

ତହିଁଆର ଦିନ ସଞ୍ଜକୁ ଘରୁ ବାହାରିଲା, ବଜାରରେ ବରା ଚାରିଟା ଖାଇ ପେଟେ ପାଣି ପିଇଲା । ବୁଲି ବୁଲି ବାରଆଡ଼ୁ ଫେରିଲା । ରାତି ନଅଟାରେ ପାଣିକଳ ପାଖରେ ଅନ୍ନ ସାଙ୍ଗରେ ଦେଖାହେଲା । ଅନ୍ନ କାନ୍ଦୁଚି । କହିଲା–ତୁମକୁ ଝୁରି ଝୁରି ମଞ୍ଜରୀ ବିଷଖାଇ ମଲା ବାବୁ । ମୁଁ ଫେରିଆସିଲି ।

 

ଠିକ୍‌ ସେଇ ମୁହୂର୍ତ୍ତରେ ଚନ୍ଦ୍ରଶେଖର ପାଗଳ ହୋଇଚି । ‘‘ସେ’’ ମରିଚି । ଇଏ ପାଗଳ ହୋଇଚି । ସେତିକିବେଳୁ ଚିଂଡ଼ିଲାଇ–ଚିନାଭୂତ ତା’ଠାରେ ପ୍ରବେଶ କରିଚି । ନିଜର ଚରିତ୍ରକୁ ସେ ସନ୍ଦେହ କରୁଚି । ସନ୍ଦେହ କରୁଚି ଅନୁରାଧାକୁ । ମନୋଜ ଉପରେ ସବୁତକ ରାଗ ତା’ର । ଅନୁରାଧାକୁ ସେ କିନ୍ତୁ ଜୀବନର ଏକମାତ୍ର ଆଶ୍ରୟ ବୋଲି ଧରିଚି । ମାରୁଚି ପିଟୁଚି କିନ୍ତୁ ଛାଡ଼ୁ ନାହିଁ । ନିଜ ମନ ଭୂତ ପାଲଟି ନିଜକୁ ଆକ୍ରମଣ କରିଚି । ଚିଂଡ଼ିଲାଇ–ଚିନାଭୂତ ଆସୁଚି ଯାଉଚି । ମନ ବାଟକୁ ଆସୁଚି, ପୁଣି ଅବାଟରେ ପଶିଯାଉଚି । ଭିତରର ଆଲୋଡ଼ନ ଭିତରେ ଭିତରେ ଓଲଟପାଲଟ ହେଉଚି । ଚନ୍ଦ୍ରଶେଖର ତପ୍ତ ତୈଳଭାଣ୍ଡରେ ପଡ଼ି ଅହରହ ଜଳିପୋଡ଼ି ମରୁଚି ।

 

ଆଉ, ତା’ ହାତଧରି ଅନୁରାଧା ଅନୁକ୍ଷଣ ଜଳୁଚି ପୋଡ଼ୁଚି । ମରୁଚି ବଞ୍ଚୁଚି । ଚିଂଡ଼ିଲାଇ ଉଭୟଙ୍କୁ ଆକ୍ରମଣ କରୁଚି । କବିର ସୁନାର ସଂସାର ଚୂନା ହୋଇଯାଇଚି । କଳ୍ପନାର ଭୂତ–କଳ୍ପନାର ବିଭୀଷିକା ଦେଖୁଚି–ମନୋଜଠାରେ ଓ ଅନୁରାଧାଠାରେ । କବି ଜୀବନର କେଉଁ ଦୁର୍ବଳ ମୁହୂର୍ତ୍ତରେ ପ୍ରବଳ ବାତ୍ୟା ବେଗରେ ଭିତରେ ପ୍ରବେଶ କରିଚି ତାରି ମନର ଭୂତ ‘‘ଚିଂଡ଼ିଲାଇ ।’’ ଭାବପ୍ରବଣତା ତା’ର ସର୍ବନାଶ କରିଚି, ତାକୁ ଅବାଟକୁ ନେଇଯାଇଚି; ଆଉ ତା’ର ସୁନାର ସଂସାରକୁ ଚୂନା କରିଦେଇଚି । ସେ ଆଜି ପାଗଳ । କିମ୍ଭୂତକିମାକାର ଭୂତ । ନିଜ ମନର ସନ୍ଦେହ ଅନଳରେ ନିଜେ ହିଁ ସେ ପୋଡ଼ି ମରୁଚି ।

★★★

 

Unknown

ପିଅନ ପ୍ରାର୍ଥୀ

 

ଦାଣ୍ଡ କବାଟରେ ଧୀରସ୍ୱରରେ କିଏ କଡ଼ା ଖଡ଼ ଖଡ଼ କରି ଡାକୁଚି ‘‘ପୂଜାରି । ବେହେରା ।’’ ଜୋରରେ ଡାକିବାକୁ ସାହସ କରୁନାହିଁ । ଉଦୁଉଦିଆ ଖରାବେଳ–ଦୁଇଟା ବାଜିଲାଣି-। ମେ ମାସର ପାଞ୍ଚ ତାରିଖ । ସକାଳୁଆ ଅଫିସ୍ । ଦେଢ଼ଟା ପରେ ଅଫିସ୍‍ରୁ ଫେରି ପ୍ରଶସ୍ତ ବାରଣ୍ଡା ଉପରେ ଆରାମଚୌକି ଉପରେ ଲମ୍ୱହୋଇ ବସିପଡ଼ିଛନ୍ତି ମୀନକେତନ ବାବୁ-। ଚାକର ପିଲାଟି ଢାଳେ ପାଣି ଓ ତଉଲିଆଟି କିଛିଦୂରରେ ଥୋଇଦେଇଗଲା । ଅଫିସ୍‍ରୁ ସାଇକେଲରେ ଫେରିଚନ୍ତି ବାବୁ । ଅଫିସରେ ସିନା ବିଜୁଳି ପଙ୍ଖା ତଳେ କାମ କରୁଥିଲେ । ବାଟରେ ତ ତାଳୁଫଟା ଖରା । ସୋଲର ଟୋପି ଖଣ୍ଡକ କେତେ ଅବା ତାତି ସମ୍ଭାଳିବ ? ପବନରେ ଡହକ ଫୁଟୁଚି । ମୁହଁ ହାତ ପୋଡ଼ିଯାଉଚି । ଅଦୂରରେ ଅନୁଚ୍ଚ ଟେବୁଲ ଉପରେ ଟେବୁଲ ପଙ୍ଖାଟା ବିଜୁଳି ଶକ୍ତି ବଳରେ ଘାଉଁ ଘାଉଁ ଘୂରୁଚି । ବାରଣ୍ଡା କଡ଼କୁ ବେଣା ଚେରର ମୋଟା ଚିକ ଝୁଲୁଚି । ତହିଁରେ ପାଣି ଛିଞ୍ଚା ଯାଇଥିବାରୁ ବାସ ଉଠୁଚି । କ୍ଳାନ୍ତ ଶ୍ରାନ୍ତ ହୋଇ ପଡ଼ି ରହିଚନ୍ତି ମୀନକେତନ ବାବୁ । ପୂଜାରି ଅପେକ୍ଷା କରିଚି, ଆଦେଶ ହେଲେ ଭାତ ତିଅଣ ବାଢ଼ିବ ।

 

ଦାଣ୍ଡ କବାଟରେ ଖୁଡ଼ୁ ଖୁଡ଼ୁ ଶୁଭୁଚି । ପିଣ୍ଡାଉପରେ ଥାଇ କିଏ ଡାକୁଚି ଧୀର ସ୍ୱରରେ–ପୂଜାରି !

 

ଘରଣୀ ତ୍ରିବେଣୀ ଦେବୀ ଆସି ପାଖରେ ପଡ଼ିଥିବା ଚୌକି ଖଣ୍ଡକ ଟାଣି ବସିପଡ଼ିଲେ । ପିଲାମାନେ ସ୍କୁଲରୁ ଫେରି ଖାଇପିଇ ଘରଭିତରେ ଗଡ଼ୁଚନ୍ତି । ମୀନକେତନ ବାବୁ ବ୍ଳୁ ସାର୍ଟ୍‌ ଖଣ୍ଡକ ବଢ଼ାଇଦେଇ କହିଲେ, ପକେଟରେ ଟଙ୍କା ଅଛି । ତ୍ରିବେଣୀ ଦେବୀ ପକେଟରୁ ମନିବ୍ୟାଗ୍‌ଟା କାଢ଼ି ନୋଟ୍‌ଗୁଡ଼ିକ ନେଇ ଗଣିବାକୁ ଆରମ୍ଭ କଲେ । ମୀନକେତନ ବାବୁ କହିଲେ–କେତେ ଗଣୁଚ ? ଚାରିଶହ ତ ଅଛି । ଇନ୍‌କ୍ରିମେଣ୍ଟ ପାଇବାକୁ ଆଉରି ବାକି ଅଛି ତିନିମାସ ।

 

ଦୀର୍ଘନିଃଶ୍ୱାସ ଟାଣି ତ୍ରିବେଣୀ କହିଲେ–ଆଜି ପାଞ୍ଚ ତାରିଖ । ଦଶ ତାରିଖ ବେଳକୁ ‘‘ଉଖୁଡ଼ା ବଣ୍ଟା’’ ସରିଥିବ । ଏଗାର ତାରିଖରୁ ପୁଣି ଆରମାସ ଚାରି ପାଞ୍ଚ ତାରିଖଯାକେ ଖାଁ ଖାଁ ଧାର ଉଧାର । ମୁଁ ଆଉ ପାରିବି ନାହିଁ । ଏତିକି ଟଙ୍କାରେ ଏ ସଂସାରଟାକୁ ଚଳେଇନେବା ମୋ ପକ୍ଷେ ଅସମ୍ଭବ । ପୁଣି ଏ ମହରଗ କାଳରେ ।

 

ମୀନକେତନ ବାବୁ ଅନ୍ୟଆଡ଼କୁ ମୁହଁ ବୁଲାଇ ଦୀର୍ଘନିଃଶ୍ୱାସ ଟାଣିଲେ । ଦିହରେ ତାଙ୍କର ଶତ ଛିଦ୍ର ଗେଞ୍ଜିଟାଏ, ପିନ୍ଧିଥିବା ପେଣ୍ଟ ଖଣ୍ଡିକରେ ତାଳି ପଡ଼ିଲାଣି । ହଳେ ବୋଲି ଜୋତା ଓ ଦି’ପଟି ଚଟି । ହାପ୍‌ସୁ ଦି’ପଟ କିଣିବେ ବୋଲି ପାଞ୍ଚ ଛଅମାସ ହେଲା ଭାବୁଚନ୍ତି । ମାତ୍ର ହିସାବକୁ ପାଉନାହିଁ ଦରମା ଗଣ୍ଡାକ । ତ୍ରିବେଣୀ ନୋଟ୍‌ ପୁଳାଟି ବାଁ ହାତରେ ଧରି ଫେରିଲେ । ମୀନକେତନ ବାବୁ ଅଙ୍ଗୁଳିଦ୍ୱାରା ଦେଖାଇଦେଲେ ଆପଣା ଗେଞ୍ଜି ଖଣ୍ଡିକର ଛିଦ୍ରଗୁଡ଼ିକୁ । ବୁଝିପାରିଲେ ତ୍ରିବେଣୀ ଦେବୀ । ସଂକେତରେ ଦେଖାଇଦେଲେ ଆପଣା ପିନ୍ଧାଶାଢ଼ି ଖଣ୍ଡକୁ । ତିନିଜାଗା ଚିରିଗଲାଣି । ସିଲେଇ ହୋଇଚି । ଧୋବା କେବଳ ସଫା କରିଦେଇଥିବାରୁ ବାହାରକୁ ଇଜ୍ଜତ ରହିଚି । ଭିତରେ ବ୍ଲାଉଜ ଖଣ୍ଡିକର ପିଠିଆଡ଼େ ତାଳି ପଡ଼ିଲାଣି । ଦୁହେଁ ସଂକେତରେ ବୁଝିଲେ ଦୁହିଁଙ୍କ ଭିତରର ଗଭୀର ବେଦନା ।

 

ଦୂରରୁ ପୂଜାରି ଡାକିଲା–ମା’, ଭାତ ଶୁଖିଯାଉଛି । ବାଢ଼ିବି ?

 

ମୀନକେତନ ବାବୁ ଦୀର୍ଘନିଃଶ୍ୱାସ ଟାଣି ଉଠି ଠିଆହେଲେ । ଅଦୂରରେ ଆଲଣାରେ ଝୁଲୁଥିବା ଲୁଙ୍ଗି ଖଣ୍ଡିକ ନେଇ ପେଣ୍ଟ ବଦଳାଇଲେ । ଢାଳ ନେଇ ମୁହଁ ହାତ ଧୋଇଲେ । ଖାଇବା ଟେବୁଲ ଉପରେ ପୂଜାରି ଭାତଥାଳି ଆଣି ଥୋଇଲା ।

 

ଦାଣ୍ଡ କବାଟରେ ଧୀରେ ଧୀରେ କଡ଼ା ଖଡ଼୍‌ ଖଡ଼୍‌ ଶୁଭୁଛି । ଚାକର ପିଲା ଧାଇଁଯାଇ ପଚାରିଲା–କିଏ ?

 

ବାବୁଙ୍କୁ ସାକ୍ଷାତ କରିବାକୁ ଆସିଚି ।

 

ବସ । ବାବୁ ତ ଏଇନେ ଅଫିସ୍‍ରୁ ଫେରିଲେ । ଖାଇବସିଚନ୍ତି । ଏବେ ଦେଖା ହୋଇପାରିବ ନାହିଁ । ଅପେକ୍ଷା କର । ନୋହିଲେ ଚାରିଟା ପରେ ଆସିବ ଯାଅ ।

 

ମୁଁ ଅପେକ୍ଷା କରୁଚି । କୁଆଡ଼େ ଆଉ ଯିବି ? ଏଇଠି ଏଇ ପିଣ୍ଡାରେ ବସୁଚି ।

 

ଝାଇଁଖରାରେ ଝାଞ୍ଜି ପିଟୁଚି । ମେଲା ପିଣ୍ଡାରେ ନିଆଁହୁଳା ଜାଳିଲା ପରି ଲାଗୁଚି । ତଳ ସିମେଣ୍ଟ ପାଚିଯାଇଚି । ଗାମୁଛା ଖଣ୍ଡିକ ପାରି ଆଗନ୍ତୁକ ଶୋଇଲା । ମୁହଁଟା ତା’ର ଚୁଡ଼ୁ ଚୁଡ଼ୁ କଳାକାଠ ପଡ଼ିଯାଇଚି । ଛିଣ୍ଡା ଓ ମଇଳା ଲୁଗା କାମିଜ । ଛିଡ଼ା ଛତା ଖଣ୍ଡିଏ ଓ ଚିରା ଗାମୁଛା ଖଣ୍ଡିକ ଛଡ଼ା ଆଉ କିଛି ନାହିଁ । ଦୁର୍ଭିକ୍ଷଜର୍ଜରିତ ଦୀନ କାଙ୍ଗାଳ ମୂର୍ତ୍ତି । ବୟସ କୋଡ଼ିଏ ହେବ । ବୟସରେ ଯୁବକ, କିନ୍ତୁ ଅଭାବର ତାଡ଼ନାରେ ବୃଦ୍ଧ ।

 

ମୁଁ ଅପେକ୍ଷା କରି ରହିଲି ଚପ୍ରାସୀବାବୁ । ବାବୁଙ୍କୁ କହିବ ନୀଳମାଧବପୁରରୁ କିଏ ଜଣେ ଆସିଚି । ତା’ ବାପା ଆପଣଙ୍କ ନିକଟକୁ ପଠାଇଛନ୍ତି । ଆଠକୋଶ ବାଟ ଚାଲି ଚାଲି ଆସିଚି ଟିକେ ସାକ୍ଷାତ କରିବାକୁ ।

 

‘‘ହଉ–ଅପେକ୍ଷା କର’’ କହି କବାଟ ବନ୍ଦକରି ଚାକର ପିଲା ଭିତରକୁ ଚାଲିଗଲା ।

 

ଖାଇସାରି ମୀନକେତନ ବାବୁ ବିଶ୍ରାମ ନେବା ନିମନ୍ତେ ଖଟଉପରକୁ ଗଲେ । ତ୍ରିବେଣୀ ଖାଇ ଆସିଲେ । କଥା ପ୍ରସଙ୍ଗରେ ପୁଣି ସେଇ ପାରିବାରିକ ଅଭାବ କଥା ଉଠିଲା । ତ୍ରିବେଣୀ ଦେବୀ କହିଲେ–କାହାକୁ କଅଣ ଦେବି ଠିକ୍‌ କରୁପାରୁ ନାହିଁ । ଔଷଧ ଦୋକାନରୁ ବିଲ୍‌ ଆସିଚି–ପଚାଶ ଟଙ୍କା । ପ୍ରତିମାସରେ ଔଷଧ ଖରଚ ହାରାହାରି ଚାଳିଶ ପଚାଶ ପଡ଼ୁଚି । ପୂଜାରି ଧରିବସିଚି ‘‘ମୋର ଦରମା ବଢ଼ାଅ’’ । ଚାକର କହୁଚି ‘‘ଦଶଟଙ୍କାରେ ମା’, ମୁଁ ମୋ କୁଟୁମ୍ୱ ପୋଷିପାରୁ ନାହିଁ । ଚାରିମାସର ଘରଭଡ଼ା ତିନିଶହ ବାକି ପଡ଼ିଚି । ବଡ଼ଝିଅଟାର ଅଙ୍କ ଶିକ୍ଷକ ତିରିଶ ଟଙ୍କାରେ ଆଉ ଆସିବେ ନାହିଁ ବୋଲି ଆଜି ଶୁଣାଇ ଦେଇଚନ୍ତି । ସେ ମାସିକ ପଚାଶ ଟଙ୍କାରେ ଟ୍ୟୁସନ ପାଉଚନ୍ତି । ମଝିଆଣୀ ଝିଅଟି ଯାହାହଉ ନିଜେ ନିଜେ ପାରିଯାଉଚି । ତା’ ତଳଟି ଆରଥର ଭଲ କରିଥିଲା । ଏଥର କଅଣ କରୁଚି ଦେଖାଯାଉ । ବାବୁଲାଟିକୁ ଅଭାବରୁ ହେଳା କରୁଚୁଁ । ତା’ପାଇଁ ଗୋଟିଏ ମାଷ୍ଟର ରଖାଯାଇ ପାରୁନାହିଁ । ମାଂସବାଲା ଆଜି ବଡ଼ ଅପମାନ କରି ପୂଜାରିକି ଫେରାଇଦେଲା । ତା’ର ଦଶଟା ଟଙ୍କା ବାକି ପଡ଼ିଚି ।

 

ମୀନକେତନ ବାବୁ କହିଲେ ଭଗବାନଙ୍କ ଦୟାରୁ ଧାନ ଚାଉଳ, ମୁଗବିରି ଦି’ଟା ଗାଁରୁ ଆସୁଚି । ପରିବାର ଅଧା ଖରଚଟା ଉଠିଯାଉଚି ।

 

ତ୍ରିବେଣୀ କହିଲେ–ଆଜିକାଲିର ଦୁନିଆରେ ଚାଉଳ ଗଣ୍ଡାକ ବଡ଼ ଅଭାବ ନୁହେଁ । ଖାଇବାଠାରୁ ଅନ୍ୟାନ୍ୟ ଖରଚଟା ଖୁବ୍‌ ବେଶୀ । ବଡ଼ ପିଲାଟାର ଫ୍ରକ ଦି’ଖଣ୍ଡ ନାହିଁ ଯେ ସେ ଚିରା ପିନ୍ଧି ସ୍କୁଲ ଯାଉଚି । ମଝିଆଣୀଟି ଆଜି ନୋଟିସ ଦେଇଚି–ମୋ’ପାଇଁ ଦି’ଖଣ୍ଡ ଭଲ ସାଲୁଆର ଓ ହଳେ ନୂଆ ଚପଲ ନହେଲେ ମୁଁ ଆଉ ସ୍କୁଲକୁ ଯାଇପାରିବି ନାହିଁ । ତା’ ତଳଟି ଫୁଙ୍ଗୁଳି, ଚିରାମିରାରେ ତା’ର ବିକାର ନାହିଁ । ହେଲେ ଆମ ଆଖିକି ତ ସୁନ୍ଦର ଦିଶୁନାହିଁ ।

 

ମୀନକେତନ ବାବୁ ଗମ୍ଭୀର ହୋଇଗଲେ । କହିଲେ, ପ୍ରତି ମାସରେ ଅନ୍ତତଃ ଷାଠିଏ ଟଙ୍କାର ଲୁଗାପଟା ଓ ଜାମା କୁର୍ତ୍ତା ନହେଲେ ତ ନ ଚଳେ ।

 

ତ୍ରିବେଣୀ କହିଲେ–କାଲିକା କଥା ଶୁଣିନ । ମୁଁ ତ କହିନାହିଁ । ବଡ଼ ପିଲାଟିର ପରୀକ୍ଷା ଥିଲା । ମଝିଆଁଟି ଯାଇଥିଲା ତା’ ସାଙ୍ଗରେ । ଏଗାରଟାବେଳେ ଫେରିଲାବେଳକୁ ବାଟରେ ଇଆର ଚପଲ ଛିଡ଼ିଗଲା । ପିଚୁରାସ୍ତା ଚାଉଁ ଚାଉଁ ଲାଗିଯାଉଚି ପାଦରେ । ସେ ଟିକେ ଠିଆ ହୋଇଗଲା । ବଡ଼ ତାକୁ ଟାଣିଲା । ଏଇଥିରେ ବାଟ ମଝିରେ କଳି । ମଝିଆଣୀ ତ ଦୌଡ଼ି ଦୌଡ଼ି ଚମ୍ପଟଛୁ । କାନ୍ଦି କାନ୍ଦି ଆସୁଚି । ବଡ଼ ଏକୁଟିଆ ଚାଲି ଚାଲି ପନ୍ଦର ମିନିଟ ବାଦ୍‌ ଆସି ପହଞ୍ଚିଲା ଯେ ରାଗି ମାଗି ଚୁର୍‍ ।

 

ମୀନକେତନ କହିଲେ ଆଉ ହେବ ନାହିଁ । ରିକ୍‌ସା ଖଣ୍ଡେ ବ୍ୟବସ୍ଥା କର । ପିଲା ତିନିଟାକୁ ସ୍କୁଲକୁ ନେଇ ଛାଡ଼ିବ ଏବଂ ଆଣିବ । ମାସକୁ ଯାହା ନବ ।

 

ବୁଝିଥିଲି । କେହି କିନ୍ତୁ ମାସିକ ପଚିଶ ଟଙ୍କାରୁ ତଳକୁ ଖସୁନାହାନ୍ତି । ଦେଇପାରିବା ତ-?

 

ମୀନକେତନ ବାବୁ ଉତ୍ତର ଖୋଜି ପାଇଲେ ନାହିଁ । ବିଜୁଳି ପଙ୍ଖାଟା ଘୂରୁ ଘୂରୁ ହୋଇ ଘୂରୁଥିଲା । ଉଠିଯାଇ ବନ୍ଦ କରିଦେଲେ–କହିଲେ–ମାସ ଶେଷରେ ଇଲେକ୍ରଟିକ କମ୍ପାନୀର ବିଲ୍‌ କୋଡ଼ିଏ ତିରିଶ ଟଙ୍କା ହେଉଚି । ଗତକାଲି ମୁଁ ଦରମା ପାଇନଥିଲି । ଦୁଃଖର ବିଷୟ ଅଡ଼ର୍ଲି ପିଅନ ଘନଶ୍ୟାମକୁ ଅଫିସଟାରେ ହାତ ପତାଇବାକୁ ବାଧ୍ୟ ହେଲି । ତା’ଠୁ ମୁଁ ଧାର ନେଇଚି କୋଡ଼ିଏ ଟଙ୍କା । ଏହାଠାରୁ ଭଳି ଲଜ୍ଜାର ବିଷୟ କଅଣ ଥାଇପାରେ ?

 

ତ୍ରିବେଣୀ ଦେବୀ ତଳକୁ ମୁହଁ ନୋଇଁ ଦୀର୍ଘନିଃଶ୍ୱାସ ଟାଣିଲେ । ମନ ଦୁଃଖରେ ମୁହଁ ଶୁଖାଇଦେଇ କହିଲେ, ଆସୁ ଘନ, ଆଜି ତାକୁ ମୁଁ ଦେଇଦେବି ତା’ ଟଙ୍କା ।

 

ହଁ ଦେଇଦେବ । ଆଉ ଗୋଟାଏ କଥା ଜାଣିଚନା ? ଚାନ୍ଦା । ସାଇ ଚାନ୍ଦା, ଗାଁ ଚାନ୍ଦା, ଥିଏଟର ଚାନ୍ଦା, କ୍ଲବ ଚାନ୍ଦା, ଟି.ବି. ଚାନ୍ଦା । ଚାନ୍ଦାରେ ଚାନ୍ଦାରେ ମାସକୁ କେତେ ପଡ଼ୁଚି । ଆଜିକାଲି ମଣିଷ ଭଲକରି ଖଣ୍ଡିଏ ପିନ୍ଧିପାରୁ ନାହିଁ । ଦୋଟି ଖାଇପାରୁ ନାହିଁ । ଭଦ୍ରତା ଜଗିବାକୁ ଡ୍ରଇଂରୁମ୍‌, ଟେବୁଲ ଚଉକି ସଜାଉ ସଜାଉ, ସିଗାରେଟ, ଚା’ ଯାଚି ଅଭ୍ୟର୍ଥନା କରୁ କରୁ ମଣିଷ ବେଦମ । ଧାରଣା କରିପାରୁ ନାହିଁ ଆମ ଅଫିସର କିରାଣି ଓ ଚପରାସିମାନେ ଏତେ ଅଳ୍ପ ପାଇ କେମିତି ଚଳୁଚନ୍ତି । ଉତ୍କଟ ଦରିଦ୍ରତା ମଧ୍ୟରେ ଆମର ତ ଦଶା ଶେଷହେବାକୁ ବସିଲାଣି ।

 

ତ୍ରିବେଣୀ ଦେବୀ କହିଲେ–ତୁମରି ଦରମା ପାଇ ବାବୁମାନେ ମଟରଗାଡ଼ି ରଖୁଚନ୍ତି ।

 

ସେମାନେ ନିଶ୍ଚୟ ଚୋରି କରୁଥିବେ । ଘୁସ୍ ଖାଉଥିବେ ।

 

ତ୍ରିବେଣୀ ଦେବୀ ମୁଣ୍ଡ ନୁଆଁଇଲେ । ଏ ସଂସାରେ କେମିତି ଚଳିବ, ତା’ର ମୁଁ କିଛି ଉପାୟ ଦେଖୁନାହିଁ । ଅଣଓସାରିଆ ପଣନ୍ତ ଟାଣିଲେ ତେଣିକି ନିଅଣ୍ଟ; ତେଣୁ ଟାଣିଲେ ଏଣିକି ନିଅଣ୍ଟ । ଧାର ଉଧାର କରଜ ଦାମ ପ୍ରତି ମାସରେ ବଢ଼ିଚାଲିଚି ।

 

ଗହଡ଼ିଆ ନିଃଶ୍ୱାସ ଟାଣି ମୀନକେତନ ବାବୁ ନୀରବ ହୋଇଗଲେ । ତ୍ରିବେଣୀ ଦେବୀ ଉଠିଗଲେ । ଚାକିରିଆ ପରିବାରରେ ଦରମା ଗଣ୍ଡାକ କେବେ ମିଳିବ ବୋଲି ମାସସାରା ଅପେକ୍ଷା, ହାତ ପଇଠ ହେବା ପୂର୍ବରୁ ବାର ପ୍ରକାର ଯୋଜନା । ମାତ୍ର ହାତକୁ ଆସିଲା ପରେ ଚିନ୍ତା ପଡ଼ିଯାଏ ଏତେ ଅଭାବ, ଏତେ ଧାର ଉଧାରକୁ ଏତିକି । ମାସଟି ଚଳିବ କେମିତି ।

 

ଦୁଇ ପ୍ରାଣୀଙ୍କ କଳ୍ପନା, ଯୋଜନା ଓ ହିସାବ କିତାବ ପରେ ସାଢ଼େ ଚାରିଟା ବାଜିଲା । ମୀନକେତନ ବାବୁ ଉଠିଗଲେ । ଚପରାସି ଫାଇଲଗୁଡ଼ିଏ ଆଣି ଦେଇଯାଇଚି, କାମ କରିବାକୁ ପଡ଼ିବ । ଚାକର ପିଲାଟି ଆସି କହିଲା, ‘‘ଦାଣ୍ଡ ପିଣ୍ଡାରେ କିଏ ଜଣେ ଅନେକ ବେଳ ହେଲା ଅପେକ୍ଷା କରିଚି’’ । ମୀନକେତନ ବାବୁ ଦାଣ୍ଡଘରକୁ ଗଲେ । କବାଟ ଫିଟିଲା । ଯୁବକଟି ପଶିଆସି ତଳେ ମୁଣ୍ଡ ଲଗାଇ ଦଣ୍ଡବତ ହେଲା ।

 

ମୀନକେତନ ବାବୁ ପଚାରିଲେ–କିଏ ତୁମେ ? କଅଣ କହୁଚ ?

 

ଯୁବକ କହିଲା–ଆଜ୍ଞା ମୁଁ ନୀଳମାଧବପୁରରୁ ଆସିଚି । ଆପଣ ମୋ ବାପାଙ୍କୁ ଚିହ୍ନନ୍ତି । ତାଙ୍କ ନା ଗୁରୁଚରଣ ଜେନା । ମୋ ନା ବୀରକିଶୋର । ପନ୍ଦର ବର୍ଷ ତଳର କଥା । ଆପଣ ତେତେବେଳେ ଆମଆଡ଼େ ଯାଉଥିଲେ । ଆମ ମେଲାଘରେ ରହୁଥିଲେ । ବାପା ପଠାଇଚନ୍ତି । ଆପଣ ଦୟା ନ କଲେ ଆମ ପରିବାରଟି ମରିଯିବେ ।

 

ମୀନକେତନ ବାବୁ ଚୌକିକୁ ଆଉଜି ବସି ଭାବିଲେ । ପନ୍ଦର ବର୍ଷ ତଳର କଥା । ସେ ଥିଲେ ସେତେବେଳେ ଜଣେ ଛୋଟ କର୍ମଚାରୀ । ଗାଁ ଗହଳିରେ ଗସ୍ତକରୁଥିଲେ । ନୀଳମାଧବପୁରକୁ ଯାଉଥିଲେ । ଗୁରୁଚରଣ ଜେନାଙ୍କ ଘରେ ରହୁଥିଲେ । ଜେନାଏ ଖୁବ୍‌ ଅବସ୍ଥାପନ୍ନ ତେତେବେଳେ । ଏଙ୍କୁ ବହୁତ ଅଭ୍ୟର୍ଥନା କରୁଥିଲେ । ଆଜି ତାଙ୍କ ପୁଅଟି ଦୀନ ଭିକାରି ବେଶରେ ୟାଙ୍କ ଦୁଆରକୁ ଆସିଚି । ବୀରକିଶୋର ହାତଯୋଡ଼ି ଠିଆହୋଇଚି । କହୁଚି ଆଜ୍ଞା, ଚାରୋଟି ପିଲା ଓ ବାପା ବୋଉ । ବୁଢ଼ୀ ମାଆ ବି ଅଛନ୍ତି । ଆମେ ସାତପ୍ରାଣୀ ପ୍ରାୟ ଉପବାସରେ ରହୁଚୁଁ । ଜମିବାଡ଼ି ଆମର ତିନି ଚାରି ବରଷ ହେଲା ବିକା ସରିଚି । ଦୁଃଖ କଥା ଖୋଲି କହିପାରୁ ନାହିଁ । ସାରା ଜୀବନ ସୁଖରେ କାଟି ବୁଢ଼ା ବୟସରେ ମୂଲ ଲାଗିବାକୁ ବାପା ବାଧ୍ୟ ହେଲେଣି । ପାରୁନାହାନ୍ତି, ତଥାପି ଧଇଁସଇଁ ହୋଇ ଧାଉଁଚନ୍ତି । ବୋଉ କୁଟା ଆଣି ଧାନ କୁଟୁଥିଲା । ଏବର୍ଷ ଧାନ ତ ନାହିଁ । ଗାଁ ଗାଁରେ କଳରେ ଧାନ କୁଟା ହେଉଚି । ବହୁଦିନରୁ ଆମର ପଢ଼ା ବନ୍ଦ ହୋଇଗଲାଣି । ମୂଲ ଲାଗିଲେ ମୂଲ ବି ମିଳୁନାହିଁ । ଗାଁରେ ସମସ୍ତେ ଅଭାବରେ ପଡ଼ିଚନ୍ତି । ଖଣ୍ଡିଏ ଚପରାସି କାମ ଦିଅନ୍ତୁ ଆଜ୍ଞା । ମାସକୁ ତିରିଶ ଚାଳିଶଟି ଟଙ୍କା । ସେଇଥିରେ ଆମେ ଚଳିଯିବୁଁ ।

 

କାବାହୋଇ ମୀନକେତନ ବାବୁ ତା’ଆଡ଼କୁ ଚାହିଁଲେ । ଯୁବକର ମୁହଁ କଳାକାଠ ପଡ଼ିଚି । ଆଖି କୋରଡ଼ରେ ପଶିଗଲାଣି । ଉପାସ ଭୋକରେ ଦେହ ଥରୁଚି । ପଡ଼ିଯିବ ପରା, କହିଲେ ବସ । ଆଜି କୋଉଠୁ ଆସିଲ ?

 

ଗାଁରୁ ଆଜ୍ଞା ।

 

କଅଣ ଖାଇଚ ?

 

ଯୁବକ ତଳକୁ ମୁହଁପୋତି କାନ୍ଦି ଆସୁଚି । କହିପାରୁ ନାହିଁ କିଛି । ନିଜର ଦୈନ୍ୟ ପ୍ରକାଶ କରିବାକୁ ଭାଷା ପାଉନାହିଁ । ମୀନକେତନ ବାବୁଙ୍କ ଆଖିପତା ଓଦା ହୋଇଗଲା । ପଚାରିଲେ–କିଛି ଖାଇନ ?

 

ଅତି ସଙ୍କୁଚିତ ଭାବରେ ବୀରକିଶୋର କହିଲା–‘‘ନାହିଁ ଆଜ୍ଞା । କିଛି ନ ଥିଲା ଘରେ ।’’

 

ବାପା ବୋଉ କଅଣ ଖାଇଥିବେ ?

 

ଭଗବାନ ଜାଣନ୍ତି । ମାଣେ କଣେ ଧାର ଉଧାର ତ କେହି ଦେଉନାହାନ୍ତି । ପିଇଲା ପାତ୍ରଖଣ୍ଡିମାନ ବନ୍ଧାପଡ଼ି ସରିଲାଣି । ଗାଈ ବାଛୁରୀ ସବୁ ଗଲେଣି । ବୋଉର ଦିହ ହାତ ସବୁ ଲଙ୍ଗଳା । ହୁଏତ ବାପା କାହା ଦୁଆରକୁ ମୂଲଲାଗି ଯାଇଥିବେ । ସଞ୍ଜକୁ ଫେରିଲେ ଯୋଉ କଥା । ପିଲାଗୁଡ଼ାକ ଡହଳବିକଳ ହେଉଥିବେ । ସମସ୍ତେ ମୋରି ବାଟକୁ–

 

ଆଉ କହିପାରିଲା ନାହିଁ ଯୁବକ । କୋହରେ ଗଳା ରୁନ୍ଧି ହୋଇଯାଉଛି । ଆଖିରୁ ଲୁହ ଗଡ଼ିଆସୁଚି । କଲିଜା ଥରିଉଠୁଚି–ଲଜ୍ଜା ଓ ସଙ୍କୋଚରେ । ମୁଣ୍ଡରେ ହାତଦେଇ ବୀରକିଶୋର କାନ୍ଥକୁ ଆଉଜିପଡ଼ିଲା । ମୀନକେତନ ବାବୁ କହିଲେ–ବସ । ଡାକିଲେ ପୂଜାରିକି–କହିଲେ ମାଆଙ୍କୁ ଡାକ । ଆଉ ଏ ପିଲାକୁ କ’ଣ ଖାଇବାକୁ ଦିଅ ।

 

ଛଳ ଛଳ ଆଖିରେ ଚାହିଁରହିଲା ବୀରକିଶୋର । ମୀନକେତନ ବାବୁଙ୍କ ସମବେଦନାରେ ତା’ର ପ୍ରାଣ କାନ୍ଦିଉଠିଲା । ପୂଜାରି ଡାକିଲା–ଆସ ଭିତରକୁ । ଆଗକୁ ପାଦ ବଢ଼ାଇ ପଛକୁ ଫେରିପଡ଼ୁଚି । ସମ୍ଭ୍ରାନ୍ତ ଘରର ପିଲା । ଉତ୍କଟ ଦାରିଦ୍ରତାରେ ବି ଆତ୍ମସମ୍ମାନବୋଧ ଭୁଲିପାରୁ ନାହିଁ । ମୀନକେତନ ବାବୁ ନିର୍ଦ୍ଦେଶ ଦେଲେ ପୂଜାରିକି–ହାତଧରି ନେଇଯାଅ । ଆଜି କିଛି ଖାଇ ନାହିଁ । କାଲି ବୋଧହୁଏ ଖାଇନଥିଲା ।

 

ପୂଜାରି ବୀରର ହାତ ଧରି ଭିତରକୁ ନେଇଗଲା । ତ୍ରିବେଣୀ ଦେବୀ ଆସି ବସିଲେ । ମୀନକେତନ ବାବୁ ନୀରବରେ ବସି ଗତ କଥା ଭାବି ହେଉଥାଆନ୍ତି । କହିଲେ–ଏଇ ପିଲାଟିର ବାପା ଗୁରୁଚରଣ । ପନ୍ଦର ବର୍ଷ ତଳେ ନୀଳମାଧବପୁର ଗାଆଁରେ ଇଆ ବାପା–ଗୁରୁଚରଣ ବାବୁ । ଜମିବାଡ଼ି କୋଡ଼ିଏ ପଚିଶ ଏକର । ସମ୍ଭ୍ରାନ୍ତ ବଂଶ । ଖଞ୍ଜାବାଡ଼ି, ମେଲା ଘର । ଅନେକ ଥର ମୁଁ ଏଙ୍କରି ଘରେ ରହିଚି । ଏମାନେ ମୋତେ ବହୁତ ଥର ଖାଇବାକୁ ଦେଇଛନ୍ତି । ଆଜି ଏଙ୍କ ଅବସ୍ଥା ଏତେସରି ? ବାପଟି ଏକୁ ପଠାଇଚି–ଚପରାସି କାମ ଖଣ୍ଡିକ ପାଇଁ । ମାସକୁ ତିରିଶ ଚାଳିଶ ଟଙ୍କା ପାଇଲେ ଶାଗ ପାଣିକରି ଏଙ୍କର ସାତଜଣିଆ କୁଟୁମ୍ୱଟି ଚଳିଯିବ । ତା’ ବି ଏମାନଙ୍କୁ ମିଳୁନାହିଁ । ବୁଢ଼ା ବାପ ଯେ କି ଚିରଦିନ ବିଳାସରେ ଜୀବନ କଟାଇଥିଲା ସେ ଆଜି ମୂଲପାତି ଖୋଜିବୁଲୁଚି । ଇଆର ମା’ ଧାନ କୁଟିବାକୁ ବି ପାଉନାହିଁ । ସଂସାରରେ ଅଗଣିତ ପରିବାର କେତେ ଅଭାବରେ ଅଛନ୍ତି ଦେଖ । ଆଉ–

 

ଆଉ ସେ ତେଣିକି କହିଲେ ନାହିଁ । ନୀରବ ରହିଲେ । ତ୍ରିବେଣୀ ଦେବୀ କହିଲେ–ଆଉ ଆମେ ଧାନ ଚାଉଳ ଛାଡ଼ି ମାସକୁ ଚାରିଶହ ଟଙ୍କା ପାଇ ସୁଦ୍ଧା ଭାବୁଚୁ ଅତି ଅଭାବରେ ପଡ଼ିଚୁ ? ଏଇଆତ କହିବାକୁ ଯାଉଚ ।

 

ମୀନକେତନ ଉତ୍ତର ଦେଲେ–ହଁ ସେଇଆ । ଏତେ ପାଇ ସୁଦ୍ଧା ଆମର ଅଭାବ ଏତେ ଉତ୍କଟ । ତା’ର କାରଣ ଆମର ଅଭାବ ଆମେ ତିଆରି କରୁଚେ । ଦିନକୁ ଦିନ ବଢ଼ାଇ ଚାଲିଚେ ।

 

ପୂଜାରିଟି ଆସି କହିଲା–କିଛି ଆଜ୍ଞା ସେ ପିଲାଟି ଖାଇପାରୁ ନାହିଁ । ତୋରାଣି ମୁନ୍ଦାଏ ମାଗୁଚି । ତୋରାଣି କାହୁଁ ପାଇବି ?

 

ମୀନକେତନ କହିଲେ–କାଗିଜି ଲେମ୍ୱୁ ଅଛି ତ ଦିଅ । ଉପାସରେ ରହି ତା’ର ଅବସ୍ଥା ଏପରି ହୋଇଚି । ଦୁନିଆରେ ଆମରି ଘରେ ମାସକୁ ଔଷଧ ଖରଚ ପଚାଶ ଷାଠିଏ ଟଙ୍କା ।

 

ପୂଜାରି ଚାଲିଗଲା । ତ୍ରିବେଣୀ ଦେବୀ ଉତ୍ତରଦେଲେ ରୋଗ ତ ହେଉଚି । ଚିକିତ୍ସା ନ କରିବ କେମିତି ?

 

ମୀନକେତନ କହିଲେ–ଦୁନିଆରେ କେହି ଖାଇ ଖାଇ ବେମାର ପଡ଼ୁଚି । ତା’ର ଔଷଧ ଦରକାର ପଡ଼ୁଚି । କେହି କେହି ଖାଇବା ବିନା ବେମାର ପଡ଼ୁଛନ୍ତି । ଅଖାଦ୍ୟ ଖାଇ ରୋଗ ଭୋଗୁଛନ୍ତି । ଔଷଧ ଆଉ ପଥି ତାଙ୍କର ସପନ ।

 

ତେବେ ବି ତ ସେମାନେ ବଞ୍ଚି ରହିଚନ୍ତି ! ସ୍ୱାମୀ ସ୍ତ୍ରୀ ଦୁହେଁଯାକ ଘଡ଼ିଏ ନୀରବ ହୋଇ ବସିରହିଲେ । ତା’ପରେ ମୀନକେତନ ବାବୁ କହିଲେ–ଚପରାସି ଚାକିରି ଖଣ୍ଡିଏ ପାଇବ ବୋଲି ଧାଇଁଆସିଚି ପିଲାଟି ଏତେ ବାଟରୁ–କେତେ ଆଶା ଘେନି । ତା’ ବାପା ଆଉ ବୋଉ ଆଶା କରିଚନ୍ତି ବୋଧହୁଏ ପାଇଯିବ । କିନ୍ତୁ ?

 

କିନ୍ତୁ କଅଣ ? ପଚାରିଲେ ତ୍ରିବେଣୀ ଦେବୀ । ତାକୁ ଯେମିତି ହେଉ ଖଣ୍ଡିଏ ଚାକିରି ଦେବାକୁ ହବ ।

 

ପଛକୁ ଆଉଜିପଡ଼ି ମୀନକେତନ କହିଲେ–ଅସମ୍ଭବ, ସାମାନ୍ୟ ପିଅନ କାମଟି ମଧ୍ୟ ମିଳିବା ଦୁସ୍ତର ।

 

ତେବେ କଅଣ ନିରାଶ କରି ଫେରାଇଦେବ ତାକୁ ?

 

ଅନ୍ୟ ଉପାୟ ନାହିଁ ।

 

କେମିତି ବଞ୍ଚିବେ ସେମାନେ ?

 

ସେଇ ତ ଆଶ୍ଚର୍ଯ୍ୟ ! ଦୁନିଆରେ ତାଙ୍କଠାରୁ ଆହୁରି ଅଧିକ ଅଭାବରେ ଅଛନ୍ତି ଲୋକେ-। ତେବେ ବି ବଞ୍ଚିଛନ୍ତି ।

 

କେମିତି, ବଞ୍ଚିଛନ୍ତି ହେ ? –ପଚାରିଲେ ତ୍ରିବେଣୀ ।

 

ସେଇ କଥାଟା ହିଁ ଅଦ୍ଭୁତ ଏବଂ ବିଚିତ୍ର । ବିଜୁଳି ପଙ୍ଖା ତଳେ ଥାଇ ମାସକୁ ଚାରିଶହ ଟଙ୍କା ରୋଜଗାର କରି ସେମାନେ କେମିତି ଅଛନ୍ତି ସେ ଧାରଣା କରିବା ମୋ ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ । ଚାରିଶହବାଲା ଚାରିହଜାରକୁ ଆଶା କରୁଚି । ମାତ୍ର ଆଶାର ପରିତୃପ୍ତି ଅସମ୍ଭବ ।

 

ତ୍ରିବେଣୀ ଦେବୀ କହିଲେ–ତଥାପି ନହେଲେ ନ ଚଳେ । ସେଥିଲାଗି ତ ଗୋଟାଏ ନିମ୍ନତମ ସ୍ତର ଅଛି ।

 

ମୀନକେତନ ଉତ୍ତର ଦେଲେ–ଆମ ଦେଶର ଶତକଡ଼ା ପ୍ରାୟ ଅଶୀଜଣ ସେଇ ନିମ୍ନତମ ସ୍ତରର ଖୁବ୍‌ ତଳେ ପଡ଼ିଚନ୍ତି । ତାଙ୍କ ଅବସ୍ଥାକୁ ମଧ୍ୟ ଅନେକ ଲୋକ ହିଂସା କରୁଚନ୍ତି । ଶାଗ ଖିଆଳି ପେଜ ପିଆଳିକୁ ଦେଖିପାରୁନାହିଁ । ବଡ଼ ସାନ ସମସ୍ତଙ୍କୁ ଅଭାବ ଘାରିଚି ।

 

ତେବେ ଅଭାବ ଦୂର ହେବ କିପରି ? ଅଭାବର ଚିନ୍ତା ଦୂର କରି ନୂଆ ନୂଆ ଅଭାବ ଗଢ଼ିବସିଲେ ।

 

ବୀରକିଶୋର ହାତଧୋଇ ଆସି ଠିଆହେଲା । ମୀନକେତନ ବାବୁ ଅଳ୍ପ ହସି କହିଲେ–ଶୁଣ ବାବୁ । ବାପାଙ୍କୁ ତୁମର କହିବ ବର୍ତ୍ତମାନ ତ କିଛି କାମ ଖାଲି ନାହିଁ । ମୁଁ ତ ତୁମ ଠିକଣା ଜାଣେ । କାମ ଖାଲି ହେଲା ମାତ୍ରକେ ନିଶ୍ଚୟ ଚିଠି ଦେଇ ଡକାଇ ପଠାଇବି ?

 

ବାବୁ ଆଜ୍ଞା ?

 

ହତାଶଭରା ବାଳକ ଚିହିଙ୍କିଉଠି ଡାକିଦେଲା–ବାବୁ ଆଜ୍ଞା । କେତେ ଭରସାରେ ବାପା ପଠାଇଥିଲେ ! କଅଣ କହିବି ତାଙ୍କୁ ?

 

ଉତ୍ତର କଅଣ ଦେବେ ମୀନକେତନ ବାବୁ ଭାଷା ଖୋଜି ପାଇଲେ ନାହିଁ ।

 

ଆପଣ ଦୟା ନ କଲେ ଆମେ ମରିଯିବୁ ଆଜ୍ଞା ! ଚିଙ୍ଗୁଡ଼ି ବାଛୁରୀ ଛୁଆ କେଇଟା, ଆଉ ବୁଢ଼ା ବୁଢ଼ୀ । ମୁଁ କହିପାରୁନାହିଁ ଆମର ଅଭାବ କେତେ ! ଖୋଜି ଆସିଲେ ଖୁଦ ମୁଣ୍ଡିଟାଏ କି ପାହୁଲାଟାଏ ଘରୁ ବାହାରିବ ନାହିଁ । ଘର ଭାଙ୍ଗି ପଡ଼ିଲାଣି, କାଲି ସକାଳୁ ବର୍ଷାହେଲେ କୋଉଠି ମୁଣ୍ଡ ଗୁଞ୍ଜିବୁ ତା’ର ଉପାୟ ନାହିଁ । କଲିକତା ଯାଇଥିଲି, କୌଣସି କାମ ପାଇଲି ନାହିଁ । ବିନା ଟିକଟରେ ଫେରିଆସିଲି । ଦୟାକରନ୍ତୁ ଆଜ୍ଞା । ଆପଣ ଚେଷ୍ଟାକଲେ ନିଶ୍ଚୟ ମୁଁ କାମ ଖଣ୍ଡେ ପାଇଯିବି । ମୁଁ ତ ମେଟ୍ରିକ ଶ୍ରେଣୀଯାକେ ପଢ଼ିଚି ।

ଚିନ୍ତାକୁଳ ନୟନ ଦୋଟି ମୀନକେତନ ବାବୁଙ୍କର ଚିନ୍ତାରେ ମଳିନ ପଡ଼ିଆସିଲା । ଦୀର୍ଘ ନିଶ୍ୱାସଟିଏ ଟାଣି ସେ ଘରଭିତରକୁ ଉଠିଆସିଲେ । ତ୍ରିବେଣୀ ତାଙ୍କ ପଛେ ପଛେ ଆସିଲେ । ମୀନକେତନ ବାବୁ କହିଲେ ପାଞ୍ଚଟା ଟଙ୍କା ଦେଇପାରିବ ?

ତ୍ରିବେଣୀ ପଚାରିଲେ–କାହିଁକି ?

ସେ ପିଲା ହାତରେ ଦେଇ ବିଦାୟ କରିବି ।

ଏତେ ଦେଇପାରିବି ନାହିଁ । ଆମର ଅଭାବ କେତେ ଭାବୁଚଟି କି ?

ଭାବୁଚି । କିନ୍ତୁ ସେମାନଙ୍କୁ ଅଭାବ କେତେ ଭାବୁଚ ନା ?

ତଳକୁ ମୁହଁ ପୋତିଲେ ତ୍ରିବେଣୀ ଦେବୀ । ବାକ୍‌ସ ଫିଟାଇଲେ । ଟଙ୍କା ତିନୋଟି ହାତରେ ଧରି କିଛିସମୟ ଇତଃସ୍ତତଃ ହେଲେ । ଶେଷକୁ ଟଙ୍କାଟିଏ କାଢ଼ି ସ୍ୱାମୀଙ୍କ ହାତକୁ ବଢ଼ାଇଦେଲେ ।

ସେତିକି ପାଇ ବୀରକିଶୋର ଶହେ ନମସ୍କାର ପକାଇଲାବେଳେ କହିଲା–ଆମପ୍ରତି ଆପଣଙ୍କର ଏ ଦୟାଟା ସ୍ଥାୟୀ ହେଉ ।

ମୀନକେତନ ବାବୁ ଶେଷ ଆଶ୍ୱାସନା ଦେଇ କହିଲେ–ତୁମେ ଯାଇଥାଅ । ଆଶାକରେ କିଛି ଗୋଟାଏ ଯୋଗାଡ଼ ହୋଇଯାଇପାରିବ ।

★★★

 

ମଦଭାଟି

 

ଜୀରା ନଈର ଲୁହାର ପୋଲ ପାରିହେଲେ ସେ କୂଳରେ ଲମ୍ୱା ଖପରଲ୍ଲି ଘରଟାଏ । ଭିତରେ ବଡ଼ ଚୁଲିଉପରେ ତମ୍ୱାର ବଡ଼ ହାଣ୍ଡିଟାଏ ବସିଚି । ତାରି ଭିତରେ ପଚା ମହୁଲ ସିଝୁଚି । ହାଣ୍ଡି ଉପରକୁ ଆଉ ଗୋଟାଏ ବଡ଼ହାଣ୍ଡି; ଭିତରେ ଥଣ୍ଡା ପାଣି । ତଳ ହାଣ୍ଡିର ଉପର ଅଂଶରେ ସରୁ ନଳିଟାଏ ଅଣେଇହୋଇ ଆସି ବାହାରେ ଥୁଆହୋଇଥିବା ବଡ଼ ବୋତଲଟା ଭିତରକୁ ପଶିଚି-। ଉତ୍ତପ୍ତ ନିଆଁରେ ତଳ ହାଣ୍ଡିଟାରେ ଥିବା ସଢ଼ା ମହୁଲ ଦିହରୁ ବାମ୍ଫ ଉଠି ଥଣ୍ଡାପାଣି ଥିବା ଉପର ହାଣ୍ଡିର ତଳ ଅଂଶରେ ବାଜି ଜଳକଣାରେ ପରିଣତ ହୋଇ ସରୁ ନଳିବାଟେ ବାହାରକୁ ଆସି କାଚ ବୋତଲଟି ଭିତରକୁ ଥପ ଥପ ହୋଇପଡ଼ୁଚି । ଏହାରି ନାମ ମହୁଲି ମଦ ।

 

ଜୀରା ନଈର ସେପାରି ଖପରଲ୍ଲି ଘରଟି । ବାରଣ୍ଡାରେ ମୋଟା ଗଦି ବିଛାଇ ଗୋଟିଏ ବଡ଼ ତକିଆରେ ଆଉଜି ବସିଚି ପେଟୁଆ ରାମରାମଭଗତ୍‍ । ସେ ହେଉଚି ଏ ଭାଟିର ମାଲିକ । ସରକାରଙ୍କଠାରୁ ଲାଇସେନ୍‌ସ ପାଇ ମଦ ରାନ୍ଧି ବିକୁଚି । ଖାଉଚନ୍ତି ଗାଉଁଲି ଲୋକେ, ସହରିଆ ବାବୁମାନେ, କୁଲି ମୂଲିଆ–ଯାହାର ଧନ ଅଛି ଓ ଯାହାର ବି ଧନ ନାହିଁ । ମଦନିଶା । ନିଶାର ଝୁଙ୍କ ନିଶା ଖାଇବାର ଚଟକ । ସଞ୍ଜବେଳକୁ ଭାରି ଭିଡ଼ । ଫେରିଲାବେଳକୁ ଜୀରା ପୋଲ ଉପରେ କିଏ କାହା କାନ୍ଧଉପରେ ଢଳିପଡ଼ି ଗାଉଚି–

 

ତମର ଆମର ସାଙ୍ଗ

ଆମେ–ଦେଉଚୁଁ ନଡ଼ିଆ, ଭାଙ୍ଗ ।

ତମର ଆମର ସହି

ଏବେ–ମନର କଥାଟି କହି ।

ତମର ଆମର ମିତ

ଆଜି–ଲାଗିଲାଣି ଭାରି ଶୀତ ।

 

ମଦ ନିଶାରେ ଜ୍ଞାନ ହଜିଯାଉଚି । ଦିନଯାକ କାମ କରି ମୂଲଲାଗି ଆଣିଥିବା ମଜୁରୀ ଟଙ୍କାଏ ମସାଏ ବାଟରେ ରାମରାମଭଗତ୍‍ର ବାକ୍‌ସ ଭିତରେ ଗଳିପଡ଼ୁଚି । ଘରେ ଖାଇବାକୁ ଅଛି କି ନା ଜଣାନାହିଁ । ଚାଳରେ ନଡ଼ା ନାହିଁ, ପିଠିକି କନା ନାହିଁ । ତଥାପି ଖାଲି ସବୁବେଳେ ‘‘ମଦ, ମଦ, ମଦ’’ ।

 

ଗଣ୍ଡାପଡ଼ାର ପୁନିଆ ମହାନନ୍ଦ ଠିକାଦାର ଘନବାବୁଙ୍କ ଘରେ ରାଜମିସ୍ତ୍ରୀ କାମ କରେ । ବାରପଣ ରାମରାମଭଗତ୍‍ର ଭାଟିରେ ଦେଇଆସେ । ଘରେ ସ୍ତ୍ରୀ–ଭଜଗଣ୍ଡା ଝିଅ ପଦୁଆଁ ଆଉ ଧୀରା ବୋଲି ଗୋଟେ ଝିଅ । ମହରଗକାଳ ସଂସାରକୁ ଅଣ୍ଟେନାହିଁ । ମା’ ଝିଅ ଦିହେଁ ବି ରେଜାକାମ (ନାରୀକୁଲି) କାମ କରିବାକୁ ଠିକାଦାରଙ୍କ ଦୁଆରେ ଠିଆହୁଅନ୍ତି । ପୁନିଆକୁ ଚାଳିଶବର୍ଷ । ପଦୁଆଁକୁ ପଇଁତିରିଶ ଓ ଧୀରାକୁ ଚଉଦ ପନ୍ଦର ବର୍ଷ ହେବ । ପୁନେଇଁ ଜହ୍ନ ଉଠିଆସୁଚି । ନଚାହିଁଲା ଲୋକ ଚାହୁଁଚନ୍ତି । ଘନବାବୁ ବେଳେବେଳେ ତା’ ମୁହଁକୁ ଚାହିଁ ହସିଦେଉଚନ୍ତି । କିନ୍ତୁ ଧୀରାର ସମବୟସୀ ସାଙ୍ଗସରିସା ଘନବାବୁଙ୍କ ଝିଅ ରୋହିଣୀ । ବୟସରେ ପନ୍ଦର ଷୋହଳ, ଏକଥା ମନେପଡ଼ିଗଲାବେଳକୁ ଘନବାବୁ ଧୀରାଆଡ଼ୁ ଆଖି ଫେରାଇ ନିଅନ୍ତି । କହିଉଠନ୍ତି–ଆଲୋ ମା’, ତୋ ବାଆ (ବାପା)କୁ ଡାକି ଦେ ତ ।

 

ଧୀରା ପଳାଇଯାଏ । ଗାଁ ପିଲା ନବୀନ । ବାଇଶି ବରଷର ଯୁଆନ ଭେଣ୍ଡା । ଏକୁଟିଆ ବାଟରେ ଧୀରାକୁ ଚାହିଁ ହସିଦିଏ, ଟାହି କରେ । ଫୁଲଟାଏ ତା’ ହାତକୁ ବଢ଼ାଇଦିଏ । ହାତ ବଢ଼ାଇ ଧୀରା ନେଇଯାଏ । ଠିକାଦାରବାବୁଙ୍କ ନଜରରେ ପଡ଼େ । ପୁନିଆକୁ ଡାକି ସେ କହନ୍ତି–ମୁଁ ଦେବିରେ ଟଙ୍କା ଟୁକର–ଧୀରାକୁ ନବୀନା ବେଶ୍‌ ମାନିବ । ଦେଇପକା । ବଢ଼ିଲା ଝିଅ ତ ପରଘରକୁ ଯିବ । ନବୀନା, ଭେଣ୍ଡା ଯୁଆନ–ଦି’ପଇସା ରୋଜଗାର କରୁଚି ତ ।

 

ସେଇଆ ହେଲା । ବାଇଦ ବାଜଣା ବାଜିଲା । ସାଇଭାଇଏ ବସିଲେ । ମାଠିଆଏ ମଦ ଆସିଲା । ନବୀନା ଆଉ ଧୀରାର ବିଭା ବଢ଼ିଲା । ସାଇର ଟୁକେଲ (ବୟସ୍କପ୍ରାପ୍ତ ବାଳିକା)ମାନେ ନାଚି ଗାଇ ସାହି କମ୍ପାଇଦେଲେ । ଧୀରା ଗଲା ଶାଶୁଘରକୁ । ତା’ଘରେ କେହି ନାହିଁ । ବଗଲା ବଗଲି ଦୋଟି । ତାଟି କବାଟ କିଳି ମୂଲ ପାତିକି ଯାଆନ୍ତି । ବାଟଯାକ ଗୀତ ବୋଲି ବୋଲି ଘରକୁ ଫେରନ୍ତି । ରନ୍ଧାବଢ଼ା ହୁଏ, ଗପସପ, ହସଖେଳ, ଶୁଆବସାରେ ରାତି ପାହେ । ଖଣ୍ଡିଏ ଛୋଟ ନୀଡ଼ ମଧ୍ୟରେ ଦୋଟି ଚଢ଼େଇ ।

 

ଝିଅକୁ ବାହାଦେଇସାରି ପଦୁଆଁ ବାଧିକି ପଡ଼ିଲା । ଦୁନିଆରୁ ବିଦାହୋଇଗଲା । ପୁନିଆ ଦିନକୁଦିନ ବେଶୀ ମଦ ଖାଇବାକୁ ଲାଗିଲା । ଘନବାବୁ ରୋକିଦେଲେ ହସିଦେଇ କୁହେ ମୋର ଆଉ କିଏ ଅଛି ଯେ, କାହାପାଇଁ ସାଇତିବି । ଆଜି ମଲେ କାଲିକି ଦି’ଦିନ ।

 

ପଦୁଆଁ କଥା ଭାବି ଠିକାଦାର ଦୀର୍ଘନିଃଶ୍ୱାସ ପକାଇ ନିଜ ସ୍ତ୍ରୀ କଥା ଭାବିହୁଅନ୍ତି । ସାତବର୍ଷ ତଳେ ଯୋଡ଼ିଏ ପୁଅ ଆଉ ଗୋଟିଏ ଝିଅ ରୋହିଣୀକି ଛାଡ଼ି ତାଙ୍କ ସ୍ତ୍ରୀ ହରପ୍ରିୟା ଦେଈ ଛାଡ଼ି ଚାଲିଯାଇଚନ୍ତି । ବୟସ ପଚାଶ ହେଲାଣି, ତଥାପି ମନ ବୁଝୁନାହିଁ । ପୁନିଆର ପ୍ରାଣରେ କେତେ ଦୁଃଖ ସେ ଜାଣନ୍ତି ।

 

ଜୀରାନଈ ପାରିହୋଇ ଆସିଲା ବାଟରେ ଡାହାଣପଟକୁ ଆଉ ଗୋଟିଏ ଗଣ୍ଡାପଡ଼ା । ସେଦିନ ମୋଡ଼ ପାଖରେ ଟିକିଏ ଠିଆ ହୋଇପଡ଼ିଚି ପୁନିଆ । ହାତରେ ମଦ ବୋତଲ । ମୁଣ୍ଡ ଭିତରେ ମହୁଆ ନିଶା ଲାଗିଯାଇଚି । ଆକାଶରେ ଅନ୍ଧାର ଘୋଟିଆସିଲାଣି । ଝାପ୍‍ସା ଆଲୁଅରେ ଡାହାଣକଡ଼ୁ ନାରୀକଣ୍ଠର ସ୍ୱର ଶୁଭିଲା–କିଏ, ପୁନିଆ ! ଆସିବୁ କି ଏଣିକି ?

 

ଏକୁଟିଆ ବାଟରେ ନାରୀର ଆହ୍ୱାନ । ଏଡ଼ିପାରିଲା ନାହିଁ ପୁନିଆ । ବାଟ କଡ଼କୁ ଗଡ଼ିଗଲା । ପଚାରିଦେଲା–କିଏ ଡାକିଲା ? ଦୁଇମତି !

 

‘‘ହଁ, ମୁଇଁ ଗୋ । ଆସୁନ । ଘରେ କିଏ ମାଇଝି ଅଛି ଯେ ଅନେଇଥିବ । ବସିବ ଆସ-।’’

 

ତାରି ସାଥିରେ ଗଡ଼ିଚାଲିଲା ପୁନିଆ । ଦୁଇମତିର ସଂସାରରେ ସେ ଏକୁଟିଆ । ବିଭା ହୋଇନାହିଁ । ଏମିତି ଚାଲିଚି । ବୟସ ତିରିଶରୁ ଉପର । କାମପାଇଟି କରେ । ରାନ୍ଧେ ବାଢ଼େ, ଖାଏ ପିଏ, ଗୀତ ବୋଲେ, ଫୁଲ ତୋଳେ, ଯାହା ପାଖରେ ମନ ତା’ ପାଖରେ ବସେ ଉଠେ । ସେ ଚାହେଁନା ବନ୍ଧନ ଭିତରେ ବନ୍ଧାହୋଇ ପଡ଼ିବାକୁ । ମେଲା ଅଗଣାରେ ଘାସ ଦଉଡ଼ି ବୁଣା ଖଟିଆ ଖଣ୍ଡିକୁ ପକାଇଦେଇ କହିଲା–ବସ ଗୋ । ମୋର ବି ତ କେହି ନାହିଁ । ଦି’ପଦ କଥା ହେବି । ଏଠି ଖାଇବ–ଯିବ ।

 

ହସିଦେଇ ପୁନିଆ ବସି ପଡ଼ୁ ପଡ଼ୁ କହିଲା–ଏଇଠି ଖାଇବି । କାହିଁକି ବା କୁଆଡ଼ ଯିବି-? ଏଇଠି ଶୋଇପଡ଼ିଲେ ତ ହୁଅନ୍ତା !

 

ହସିଦେଇ ଆଡ଼ଆଖିରେ ଚାହିଁଦେଲା ଦୁଇମତି । କହିଲା–ଯେମିତି ଖୁସି । ବାଧା ନାହିଁ-

 

ସେଇଦିନ ପୁନିଆ ଘରର ବାଉଁଶ ତାଟିରେ ସଦାବେଳେ ତାଲା ପଡ଼ିଥାଏ । ଠିକାଦାର ଘରୁ ଖୋଜିବାକୁ ଗଲେ ଲୋକେ ଲେଉଟି ଆସନ୍ତି । ମୁରୁକି ହସାଦେଇ କହନ୍ତି, ‘‘ମଠରେ ଥିବ ଗୋ ଠିକାଦାର ବାବୁ ।’’

 

ଠିକାଦାର ଦୀର୍ଘନିଃଶ୍ୱାସ ଟାଣନ୍ତି । ମନେମନେ ଭାବିହୁଅନ୍ତି । ବରଗଡ଼କୁ ଆସି ଠିକାଦାରୀ ବ୍ୟବସାୟ କରିବା ତାଙ୍କର କୋଡ଼ିଏଟି ବର୍ଷ ହେଲା । ଏ କୋଡ଼ିଏଟି ବର୍ଷ ଭିତରେ ପୁନିଆ ତାଙ୍କରି ପାଖରେ କାମ କରୁଚି । କୁଲିଗିରି କରୁ କରୁ ରାଜମିସ୍ତ୍ରୀ କାମ ଶିଖିଲା । ବିଭାହୋଇ ସଂସାର କଲା । ପଦୁଆଁ ଚାଲିଗଲା । ଧୀରା ଏଙ୍କର ଆଗରେ ଜନମ ହୋଇ ଏଙ୍କରି ଆଗରେ ପରଗୋତ୍ର ହୋଇ ଚାଲିଗଲା । ରାତି ଅଧରେ ଡାକଛାଡ଼ିଲେ ପୁନିଆ ହାଜର । ଭାରୀ ବିଶ୍ୱାସୀ ଲୋକ । ଆଜି ତା’ର ସର୍ବନାଶ ହୋଇଚି । ଠିକାଦାର ତାକୁ ପର ବୋଲି ଭାବିପାରନ୍ତି ନାହିଁ ।

 

ସେଦିନ ସଞ୍ଜରୁ କାମରୁ ଫେରି ମଜୁରୀ ଦେଇସାରି ଠିକାଦାର କହିଲେ ରହିବୁରେ ବଇଷ୍ଣବା । ରହିଯିବୁ । ଆଗୋ ଉଚ୍ଛା । କଥା ଅଛି । ଇରେ ପୁନିଆ, ତୁ ଯିବୁ ନାହିଁ ।

 

ସମସ୍ତେ ଚାଲିଗଲେ । କୁଲି ବଇଷ୍ଣବ ମହାନନ୍ଦ ଆଉ ଉଚ୍ଛା ବୋଲି ଜଣେ ରେଜା (ନାରୀକୁଲି) ଅପେକ୍ଷା କଲେ । ମଦଭାଟିକି ଯିବ ବୋଲି ପୁନିଆ ମନେମନେ ଛନ ଛନ ହେଉଥାଏ, ମାତ୍ର ଠିକାଦାର କଥା ଭାଙ୍ଗିପାରିଲା ନାହିଁ ।

 

ଠିକାଦାର କହିଲେ–ଆଗୋ ଉଚ୍ଛା, ତୋର ତ କେହି ନାହିଁ । ଗୋଟିଏ ଝିଅ ସୁରୁବାଲି । ବଡ଼ଖା ହେଲାଣି (ବଢ଼ିଲାଣି) । କେତେଦିନ ତାକୁ ଆଉ ଘରେ ରଖିବୁ ? ମୁଁ କାଁ ବୋଲୁଚି କି (କଅଣ କହୁଚି) ? ପୁନିଆକୁ ଦେଇପକା । ସେ ତ ଦିନକୁ ଅଢ଼େଇ ଟଙ୍କା ରୋଜଗାର କରୁଚି । ମନ୍ଦ ହବ ନାହିଁ ।

 

ଉଚ୍ଛା ଘଡ଼ିଏ ଗୁମ୍ ଖାଇଗଲା । ବଇଷ୍ଣବା ଆଡ଼କୁ ଚାହିଁଲା । ବଇଷ୍ଣବା କହିଲା–ଆଜ୍ଞା; (ଆପଣ) ତ ଆମର ବାପ ମାଆ । ବାପ ନାଇଁ ସୁରୁବାଲିର । ମାଆ ବୁଢ଼ୀ ପୋଷିପାରୁ ନାହିଁ । ଝିଅ ଘିଅ, ବଡ଼ଖା ଟୁକେଲ । ଆଜ୍ଞା ତ କହୁଚନ୍ତି । ଟଙ୍କଟୋକର କାହିଁ ?

 

ଘନବାବୁ କହିଲେ–ମୁଁ ଦେବି ।

 

ଉଚ୍ଛା ତଳକୁ ମୁହଁ ପୋତିଲା । କହିଲା–ହଉ ଆଜ୍ଞା ।

 

ତା’ର କିଛିଦିନ ପରେ ବାହାଘର ବଢ଼ିଲା । ପନ୍ଦର ଷୋଳ ବରଷର ବଡ଼ ଖାଟୁକେଲ ଗୋରା ତକ ତକ ଚେହେରା କୁନ୍ଦିଲା ପରି ଦିହ ହାତ । ପୁନିଆ ଘରକୁ ଆସିଲା । ଘନବାବୁ ବିଭା ବେଦୀ ଉପରେ ମୁଦିଟିଏ ଦେଇ ଆଶୀର୍ବାଦ କରି ଆସିଲେ ।

 

ସତେକି ଉଚ୍ଛା ଝିଅ ବାହାଘରଟି ପାଇଁ ତକେଇ ରହିଥିଲା । ମାସଟି ପରେ ଜର ବାଧିକାରେ ସେ ଚାଲିଲା ଆର ପାରିକି । ସୁରୁବାଲି ଦିନ କେତୋଟି ପୁନିଆର ଘରଦ୍ୱାର ସଜାଡ଼ିଲା-। ତା’ପରେ ନିଅଣ୍ଟିଆ ସଂସାର, ପୁନିଆ ଯାହା ରୋଜଗାର କରେ ତାହା ମଦଭାଟିରେ ଦେଇଆସେ-। ସୁରୁବାଲି କୁଲିକାମ କରିବାକୁ ବାହାରିଲା । ସକାଳୁ ସଞ୍ଜଯାକେ ଖଟି ବାରଗଣ୍ଡା ପଇସା ଆଣେ-। ସେତିକିରେ ଦି’ଜଣଙ୍କର ଚାଉଳ, ଡାଲି, ତେଲ, ଲୁଣ, ପନିପରିବା ସାଧ, ଶରଧା-। ପୁନିଆକୁ ପଇସା ମାଗିଲେ କେବେ କହେ ଠିକାଦାରବାବୁଙ୍କ ପାଖରେ ଜମା ଅଛି, କେବେ ଅବା କହେ ଖରଚ ହୋଇଗଲା ।

 

ଖରଚ କଅଣ ହୋଇଗଲା ସେ କଥା ଗଣ୍ଡାପଡ଼ାରେ କେହି କାହାରିକି ପଚାରନ୍ତି ନାହିଁ । କାମରୁ ଫେରିଲା ବେଳକୁ ଖୁବ୍ କମ୍‍ ଲୋକଙ୍କୁ ଛାଡ଼ି ସ୍ତ୍ରୀ ପୁରୁଷ ସମସ୍ତଙ୍କର ମୁହଁ ଗନ୍ଧ କରୁଥାଏ । କଥା ବାଉଳା ଚାଉଳା ହେଉଥାଏ । ଟିଇକ କଥାରେ କଳିଗୋଳ ଓ ବାଡ଼ିଆପିଟା ଲାଗେ । ସାନପିଲା ସୁରୁବାଲି, ସ୍ୱାମୀକି ରୋକିପାରେ ନାହିଁ କି କିଛି କହିପାରେ ନାହିଁ ।

 

କିଛିଦିନ ଗଲା ମୁହଁ ଅନ୍ଧାରି । ଝାପ୍‍ସା ଆଲୁଅରେ ବାଟ ମୋଡ଼ଉପରେ ଏକୁଟିଆ ଦେଖି ଡାକିଲା ଦୁଇମତି, କିଗୋ ଭୁଲିଗଲକି ?

 

ଢଗଟିଏ ମେଲିଦେଲା :–

 

ପିଲାଦିନର ସାଙ୍ଗ ସରିସା

ପାସୋରି ଦେଲୁ କାଏନ୍‌

ଯୁଡ଼ା ବନ୍ଧର କନ୍ଦାକୁଡ଼ା

ତୋର, ମନେଅଛି କି ନାଏନ୍‍, ଗୋ–ମନେଅଛି କି ନାଏନ୍‌ ।

 

ପୁନିଆ ଫେରୁଥିଲା–କବାରରୁ (କାମରୁ) । ହାତକେ ମଦ ବୋତଲ, ହାତକେ ଗଜ କରଣୀ, ଓସା ମୁଣି । ରାଜମିସ୍ତ୍ରୀ ସରଞ୍ଜାମ । ଠିଆହୋଇଗଲା । ହସିଲା, କହିଲା ଭୁଲୁ ନାଇଗୋ, ଭୁଲିକି ହୁଏ ? ଆସିପାରି ନାଇଁ ।

 

ଆଉ ଗୋଟାଏ ଢଗ ମେଲିଦେଲା–ଅଭିମାନଭରା କଣ୍ଠରେ ଦୁଇମତି–ହଉ ଗୋ ହଉ । ସେଇ କଥାତ ବୋଲୁଥିଲି ମୁଁ–

 

ହଳଦିର କାଏଁ ରଙ୍ଗ ।

 

ବିଦେଶୀର କାଏ ସଙ୍ଗ ।

 

ଘରେ ଟୁକେଲ କନିଆ । ଆମେ ଆଉ ମନେପଡ଼ିବା କାଏଁ ?

 

ପୁନିଆ ଦୁଇମତି ପଛେ ପଛେ ଗଡ଼ିଲା । ରାତିରେ ଘରକୁ ଫେରିଲା ନାହିଁ । ସୁରୁବାଲି ଚାହିଁ ଚାହିଁ ରାତି ପୁହାଇ ଦେଲା । ଖାଇଲା ନାହିଁ କି ପିଇଲା ନାହିଁ । ଅଭିମାନରେ ତାକୁ ଖାଲି କାନ୍ଦମାଡ଼ୁଥାଏ । ଏମିତି ଏମିତି ଚାଲିଲା ମାସେ ପକ୍ଷେ । ପୁନିଆ ରାତିରେ ଜମା ଫେରେନାହିଁ । ସୁରୁବାଲି ସବୁକଥା ଶୁଣିଲା । ମୁଣ୍ଡକୋଡ଼ି ହୋଇ କାନ୍ଦିଲା । ବୋଉକୁ ବାହୁନିଲା । ଠିକାଦାରଙ୍କ ଝିଅପାଖରେ ସବୁକଥା ଖୋଲି କହିଲା । ସଉତୁଣିଆ ଝିଅ ଧୀରା ସେଇ ଗାଆଁରେ ବିଭା ହୋଇଚି-। ସେ ଆସି ଟିକି ମାଆଟିର ଦୁଃଖ ଦେଖି କାନ୍ଦିଲା । ଜୋଇଁ ନବୀନ ଆସି ପିଣ୍ଡାଉପରେ ବସି ବେଳେବେଳେ ବୁଝାଇଲା । ତେବେ ବି ବୁଝିଲା ନାଇଁ ସୁରୁବାଲିର ମନ । କେବେକେବେ ସେ ସମବୟସୀ ଝିଅ ଧୀରାଟିକି ଧରି କାନ୍ଦୁଚି ତ କାନ୍ଦୁଚି । ଲୋଟି ଯାଉଚି ତ ଯାଉଚି । କେତେବେଳେ ଅବା ଜୋଇଁଟିର ହାତରେ ହାତ ଜାବ ପଡ଼ିଗଲାଣି । କାନ୍ଦଣା ବନ୍ଦ ହେଉନାହିଁ । ଜୋଇଁ ଆଖିରୁ ଧାର ଧାର ଲୁହ ଗଡ଼ିଯାଉଚି ।

 

ତେବେ ବି ସେ କାମକୁ ଯାଏ । ମୂଲ ଲାଗେ । ଚାଉଳ, ଡାଲି, ଉଲି ମରିଚା କିଣେ । ରାନ୍ଧିବାଢ଼ି ଅନାଇ ବସିଥାଏ । କେବେକେବେ ଚାହିଁ ଚାହିଁ ଖାଇଦେଇ ଶୋଇପଡ଼େ, କେବେକେବେ ଅବା ହାଣ୍ଡି ପଖାଳି ଶୋଇପଡ଼େ । ତେବେ ବି ପୁନିଆ ରାତିରେ ଆସେନାହିଁ । ଆସିଲେ ଆସେ ଦିନରେ, ଖାଇପିଇ ଦେଇଯାଏ । ଟଙ୍କା କଉଡ଼ି ମାଗେ । ନଦେଲେ ସୁରୁବାଲିକି ମାରଧର କରେ । ବନ୍ଧୁରିଆ କତୁରିଆ (ରୂପାର ହସ୍ତ ଅଳଙ୍କାର) ଛଡ଼ାଇ ଭିଡ଼ିନେଇ ପଳାଏ । କାମରୁ ଫେରି ରାମରାମଭଗତ୍‍ ଦୋକାନରେ ଆକଣ୍ଠ ମଦ ପିଏ, ଚଟକ ଖାଏ । ମୁହଁ ଅନ୍ଧାରି ଗଡ଼ିଯାଏ ଦୁଇମତି ଘରଆଡ଼କୁ ।

 

ସେଦିନ ରାମରାମଭଗତ୍‍ କହିଲା–ଆରେ ପୁନିଆ ତୋ ଉପରେ ବାକି ପଡ଼ିଲାଣି ତିରିଶ ଟଙ୍କା । ଆଉ ଦେଇପାରିବି ନାହିଁ ।

 

ପୁନିଆର କିନ୍ତୁ ଆଜି ଡବଲ ଦରକାର । ନିଜପାଇଁ ଆଉ ଦୁଇମତି ପାଇଁ । ଦୁଇମତି କହିଚି–ଢୋକେ ଢୋକେ ତ ପିଇବା କଥା । ସେଥିରେ ଏତିକି ଜାକି ଜାକି ! କିଏ ଅଛି ଗୋ ତମର-? ପଛ କନିଆ କେତୁଟା କାହାର ହେଲେଣି ଗୋ ?

 

ପୁନିଆ କହିଲା–ନଦେଲେ ହବନାଇଁ ସାଆନ୍ତେ । ଆଜି ତ ମୋର ଦି’ବୋତଲ ଦରକାର । କବାର କରି ସୁଜିଦେବି ନାଇଁ ଆଜ୍ଞା ?

 

ଦଉନଉଁ ତେବେ କାଏଁ ? କାଁ (କଅଣ) ବୋଲୁଚି କି ? ତୁ ଗୁମାସ୍ତା ପାଖରେ ଖଣ୍ଡେ କାଗଜରେ ସନ୍ତକ (ଦସ୍ତଖତ୍‌) କରିଦେଇଥା । ତୋ ଘରବାଡ଼ି ଅରାକ ମୋ ପାଖରେ ବନ୍ଧା ଥାଉକି ତୁ ମୋ ଧନ ଦେଇପକାଇବୁ । କାଗଜ ଖଣ୍ଡକ ମୁଁ ତୋରି ଆଗରେ ଚିରିଦେବି ।

 

ରାମରାମଭଗତ୍‍ । ଗଣ୍ଡାପଡ଼ାରୁ ଚାରିପାଖ ଘରବାଡ଼ି ନେଲାଣି । ପୁନିଆ ଡିହ ଖଣ୍ଡକ ନେଲେ ପକ୍‌କା ପାଚିରିଟା ଚଉଖୁଣ୍ଟିଆ ହେଇ ବୁଲିଯିବ । ଦୋମହଲା ଛାତ ଉପରେ ଠିଆହୋଇ ଭଗତ କେତେଥର ଏଇ ଆଶାରେ ଚାହିଁଚି । ଏବେ ବାଗ ପଡ଼ିଚି ।

 

ଆରକଡ଼କୁ ଗୁମାସ୍ତା ବସିଥିଲା । ଅଣିକିଆ ଟିକଟ ମାରି ଖଣ୍ଡେ ମୋଟା କାଗଜ ଆଗେଇଦେଲା । ପୁନିଆ ତା’ ମୁହଁକୁ ଇଆ ମୁହଁକୁ ଚାହିଁ ଟିକଟ ଉପରେ ବଙ୍କାଟଙ୍କା କରି ଦସ୍ତଖତାଟାଏ ଦେଇଦେଲା । ଗୁମାସ୍ତା ତାକୁ ନେଇ ବାକ୍‍ସରେ ପୂରାଇଲା । ରାମରାମଭଗତ୍‍ ବିକାଳିକି ହୁକୁମ ଦେଲା ପୁନିଆକୁ ଆଉ କୋଡ଼ିଏ ଟଙ୍କା ଯାକେ ଦବୁରେ ।

 

ପୁନିଆ ଧଇଲା ଦି’ବୋତଲ । ଚାଲିଲା ଦୁଇମତି ଦୁଆରକୁ । କହିଲା ହେଇଟି ଦୁଇମତି, ଆଜି ମୁଁ ଘରକୁ ଯାଉଚି । ସୁରୁବାଲିଟା କାନ୍ଦୁଥିବ । ଛୋଟ ଟୁକେଲଟା ଚିନ୍ତାରେ ଝଡ଼ିଗଲାଣି । ଖାଉନାଇଁ ପିଉନାଇଁ ତା’ପାଇଁ ମନଟା ଆଜି କେମିତି ହଉଚି ।

 

ମୁହଁଟାକୁ ବିଜିକିଟେଇ ଦେଇ ଦୁଇମତି ମାଡ଼ିଆସିଲା ପାଖକୁ । ବୋତଲ ଦି’ଟାକୁ ପୁନିଆ ହାତରୁ ଧରି ଭିଡ଼ିନେଉ ନେଉ କହିଲା–ଆହାଗୋ ସୁଆଗ ! ସତୀ ସାବିତ୍ରୀ ! ନୁଚେଇ ନୁଚେଇ ପେମ ଚାଲିଚି । ବାହାରକୁ ସତୀ ସୀତା ଗୋ ।

 

ଦମ୍‌କିନା ପୁନିଆ ବସିପଡ଼ିଲା ଖଟଟା ଉପରେ ଆଁକରି ଅନାଇ ରହିଲା ଦୁଇମତି ମୁହଁକୁ ।

 

ଦେଖେଇଦେବି ଗୋ ଦିନେ । ମନବୋଧ ହୋଇଯିବ । ଆଜିଯାକେ ତୁମକୁ ବିଷ ଜହର ଦେଇନାଇଁ ସେତିକି ଭାଗ୍ୟ ।

 

କଅଣ ଦେଖେଇଦେବୁ ? ପୁନିଆ ପଚାରିଲା ।

 

ଦେଖେଇଦେବି ଗୋ ଦେବି । ସତୀ ସାବିତିରିଙ୍କ ନାଟ ।

 

କିଛିଦିନପରେ । ଚିନ୍ତାରେ ସୁରୁବାଲି କଳାକାଠ ପଡ଼ିଗଲାଣି । ଜରରେ ବାଧିକି ପଡ଼ି ବିଛଣା ଧଇଲାଣି । ପୁନିଆ ଦୁଆର ମାଡ଼େନାହିଁ । ଆସେ ଧୀରା, ଆସେ ନବୀନା । ସମବୟସୀ ଧୀରା–ମାଆ ବୋଲି ଡାକେ । କାନ୍ଦେ କାଟେ । ଦୋଟି ଖାଇବାକୁ ଦେଇଥାଏ । ଦିହରେ ହାତରେ ହାତ ମାରିଦିଏ । ଜୋଇଁ ନବୀନା । ପୁରୁଷ ପିଲା । ବୟସରେ ବଡ଼ । ଆସେ ବସେ । ପଚରାଉଚରା କରେ । ପଥିପାଚନ ଦେଇଯାଏ ।

 

ସେଦିନ ରାତିରେ ସୁରୁବାଲି ଅତି ବିକଳ ହେଲା । ଝିଅ ଜୋଇଁଙ୍କି ଖବରଦେଲା । ଖଇଫୁଟୁଚି ଦିହରେ । ଚିରା କାନିଟା ଦିହରେ ପକାଇ ଶୀତରେ କମ୍ପୁଚି । ବାହାରେ ମିଞ୍ଜି ମିଞ୍ଜିଆ ଜହ୍ନ ଆଲୁଅ ସାଙ୍ଗକୁ ପୁଷମାସିଆ ଜାଡ଼ । କଲିଜା କମ୍ପିଯାଉଚି । ଭିତରେ ଛୋଟ ଡିବିରିଟିରେ ଅତି ମିଞ୍ଜି ମିଞ୍ଜି ହୋଇ ଆଲୁଅ ଟିକିଏ ଜଳୁଚି । ଦୁଆର ମୁହଁରେ ବାଉଁଶ ତାଟରେ ଗୋବର ନେସା ହୋଇଚି । ନବୀନା ଆଉ ଧୀରା ଘରଟି ଭିତରକୁ ପଶିଲେ । ସୁରୁବାଲି ଆଖିମେଲି ଅନାଇଲା । ଦିହେଯାକ ମୁଣ୍ଡପାଖରେ ବସିପଡ଼ିଲେ । ନବୀନା କପାଳରେ ହାତ ବୁଲାଇଲା । ସୁରୁବାଲି ମୁଣ୍ଡଟାକୁ ତା’ କୋଳ ଉପରକୁ ଥୋଇଦେଇ କହିଲା ଚିପିଦିଅ ଟିକେ । ଦିହରେ ହାତ ବୁଲାଇ ଆଣି ଧୀରା କହିଉଠିଲା–ମାଆ ଗୋ ପୋଡ଼ିଯାଉଚି ତ !

 

ସୁରୁବାଲି କହିଉଠିଲା–ଆଜି ରାତି ଭିତରେ ମରିଯିମି ଗୋ ମା’ । ଆଉ ବଞ୍ଚିବି ନାଇଁ ।

 

ଧୀରା ଧାଇଁଲା କବାଟ ଫିଟେଇଦେଇ–କହିଲା–ଯାଉଚି ଗୋ ଠିକାଦାର ବାବୁ ଘରକୁ । ଓଷୁ ମାଗିଆଣିବି । ମା’ କଥାତ ଅତିଶୟ ।

 

ଏକୁଟିଆ ଘରେ ସାଙ୍ଘାତିକ ରୋଗୀ ସୁରୁବାଲିର ମୁଣ୍ଡଟିକି କୋଳଉପରେ ଥୋଇ ନବୀନା ଚିପିଦେଉଚି । ବିକଳରେ ସୁରୁବାଲି ଛଟପଟ ହେଉଚି । କାନ୍ଥକଡ଼କୁ ଅତି କ୍ଷୀଣ ଆଲୁଅଟି ମିଞ୍ଜି ମିଞ୍ଜି ଜଳୁଚି । ବାଉଁଶର ତାଟ ଖଣ୍ଡିକ ଆଉଜା ହୋଇଚି । ବାହାରେ ମୁନୁଗା (ସଜନା) ଗଛ ଛାଇତଳେ ଦୋଟି ଛାଇ–ଫିସ୍‌ ଫିସ୍‌ କଥାବାର୍ତ୍ତା । ପୁନିଆ ଆଉ ଦୁଇମତି । ଦୁଆରବନ୍ଧ ପାଖକୁ ଆସି ଠିଆହେଲେ । ଛୋଟ ଜଳିବାଟେ ଭିତରକୁ ଚାହିଁଲେ । ମଦନିଶା ଧରିଚି ଦିହିଙ୍କି । ଦୁଇମତି କହିଲା ଦେଖିଲୁ ତ !

 

ପୁନିଆ କହିଲା–ଦେଖିଲି । –ପିଣ୍ଡାତଳେ ପଡ଼ିଥିଲା ମୂଳି ବାଉଁଶର ଠେଙ୍ଗାଟାଏ । ଗୋଟାଇ ଆଣି ଜୋରରେ ତାଟଟାକୁ ପେଲିଦେଲା । ନିର୍ଘାତିଆ କରି ପକାଇଲା ପାହାରେ, ନବୀନା ଗର୍ଜନ କରି ଟଳିପଡ଼ିଲା । ଦିହଟା ଛଟ ଛଟ ହେଇ ଗଡ଼ିଯାଉଥାଏ । ରକ୍ତର ସୁଅ ଛୁଟୁଥାଏ ଘରଯାକ । ସୁରୁବାଲି ଜରବାଉଳାରେ ଉଠିପଡ଼ି ବାହାରକୁ ଆସି ପାଟିକଲା । ‘‘ଧାଇଁଆସ ଗୋ କିଏ ଅଛ ।’’ ଦି’ ତିନି ଡାକ ଡାକି ତଳେ ସେ କଚାଡ଼ି ହୋଇ ପଡ଼ିଗଲା । ସେତେବେଳକୁ ଦୁଇମତି ପଳାଇଗଲାଣି । ପାଟି ଶୁଣି ଧୀରା ଧାଇଁଆସିଲାଣି । ପୁନିଆର ନିଶା ଛାଡ଼ିଗଲାଣି । ସେ ଖାଲି ବାଉଳି ହଉଚି । ସାଇପଡ଼ିଶା ଧାଇଁଆସିଲେଣି । ନବୀନା ଉପରେ କଚାଡ଼ି ହୋଇ ପଡ଼ି ତଳେ ଗଡ଼ୁଚି ଧୀରା ।

 

ତହିଁ ଆରଦିନ ପୁଲିସ ଆସି ପୁନିଆକୁ ବାନ୍ଧିନେଲା । କୋଟରେ ବିଚାରବେଳେ ପୁନିଆ ମାନିଗଲା–‘‘ମୁଁ ମାରିଚି । ମୋରି ଜୋଇଁକି । ମଦ ନିଶାରେ କଥାଟା ବୁଝିପାରିଲି ନାହିଁ ।’’ କାନରୁ ସୁନା ନୋଳି ଦୋଟି ଠିକାଦାର ହାତକୁ ଧରେଇଦେଇ ସୁରୁବାଲି ନେହୁରା ହେଲା–‘‘ଆଜ୍ଞା–ସେ ତ ନିଶାଭୋଳରେ ଅଜ୍ଞାନ ହୋଇଥିଲେ । ସେ କେମିତି ଖଲାସ ହବ ତା’ର ବାଟ କର । ତୁମେ ବାପ ମୁଁ ତୁମ ଝିଅ ।’’

 

ପୁନିଆର ଛଅ ବରଷ ଜେଲ୍‍ ହେଲା । କଟକ ଜେଲରେ ସେ ରହିଲା । ଦିନେ ରାମରାମଭଗତ୍‍ ଦାଣ୍ଡ ପିଣ୍ଡାତଳେ ନାଗରା ବଜାଇଦେଇ କହିଲା–ଏ ଘରବାଡ଼ି ମୁଁ ଦଖଲ ନେଲି ଗୋ ସୁରୁବାଲି । ପୁନିଆ କରଜ କରିଥିଲା । ତୁ ଏଠୁ ଉଠିଯା ।

 

ଚିନ୍ତାରେ ତନୁ କ୍ଷୀଣ ହୋଇଯାଇଚି । ବାରଦିନେ ତେର ରୋଗ । ସାହାଭରସା କେହି ନାହିଁ । ନିତି ମୂଲକୁ ଯାଇପାରୁ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଚାଳିଆ ଖଣ୍ଡିକ ଥିଲା ଯେ ସେତକ ବି ଗଲା-। କନାକବଟା ଦି’ଖଣ୍ଡି ଧରି ସେ ଠିକାଦାରଙ୍କ ଦାଣ୍ଡଦୁଆରେ ଠିଆହେଲା । ଘନବାବୁ କହିଲେ–ପରବାଏ ନାହିଁ ସୁରୁବାଲି । ମୋ ହତା ଭିତରର ଏକଣା ଚାଳିଆ ଖଣ୍ଡକରେ ରହିଯା । ମୁଁ ତତେ କଅଣ ହୀନିମାନ କରିବି ? କେହି ତୋର ତ ନାହିଁ ସଂସାରରେ । କିଏ ଆଉ ଆଶ୍ରା ଦବ-?

 

ସେଇତା ହେଲା । ଦାଣ୍ଡ ଅଗଣା ଭିତର ପଟକୁ ଖପରଲ୍ଲିର ଖଣ୍ଡେ ଚାଳି । କବାଟ ଲାଗିଚି । ତାରି ଭିତରେ ସୁରୁବାଲି ଆଶ୍ରା ନେଲା । ଦିନଯାକ ମୂଲ ଲାଗେ, ରାତିକି ରାନ୍ଧେ ବାଢ଼େ, ଖାଏ ପିଏ । ଧୀରା ଆସି ବେଳେବେଳେ ତା’ କତିରେ ବସେ । ଧୀରେ ଧୀରେ ସୁରୁବାଲିର ମନ ବଦଳେ । ଠିକାଦାର ଆସନ୍ତି । ତା’ର ହାଲଚାଲ ବୁଝିଯାଆନ୍ତି । ତାରିଆଡ଼କୁ ଅନାଇ ରହନ୍ତି । ଦରବୁଢ଼ା ମୁହଁରେ ତାଙ୍କର ଅଳ୍ପ ହସ ଓ ଅସ୍ପଷ୍ଟ ଇଙ୍ଗିତ । ସୁରୁବାଲିକି ଟିକେ ଅଡ଼ୁଆ ଅଡ଼ୁଆ ଲାଗେ-

 

ଦିନେ ସଞ୍ଜବେଳକୁ ଠିକାଦାରବାବୁ ଆସି ତୁନିତୁନି କହିଲେ, ଶୁଣିଲୁଣି ସୁରୁବାଲି ‘‘ଧୀରା ଆଜି ଗୋଟାଏ କାହା ସାଙ୍ଗରେ କୁଆଡ଼େ ଚାଲିଗଲାଣି ।’’

 

ଆଁ କରି ସୁରୁବାଲି ଅନାଇ ରହିଲା । ଠିକାଦାର କହିଲେ ଯୁଆନ ଟୁକେଲ କାହାକୁ ଚାହିଁ ପଡ଼ିରହନ୍ତା ! ତୁ ସିନା ମିଛରେ ପୁନିଆପାଇଁ ଝୁରି ହଉଚୁ । ମନ ଫୂର୍ତ୍ତି କର । ଆଠଣା ନେ, ଟଙ୍କାଟାଏ ନେ ଖା ପିଇ, ଗୀତ ଗା, ଫୁଲ ନାହା । ମୁଁ ଥିଲେ ତୋର କି ଅଭାବ ଗୋ ! ମୁଁ ଯାହା କହୁଚି ତା’ କର । ମୋ କଥାଟି ମାନିଯା । ଦେଖିବୁ କେଡ଼େ ସୁଖ ପାଇବୁ । କେତେ ଆନନ୍ଦ ମିଳିବ-

 

ଆଁ କରି ସୁରୁବାଲି ଅନାଇ ରହିଲା ମାତ୍ର ।

 

ତା’ର କିଛିଦିନ ପରେ । ନିଝୁନ ରାତି । ନିଶା ଗରଜୁଚି । ପାଖରେ ଥିବା ଅନାବନା ବଣ ଭିତରେ ଝିଁ ଝିଁ ରାବ ଛାଡ଼ିଚନ୍ତି ଝିଙ୍କିରି ପଲ । ସୁରୁବାଲି କବାଟ କିଳି ନିଘୁମ ନିଦରେ ଶୋଇପଡ଼ିଚି-। ଦୁଆରବନ୍ଧ ଉପର ଫାଙ୍କବାଟେ ହାତ ଗଳାଇ ଜଞ୍ଜିର ଫିଟାଇ ଭିତରକୁ ଆସି ବିଛଣା ଉପରେ ବସିପଡ଼ି ତା’ ଛାତିରେ ହାତ ଥୋଇ କିଏ ହଲାଇଦେଲା । ଚାଉଁକିନା ସୁରୁବାଲିର ନିଦ ଭାଙ୍ଗିଗଲା-। ସେ କଡ଼ ଲେଉଟାଇ ଉଠିବସି ପଚାରିଲା–କିଏ ?

 

ମୁଁ ଗୋ । ତୁନି ହ । ପାଟିକରନା ।

 

ପାଟିବାରି ଝଟ ଉଠି ପଳାଇଗଲା ସୁରୁବାଲି କାନ୍ଥ କଡ଼କୁ । ଆଗନ୍ତୁକର ଟର୍ଚ୍ଚ ଆଲୁଅ ତା’ ମୁହଁ ଉପରେ ପଡ଼ିଲା । ତା’ କଡ଼କୁ ଆସି ତା’ ହାତଟାକୁ ଧରି ଟାଣିଲା–ଆ ସୁରୁବାଲି । ପଳାନା-। ଅନେକଦିନୁ ମୁଁ ଆଶା କରିଚି ।

 

ଛଡ଼ାଇନେଲା ହାତ–ସୁରୁବାଲି–ଦିହରେ ତା’ର ତାକତ ଅଛି । ଗୋଡ଼ତଳେ ମୁଣ୍ଡିଆ ମାରି କହିଲା–ତୁମେ ପରା ବେଦୀ ଉପରେ ମୁଦି ଦେଇ କଇଲାଣ କରିଚ ଆଜ୍ଞା ? ଆପଣ ବାପ, ମୁଁ ଝିଅ । ମତେ ଛୁଅଁ ନାଇଁ । ପାପ ହବ । ରୋହିଣୀ ଯେମିତି ତମ ବୁଇ (ଝିଅ) ମୁଁ ପରା ସେମିତି-! ତମକୁ କି ଅଭାବ ଅଛି ବାପା ।

 

ଦୀର୍ଘନିଃଶ୍ୱାସ ଟାଣି ଘନବାବୁ ପଛାଇଗଲେ । ପଳାଇଗଲେ ସେ ଘରୁ । ବିବେକର ଚାବୁକ ପାହାର ଆଗରେ ଦୁର୍ବଳତାର ଉଚ୍ଛୃଙ୍ଖଳତା ମୁଣ୍ଡ ଟେକିପାରିଲା ନାହିଁ ।

 

ସୁରୁବାଲି ଅନ୍ଧକାର ଭିତରେ ସେ ଘରଛାଡ଼ି ଏକ କାନିକିଆ ହୋଇ ପଳାଇଗଲା । ବରଗଡ଼ ଛାଡ଼ିଲା । ବଡ଼ ସଡ଼କ ଧରି ଧାଇଁଲା । –ବାଇଆଣୀ ପରି ଏକ ନିଃଶ୍ୱାସରେ ପଳାଇବାକୁ ଲାଗିଲା । ରାତି ପାହିଲାରୁ ଦେଖିଲା କେତେ ଯାତ୍ରୀ ଚାଲିଛନ୍ତି । ତାଙ୍କରି ସାଙ୍ଗ ଧରିଲା । ଦିହ ମୁକୁଳା । ଝାଉଁଳା ଫୁଲପରି ମଉଳିଯାଇଚି ତା’ ଆଭା । ବାଳ ମୁକୁଳା । ଦରଚିରା ଲୁଗା ଖଣ୍ଡିଏ ଦିହରେ । ଖିଆ ନାହିଁ ପିଆ ନାହିଁ । ବାଇଆଣୀ ପରି ହସୁଚି, କାନ୍ଦୁଚି, ରାଗୁଚି, ମାଗୁଚି, ଗୁଣୁଗୁଣୁ ହଉଚି । ବାଟ ଚାଲିଚି, କାହାରି ସାଥିରେ କିଛି କଥା ହଉନାହିଁ । ସମସ୍ତେ କହୁଚନ୍ତି ପାଗଳୀଟାଏ । ଟେକା ଭୁଷା ପକାଉଚନ୍ତି । ଖାଇବାକୁ ଦଉଚନ୍ତି, ଆହା କରୁଚନ୍ତି । ବାହା ବାହା କରୁଚନ୍ତି । ଚାଲିଚି ପାଗଳୀ । ମନହେଲେ ଶୋଉଚି । ମନେହେଲେ ଖାଉଚି ପିଉଚି । ମନହେଲେ ଧାଉଁଚି । ତା’ ପାଖ ପଶିବାକୁ ଲୋକେ ଭୟ କରୁଚନ୍ତି । ଚାଲିଚନ୍ତି କେତେ ଯାତ୍ରୀ । ସେ ବି ଚାଲିଚି । ଜଗନ୍ନାଥ ସଡ଼କ ଉପରେ ସେ ଜଣେ ଅସହାୟା ଯାତ୍ରୀ ।

 

ବାଟରେ କଟକ । ପୁରୀଯାତ୍ରୀ ପୁରୀ ଚାଲିଗଲେ । ପାଗଳୀ ଖୋଜିବୁଲିଲା ଜେଲ୍‍ଖାନା-। ପାଇଲା ବି । ଫାଟକ ଟପି ଭିତରକୁ ପଶିଲା । ଲୁହାର ଫାଟକ ପାଖରେ ଜଗୁଆଳର ଜୁଲମ–ଭାର୍‌, ପଳା । ଶୁଣିଲା ନାହିଁ ତା’ କଥା । ମାଡ଼ଦେଇ ହତା ବାହାରକୁ ବାହାର କରିଦେଲା । ଦୁଆର ମୁହଁରେ ସଡ଼କ ଉପରେ ଧାରଣାଦେଇ ପଡ଼ିଲା । ଖାଇଲା ନାହିଁ, ପିଇଲା ନାହିଁ । କହିଲା–‘‘ମୋ ବରକୁ (ସ୍ୱାମୀକୁ) ଦେଖିବି, ତା’ ନା ପୁନିଆ । ଜେଲର ଜାଣିଲେ । ସୁପରିଣ୍ଟେଣ୍ଡେଣ୍ଟ ଦେଖିଲେ-। କଲେକ୍ଟରଙ୍କ କାନକୁ ଖବର ଗଲା । ହୁକୁମ ହେଲା, ପୁନିଆକୁ ଲୁହା ଫାଟକ ଭିତରେ ରଖିବ । ବାୟାଣୀଟା ତାକୁ ଦେଖିବ ତ ଦେଖୁ । ସେଇଆ ହେଲା । ଡୋରିଆ ଜଙ୍ଘିଆ ପିନ୍ଧି ପୁନିଆ ଆସି ଲୁହା ବାଡ଼ା ସେପଟେ ଛିଡ଼ାହୋଇ ଡାକିଲା–ସୁରୁବାଲି !

 

ବାୟାଣୀ ଧାଇଁଲା–ପବନ ବେଗରେ । ଦି’ ହାତକୁ ମେଲାଇ ଧାଇଁଲା । ଛାତି ଫାଟିଯାଉଚି ବିକଳରେ । ପାଟିରେ କଥା ନାହିଁ । ଲୁଗାପଟା ଅସମ୍ଭାଳ । ହାଁ ହାଁ କହୁ କହୁ ନିଜର ବେଗ ସମ୍ଭାଳିନପାରି ମୋଟା ମୋଟା ଲୁହାର ରେଲିଂ ଦିଆ ଫାଟକରେ ଧାଉଁକିନା ପିଟିହୋଇ ତଳେ କଚାଡ଼ିହୋଇ ପଡ଼ିଲା । ଅଜ୍ଞାନ ହୋଇଗଲା । ମୁଣ୍ଡ ଆଖିପତାରୁ ଧାର ଧାର ହୋଇ ରକ୍ତଧାର ବହିପଡ଼ୁଥାଏ । ପାଣି ଛିଞ୍ଚିଲେ ବି ଚେତା ପଶିଲା ନାହିଁ । ଅଖିଆ ଅପିଆ, ଶୁଖିଲା ଝାଉଁଳା ବାଳିକାଟିର ଦିହରେ ହାଡ଼ ଦି’ଖଣ୍ଡି ଛଡ଼ା ଆଉ କିଛି ନଥିଲା । ନିରାଶାରେ ମନ ଭିତରର ସବୁ ଦମ୍ଭ କେବଠଉଁ ଚୂନାହୋଇ ଯାଇଥିଲା । ବାକିଥିଲା ଖାଲି ସ୍ୱାମୀକୁ ଦେଖିବାଲାଗି ଆଶାଟି ।

 

ଭିତରପଟେ ଥାଇ ପୁନିଆ ହାତରେ ଲାଗିଥିବା ମୋଟା ମୋଟା ଲୁହାକଡ଼ା ଦି’ଟାକୁ ଢାଉକିନା ମୁଣ୍ଡରେ ପିଟିଦେଲା । ମଦ ପିଇପିଇ ଦିହର ସବୁ ତାକତ ବହୁତ ଦିନୁ ସରିଯାଇଥିଲା । ଜୋଇଁକି ମାରିଆସି କଲିଜା ଭିତରର ଜୀବନୀ ଶକ୍ତିଟା କ୍ଷୀଣ ହୋଇପଡ଼ିଥିଲା । ଜେଲ୍‍ଖାନା ଭିତରକୁ ଆସିଲାବେଳକୁ ବାକି ଥିଲା ଖାଲି ତା’ର କଙ୍କାଳ ଖଣ୍ଡକ । କେବେ ଘରକୁ ଫେରିଯିବ ଏଇ ଆଶାରେ କେବଳ ଦୋହଲୁଥିଲା । ସେ ପଡ଼ିଗଲା ପକ୍‌କା ଚଟାଣ ଉପରେ ଅତି ଜୋରରେ । ମୁଣ୍ଡଟା ପୁଣି ଥିରେ ତଳେ ତାଉକିନା ପିଟି ହୋଇଗଲା । ବାହାରେ ସୁରୁବାଲି ଆଉ ଭିତରେ ପୁନିଆ । ଯେତେ ଚେଷ୍ଟା କଲେ କାହାରି ଆଉ ଚେତା ଫେରିଲା ନାହିଁ ।

 

ତେଣେ ତେଣେ ରାମରାମଭଗତ୍‍ର ମଦ ଭାଟିରେ ଚାଉଳି, ମହୁଲି ମଦର ତମ୍ୱାହାଣ୍ଡି ଭିତରୁ ବକ ଯନ୍ତ୍ରବାଟେ ଟୋପିଟୋପି ହୋଇ ବୋତଲ ଭିତରକୁ ଝରିଫଡ଼ୁଥାଏ ମଦପାଣି । ପୁନିଆର ଡିହ ଘେରାଇ ରାମରାମଭଗତ୍‍ର ପକ୍‌କା ଗେରଦ ବୁଲିଆସିଲା ଉଚ୍ଚା ମଥାନ ଟେକି ।

 

ଦିନେ ରୋହିଣୀ ପଚାରିଦେଲା–ସୁରୁବାଲି କାହିଁଗଲା ବାପା !

 

ଘନବାବୁ ସଂକ୍ଷେପରେ ଉତ୍ତରଦେଲେ–କେଏଜାଣି ! ମୁହଁଟି କିନ୍ତୁ ଗମ୍ଭୀର ହୋଇଗଲା ଅନ୍ତର୍ଦାହ ଓ ଅନୁଚିନ୍ତାରେ ।

★★★

 

ଉତ୍ତର ମିଳି ନାହିଁ

 

କଏଦୀମାନଙ୍କୁ ମଝିରେ ମଝିରେ ଆମୋଦ ପ୍ରମୋଦଦ୍ୱାରା କିଛି ଆନନ୍ଦ ଉପଭାଗ କରିବାର ସୁବିଧା ଦେବା ନିମନ୍ତେ ଜେଲ୍‍ଖାନା ଭିତରେ ସେହିମାନଙ୍କୁ ଘେନି ନାଟକ ଅଭିନୟର ଆୟୋଜନ କରାଯାଏ । ସେଥରକ ମହାଭାରତର ବେଣୀ ସଂହାର ଅଭିନୟ କରାଯିବ । ମାସକ ଆଗରୁ କଏଦୀମାନଙ୍କ ଭିତରୁ ବଛାବଛି କରାଯାଇ ଅଭିନୟର ବିଭିନ୍ନ ଅଂଶ ଦିଆଯାଇଚି । ପ୍ରତିଦିନ ସଞ୍ଜବେଳେ ସେମାନଙ୍କର ରିହରସାଲ ହେଉଚି । ଜେଲ୍‍ଖାନାର ଉଆଡ଼ର ଜଗୁଆଳମାନେ ବନ୍ଧୁକ ଧରି ଜଗି ରହୁଚନ୍ତି । ଜେଲର ନିଜେ ଉପସ୍ଥିତ ରହୁଚନ୍ତି । ବନ୍ଧନ ସୁଦୃଢ ଏବଂ ଉଚ୍ଚ ପାଚେରୀ ଭିତରେ ଦିନସାରା ଖଟି ଖଟି ବନ୍ଦୀମାନଙ୍କ ମନରେ ଟିକିଏ ଅଧେ ପରିବର୍ତ୍ତନ ଆସୁଚି ।

 

କିଛିଦିନ ଅଭ୍ୟାସ କଲାପରେ ଦିନ ସ୍ଥିର ହେଲା । ମାସର ସାତ ତାରିଖ ଦିନ ରାତି ସାତଟା ପରେ ଅଭିନୟ ଦେଖାଯିବ । ମଣ୍ଡପ ସଜାଗଲା । ସିନ୍‌ ଟଣାଗଲା । ବିଜୁଳିଆଲୁଅ ଖଞ୍ଜାଗଲା । ଦର୍ଶକରୂପେ ଉପସ୍ଥିତ ରହିବାପାଇଁ ସହରର ବହୁ ସଂଖ୍ୟକ ଭଦ୍ରଲୋକ ଓ ଭଦ୍ର ମହିଳାଙ୍କୁ ନିମନ୍ତ୍ରଣ କରାଗଲା । ସେମାନଙ୍କ ବସିବାପାଇଁ ମଧ୍ୟ ଉପଯୁକ୍ତ ଆସନର ବ୍ୟବସ୍ଥା କରାଗଲା । ଜେଲ୍‍ଖାନାର ସୁପରିଣ୍ଟେଣ୍ଡେଟ ଏବଂ ଜିଲା ମାଜିଷ୍ଟ୍ରେଟ ମଧ୍ୟ ନିଜେ ଉପସ୍ଥିତ ରହିବା ନିମନ୍ତେ ପ୍ରତିଶ୍ରୁତି ଦେଲେ ।

 

ସନ୍ଧ୍ୟାପରେ ବହୁସଂଖ୍ୟାରେ ଭଦ୍ରଲୋକ ଓ ଭଦ୍ରମହିଳା ଛୁଆପିଲାଙ୍କୁ ସଙ୍ଗରେ ଘେନି ନିମନ୍ତ୍ରଣକାର୍ଡ଼ ସହ ପହୁଞ୍ଚିଲେ । ଫାଟକ ଦ୍ୱାରରେ ଜେଲରବାବୁ ନିଜେ ଥାଇଁ ସେମାନଙ୍କୁ ଭିତରକୁ ଛାଡ଼ୁଥାଆନ୍ତି । ପ୍ରବେଶ ଦ୍ୱାରରେ ପ୍ରଥମେ ଗୋଟାଏ ଶକ୍ତ ଲୁହାର ଫାଟକ । ତାକୁ ଫିଟାଇ ଗୋଟାଏ କୋଠରୀ ଭିତରକୁ ଅଣାଯାଏ । ତା’ପରେ ଉକ୍ତ ଦ୍ୱାରରେ ତାଲା ଦିଆଯାଇ ଭିତର ଅଗଣା ଆଡ଼କୁ ଥିବା କବାଟ ଫିଟିଯାଏ । ଏହିଭଳି ଭାବରେ ଦଳ ଦଳ କରି ଦର୍ଶକମାନଙ୍କୁ ଭିତରକୁ ଅଣାଗଲା ଏବଂ ଆସନ ଦିଆଗଲା । ସ୍ତ୍ରୀଲୋକମାନଙ୍କ ପାଇଁ ବାଁକଡ଼କୁ ଏବଂ ପୁରୁଷମାନଙ୍କ ପାଇଁ ଡାହାଣ କଡ଼କୁ ସ୍ଥାନ ନିର୍ଦ୍ଦେଶ କରାଯାଇଥାଏ । ସଭା ସାମନାରେ ପେଣ୍ଡାଲ ତଳକୁ ଚୌକି କେତେଗୁଡ଼ିଏ । ତହିଁରେ ବିଶିଷ୍ଟ ଭଦ୍ରଲୋକ ଓ ଭଦ୍ର ମହିଳାମାନେ ଛୁଆପିଲାଙ୍କୁ ଧରି ମିଳିମିଶି ବସିଥାଆନ୍ତି ।

 

ଗୋଟିଏ କଡ଼କୁ ବହୁ ସଂଖ୍ୟାରେ କଏଦୀ ବସିଥାଆନ୍ତି । ସେମାନଙ୍କ ଭିତରେ ପୁଣି ନାରୀ କଏଦୀ ଏବଂ ପୁରୁଷ କଏଦୀ ପୃଥକ୍‌ ପୃଥକ୍‌ ଭାବରେ ବସିଥାଆନ୍ତି ଦେଖିବା ଲାଗି । ସେମାନଙ୍କ ଚାରିକଡ଼େ ଘେରି ରହିଥାଆନ୍ତି ନାରୀ ଉଆଡ଼ର ଓ ପୁରୁଷ ଉଆଡ଼ରମାନେ–ହାତରେ ବନ୍ଧୁକ ଓ ଲାଠି ଧରି । ସମସ୍ତଙ୍କ ଉପରେ ତୀବ୍ର ଦୃଷ୍ଟି ରଖି । କାଳେ କେତେବେଳେ ଜଗୁଆଳି ଅନ୍ୟମନସ୍କ ହେଲେ ଜଣେ ଦି’ଜଣ ଲୁଚିଛପି ପଳାଇଯିବେ । ଗଲେ ବି ମେଘନାଦ ପାଚେରୀ ଚାରିଆଡ଼େ ଘେରିରହିଛି । ତାକୁ ମଧ୍ୟ ଟପି ଯିବାକୁ କୌଣସି କୌଣସି ବନ୍ଦୀ ପକ୍ଷେ ଅସମ୍ଭବ ନୁହେଁ-

 

ତହିଁରେ ପୁଣି ବହୁ ଭଦ୍ରଲୋକ ଭଦ୍ର ମହିଳା ପିଲା କବିଲାଙ୍କୁ ଧରି ଭିତରକୁ ଆସିଛନ୍ତି ଦେଖିବାକୁ । ଦୁଷ୍ଟ ପ୍ରକୃତିର ବନ୍ଦୀ ଗୋଳମାଳ କରି ସେମାନଙ୍କୁ ଆକ୍ରମଣ କରିପାରନ୍ତି ।

 

ଯାହା ହେଉ କଡ଼ା କଟକଣା ମଧ୍ୟରେ ବନ୍ଦୀମାନଙ୍କୁ ରଖି ଅଭିନୟ ଆରମ୍ଭ କରାଗଲା । ଅଭିନେତାମାନେ ମଧ୍ୟ ବନ୍ଦୀ । ସୁତରାଂ ମଞ୍ଚ ଭିତରେ ମଧ୍ୟ ସେମାନଙ୍କୁ ଜଗିବା ନିମନ୍ତେ ବନ୍ଧୁକଧାରୀ ଉଆଡ଼ର ଥାଆନ୍ତି ଏବଂ କଡ଼ା କଟକଣାର ବ୍ୟବସ୍ଥା କରାଯାଇଥାଏ । ଏତେ ବନ୍ଧନ ଭିତରେ ଥାଇ ବନ୍ଦୀ ଅଭିନେତାମାନଙ୍କ ପ୍ରାଣରେ ଯେଉଁ ସ୍ପୃହା ଥିବ ତାହା ସହଜେ ଅନୁମାନ କରାଯାଇପାରେ ।

 

ପାଣ୍ଡବ ଓ କୌରବମାନଙ୍କ ମଧ୍ୟରେ ପଶାଖେଳ ହେଲା । ଶକୁନି ପଶା ଗଡ଼ାଉଚି । ଯୁଧିଷ୍ଠିର ସବୁ ହାରି ଶେଷକୁ ଦ୍ରୌପଦୀଙ୍କୁ ବି ହାରିଲେ । ଦୁଃଶାସନ ରାଜସଭା ମଧ୍ୟକୁ ଦ୍ରୌପଦୀଙ୍କ କେଶଧରି ଟେକିଆଣି ବିବସନ କରିବାକୁ ଚେଷ୍ଟା କଲା । ଦ୍ରୌପଦୀ ଦି’ହାତ ଟେକି ଭଗବାନଙ୍କୁ ଡାକଛାଡ଼ିଲେ ।

 

ପଛରେ ବସିଥିବା ନାରୀ ଦର୍ଶକମାନଙ୍କ ଭିତରେ ପାଟିତୁଣ୍ଡ ହେଲା–ଚୁପ୍‍କର । ତୁନିକର । ଗୋଳମାଳ କରନାହିଁ । ପିଲାଟାକୁ ନେଇ ଉଠିଯାଅ । ଆମକୁ କିଛି ଶୁଣାଯାଉ ନାହିଁ ।

 

ଜଣେ ସ୍ତ୍ରୀଲୋକ ଛୋଟ ପିଲାଟିର ମୁହଁରେ ହାତଦେଇ ତୁନି କରାଇ ଦେବାକୁ ଶତଚେଷ୍ଟା କରୁଚି । ମାତ୍ର ତା’ର ପିଲାଟି ବିକଳ ହୋଇ କାନ୍ଦୁଚି–ବାବା ପାଖକୁ ଯିବି, ମତେ ଛାଡ଼ିଦେ । ହେ ବୋଉ ମତେ ଛାଡ଼ ।

 

ନାରୀ ଉଆଡ଼ରମାନେ ପଚାରୁଚନ୍ତି କଥା କଅଣ । ସ୍ତ୍ରୀଲୋକଟି କିଛି କହିପାରୁ ନାହିଁ । କଇଁ କଇଁ ହୋଇ କାନ୍ଦୁଚି । ଉଆଡ଼ର କହୁଛି–ଯିବ ତ ଚାଲ ମା’, ବାହାରଯାକେ ନେଇଯିବି । ଘରକୁ ଯାଅ, ପିଲାଟା ସମ୍ଭାଳି ହଉନାହିଁ । ସ୍ତ୍ରୀଲୋକଟି ଉଠୁବି ନାହିଁ । ପିଲାଟିକି ଧରି ଖାଲି ବାଡ଼େଇପିଟି ହେଉଚି । ମୁଣ୍ଡକୋଡ଼ି କାନ୍ଦୁଚି । ଦର୍ଶକମାନଙ୍କ ଭିତରେ ଗୋଳମାଳ ଖେଳିଗଲା । ଯେତେ ଯିଏ ବୁଝାଇଲେ ପିଲାଟି ବା ତା’ର ମା’ କେହି କିଛି ଶୁଣୁନାହାନ୍ତି କି କିଛି ବୁଝୁନାହାନ୍ତି । କିଛି ବି କହିପାରୁନାହାନ୍ତି । ଚାରି ପାଞ୍ଚ ବର୍ଷର ପିଲାଟି ଖାଲି କହୁଚି ମତେ ଛାଡ଼ ଲୋ ମୁଁ ମୋ ବା ପାଖକୁ ଯିବି ।

 

ଧୀରେ ଧୀରେ ତା’ର ପାଟି ଖୁବ୍‌ ଜୋରରେ ହେଲା । ମଣ୍ଡପ ଉପରେ ଅଭିନେତାମାନେ ଅଭିନୟ ବନ୍ଦକରି ଠିଆହୋଇଗଲେ । ଡ୍ରପ ସିନ ପକାଇବା ନିମନ୍ତେ ନିର୍ଦ୍ଦେଶକ ହୁଇସିଲ ବଜାଇଲେ । ଦୁର୍ଯ୍ୟୋଧନ ସଭାରୁ ଉଠି ମଣ୍ଡପର ଶେଷ ସୀମାଯାକେ ଧାଇଁଆସି ଡ୍ରପ ସିନ ପଡ଼ିବା ଅବସ୍ଥାରେ ତଳକୁ ଡେଇଁପଡ଼ି ଡାକିଲା ‘‘ବାବାରେ, ମୋ ଧନରେ ମୋ ବିନୋଦରେ’’-। ପଛେ ପଛେ ତା’ର ଧାଇଁଆସିଲେ ଦି’ଜଣ ଉଆଡ଼ର । ବନ୍ଧୁକରେ ଦି’ଜଣଯାକ ଦି’ଡିହ ପକାଇଲେ ତା’ ପିଠିକି । ତଥାପି ସେ ମାନୁନାହିଁ, ଆଗକୁ ମାଡ଼ିଚାଲୁଚି । ଦି’ଜଣଯାକ ଉଆଡ଼ର ତା’ ଅଣ୍ଟାରେ ବନ୍ଧା ହୋଇଥିବା ଚାଦରଟାକୁ ଧରି ପଛକୁ ଓଟାରି ଧରିଲେ । ଅତି ବିକଳରେ ସେ ଓଟାରି ହେଉଥାଏ ଆଗକୁ, ଆଉ ଡାକ ଛାଡ଼ୁଥାଏ–ମୋ ବିନିରେ ମୋ ଧନରେ ।

 

ଦର୍ଶକ ଗହଳି ପଛଆଡ଼ୁ ଲୋକଙ୍କୁ ମାଡ଼ିମକଚି ଧାଇଁଚନ୍ତି; ଆଗକୁ ଦି’ଜଣ–ଜଣେ ସ୍ତ୍ରୀଲୋକ–ଲଙ୍ଗଳା ମୁକୁଳା ହୋଇ ଆରଟି ତା’ ସାନ ପୁଅଟି । –ବା ହେ, ମୋ ବା ହେ । ହାଁ ହାଁ କହି ଅଟକାଇଲେ ମାନୁଚି କିଏ ? ଜ୍ଞାନ ବା ଅଛି କାହାର ? ଜେଲର ଧାଇଁଆସିଲେ । ସୁପରିଣ୍ଟେଣ୍ଡେଣ୍ଟ ଓ ମାଜିଷ୍ଟ୍ରେଟ ଉଠିପଡ଼ିଲେ । ଦେଖିଲେ ଦୁର୍ଯ୍ୟୋଧନ କୋଳକୁ ଡେଇଁପଡ଼ିଚି ପିଲାଟି । ଛାତିଉପରେ ତାକୁ ଜାବୁଡ଼ିଧରି ଦୁର୍ଯ୍ୟୋଧନ ଅତି ବିକଳରେ କାନ୍ଦୁଚି ଏବଂ ତା’ ଛାତି ଉପରେ ମୁଣ୍ଡ ପିଟି ପିଲାଟି କହୁଚି, ବା ଘଲକୁ ଚାଲ ଯିବା ।

 

ପିଲାଟି କଥା କହିପାରୁନାହିଁ । ପାଟି ତା’ର ଅଠା ଅଠା ହୋଇଯାଉଚି । ବାଇବିଛି ପରି ହୋଇ ସେ ଦୁର୍ଯ୍ୟୋଧନର ବେକଟାକୁ ଜାବୁଡ଼ି ଧରି ନାଠି ହୋଇଯାଉଚି । କାଠ ଭଳି ଘଡ଼ିଏ ନିସ୍ତେଜ ନିଶ୍ଚଳ ହୋଇଯାଉଚି । ଆଉ ଦୁର୍ଯ୍ୟୋଧନର ପାଦ ଦି’ଟାକୁ ଧରି ତଳେ ଲୋଟିଯାଉଚି ସ୍ତ୍ରୀଲୋକଟି । ତା’ ଗୋଡ଼ ଉପରେ ମୁଣ୍ଡ ପିଟିଦେଉଚି ।

 

ଜଣେ ନାରୀ ଉଆଡ଼ର ଆସି ସ୍ତ୍ରୀଲୋକଟାକୁ ଛଡ଼ାଇଦେବାକୁ ବହୁ ଚେଷ୍ଟା କରୁଚି । ଜଣେ ଭଦ୍ରମହିଳା ଆସି ତା’ର ପଣନ୍ତଟାକୁ ଧରି ଟାଣୁଚନ୍ତି ଏବଂ କହୁଚନ୍ତି ଆଲୋ ବନବୋଉ ମତେ ଏତେ ହଟହଟା କରଉଚୁ କିଆଁ ? ଉଠିଆ, ଛାଡ଼ିଦେ । ଆ ଘରକୁ ଯିବା ।

 

ସେପଟେ ଉଆଡ଼ର ଦି’ଜଣ ପ୍ରାଣପଣେ ଭିଡ଼ୁଚନ୍ତି ଦୁର୍ଯ୍ୟୋଧନକୁ । ପିଠିରେ ତା’ର ଦୁମଦାମ ବନ୍ଧୁକ ଗେବ ବସାଇଦେଇ କହୁଚନ୍ତି, ଛାଡ଼ିଦେ । ଛାଡ଼ ତାକୁ । ନଇଲେ ଆଉରି ଦି’ପୁଞ୍ଜା କସିଦେବୁଁ ।

 

ମାଜିଷ୍ଟ୍ରେଟ ଶାସନ କରିଦେଲେ ଥାଉରେ ଉଆଡ଼ର, ମାରନା ।

 

ସୁପରିଣ୍ଟେଣ୍ଡେଣ୍ଟ ରୁମାଲରେ ଆପଣାର ଆଖି ପୋଛି ହୁକୁମ ଦେଲେ–ଛାଡ଼ି ଦେ ଉଆଡ଼ର । ତା’ର ଛୁଆ ସେ । ତା’ର ସ୍ତ୍ରୀ ସେ । ତମର କଅଣ ସ୍ତ୍ରୀ ପିଲା ନାହାନ୍ତି କିରେ ?

 

ଅଭିନୟ ବନ୍ଦ ହୋଇଗଲା । ବହୁ କଷ୍ଟରେ ବାପଠାରୁ ଛଡ଼ାଇ ପିଲାଟିକି ଏବଂ ତା’ ମାଆକୁ ଜେଲ୍ ହତା ଭିତରୁ ବାହାରକୁ ଅଣାଗଲା । ଯେଉଁ ଭଦ୍ର ମହିଳା ସେ ସ୍ତ୍ରୀଲୋକଟିର ହାତ ଧରି ଓଟାରି କହୁଥିଲେ ‘ବନବୋଉ ମତେ ଏତେ ହଟହଟା କରନା ।’ ତାଙ୍କରି ଘରେ ସେ ତା’ ଛୁଆଟିକି ଧରି ଚାକିରି କରୁଚି । ତାଙ୍କରି ସାଙ୍ଗରେ ଆସିଥିଲା ଅଭିନୟ ଦେଖିବା ଲାଗି । କେହି ଅବଶ୍ୟ ଜାଣିନଥିଲେ ଯେ ତା’ର ସ୍ୱାମୀ କଏଦୀ ହୋଇ ଏଇ ଜେଲରେ ଅଛି ବୋଲି ।

 

ଛଅମାସ ତଳେ ଅତି ଅଭାବରେ ପଡ଼ି ସ୍ୱାମୀ ତା’ର ଚୋରିକରି ଧରାପଡ଼ି ବିଚାର ପରେ ଜେଲ୍ ଭୋଗୁଚି । ପିଲାଟି ବାପାକୁ ଅତି ସ୍ନେହ କରୁଥିଲା । ବାପାକୁ ଛାଡ଼ି ଦଣ୍ଡେ ରହିପାରେ ନାହିଁ । ବାପ ଜେଲ୍ ଆସିଲାଦିନୁ ସଦାବେଳେ ସେ ଝୁରିହେଉଚି । ଏଣେତେଣେ ଏକୁଟିଆ ଠିଆହୋଇ ବାଡ଼େଇପିଟି ହୋଇ ଡାକ ଛାଡ଼ୁଚି ବା, ହେ ବା, ବାପା ହେ, କୁଆଲେ ଗଲ । ମତେ ନେଇଯାଅ । ମୁଁ ତମ ପାଖକୁ ଯିବି । ବୋଉ ଯେତେପ୍ରକାର ବୁଝାଇଲେ ବୁଝୁନାହିଁ । ଅତି ଅଭାବରେ ପଡ଼ି ସେ ସହରକୁ ଆସି ଜଣେ ବାବୁଘରେ ଚାକିରି କରିଚି ।

 

ଭଦ୍ରମହିଳାଟି ବଡ଼ କଷ୍ଟରେ ଚାକରାଣୀ ଓ ତା’ ପୁଅଟିକୁ ଭୁଲାଇ ବସାକୁ ନେଲେ । ମାତ୍ର ପିଲାଟି ଖାଲି ବାଡ଼େଇପିଟିହୋଇ କାନ୍ଦିଲା ଏବଂ ରାତି ଗୋଟାକ ବେଳକୁ ଅଜ୍ଞାନ ହୋଇଗଲା । ଯେତେ ଚେଷ୍ଟା କଲେ ସୁଦ୍ଧା ଜ୍ଞାନ ତା’ର ଫେରିଲା ନାହିଁ । ଶେଷକୁ ତାକୁ ହାସପାତାଳକୁ ନିଆଗଲା । ମାଆ ତା’ର ସାଙ୍ଗରେ ଥାଏ । ହାସପାତାଳର ମେଜିଆ ଉପରେ ମୁଣ୍ଡପିଟି ଅତି ବିକଳରେ କାନ୍ଦୁଥାଏ ମା’ ଧନରେ, ମୋ ବିନରେ ! ମୁଣ୍ଡ ଫାଟି ରକ୍ତଧାର ବହିଯାଉଥାଏ । ନର୍ସମାନେ ଏବଂ ଦରୁଆନ ତାକୁ ବାହାରକୁ ଭିଡ଼ିଆଣି ଦଶଥର ଛାଡ଼ୁଥାଆନ୍ତି ପୁଣି ସେ ଦଶଥର ଧାଇଁଯାଉଥାଏ ରୋଗୀର ଖଟିଆ ପାଖକୁ । ବହୁ ଚେଷ୍ଟା ପରେ ବି ପିଲାଟାର ଜ୍ଞାନ ଫେରିଲା ନାହିଁ ।

 

ସିଭିଲସର୍ଜନଙ୍କ କାନକୁ ଖବର ଗଲା । ସେ ନିଜେ ଆସି ପରୀକ୍ଷା କରି ଦେଖିଲେ ଏବଂ ଇଞ୍ଜେକସନ ଦେଲେ, ଅକସିଜେନ ଦିଆଇଲେ । ତଥାପି ଦିନ ଆଠଟା ବେଳକୁ ପିଲାଟି ମରିଗଲା । ବଞ୍ଚିଲା ନାହିଁ, ବଞ୍ଚିପାରିଲା ନାହିଁ; ଶରୀରରେ ରୋଗ ତା’ର କିଛି ନଥିଲା । ରୋଗ ଥିଲା ତା’ ମନଭିତରେ । ସୁତରାଂ ଡାକ୍ତରଙ୍କ ଔଷଧର ଗତି ତେତେଦୂର ଯାକେ ପହୁଞ୍ଚିପାରିଲା ନାହିଁ । ମୃତ ଶବଟାର ମୁଣ୍ଡଟିକୁ ଡାହାଣ ହାତରେ ଟେକିଧରି ଗହିଡ଼ିଆ ଦୀର୍ଘନିଃଶ୍ୱାସଟିଏ ଟାଣିନେଇ ସିଭିଲସର୍ଜନ ସାହେବ ବିଛଣା ଉପରକୁ ଛାଡ଼ିଦେଲେ । ହାସପାତାଳରେ ସିଭିଲସର୍ଜନ ସେ ଏବଂ ଜେଲ୍‍ଖାନାର ସୁପରିଣ୍ଟେଣ୍ଡେଣ୍ଟ ସେଇ । କାଲି ରାତିର ମର୍ମବିଦାରୀ ମିଳନ ପରେ ଆଜିର ଏ କରୁଣ ଦୃଶ୍ୟ । ସିଭିଲସର୍ଜନ ସାହେବ ହାସପାତାଳ ଛାଡ଼ି ବସାକୁ ପଳାଇଗଲେ । ଅତି ଚିନ୍ତିତ ଭାବରେ ଶୋଇଲା ଖଟଟି ଉପରେ ଚିତ୍‌-ହୋଇ ପଡ଼ିଗଲେ ।

 

ସ୍ତ୍ରୀ ଆସି ପାଖରେ ଛିଡ଼ାହୋଇ ପଚାରିଲେ ଘଟଣା କ’ଣ ? କିଛି ଦୁଃସମ୍ୱାଦ ଆସିଛି କି ଏତେ ଚିନ୍ତିତ କାହିଁକି ?

 

ଘଡ଼ିକ ପରେ ନିଜକୁ ବହୁ କଷ୍ଟରେ ସମ୍ଭାଳିନେଇ ସ୍ତ୍ରୀଙ୍କୁ ଘଟଣାଟି କହିଗଲେ ।

 

ଦୀର୍ଘନିଃଶ୍ୱାସ ଟାଣି ସ୍ତ୍ରୀ ତାଙ୍କର ପଚାରିଲେ–ଏ ନିରୀହ କୋମଳ ଶିଶୁଟିର ହତ୍ୟାକାରୀ ତେବେ କିଏ ?

 

ଏ ପ୍ରଶ୍ନର ଉତ୍ତର ଦେଇପାରିନାହାନ୍ତି ଡାକ୍ତର ସାହେବ ।

★★★

 

ତମିରୁଦ୍ଦିନ ମିଆଁ

 

ଇଂରେଜ ସରକାର ଭାରତ ଛାଡ଼ି ଗଲାବେଳକୁ ଭେଦନୀତିର ଚରମ ଅସ୍ତ୍ର ପ୍ରୟୋଗ କରି ଚାଲିଯାଇଛି । ଭାରତଭୂଇଁ ପାକିସ୍ଥାନ ଓ ଭାରତ ଇଉନିୟନ ଏହିପରି ଦୁଇଭାଗରେ ବିଭକ୍ତ ହୋଇଚି । ପଶ୍ଚିମ ପଞ୍ଜାବ ଓ ପୂର୍ବବଙ୍ଗରେ ହିନ୍ଦୁ ଧ୍ୱଂସ ଚାଲିଚି । ଧର୍ମ ଓ ମହମ୍ମଦ ନାମରେ ମୁସଲମାନ ସମ୍ପ୍ରଦାୟ ସଂଖ୍ୟା ନ୍ୟୂନ ହିନ୍ଦୁ ପରିବାରଗୁଡ଼ିକ ଉପରେ ଅମାନୁଷିକ ଅତ୍ୟାଚାର ଚଳାଇଛନ୍ତି । ସେଠା ସରକାର ଗୁଣ୍ଡାଙ୍କୁ ସାହାଯ୍ୟ କରୁଛନ୍ତି । ଘରଦ୍ୱାର ଛାଡ଼ି, ପିଲା ବାଳକ ଛାଡ଼ି, ବଣଜଙ୍ଗଲ ବାଟଦେଇ ଯେ କେତେଜଣ ପାରୁଛନ୍ତି ଭାରତ ସୀମା ଭିତରକୁ ପଳାଇଆସୁଛନ୍ତି । ଯେ କେତେଜଣ ରହିଯାଉଛନ୍ତି ସେମାନେ ହୁଏତ ଧର୍ମ ତ୍ୟାଗକରି ମୁସଲମାନ ହୋଇଯାଉଚନ୍ତି, ନଚେତ ଗୁଣ୍ଡାଦଳଙ୍କ ଛୁରାମାଡ଼ରେ ପ୍ରାଣତ୍ୟାଗ କରୁଛନ୍ତି ।

 

ରେଳଗାଡ଼ି ଆସୁଛି, ଭାରତ ସୀମାରେ ପହୁଞ୍ଚିଲାବେଳକୁ ଦେଖାଯାଉଚି କେବଳ ହଜାର ହଜାର ସଂଖ୍ୟାର କଟାମୁଣ୍ଡ ଗୁଡ଼ିଏ, ନଚେତ କବନ୍ଧ ଗୁଡ଼ିଏ । ଘରେ ଘରେ ନିଆଁ ଲଗାଇ ଦିଆଯାଉଅଛି । ଛୋଟ ଛୋଟ ଛୁଆମାନଙ୍କ ଛାତିରେ ମୋଟା କଣ୍ଟା ମାରି କାନ୍ଥରେ ଝୁଲାଇ ଦିଆଯାଉଅଛି । ମାଆଠାରୁ ଛୁଆଙ୍କୁ ଛଡ଼ାଇନେଇ ମାଆଆଗରେ ଅତି କରୁଣଭାବରେ ମାରି ଦିଆଯାଉଅଛି । ବାପ ଓ ସ୍ୱାମୀକୁ ବାନ୍ଧିପକାଇ ଯୁବତୀ ଝିଅ ଓ ସ୍ତ୍ରୀ ଉପରେ ପାଶବିକ ଅତ୍ୟାଚାର କରାଯାଉଅଛି । ଝିଅ ବୋହୂଙ୍କୁ ବଳାତ୍କାରରେ ଭିଡ଼ିନିଆଯାଇ ମୁସଲମାନ ପିଲାଙ୍କ ସହ ବିବାହ କରାଇ ଦିଆଯାଉଅଛି । ଅତି ଭଦ୍ର, ଅତି ସମ୍ଭ୍ରାନ୍ତ ଘରର ସ୍ତ୍ରୀ ପିଲାଙ୍କୁ ନିତ୍ୟାନ୍ତ କୁତ୍ସିତ ଦରିଦ୍ର ଅକର୍ମଣ୍ୟ, ରୁଗ୍ଣ ଲୋକ ହାତରେ ଛାଡ଼ି ଦିଆଯାଉଅଛି ଉପଭୋଗ କରିବାପାଇଁ । ହିନ୍ଦୁଙ୍କ ସମ୍ପତ୍ତିବାଡ଼ି ଲୁଟତରାଜ କରି ନିଆଯାଉଅଛି । ଅତି କରୁଣ ଅତି ବୀଭତ୍ସ କାହାଣୀମାନ ପ୍ରତିଦିନର ଖବରକାଗଜରେ ବାହାରୁଚି । ବିହାରରେ ହିନ୍ଦୁମାନଙ୍କ ଭିତରେ ତା’ର ପ୍ରତିକ୍ରିୟା ଦେଖାଦେଲାଣି ।

 

ଠିକ୍‌ ଏଇ ଭୟାବହ ସମୟର ଗୋଟିଏ ଘଟନା । ପୂର୍ବବଙ୍ଗର ମୁସଲମାନବହୁଳ ଗୋଟିଏ ଗ୍ରାମ । ବୁଢ଼ାବାପ ଓ ଗୋଟିଏ ପୁଅ । ଗୋଟିଏ ସମ୍ଭ୍ରାନ୍ତ ପରିବାର । ମା’ ଅନେକଦିନରୁ ମରିଯାଇଚି । ଚାକର ଚାକରାଣୀ ଦି’ଚାରିଟି । ପୁଅଟି ଉଚ୍ଚ ଶିକ୍ଷିତ ହେଲେହେଁ–ଗୁଣ୍ଡା ଶ୍ରେଣୀର । ପାକିସ୍ଥାନରେ ତଥାକଥିତ ଧର୍ମଯୁଦ୍ଧରେ ସେ ଯୋଗଦେଇଚି । ନାଁ ତା’ର ମଗବୁଲ୍‍ । ବାପାଙ୍କ ନା ତମିରୁଦ୍ଦିନ । ଯୁବକ ଯୁଆନ ଭେଣ୍ଡା । ଛୁରା ଆଉ ବନ୍ଧୁକ ଧରି ବାହାରିପଡ଼ିଚି ଧ୍ୱଂସଲୀଳାରେ ଗୁଣ୍ଡା ଦଳକୁ ପୂର୍ଣ୍ଣ ପ୍ରାଣରେ ସାହାଯ୍ୟ କରିବାପାଇଁ । ଉଚ୍ଛୃଙ୍ଖଳ ଯୁବକ ଓ ଦୁଷ୍ଟଦଳଙ୍କୁ ସୁବିଧା ମିଳିଯାଇଚି-। ନିରୀହ ସଂଖ୍ୟାନ୍ୟୂନ ସମ୍ପ୍ରଦାୟ ଉପରେ ନିରଙ୍କୁଶ ଅତ୍ୟାଚାର ଚଳାଇବାକୁ ସମସ୍ତ ପ୍ରକାର ସୁବିଧା ଦେଉଚି ଦେଶର ଶାସନକାଳ । ନାରୀ ଆଉ ସୁରା ପ୍ରଚୁର ମିଳୁଚି । ଲୁଟତରାଜରେ ଧନରତ୍ନ ଅପର୍ଯ୍ୟାପ୍ତ ହସ୍ତଗତ ହେଉଚି । ଯୁବକ ମଗବୁଲ୍‍ ହୋସେନ୍‍ ସକାଳେ ଆଜି ଗୋଟିଏ ଅତି ସମ୍ଭ୍ରାନ୍ତ ହିନ୍ଦୁ ଘରର ଉଚ୍ଚଶିକ୍ଷିତା ଯୁବତୀ ଝିଅଟିକି ଧରିଆଣି ଘରେ ଗୋଟିଏ ବଖରା ଭିତରେ ବନ୍ଦକରି ତାଲାଦେଇ ଚାବିକାଠି ନେଇ ଚାଲିଯାଇଚି ଗୁଣ୍ଡାଦଳଙ୍କ ସହିତ ନୂତନ ଅଭିଯାନ ଲାଗି-। ଘରେ ଚାକରାଣୀକି କହିଯାଇଚି–ଖୋଲିବ ନାହିଁ ଖବର୍‌ଦାର୍‌ । ଯିଏ ଖୋଲିବ ତାକୁ ମୁଁ କତଲ କରିଦେବି । ଆସେ ସଞ୍ଜକୁ–ରାତିରେ ମଉଜ ହେବ ।

 

ଶୁଣିଚି ଝିଅଟା । ଅନ୍ଧକାର କୋଠରୀଟି ଭିତରେ ଏକୁଟିଆ ପଡ଼ି କାଠ ପରି ହୋଇଯାଇଚି । ଆରକଡ଼କୁ ଥିବା ଛୋଟ ଝରକାଟିରେ ମୋଟା ମୋଟା ଲୁହାର ରେଲିଂ । ପଟାର କବାଟରେ ତାଲା ପଡ଼ିଚି । ଯୋଡ଼ା କାଠପଟାର ସାମାନ୍ୟ ଫାଙ୍କବାଟେ ସୂର୍ଯ୍ୟକିରଣର ଅତି ସାମାନ୍ୟ ଅଂଶ ଘରଭିତରକୁ ପଡ଼ୁଚି । ଘୋର ଅନ୍ଧକାର ଭିତରେ କ୍ଷୀଣ ଆଲୋକ ରେଖା ସେତିକି ମାତ୍ର । ତାରି ପାଖରେ ଠିଆହୋଇ ବାହାରର ମୁକ୍ତ ବାୟୁ ପାଇବାର ଆଶା କରି ବାଳିକାଟି ସୁଁ ସୁଁ ହୋଇ କାନ୍ଦୁଚି । ମୁକ୍ତିର ଉପାୟ ନାହିଁ । ଏ ଘରର ବାହାରକୁ ପକ୍‌କା ପାଚେରୀ ଏବଂ ଆହୁରି ବହୁତ ଘର ।

 

କିଛି କୁଆଡ଼େ ଦିଶୁନାହିଁ । କେବଳ ଆସିଲାବେଳେ ଯାହା ସେ ଦେଖିଆସିଥିଲା–ସେଇଥିରୁ ଅନୁମାନ–ଅତି ଭୟଙ୍କର ଏ କାରାଗାର । ଜଗୁଆଳି ତିନିଚାରିଟି ଚାକର ଚାକରାଣୀ । ନିରାଶ ପ୍ରାଣରେ ଭଗବାନଙ୍କୁ ସ୍ମରଣ କରି କେବଳ ସୁଁ ସୁଁ ହୋଇ କାନ୍ଦୁଚି । ଆଖି ଲୁହ ନିଗିଡ଼ିପଡ଼ୁଚି ବକ୍ଷ ଉପରକୁ । ଭାବୁଚି–

 

ବାପା କୁଆଡ଼େ ଗଲେ । ମା’, ଭାଇ, ଭଉଣୀ, ଚାକର, ଚାକରାଣୀ, କୋଠାଘର, କେତେ ସମ୍ପତ୍ତିବାଡ଼ି କୁଆଡ଼େ ସବୁ ଗଲା । କଲେଜରେ ସେ ପଢ଼େ । ମଟରଗାଡ଼ିରେ ଘରର ଡ୍ରାଇଭର କଲେଜରେ ଛାଡ଼ିଦେଇ ଆସେ ପୁଣି ନେଇଆସେ । ଗତ ରାତିରେ ‘‘ଆଲ୍ଲା ହୋ ଆକବର’’ ରାବ ଉଠାଇ ହଜାର ହଜାର ଲୋକ କବାଟ ଭାଙ୍ଗି ଘରଭିତରକୁ ପଶିଗଲେ । ଦୋମହଲା ଘରେ ଗୋଟାଏ କୋଠରୀ ଭିତରେ ମାଆଙ୍କ ପାଖରେ ସେ ଶୋଇଥିଲା । ସାନ ସାନ ଭାଇ ଦୋଟିଙ୍କି ତୀକ୍ଷ୍ମ ଛୁରା ମାରି ଚାହୁଁ ଚାହୁଁ ମାରିପକାଇଲେ ଦୁର୍ଦ୍ଦାନ୍ତ ରାକ୍ଷସଦଳ । ମା’ ପଛରେ ଲୁଚିବାକୁ ନିଜେ ଚେଷ୍ଟା କଲା । ମାତ୍ର ଛଡ଼ାଇ ଭିଡ଼ିଆଣିଲା ଏଇ ମଗବୁଲ୍‍ ହୋସେନ୍‌ । ଜାଣେନା ତା’ପରେ କଅଣ କଅଣ ଘଟିଲା । କିଏ ମଲେ କିଏ ବାହାରିଲେ ।

 

ଅତି ବିକଳ ଲାଗିଲା । ଝରକା ପଟାରେ ଢୁ ଢୁ ମୁଣ୍ଡ ପିଟି ବାଳିକାଟି ଭୋ ଭୋ କାନ୍ଦିଉଠିଲା । କାନ୍ଦିବା ଭିତରେ ଅଜ୍ଞାନ ହୋଇ ସେ କାନ୍ଦିଲା । ମେଜିଆ ଉପରେ ଦୁଲ୍‌କିନା କଚାଡ଼ି ହୋଇପଡ଼ି କାନ୍ଦିଲା ।

 

ଦୁଆର କବାଟରେ କିଏ ହାତ ମାରି ପାଟିକରିଉଠିଲା–କିଏ କାନ୍ଦୁଚି ଏ ଘରେ ? କିଏ ତାଲା ଦେଇଚି । ଜଲଦି ଫିଟାଅ ।

 

ଚାକରଟିଏ ଦୌଡ଼ିଆସି ହାତଯୋଡ଼ି କହିଲା–ହଜୁର ମଗବୁଲ୍‍ ସାହେବ ମନା କରିଯାଇଚନ୍ତି ଖୋଲିବାକୁ ।

 

କୋନ୍‌ ମଗବୁଲ୍‌ ହୋସେନ୍‌ । ଫିଟାଓ ଜଲଦି ।

 

ହୁକୁମ ହୁକୁମ ନାଇଁ ।

 

କିସକା ହୁକୁମ୍‌ ? ହାମ୍‌ ଏ ଘରକା ମାଲିକ । ହାମ୍‍ ବୋଲତା ଖୋଲୋ ।

 

ଚାବି ନାହିଁ ହଜୁର ।

 

ତାଲା ଭାଙ୍ଗ ଦୋ ।

 

ତାଲା ଭାଙ୍ଗି ଦିଆଗଲା ।

 

ପାକଲା ଦାଢ଼ିଆ ପଁଷଠୀ ବର୍ଷର ବୁଢ଼ା ତମିରୁଦ୍ଦିନ ମିଆଁର ହୁକୁମ । ଅଣ୍ଟା ନଇଁଆସିଲାଣି । ମୁଣ୍ଡ ଆଉ ଆଖିପତାର ସବୁଯାକ ବାଳ ପାଚି ଧଳାପଡ଼ିଗଲାଣି । ଆଖି ଦି’ଟା ଲାଲ୍ ଟହ ଟହ । ଦିହ ଥରୁଚି । ରାଗରେ ତମତମ ହୋଇ ଦୁଲ୍‌କିନା କବାଟ ଦି’ଟାକୁ ବାଡ଼େଇ ମେଲା କରିଦେଲା ।

 

ଘରଭିତରେ ପଡ଼ିଥିବା ଅର୍ଦ୍ଧଅଜ୍ଞାନ ଅବସ୍ଥାରେ ପାତଳୀ ଷୋଳ ସତର ବର୍ଷର ଝିଅଟି ବରଡ଼ା ପତ୍ରପରି ଥରୁଚି–ଭୟରେ । ଦୁଲଦୁଲ ପାଦ ପକାଇ ତମିରୁଦ୍ଦିନ ଘରଭିତରକୁ ପଶି କହିଲା–ଉଠ ମା’, ତୁ କିଏ ? କାହା ଝିଅ ? ତତେ କିଏ ଏଠିକି ଆଣିଲା ?

 

କିଛି ଉତ୍ତର ଦେଇପାରିଲା ନାହିଁ ବାଳିକାଟି । ଏକ ଲୟରେ ଅନାଇ ରହିଲା । ଧାର ଧାର ଲୁହ ଦିଧାର ବହିଯାଉଥାଏ । ବୁଢ଼ା ଲଇଁପଡ଼ି ହାତ ବଢ଼ାଇ ଡାକିଲା–ଉଠ ମା’, ମୁଁ ତୋର ବାବା । ହିନ୍ଦୁ ହ’ ମୁସଲମାନ ହ’ ତୁ ମୋର ଧରମ ଝିଅ । ମୋ ନାଁ ତମିରୁଦ୍ଦିନ ମିଆଁ । କୋରାନ ଯେବେ ଠିକ୍, ମୁଁ ଯେବେ ଠିକ୍‌ ମୁସଲମାନ, ତେବେ କହୁଚି, ମୁଁ ବଞ୍ଚିଥିବାଯାକେ ତତେ ଆଉ କେହି ଛୁଇଁପାରିବେ ନାହିଁ ।

 

ବାଳିକାଟି ଉଠି ବସିଲା । ଜୁହାରକରି କହିଲା–ବାବା, ମୁଁ ତମର ଗୋଟାଏ ହିନ୍ଦୁଝିଅ । ଏଇ ଘରର କିଏ ଜଣେ ଯୁବକ ମତେ ନେଇଆସିଛି । ମୁଁ ମୋ ବାବା, ମା’ ପାଖକୁ ଯିବି ।

 

‘‘ଯିବୁ ମା’ ଯିବୁ, ମୁଁ ତତେ ନିରାପଦରେ ଛାଡ଼ିଦେଇ ଆସିବି । ତମିରୁଦ୍ଦିନ ମିଆଁ ବଞ୍ଚିଥିବାଯାକେ ଏ ଘରେ କାହାରି ଉପରେ ଅତ୍ୟାଚାର ହୋଇପାରିବ ନାହିଁ । ଆସୁ ସେ ଟୋକା । ସେ ମୋରି ପୁଅ । ଆଜି ମୁଁ ତାକୁ କତଲ କରିବି । ସେମିତିଆ ଗୁଣ୍ଡାପୁଅ ମୋର ବଞ୍ଚିରହିବା ଦରକାର ନାହିଁ ।’’

 

ତମ ତମ ହୋଇ ବୁଢ଼ା ଧାଇଁଗଲା । ଗୋଟାଏ ଛୁରା ଆଣି ସେଇ ଘରର ଦୁଆର ବନ୍ଧ ଉପରେ ବସିରହିଲା । କବାଟ ଦି’ଟା ସେମିତି ମୁକୁଳା ଥାଏ । କହିଲା–ନିର୍ଭୟରେ ବସିଥା ମା’ । କଅଣ ଖାଇବୁ ତ କହ । ଅଣାଇଦେବି, ମୁଁ ଏଇଠି ବସିରହିଲି–ମଗବୁଲ୍‍ ଆସିବାଯାକେ । ଜନ୍ମ କରିଥିଲି ତାକୁ ଆଜି ମୁଇଁ କତଲ କରିବି ।

 

ଚାକର ଚାକରାଣୀ ବୁଢ଼ାର ବିଶ୍ୱମୂର୍ତ୍ତି ଦେଖି ଭୟରେ ଥରିଲେ । ବୁଢ଼ା କିଛି ଖାଇଲା ନାହିଁ କି ପିଇଲା ନାହିଁ । ଧୀରେ ଧୀରେ ଚାରିଟା ବାଜିଲା । ସଞ୍ଜ ହେଲା । ମଦ ପିଇ ଆଖି ଲାଲ୍ କରି କେତେ ଜାଗାରେ କେତେ ଗୁଣ୍ଡାଗିରି କରି ଆସିଚି ମଗବୁଲ୍‍ ହୋସେନ୍‌ । ଦିହ ହାତ, ପୋଷାକପତ୍ର ଲାଲେଲାଲ, ରକ୍ତାକ୍ତ । ଅଗଣା ଭିତରକୁ ପଶିଆସି ଦେଖିଲା ବନ୍ଦକରି ଯାଇଥିବା କବାଟ ମୁକୁଳା ପଡ଼ିଚି । ଗର୍ଜିଉଠିଲା ରାକ୍ଷସ ଭଳି–କୋନ୍‌ ଖୋଲା ?

 

ଗର୍ଜିଉଠିଲା–ବୁଢ଼ାବାପ–ହମ ଖୋଲା–ତେରା ବାବା–ତମିରୁଦ୍ଦିନ ମିଆଁ । ଆଜି ମୁଁ ତତେ କତଲ କରିବି । କିସକା ବେଟା କ୍ୟା ହୋଗିୟା ?

 

ଗର୍ଜନ କରି ଧାଇଁଆସିଲା ମଗବୁଲ୍‍ ହୋସେନ୍‌ । ବାଘ ମୁହଁରୁ ଶିକାର ଛଡ଼ାଇ ନେଉଛି ତମିରୁଦ୍ଦିନ ମିଆଁ । ଛୁରା ଧରି ଧାଇଁଆସିଲା ବୁଢ଼ା ଆଗକୁ–ତୁମକୁ ହାମ୍‌ ଛୋରା ମାରଦେଗା ।

 

ଆଓନା ବେଟା–ଠିଆହୋଇଗଲା ବୁଢ଼ା ସଳଖ ହୋଇ ଛୁରାଟାକୁ ହାତରେ ଧରି । ଶତ ସିଂହର ବଳ ତା’ ଦିହରେ ଆଜି । ଅତ୍ୟାଚାର ବିରୁଦ୍ଧରେ ସେ ଅସ୍ତ୍ରଧାରଣ କରିଚି । ବୁଢ଼ା ହାତ ଆଜି ନୈତିକତାର ପ୍ରବଳ ଶକ୍ତି ଘେନି ଟଙ୍କାର ଦେଇ ଉଠୁଚି । ଅନୈତିକତାର ଆଭ୍ୟନ୍ତରୀଣ ଦୁର୍ବଳତାରେ ମଗବୁଲ୍‍ର ନିଶା ଛାଡ଼ିଗଲା । ସେ ଥମକି ଠିଆ ହୋଇଗଲା । ଦିହ ତା’ର ଥରିଉଠିଲା । ହାତରୁ ଛୋରା ଖସିପଡ଼ିଲା । ତଥାପି ଗର୍ଜିଉଠି–ହାଙ୍କିଲା ସେ–ବାବା ବାଟ ଛାଡ଼ । ରାସ୍ତା ଛୋଡ଼ୋ ।

 

ଗର୍ଜିଉଠିଲା ବୁଢ଼ା ଛୁରା ହାତରେ ଧରି–ପୁଅ ଆଡ଼କୁ ମାରିବାଲାଗି ଉଦ୍ୟତ ହୋଇ–ରାସ୍ତା ଭୁଲିଗଲୁଣି ମଗବୁଲ୍‍ ହୋସେନ୍‍ ? ପାଠ ପଢ଼ି ଗୁଣ୍ଡା ହୋଇଗଲୁ ! ତୁ ମୁସଲମାନର ବେଟା-। କୋରାନ କହି ନାହିଁ କାହାରି ଉପରେ ଅତ୍ୟାଚାର କରିବାକୁ । ପରଝିଅ–ମା’, ବହେନ-

 

ଭୁଲ୍ କରିଚୁ ବେଟା । ମୁଁ ତତେ ମାରିଦେବି । ତୁ ତମିରୁଦ୍ଦିନ ମିଆଁର ବେଟା ନହୁଁ ।

 

ଛୋରାଟାକୁ ତଳୁ ଗୋଟାଇନେଇ ବୁଢ଼ାକୁ ଗୋଡ଼ାଇଆସିଲା ମଗବୁଲ୍‌–ମାରଦେଗା ତୁମକୋ–ତମିରୁଦ୍ଦିନ ମିଆଁ ।

 

ତୁମକୋ ଭି ହାମ୍‌ ମାର ଡାଲେଗା, ବଦମାସ ଛୋକରା–ଆଗକୁ ହାତ ବଢ଼ାଇ ଝୁଙ୍କିଆସିଲା ତମିରୁଦ୍ଦିନ ମିଆଁ । ଚାକର ଚାକରାଣୀଏ ଧାଇଁଆସି ଦୂରେଇ ଛିଡ଼ାହୋଇ ଆହା ଉହୁ ହେଲେ । ଘରଭିତରୁ ବାଳିକାଟି ଅଣ୍ଟାରେ କାନିଭିଡ଼ି କବାଟରେ ଝୁଲୁଥିବା ମୋଟା ଲୁହାତାଲାଟାକୁ ଧରି ଧାଇଁଆସି ମଗବୁଲ୍‍ର ଛୋରା ଧରିଥିବା ହାତମୁଠା ଉପରେ ଜୋରରେ ପାହାରେ ପିଟି ଦିହିଙ୍କ ମଝିରେ ଠିଆହୋଇ କହିଲା–ବଦମାସ୍‌ ମଗବୁଲ୍‍–ହଟଯାଓ ।

 

ବାଁହାତରେ ଝିଅଟାକୁ ସିଂହ ବିକ୍ରମରେ ଟାଣିଭିଡ଼ି ଘରଭିତରକୁ ପେଲିଦେଲା ତମିରୁଦ୍ଦିନ ମିଆଁ, କହିଲା–ତୁମ୍ ଯାଓ ବେଟୀ, ଭିତରକୁ ।

 

ମଗବୁଲ୍‍ ଆଣ୍ଠୁମାଡ଼ି ବୁଢ଼ା ଆଗରେ ବସିପଡ଼ି ହାତ ଦୋଟିକି ଯୋଡ଼ି କହିଲା–ବାବା ଭୁଲ୍ ହେଇଚି । ମାଫ୍‌ କର ।

 

ବୁଢ଼ା ଛୁରାଟାକୁ ଧରି ତାରି ଉପରକୁ ଉହୁଙ୍କି ପଡ଼ୁ ପଡ଼ୁ କହିଲା–ମାଫ୍‌ ନାହିଁ ଏ ଅପରାଧର ।

 

ବୁଢ଼ା ହାତର ଉଦ୍ୟତ ଛୁରା ମଗବୁଲ୍‍ର ଛାତିରେ ଭୁସି ହୋଇଯିବା ଉପରେ । ହଠାତ୍‌ ପଛରୁ ତୀର ବେଗରେ ଧାଇଁଆସି ବାଳିକାଟି ଧରିପକାଇଲା ବୁଢ଼ାର ହାତମୁଠାକୁ । କହିଉଠିଲା–ବାବା, ମଗବୁଲ୍‍ ମୋର ଭାଇ ।

 

ଛୁରାଟା ଲକ୍ଷ୍ୟଭ୍ରଷ୍ଟ ହୋଇଗଲା । ବାଳିକାର ଚାପରେ ହାତମୁଠା ଶିଥିଳ ହୋଇଗଲା । ଛୁରା ତଳେ ପଡ଼ିଗଲା । ବୁଢ଼ା ଠିଆ ହୋଇଯାଇ ରାଗରେ ତମ୍ପ ସାପପରି ଗର୍ଜି ଥରେ ବାଳିକା ଆଡ଼କୁ ଥରେ ମଗବୁଲ୍‍ ଆଡ଼କୁ କଟମଟ କରି ଅନାଇଲା । ମଗବୁଲ୍‍ ସେଇଠି ସେମିତି ହାତଯୋଡ଼ି ଆଣ୍ଠୁମାଡ଼ି ବସିଥାଏ । କହୁଥାଏ–ମୋର ଭୁଲ୍ ବାବା । ମୋର ଭଉଣୀ ସେ । ମତେ ମାଫ୍‌ କର ।

 

ସେଇଦିନ ରାତିରେ ତମିରୁଦ୍ଧିନ ମିଆଁ, ଆଉ ମଗବୁଲ୍‍ ହୋସେନ୍‌ ଦି’ଟା ଚାକର ସାଙ୍ଗରେ ଧରି ପାନ୍‍ସି ଡଙ୍ଗାରେ ଝିଅଟିକି ନେଇ ପନ୍ଦର ମାଇଲ ଦୂରରେ ଥିବା ଆଶ୍ରୟ କେନ୍ଦ୍ରରେ ଛାଡ଼ିଦେଲେ । ସେ କେନ୍ଦ୍ରରେ ସେ ଝିଅଟିର ବାପା କ୍ଷତବିକ୍ଷତ ଅବସ୍ଥାରେ ପହଞ୍ଚିଥାଆନ୍ତି । ତମିରୁଦ୍ଦିନ ଘରକୁ ଫେରିଆସିଲେ, ମଗବୁଲ୍‍ ଅନ୍ୟାନ୍ୟ ଆଶ୍ରୟ କେନ୍ଦ୍ର ଖୋଜି ଝିଅଟିର ଅନ୍ୟାନ୍ୟ ଯେଉଁମାନେ ବଞ୍ଚିଥିବେ ଏବଂ ଆଶ୍ରୟ ନେଇଥିବେ ସେମାନଙ୍କୁ ଖୋଜି ବାହାର କରିବା ନିମନ୍ତେ ବାହାରିଲା । ବୁଢ଼ାଠାରୁ ବିଦାୟ ନେଲାବେଳକୁ କୋରାନ ଛୁଇଁ ନିୟମ କଲା–ବାବା, ଏମିତି କାମ ଜୀବନରେ ଆଉ କରିବି ନାହିଁ । ପାକିସ୍ଥାନର ମୁସଲମାନ ଭୁଲ୍ ବାଟ ଧରିଚନ୍ତି । ଗୁଣ୍ଡା ମତାଇ ହିନ୍ଦୁ ନିର୍ଯାତନା ଚଳାଇଛନ୍ତି । ସେ ବାଟ ଭୁଲ୍ ବାଟ । ଧର୍ମ ବ୍ୟକ୍ତିଗତ କଥା । ରାଜନୀତି କ୍ଷେତ୍ରରେ ତା’ର ସମ୍ବନ୍ଧ ନାହିଁ । ସ୍ୱାର୍ଥାନ୍ଧ ପାକିସ୍ଥାନୀ ଗୁଣ୍ଡା ଦଳଙ୍କ ସଙ୍ଗଠନ ଧ୍ୱଂସ ହେଉ । ହିନ୍ଦୁ ଆଉ ମୁସଲମାନ ଦି’ଭାଇ ମିଳିମିଶି ଦି’ଦେଶରେ ଶାନ୍ତିରେ ରହନ୍ତୁ । ଏତିକି ମୋର କାମନା । ଦିଦେଶ ଏକ ଥିଲା । ପୁଣି ଥରେ ଏକ ହେଉ, ଏତିକି ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା ।

★★★

 

ଭାଇ

 

ବାପାଙ୍କର ଆଜି ଜନ୍ମାଷ୍ଟମୀ ଉପାସ । ସଞ୍ଜ ପରେ ତାଙ୍କ ଜଗନ୍ନାଥ ଫଟ ଉପରେ ଫୁଲ ଦିଆଯିବ । ଦଶମସ୍କନ୍ଧରୁ ପାଞ୍ଚଅଧ୍ୟା ବୋଲାଯିବ । ପ୍ରତାପୀ କଂସର ବନ୍ଦୀଶାଳରେ କୃଷ୍ଣ ଜନ୍ମ ହେବେ–ଘୋର ବର୍ଷା ଓ ଅନ୍ଧାର ରାତିରେ । ବନ୍ଦୀଶାଳର ରୁଦ୍ଧ କବାଟ ଫିଟାଇ ମୁଣ୍ଡରେ ବୋହିନେଇ ନଈ ନାଳ ପାରିହୋଇ ନନ୍ଦଘରେ ବସୁଦେବ କୃଷ୍ଣଙ୍କୁ ଛାଡ଼ିବେ; ମହାମାୟାଙ୍କୁ ଘେନି ଲେଉଟି ଆସିବେ । ବୁଢ଼ା ଅଡ଼ର୍ଲି ପିଅନ ଭ୍ରମର ରାଉତଙ୍କ ଝିଅ ଯମୁନା କଣବାଡ଼ିଆ ଫୁଲଗଛଟାରେ ଚଢ଼ି ଫୁଲ ତୋଳୁଛି । ସରୁ ଡାହିରେ ଚଢ଼ିଚି କାହିଁ କେତେ ଉଚ୍ଚରେ । ଫୁଲ ତୋଳି ଅଣ୍ଟିରେ ପୂରାଇଲାବେଳକୁ କେତୁଟା ତଳକୁ ଖସିପଡ଼ୁଛି । ହୁଏତ ଜାଣି ଜାଣି ସେ ସେତକ ଖସାଇ ପକାଉଚି । ତଳେ ଟହଲୁଚି ଡ୍ରାଇଭର–ବାବୁମିଆଁ । ଗୋରା ତକ୍‌ତ୍‌କ୍‌ ଯୁବକ । ପଡ଼ିବା ଫୁଲ କେଇଟା ଗୋଟାଇନେଇ ଉପରକୁ ଅନାଇ ଡାକିଦେଉଚି–ହେ ଯମୁନା ? ଜୀବନକୁ ତୋର କଅଣ ଭରସା ନାହିଁ ? ଓହ୍ଲେଇ ଆ ।

 

କିଶୋରୀ ଯମୁନା–ଆଖିଦୁରୁଶିଆ ହୋଇଉଠିଲାଣି । ତଳକୁ ଚାହିଁ ମୁରୁକି ମୁରୁକି ହସୁଚି-। ଜିଦ୍‌କରି ଆହୁରି ଉଚ୍ଚ ଡାହିକୁ ଉଠିଯାଉଚି । କଳିକା ଫୁଟିଉଠୁଚି । ପ୍ରାଣ-କୁମ୍ଭ ପରିପୂର୍ଣ୍ଣତାରେ ଭରିଆସୁଚି–ଜୀବନର ପୂର୍ଣ୍ଣ ଉତ୍ସାହ ଓ ଉନ୍ମାଦନା ଲାଭ କରିବାଲଗି । ଜିତିବାକୁ ଅଗ୍ରସର ହେଉଚି ସେ, ପରାଜୟକୁ ସେ ମାନିବାକୁ ଚାହେଁନା । ହସିଉଠୁଚି, ଫୁଲ ତୋଳୁଚି । ଫୁଟିଲା ଫୁଲର ଅଣ୍ଟି ତା’ର ପୂର୍ଣ୍ଣ କରୁଚି; ଆନନ୍ଦରେ ଅନ୍ତର ଭରୁଚି । ହସି ହସି ବାବୁମିଆଁ ଆଡ଼କୁ ଦି’ଚାରିଟା ଫୁଲ ଫିଙ୍ଗିଦେଉଚି । ଦେବତପାଇଁ ସେ ଫୁଲ ତୋଳି ସାଇତିରଖୁଚି–ମଣିଷକୁ ବି ଭାଗ ଦେଉଚି-

 

ବାବୁମିଆଁ ପଠାଣ ପିଲା । ଯମୁନା ହିନ୍ଦୁ ଝିଅ । ବାବୁମିଆଁ ଯାହାନିଆ ପିରଙ୍କ ସିରିଣି ଆଣି ଯମୁନାକୁ ଖୁଆଏ ଏବଂ ଭ୍ରମର ରାଉତ ଜଗନ୍ନାଥଙ୍କ ଆଗରେ ଭୋଗ ଲଗାଏ–ଭୋଗ ଆଣି ବାବୁମିଆଁ ହାତରେ ଦିଏ । କିଏ ହିନ୍ଦୁ କିଏ ମୁସଲମାନ ଜଣାପଡ଼େ ନାହିଁ । ବଡ଼ ହତାର ଗୋଟିଏ କଣକୁ ଖଣ୍ଡିଏ ଛୋଟ ବଖରାରେ ରହେ ହାକିମଙ୍କ ଅଡ଼ର୍ଲି ପିଅନ ଭ୍ରମର । ଯମୁନା ଅନେକ ସମୟରେ ଗାଁରୁ ଆସି ବାପାଙ୍କ ପାଖରେ ରହିଯାଏ ।

 

କିଛି ଦୂରରେ ହତା ଭିତରେ ବଡ଼ ଘର । ବାରଣ୍ଡା ଉପରେ ଚୌକି, ଟେବୁଲ ପଡ଼ିଚି । ପାଖରେ ଗ୍ୟାରେଜ ଭିତରେ ମଟରଗାଡ଼ି ଖଣ୍ଡିଏ । ବିବେକାନନ୍ଦ ହରିଚନ୍ଦନ ଯୁବକ ହାକିମ–ଅବିବାହିତା–ସମ୍ଭ୍ରାନ୍ତ–ସରସ ସୁନ୍ଦର ବ୍ୟବହାର । ତାଙ୍କରିଠାରୁ ପ୍ରଶ୍ରୟ ପାଇ ସରକାରୀ ହତା ଭିତରେ ଯମୁନାର ଗତିବିଧି ଅବାଧ ଓ ନିଶଙ୍କୋଚ । ହରିଚନ୍ଦନ ବାବୁ ଗମ୍ଭୀର ନୁହନ୍ତି । ସକାଳ ସାତଟା ହୋଇନାହିଁ । କେହି ତେତେବେଳେ ଆସିନାହାନ୍ତି ଦେଖାକରିବାକୁ । ହରିଚନ୍ଦନ ବାବୁ ଦରଦ-ଭରା କଣ୍ଠରେ ବାରଣ୍ଡା ଉପରୁ କହିଉଠିଲେ–ଏତେ ଉପରକୁ ଉଠନା ଯମୁନା–ଓହ୍ଲେଇ ଆ । ମୋ’ପାଇଁ ଦି’ଟା ଫୁଲ ଆଣେ ।

 

ତଳକୁ ଚାହିଁ ଯମୁନା ମୃଦୁ ମୃଦୁ ହସୁଚି । ହରିଚନ୍ଦନ ବାବୁ ଗାମ୍ଭ୍ୟର୍ଯ୍ୟର ଛଳନା କରି ହସ ଚାପି ଦେଉଚନ୍ତି । ପୂଜାରି ଆସି ଟେବୁଲ ଉପରେ ଚାହା ଜଳଖିଆ ଥୋଇଲା । ଯମୁନା ଗଛରୁ ଓହ୍ଲାଇଆସି ଦେହଟାକୁ ଅଣଓସାରି ଅଳ୍ପ ଦାମିକା ଶାଢ଼ି ଖଣ୍ଡିକରେ ଯଥାସମ୍ଭବ ଢାଙ୍କି ଘୋଡ଼ାଇ କାନିଟାକୁ ଦାନ୍ତରେ କାମୁଡ଼ି ଧରି ଧୀରେ ଧୀରେ ଆଗେଇଆସି ପିଣ୍ଡାତଳେ ଥାଇ ଡେମ୍ଫଲଗା ପୁଳିଏ ଫୁଲ ବଢ଼ାଇଦେଲା–ପିଣ୍ଡା ଉପର ଟେବୁଲ ଉପରକୁ ।

 

ହରିଚନ୍ଦନ ହସସିଦେଇ ହାତ ବଢ଼ାଇଦେଲେ ଏବଂ ଯମୁନା ଅଳ୍ପ ହସି ଆଡ଼େଇ ହୋଇଗଲା । ବୁଢ଼ା ଭ୍ରମର ରାଉତ ନିଜ ପିଣ୍ଡା ଉପରୁ ଆଖିବୁଲାଇ ନେଇ ଦୀର୍ଘନିଃଶ୍ୱାସ ଟାଣୁଚି । ପାଖରେ ଥିବା ଗୋଲାପ ଡାଳରୁ ଫୁଲଟାଏ ଛିଣ୍ଡାଇ ନେବାପାଇଁ ହାତ ବଢ଼ାଇଲା । ଆଙ୍ଗୁଠିରେ କଣ୍ଟା ଫୁଟିଯିବା ସାର ହେଲା ସିନା, ଫୁଲଟି ସେ ତେଳିପାରିଲା ନାହିଁ । ଅନ୍ୟମନସ୍କତାରେ ହାତ ଖସିପଡ଼ିଲା । ଦେଖିଲା ପଶ୍ଚିମ ଚକ୍ରବାଳ ରେଖା ଉପରକୁ ଗତକାଲି ରାତିର ଦରମଉଳା କୃଷ୍ଣପକ୍ଷ ତୃତୀୟା ଚନ୍ଦ୍ରଟା ଅସ୍ପଷ୍ଟ ଦେଖାଯାଉଚି ଏବଂ ତାରି ସିଧାସଳଖ ଘୂରି ଘୂରି ଉଡ଼ିବୁଲୁଚି ଛୋଟ କଳା ଚଢ଼େଇଟାଏ । ହଠାତ୍‌ ତା’ ମନଭିତରେ ପ୍ରଶ୍ନଉଠିଲା–ଏକୁଇ କଅଣ କହନ୍ତି ଚକୋର ପକ୍ଷୀ ?

 

ଡ୍ରାଇଭର ବାବୁମିଆଁ ହାକିମଙ୍କ ଦୃଷ୍ଟି ଉପରୁ ଦୂରକୁ ଆଡ଼େଇ ହୋଇଗଲା । ଦୀର୍ଘନିଃଶ୍ୱାସଟିଏ ଟାଣି ବସିପଡ଼ିଲା ଭ୍ରମରର ସଫାସୁତରା ପିଣ୍ଡାଟି ଉପରେ–ପଚାରିଲା–କଅଣ କରୁଚ ମଉସା ? ଏତେ ସକାଳୁ ଗାଧୋଇସାରି ଚିତାଚଇତନ ସାରି ତ ଦେଲଣି ! ଆଜି ଉପାସ ପରା ! ଠାକୁର ପୂଜା ସାରିଲଣି ।

 

ଯମୁନା ପାଖ ପୋଖରୀରୁ ବୁଡ଼ିପଡ଼ି ଆସି ଓଦା ସଡ଼ ସଡ଼ ଘରଭିତରକୁ ପଶିଗଲା । ବାପ ଆଗକୁ ଫୁଲଗୁଡ଼ାକ ଗୋଟାଏ ଡାଲାରେ ପୂରାଇ ଥୋଇଦେଲା ।

 

ବାବୁମିଆଁ–କଅଣ ଆଜିତୁ ଖାଇବୁ ଯମୁନା ? ତୋର ବି କଅଣ ଉପାସ ?

 

ଯମୁନା ଘରଭିତରୁ ବାହାରକୁ ଅନାଉଚି । ଅଳ୍ପ ଅଳ୍ପ ହସୁଚି । କହୁଚି–ମୁଁ କିଆଁ ଉପାସ କରିବି ? ମୋର କଅଣ ଆଜି କୃଷ୍ଣ ଜନ୍ମ ହବକି, ମୁଁ ମୋର ରାନ୍ଧିବି ବାଢ଼ିବି ଖାଇବି ।

 

ବାପ ହସିଦେଇ ଫୁଲ ଗୁନ୍ଥିବାକୁ ଛୁଞ୍ଚିରେ ସୂତା ଦେଉ ଦେଉ କହିଉଠିଲେ–ତୋର ବି କୃଷ୍ଣ ଦିନେ ଜନ୍ମହେବ ଲୋ ଝିଅ । ତୁ ବି ଉପାସ କରିବୁ ଯେ ।

 

ଯମୁନାର ମନଭିତରେ ବାପାର କଥା ନୂଆ ଭାବ ସୃଷ୍ଟିକଲା । ସେ ମନେମନେ ଗୁମୁରି ଗୁମୁରି ହସିଉଠିଲା । ସେ ବି ବୁଝି ଆସୁଚି ବାପାର କଥା–ପଛରେ କି ଭାବ ଲୁଚିଛପି ପ୍ରକାଶ ପାଉଚି ସେ କିଛି କିଛି ନଜାଣି ଜାଣିପାରୁଚି ।

 

ବାବୁମିଆଁ ଥରେ ଯମୁନାଆଡ଼େ, ପୁଣି ଥରେ ହରିଚନ୍ଦନ ବାବୁଙ୍କ ବଙ୍ଗଳା ଘରଆଡ଼େ ଅନାଇ ତଳକୁ ମୁହଁ ପୋତିଦେଉଚି । ଦୀର୍ଘନିଃଶ୍ୱାସ ଟାଣି ନେଉଚି । ଘରଭିତରେ ଥିବା ଜଗନ୍ନାଥମୂର୍ତ୍ତି ଆଡ଼କୁ ଥରେ ଅନାଉଚି ଏବଂ ଆଖିବୁଲାଇ ନେଉଚି ଦୂରରୁ ଦିଶୁଥିବା ମସ୍‌ଜିଦ୍‌ର ଗମ୍ବୁଜ ଚୂଡ଼ା ଆଡ଼କୁ । ଧୀରେ ସେ ଉଠି ଯାଉ ଯାଉ କହୁଚି–ଯାଉଚି ମଉସା, ତୁମ ଫୁଲ ମାରା ହୋଇଯିବ ଯେ ।

 

ଭ୍ରମର କହୁଚି–ନାଇଁମ ପୁଅ, ମୋ ଦିଅଁଙ୍କ ଫୁଲ ମାରା ହୁଏନାହିଁ । ବସ, ବାବୁ ତ କୁଆଡ଼େ ଯାଉନାହାନ୍ତି ଆଜି । ତାଙ୍କର ବରାଦ ଆଜି ସେ ବି ଉପାସ କରିବେ । ସଞ୍ଜକୁ ଯମୁନା ପିଠା କରିବ । ସେ ଖାଇବେ ।

 

ବାବୁମିଆଁ–ହସମାଡ଼ୁଚି ମଉସା, ତମ କଥା ଶୁଣି । ରଜାପୁଅଙ୍କୁ ଖଜା ଅପୂର୍ବ, ଯମୁନାଟା କି ପିଠାକରିବ ହେ !

 

ଭ୍ରମର–ନାଇଁମ ବାବୁ, ଆମ ବାବୁ ତ ଦିଲ୍‍ଦାରିଆ ଲୋକ । କହିଲେ ପୂଜାରି ହାତରେ ନିତି ପ୍ରତି ଖାଇ ଖାଇ ଚିକିଟା ଲାଗିଗଲାଣି । ବଡ଼ଲୋକର ପିଲା । ଗରିବର ଖୁଦ କୁଣ୍ଡାକୁ ଆଶା କରିଛନ୍ତି, କେମିତି ମନାକରି ଦେବି ?

 

ବାବୁମିଆଁ–କିନ୍ତୁ ବଡ଼ଲୋକଙ୍କ କଥାରେ ଭରସା ରଖିବ ନାହିଁ ମଉସା । ଗରିବର କୁଣ୍ଡାପିଠାରୁ ସକବକରେ କଳେ କାମୁଡ଼ିନେବେ । ଖାଇବେ ତ ନାହିଁ, ତୁଚ୍ଛାଟାରେ ଏତେ ଶରଧାରେ ତମେ ରାନ୍ଧିବାଢ଼ି ପରଷିଥିବ, ସେ କିନ୍ତୁ ଅଇଁଠାକରି ‘‘ଥୁଉ’’ କିନା ଫୋପାଡ଼ି ଦେଇ ପଳେଇ ଯିବେଟି । ବୁଝି ଖବରଦାର !

 

ଭ୍ରମର–କିନ୍ତୁ ଡ୍ରାଇଭର ସାହେବ, ତାଙ୍କ ଶରଧାକୁ ନାହିଁ କରିଦେବି କେମିତି ହେ ? କେଡ଼େ ସ୍ନେହ କରନ୍ତି ସେ ଜାଣ ? ଆମେ କେଡ଼େ ଗରିବ, ସେ କେଡ଼େ ବଡ଼ଲୋକ !

 

ସେଇଥିପାଇଁ ମୁଁ କହୁଚି ମଉସା–ଆମେ କେଡ଼େ ଗରିବ, ଆଉ ସେ କେଡ଼େ ବଡ଼ଲୋକ-। ବଡ଼ବଡ଼ିଆ ଆମକୁ ପାଖକୁ ଡାକିବେ; କିନ୍ତୁ ଧକ୍କାଟି ଦେଇ ମୁହଁ ଆଡ଼େଇ ନେବେଟି । ବୁଝି ଖବରଦାର ।

 

କଅଣ କହୁଚ ପୁଅ, ତେମେ ହୁଣ୍ଡା ହାଉଡ଼ା ଲୋକ; ମୁଁ କିଛି ବୁଝିପାରୁ ନାହିଁ ।

 

ବାବୁମିଆଁ ଦୀର୍ଘନିଃଶ୍ୱାସ ଟାଣି ଉଠିଗଲା । ଭ୍ରମର ଫୁଲଗୁନ୍ଥାରେ ମନଦେଉଚି–ତେଣୁ ହରିଚନ୍ଦନ ବାବୁ ଡାକଦେଲେ । ସେ ଉଠିଗଲା–ହଜୁର !

 

ବାରଣ୍ଡା ଉପରେ ଥାଇ ହରିଚନ୍ଦନ ବାବୁ ପାଞ୍ଚଟଙ୍କାର ଖଣ୍ଡିଏ ନୋଟ୍‌ ଭ୍ରମର ହାତକୁ ବଢ଼ାଇଦେଇ କହିଲେ–‘‘ନିଅ ତମ ଠାକୁରଙ୍କ ପାଖରେ ଭଜାମଣ୍ଡା, ଖିରି, ପୁରି ଭୋଗ କରିବ । ମୋର ଆଜି ଉପାସ । ତମରି ଠାକୁରଙ୍କ ଭୋଗ ଦେଇଯିବ ।’’

 

ଟଙ୍କା ଦେଖି ହାତଟାକୁ ପଛେଇ ଆଣୁ ଆଣୁ ଭ୍ରମର କହିଉଠିଲା–ହଜୁର, ରାଜାଙ୍କର ଆଜି ଗରିବର ଖୁଦ କୁଣ୍ଡାରେ ଶରଧା ହୋଇଚି–ଭାଗ୍ୟ ମୋର ।

 

ପୂଜାରି ଆସି ବାବୁଙ୍କ ହାତରୁ ନୋଟ୍‌ ଖଣ୍ଡିକ ଆଣି ଗୁଞ୍ଜିଦେଲା ରାଉତ ହାତରେ । ବୁଢ଼ା ଦୀର୍ଘନିଃଶ୍ୱାସ ଟାଣି ଗ୍ରହଣ କଲା ।

 

ଭାଦ୍ର ଆଶ୍ୱିନର ନିର୍ମଳ ପାଣିର ଧାର ଉପରୁ ଧୀର ଧୀରେ କାଶହାସ ମଉଳି ପଡ଼ିଲା । ଘୁମନ୍ତ ଗଗନରେ ଶୀତୁଆ ପବନ ଧୀରେ ଧୀରେ ଘୁମେଇ ପକାଇଲା ଧରଣୀକି । ଦେହ ଚାହିଁଲା ଉଷୁମ । ମନ ଚାହିଁଲା କମ୍ବଳ ତଳେ ଘୋଡ଼େଇ ହୋଇ ପଡ଼ି ରହିବାକୁ–ନିଦୁଆ ସ୍ୱପ୍ନ ଘେନି । ତନ୍ଦ୍ରାଜଡ଼ିତ ଆଖିରେ ଅଜ୍ଞାନତାର ନିଦ ଘାରିଲା । ତା’ପରେ ଆସିଲା ହସନ୍ତ ବସନ୍ତ ରୂପବନ୍ତ, ମୋହବନ୍ତ । ଶୀତ ଛାଡ଼ିଯାଇଚି–ଖରା ପ୍ରବଳ ରୂପ ଧରି ନାହିଁ । ଗଛେ ଗଛେ ଡାଳେ ଡାଳେ ତାଳେ ତାଳେ ନାଚୁଚି ହସଭରା ମତୁଆରା ଫୁଲ ରାଶି ।

 

ଧୀରେ ଧୀରେ ଗଭାରୁ ଫୁଲ ଖସିପଡ଼ିଲା ଯମୁନାର । ହସ ତା’ର ମୌଳିପଡ଼ିଲା । ଖରା ମାଡ଼ିଆସିଲା ଚଇତାଳି ଝାଞ୍ଜିପିଟା ଉତ୍ତାପର ଢେଉ ଘେନି । ସେ ଭାବିଲା–କେବଳ ଭାବି ହେଲା–ଇଏ କଅଣ ହେଲା ! ଇଏ ପୁଣି କି ପରିବର୍ତ୍ତନ ! କାହାକୁ କଅଣ ପଚାରିବ ? ବୋଉ ପାଖକୁ ଗାଁକୁ ପଳାଇବ ? ନିଭୃତରେ ଥରେ ତା’ ହାତ ଧରିପକାଇ ହରିଚନ୍ଦନ ବାବୁ ତୁନି ତୁନି କହିଚନ୍ତି–ଯମୁନା, ତୁ ଗାଁକୁ ପଳା । ବୋଉ ପାଖରେ ତୁନି ତୁନି ସବୁକଥା କହିପକା । ସେ ତା’ର କିଛି ଉପାୟ କରୁ ।

 

ଭାବୁଚି, ଯମୁନା–କି ଉପାୟ କରିବ ବୋଉ ? ବାପା ଜାଣନ୍ତି ନାହିଁ କିଛି । ବୋଉ ଜାଣି କଅଣ ବା କରିବ ?

 

ଶେଷକୁ ସେ ଗାଁକୁ ହିଁ ପଳାଇଲା । ଚପଳ ହରିଣୀଛୁଆ–ଶରବିଦ୍ଧା, ଭୟଭୀତା ଆଶ୍ରୟସ୍ଥଳ, ବିଶ୍ୱାସର ଏକମାତ୍ର ଭରସା–ବୋଉ ତା’ର, ଏକୁଟିଆ ଥାଏ ଗାଆଁରେ । ଯମୁନା ବାପା ପାଖରୁ ଯାଇ ବେଳେବେଳେ ସେଠି ରହେ । ହରିଚନ୍ଦନ ବାବୁଙ୍କ ଶ୍ରଦ୍ଧା ସ୍ନେହକୁ ବାପ ସ୍ୱର୍ଗସମ୍ପଦ ବୋଲି ମନେକରେ । ବୋଉ କିନ୍ତୁ ସନ୍ଦେହ କରେ ।

 

ହରିଚନ୍ଦନ ବାବୁ ଟେବୁଲ ଉପରେ କଲମ ଧରି କାଗଜରେ ଅକ୍ଷର ଗାରଉ ଗାରଉ ଭାବନ୍ତି, ଏଣୁତେଣୁ । ଆକାଶ ପାତାଳ । ଭାବିହୁଅନ୍ତି କେବଳ, ଦୀର୍ଘଶ୍ୱାସ ଟାଣନ୍ତି । ବାଁ ହାତ ଆଙ୍ଗୁଠିରେ ସିଗାରେଟଟା ଧରି ପାଟିକି ନେଇ ଧୂଆଁ ଟାଣନ୍ତି । ଅଧା ଟାଣି ଫିଙ୍ଗିଦିଅନ୍ତି ଦୂରକୁ । ଫୁଲ ତୋଡ଼ାରୁ ସଜ ଫୁଲ ଟାଣି ଟିକି ଟିକି କରି ଛିଡ଼ାଇ ଫିଙ୍ଗିଦିଅନ୍ତି ଏଣେତେଣେ । ବିକୃତିର ହସ ଫୁଟିଉଠେ ଅଧରରେ । ଫୁଲପରି କୋମଳ ଅନ୍ତର ତାଙ୍କର କ୍ରୂର କଠୋର ହୋଇଉଠେ । ସେ କଟକ ପଳାନ୍ତି । ବଦଳି ଯୋଗାଡ଼ କରନ୍ତି । ଦୂରକୁ ପଳାଇ ଯାଆନ୍ତି ଦିନ କେଇଟା ଭିତରେ । ଗରିବ ଅଡ଼ର୍ଲି ଭ୍ରମରର ଛଳ ଛଳ ଆଖି ଚାହିଁରହେ କେବଳ ବାବୁଙ୍କ ଜିନିଷ ସଜଡ଼ା ଆଡ଼କୁ । ଗଲାବେଳକୁ ଏକୁଟିଆ ଦେଖି ଅନ୍ୟଆଡ଼କୁ ଆଖି ରଖି ହରିଚନ୍ଦନ ବାବୁ ଦଶୋଟି ଟଙ୍କା ବଢ଼ାଇ ଦିଅନ୍ତି ଭ୍ରମର ହାତକୁ–ନିଅ ଯମୁନା ପାଖକୁ ପଠାଇଦେବ ।

 

ହାତ ବଢ଼ାଏ ନାହିଁ ଭ୍ରମର । କୋହରେ କ୍ରୋଧରେ କାନ୍ଦିଉଠେ ତା’ର ପ୍ରାଣ । ତଥାପି ତୁଣ୍ଡ ଫିଟାଇ କିଛି କହିପାରେ ନାହିଁ । ମନେମନେ କେବଳ କହିଉଠେ–ଏତେ ବିଶ୍ୱାସରେ ବିଷ ଦେଇଗଲ ବାବୁ ତୁମେ ? ହାକିମ ହୋଇ; ଯମୁନାର ସର୍ବନାଶ କରିସାରି ତୁମେ ବଦଳି ଯୋଗାଡ଼ କରି ପଳାଇ ଯାଉଚ ! ହଉ, ଜଗନ୍ନାଥ ସବୁ ଜାଣିଚନ୍ତି । ଯାଅ, କେତେଦୂର ଯିବ–ତା’ ଆଖି ଆଗରୁ-। ଆମେ ତ ଗରିବ । ତୁମେ ବଡ଼ଲୋକ ତୁମକୁ ଆଶା କରିବା ଆମର ଭୁଲ୍, ବିଶ୍ୱାସ କରିବା ଆମର ଭୁଲ୍ । ଆମେ ତୁମକୁ କି ଉତ୍ତର ଦେଇପାରିବା !

 

ହରିଚନ୍ଦନ ବାବୁ ବାବୁମିଆଁକୁ ଡାକି କହିଲେ–ତୁମେ ଚାଲ ଡ୍ରାଇଭର, ମୋ ସାଥିରେ ସୁନ୍ଦରଗଡ଼ । ଏଠିକା ଅପେକ୍ଷା ସେଠି ଦଶଟଙ୍କା ଦରମା ଅଧିକା ପାଇବ ।

 

ବାବୁମିଆଁର ଅଜଣା କିଛି ନାହିଁ । ଯମୁନାକୁ ସେ ସ୍ନେହ କରେ । ଆଡ଼େଇ ଆଡ଼େଇ କେତେ ପ୍ରକାରେ ଭ୍ରମରା ବୁଢ଼ାଟାକୁ ସେ ହୁସିଆର କରିଦେଇଥିଲା । କିନ୍ତୁ ବୁଢ଼ାଟା କିଛି ବୁଝିପାରିଲା ନାହିଁ । ବଡ଼ଲୋକ କଥାକୁ କେମିତି ଅବା ଇଏ କେତେ ଆଉ ଘଣ୍ଟାଚକଟା କରିଥାଆନ୍ତା ? ସେ ଭଲପାଏ ଯମୁନାକୁ । କିନ୍ତୁ ତା’ର ସର୍ବନାଶ କରିବାକୁ ମନ ବଳେନାହିଁ । ହରିଚନ୍ଦନ ବାବୁ ଆଜି ସେ ସରଳ ବାଳିକାଟିକୁ ଶେଷ କରିଦେଇସାରି ଦୂରେଇ ଯାଉଚନ୍ତି । ବାବୁମିଆଁର ମନ ବିଦ୍ରୋହୀ ହୋଇଉଠିଚି । କିନ୍ତୁ ତୁଣ୍ଡ ଫିଟୁ ନାହିଁ ପ୍ରତିବାଦ କରିବାକୁ । ନୀରବତା ଭିତରେ ମନ ଅସ୍ଥିର ହୋଇଉଠୁଚି । ସେ ଯିବାକୁ ନାହିଁ କରିଦେଲା–ମୁଁ ଆଜ୍ଞା ଏତେ ବାଟ ଯାଇପାରିବି ନାହିଁ । ଏଠି ଆଉ କାହାରି ପାଖରେ ଚାକିରି ଖୋଜି ନେବି ।

 

ହରିଚନ୍ଦନ ବାବୁଙ୍କ ବକ୍ରଦୃଷ୍ଟି ଅଣ୍ଡାଳି ପକାଉଚି ବାବୁମିଆଁର ମନ ଭିତରଟାକୁ । ଦିଶିଗଲା ସତେକି ବାବୁମିଆଁର ଆଖି ଅଟକି ଯାଉଚି ଯମୁନାର ସୁନ୍ଦର ଛବିଟି ଉପରେ । ହରିଚନ୍ଦନ ବାବୁଙ୍କ ମନଭିତରେ ବିଦ୍ରୋହ ଉଙ୍କିମାରୁଚି । ଅଭାଗୀ ଯମୁନା । ସମାଜର ଏତେ ବଡ଼ ବ୍ୟବଧାନ ଭିତରେ ତାଙ୍କ ନିଜର ମନଚୋରି ସ୍ୱୀକାର କରିବାକୁ ସାହାସୀ ହୋଇପାରୁ ନାହିଁ ସିନା, ଯୁବସୁଲଭ ମନ କଅଣ ଯମୁନାକୁ ପରକରି ଛାଡ଼ିଯିବାକୁ ଚାହୁଁଚି ?

 

ସାମାଜିକ ବ୍ୟବଧାନ । ପଦବୀର ମର୍ଯ୍ୟାଦା । ମଣିଷକୁ ମାନବୋଚିତ ସମ୍ମାନ ଦେବାକୁ ବାଧା ଦେଉଚି । ଦୀର୍ଘନିଃଶ୍ୱାସ ଟାଣି ଦୂରେଇଗଲେ ହରିଚନ୍ଦନ ବାବୁ, ଦୂରକୁ; ଅତିଦୂରକୁ । ଦରପୋଡ଼ା ଖଣ୍ଡିଆ ସିଗାରେଟ କେତେଖଣ୍ଡ ଆଉ ଛିଡ଼ା ଝାଉଁଳା ଫୁଲ କେଇଟା ପଡ଼ିରହିଲା ବଙ୍ଗଳା ପିଣ୍ଡାଉପରେ–ସର୍ବଶେଷରେ ଖତଗଦାରେ ଶୁଖି ସଢ଼ି ପଚିଯିବା ଲାଗି ।

 

ଜଗନ୍ନାଥ ଫଟ ଆଗରେ ମୁଣ୍ଡିଆ ମାରି ଦି’ଆଖିରୁ ଲୁହ ନିଗାଡ଼ି ବୁଢ଼ା ଭ୍ରମର ଅୁନଚ୍ଚସ୍ୱରରେ କହିଉଠିଲା–ଜଗନ୍ନାଥ, ତୋ ମନରେ ପୁଣି ଏଇଆ ଥିଲା । ମୁଁ କି ବୁଦ୍ଧି କରିବି ଏବେ କହିଦେ ।

 

ମୁଁ କି ବୁଦ୍ଧି କରିବି ଝିଅ, ତୁ କାହିଁକି ଅବାଟରେ ଗୋଡ଼ ଦେଲୁ ମା’ ! ବୁଢ଼ୀ ପଚାରେ କରୁଣ ସ୍ୱରରେ ଯମୁନାକୁ । ଉତ୍ତର କିଛି ମିଳେ ନାହିଁ ।

 

କଥାଟା ଧୀରେ ଧୀରେ ଭୁଟିଆରା ହୋଇଉଠିଲା । ଗାଁର ଅନେକ ଲୋକ ଜାଣିଲେ । ବଡ଼ଲୋକଙ୍କ ଉଚ୍ଚ ପାଚିରି ଭିତରେ କେତେ କଅଣ ଘଟିଯାଉଚି । ବାହାରକୁ ସବୁ ସଫାସୁତୁରା । କିନ୍ତୁ ଗରିବ କୁଡ଼ିଆ ଉପରେ ସଭିଙ୍କର ନଜର । ନିରୀହ ବାଳିକାଟି, କଅଣ ହୋଇଛି ତା’ର କିଛି ବୁଝିପାରେ ନାହିଁ । କ’ଣ ଘଟିବ ଭବିଷ୍ୟତରେ କଳ୍ପନା କରିପାରେ ନାହିଁ । ବୋଉର ଡହଳ ବିକଳ ଭାବ ଦେଖି କେବଳ ମ୍ରିୟମାଣ ହୋଇ ରହେ । ଦିନେ ଦିନେ ବୁଢ଼ା ବାପା ଗାଁକୁ ଆସେ ବୁଲିଯାଏ । ଭାବିହୋଇ ସ୍ତ୍ରୀ ସାଙ୍ଗରେ ଭୁଟୁ ଭୁଟୁ, ଟାପୁ ଟାପ ହୋଇ ସହରକୁ ଫେରିଯାଏ । ଆସିଥାଏ କେତେ କଅଣ କରିବାର କଳ୍ପନା ଘେନି । ଫେରିଯାଏ ପରାଜୟର ଗୁରୁବ୍ୟଥାକୁ ସମ୍ବଳକରି । ଜଗନ୍ନାଥ ଆଗରେ ମୁଣ୍ଡିଆ ମାରି ଦୁଃଖ ଜଣାଏ । ନିଜର ଭୁଲ୍‍ ମାନି ଏ ବିପଦରୁ ଉଦ୍ଧାର କରିବାର ଉପାୟ ମାଗେ ।

 

ଯମୁନାର ଅଇଲା ଗଲାବାଟକୁ ଗାଁ ଲୋକେ ଜଗିଲେ । ଚୌକିଦାର ଶୁଣାଇଦେଲା–‘‘ବୁଝି ଖବରଦାର ମୋ ଚୌକି ଭିତରେ କିଛି ଗୋଟାଏ କଅଣ କରି ବସିଲେ ମୁଁ କଞ୍ଚା ଖାଇଯିବି ।’’ ଶେଷକୁ ବୁଢ଼ା ଦିନେ ଆସି ମା’ ଝିଅଙ୍କୁ ନେଇଗଲା ସାଙ୍ଗରେ । ଯାହା ହେବାର ସେଇଠି ହେବ । ଏଠି ଏ ଗାଁ ଲୋକେ ରଖେଇଥୋଇ ଦେବେନାହିଁ । ବୁଢ଼ା ନଥିଲାବେଳେ ମା’ଝିଏ ଏକୁଟିଆ ବସି ବସି ନିଃଶ୍ୱାସ ପକାନ୍ତି । ସରକାରୀ ହତାରେ ସଦାବେଳେ ବାରଲୋକ କାରବାର । ଘରଟି ଭିତରେ ଜଗନ୍ନାଥ ଫଟ ଏଡ଼େ ଏଡ଼େ ଆଖିଦିଟା ମେଲି ସଦାବେଳେ ଅନାଇ ରହିଚି । ଆରଜନ୍ମରେ କି ପାପ କରିଥିଲାରୁ ଏ ଜନ୍ମରେ ଏତା ଦଶା ?

 

ବାବୁମିଆଁ ଆସେ, ପିଣ୍ଡାଉପରେ ବସେ । ଯମୁନାଆଡ଼କୁ ଅନାଇ ମୁହଁ ଶୁଖାଏ । ଦୁଃଖ କରେ–କହେ ମାଉସୀ, କିଛି ଗୋଟାଏ ଉପାୟ କରୁନାହଁ–ବେଳ ଥାଉଁ ଥାଉଁ । ଅନେଇ ବସିଚ କୋଉଥିପାଇଁ ?

 

ବୁଢ଼ୀ ଜଗନ୍ନାଥଙ୍କ ଫଟ ଆଡ଼କୁ ସଜଳ ଆଖିରେ ଅନାଇ ରହେ ମାତ୍ର ।

 

ବାବୁମିଆଁ ଅନୁଚ୍ଚ ସ୍ୱରରେ ଉଚ୍ଚାରଣ କରେ–ଆଲ୍ଲା ହୋ ଆକବର ! ହତା ପାଚେରୀ କଡ଼ଦେଇ ଗାଁକୁ ପଡ଼ିଚି ରାସ୍ତାଟି । ଗାଁଲୋକ ସହରକୁ ଆସି ସେଇବାଟେ ଯାଆନ୍ତି । ବାବୁମିଆଁ ପିଣ୍ଡାଉପରେ ବସିରହିଥିବାର ଦେଖି ଗାଁରେ ବାରକଥା ଲଗାଇ କହନ୍ତି–କହନ୍ତି ଭମରା ଝିଅକୁ ଏମିତି କରିଚି ପଠାଣ ଟୋକାଟା । ଭମରାକୁ ଜାତିରେ ଅଟକ ରଖ । ଭମରା ଝିଅଟାକୁ ଘରୁ କାଢ଼ିଦଉ, ନହେଲେ ମରୁ ସେ ତା’ ବୁଢ଼ୀକି ନେଇ ସେଇଠି । ଗାଁରେ ତାକୁ ନିଆଁ, ପାଣି, ଧୋବା, ଭଣ୍ଡାରି ରୋକିଦିଅ ।

ଦିନକୁ ଦିନ ଦିନ ଗଡ଼ିଚାଲିଚି । ଯମୁନା ଅବସ୍ଥା ଅଚଳ ହେଉଚି । ଭମରା ବୁଢ଼ା ଚିନ୍ତାରେ ବିଛଣା ଧଇଲାଣି । ବୁଢ଼ା ଛୁଟି ନେଇଚି । ବଦଳିଆ ଚପରାସି ଜଣେ କାମ କରୁଚି । ନୂଆ ହାକିମ ଛୁଆପିଲା ଧରି ଆସିଲେଣି । ବଙ୍ଗଳା ଭିତରେ ଗହଳି ଚହଳି । ଭମରା ଓ ତା’ର ପିଲାଏ ଏଠି ରହନ୍ତୁ ବୋଲି ତାଙ୍କର ଇଚ୍ଛା ନୁହେଁ । ସେମାନେ ସବୁ କଥାର ଆଭାସ ପାଇଚନ୍ତି । ଆଗ ହାକିମଙ୍କର କଳଙ୍କ ଛାଇ ପଡ଼ୁଚି ନୂଆ ହାକିମର ମର୍ଯ୍ୟାଦା ଉପରେ ।

ବୁଢ଼ାର ଅବସ୍ଥା ଦିନେ ଅତିଶୟ ହେଲା । ବୁଢ଼ୀ କାନ୍ଦିକାଟି ଉଚ୍ଛନ୍ନ । ଝିଅଟି ହାଉଳି ଖାଉଚି । ବାବୁମିଆଁଟି ପିଣ୍ଡାଉପରେ ନହର ନାଫର ହେଇ ଏକୁ ତାକୁ ବୁଝାଉଚି । ନୂଆ ଚପରାସି ଆସି ଧମକ ଦେଇଗଲା–ହାକିମ ବିରକ୍ତ ହେଉଚନ୍ତି । ସରକାରୀ ବସା, ଆଜି ଛାଡ଼ି ଚାଲିଯାଅ । ଗାଁକୁ ପଳାଅ । ଏଠି ଆଉ ରହିପାରିବ ନାହିଁ । ବୁଢ଼ୀ ବିକଳ ହୋଇ କାହା ହାତରେ ଗାଁକୁ ଖବର ପଠାଇଲା । ରାତି ଦି’ପହର ବେଳକୁ ତାଟ ଶଗଡ଼ ଖଣ୍ଡେ ଧରି ଖୁଡ଼ୁତା ପୁଅ ଭାଇ ନବଘନ ସଙ୍ଗରେ ଜଣକୁ ଧରି ଆସି ପହୁଞ୍ଚିଲା । ପ୍ରାଣରେ ମମତା ଅଛି–ମାତ୍ର ସମାଜକୁ ଭୟ । ବୁଢ଼ାକୁ ଧରାଧରି କରି ଶଗଡ଼କୁ ଉଠାଇନେଲେ । ବିଛଣାପତ୍ର ଓ ପେଡ଼ିପେଟରା ଧରି ବୁଢ଼ୀ ମୁହୁଣ୍ଡା ଉପରକୁ ଉଠି ବସିଲା । ଯମୁନା ଦିହ ହାତକୁ ଭଲକରି ଢାଙ୍କି ଘୋଡ଼ାଇ ଲଜ୍ଜା ସଙ୍କୋଚରେ ଶଗଡ଼କୁ ଲାଗି ଠିଆହେଲା । କିନ୍ତୁ ନବଘନ କହିଲା–ସେ କଥାଟି ହୋଇପାରିବ ନାହିଁ ମା’ । ତୋ ବାଟ ତୁ ଦେଖ !

ବୁଢ଼ୀ ନବଘନର ହାତଟାକୁ ଧରିପକାଇ କହିଲା–ତା’ ବାଟ ସେ କୁଆଡ଼କୁ ଦେଖିବ କହୁଚୁ ନବେଇ ? ତା’ର ଆଉ କିଏ ଅଛି ?

ଯିଏ ତାକୁ ଏତେ କଥା କଲା ସିଏ ଅଛି ।

ପାଖରେ ଠିଆହୋଇ ସାହାଯ୍ୟ କରୁଥିଲା–ବାବୁମିଆଁ । ଛାତିରେ ତା’ର ଛୁରି ଚାଲିଯାଉଥାଏ । କିନ୍ତୁ ପାଟି ଫିଟୁନଥାଏ ।

ବୁଢ଼ୀ କାକୁତି ହେଲା–ହାଡ଼ି ପାଣ ପିଲାପରି ବାଡ଼ିଆଡ଼େ ଖଣ୍ଡେ ଚାଳିଆରେ ମୁଣ୍ଡ ଗୁଞ୍ଜିବ ସିନା । ଏଠି ଏକୁଟିଆ କାହାପାଖରେ ରହିବ ?

ନବଘନ–ସେକଥା ମୁଁ କହିପାରିବି ନାହିଁ । ଏକଥା କଲାବେଳକୁ ମୋତେ ପଚାରିଥିଲା କି–ନବା ଦାଦି–କଅଣ କରିବି କହ ? ହାଡ଼ି ପାଣଠଉଁ ଅଧମ ସେ । ଗାଁରେ ରହିଲେ ଗାଁ ପିଲାମାନଙ୍କୁ ଭଣ୍ଡୁର କରିଦେବ । ଆସିଲାବେଳକୁ ମୁଁ ଜଣ ଜଣ କରି ପଚାରୁଚି । ସମସ୍ତେ ନାସ୍ତି କଲେ । ତା’ କଥାରେ ମତେ ବଳାନା ।

ବୁଢ଼ୀ ଭୋ ଭୋ ହେଇ ଡକାପାରି କାନ୍ଦୁଥାଏ । ନବେଇ ବଳଦ ଯୋଡ଼ି ଶଗଡ଼ ଅଡ଼େଇ ଚାଲିଲା ଆଗକୁ । ଯମୁନା ପାଦ ବଢ଼ାଇ ପଛେ ପଛେ ଚାଲିଲା । ସାଙ୍ଗ ଲୋକ କିନ୍ତୁ ବାଟ ଓଗାଳି କହିଲା–ଫେରିଯା ଅଲକ୍ଷଣି, ଆ–ଆନା କହୁଚି, ତୁ ଯୋଉ ବାଟ ଧରିଚୁ ସେଇବାଟେ ଯା । ଆମ ଗାଁରେ ତୋ’ପାଇଁ ଥାନ ନାହିଁ ।

 

ହାତରେ ଜଗନ୍ନାଥଙ୍କ ଫଟଟିକି ଧରିଚି । ଯମୁନା ରାସ୍ତା କଡ଼ରେ ନିମଗଛ ମୂଳକୁ ଆଉଜି ପଥର ପରି ଠିଆହୋଇ ରହିଲା । ତେଲ ଅଭାବରୁ ଶଗଡ଼ ଅଖଟା କେଁ କେଁ ହୋଇ କାନ୍ଦୁଥାଏ–ଅହରହ । ବୁଢ଼ୀ ମୁଣ୍ଡକୋଡ଼ି ହୋଇ ରଡ଼ି ଛାଡ଼ୁଥାଏ । ବୁଢ଼ା ଅଜ୍ଞାନ । ମୁହୁଣ୍ଡା ଉପରେ ବସି ନବଘନ ଆଖି ଲୁହ ପୋଛୁ ପୋଛୁ ଶଗଡ଼ ଅଡ଼ାଇନେଲା ଆଗକୁ । ପିଲାଟି ଦିନେ ଯମୁନିକୁ କେତେ ସ୍ନେହ କରୁଥିଲା ସେ । ଆଜି କିନ୍ତୁ ଜାତି, ଭାଇ, ସାଇପଡ଼ିଶାଙ୍କ ଆଡ଼କୁ ଚାହିଁ ଛାତିକି ପଥର କରିଦେବାକୁ ପଡ଼ୁଚି ତାକୁ । ଜାତି ଆଗରେ ହାତୀଟାଏ ବି ସାନ । ଧୀରେ ଧୀରେ ଶଗଡ଼ ଅଦୃଶ୍ୟ ହୋଇଗଲା । ଦୂରରୁ ପାଖକୁ ଘୁଞ୍ଚି ଆସିବାକୁ ବାବୁମିଆଁ ଡାକିଲା–ଆ ଯମୁନା–ଆଣ ତୋ ଠାକୁରକୁ । ମୋତେ ଛୁଉଁନା । ମଇଳାପାଇଁ ଥାନ ଅଛି, ମଣିଷପାଇଁ ନାହିଁ ? ଧ’ ତୋ ଠାକୁରକୁ ଛାତି ଉପରେ ଜାବୁଡ଼ି କରି । ସେ ତୋ’ପାଇଁ ସବୁ ସୁବିଧା କରିଦେବ ।

 

ଦୀର୍ଘନିଃଶ୍ୱାସ ପକାଇ ଯମୁନା ହରାଇଥିବା ଜ୍ଞାନ ଫେରିପାଇଲା । ପାଦ ବଢାଇ ସଡ଼କେ ସଡ଼କେ ଚାଲିଲା ବାବୁମିଆଁ ପଛେ ପଛେ । ଆଗେଆଗେ ଯୁବକ ବାବୁମିଆଁ; ପଛେ ପଛେ ଅନ୍ତଃସତ୍ତ୍ୱା ଷୋଡ଼ଶୀ କୁଳହରା ଯମୁନା । ହାତରେ ଜଗନ୍ନାଥଙ୍କ ଫଟ ଖଣ୍ଡେ, ଆଗରେ ପଛରେ ଶୂନ୍ୟ ନିକାଞ୍ଚନ ପରିବେଶ । ବାବୁର ଅନ୍ତରାତ୍ମା କହୁଥାଏ ହାତଟା ତା’ର ଧରି ଧରି ଚାଲିବ ସେ–ବାଟ କଢ଼ାଇ ନେବ ଦୁର୍ବଳ ବାଳିକାଟିକି । ମାତ୍ର କିଏ ଜଣେ ତା’ ଭିତରେ ଥାଇ ସାବଧାନ କରିଦେଉଥାଏ–ନା, ନାଆଁ, ଛୁଉଁନା ତାକୁ । ଜଣେ ବଡ଼ଲୋକ ତା’ର ସର୍ବନାଶ କରିଦେଇ ଗଲା । ତୁ ତାକୁ ଜୀବନରୁ ମାରିଦେ’ନା ।

 

ମୋଡ଼ ଉପରେ କାହାର ଖଣ୍ଡିଆ ଘର ଖଣ୍ଡେ । କବାଟରେ ହାତମାରି ବାବୁମିଆଁ ଡାକିଲା–ଅନି ମାଉସୀ, ଅଛୁ କି ଘରେ ?

 

ଭିତରୁ ଜବାବ–କିଏ ? ବାବୁ କିରେ ? ଏତେ ରାତିରେ କବାଟ ଫିଟା । ଦୀପ ଜାଳ । କିଏ ଆସିଚି ଦେଖ ।

 

କିଏ ପୁଣି ଆଇଚି ମ ? ଛତରା ପଠାଣ ଟୋକାଟାର ଛଇ ଦେଖ । କାହାକୁ ଗୋଟାଏ ଏତେ ରାତିରେ କୋଉଠୁ ଧରିଆଣିଚି ସାଙ୍ଗରେ ।

 

ଝୁଣୁକିନା ଅନି କବାଟ ଫିଟାଇ ଡିବାଟା ଜାଳିଦେଲା । ‘‘ନେ ମାଉସୀ, ଯମୁନା ତୋରି ଝିଅ । ତୋରି ଘରେ ରହିବ । ତା’ର ଅବସ୍ଥା ଭାରୀ ଖରାପ । ପରେ ସବୁ କଥା କହିବି ।’’ ସନ୍ଦେହରେ ଅନି ବାବୁ ମୁହଁକୁ ଡିବାଟା ଦେଖାଇ ଅନାଇ ରହିଲା ।

 

ବାବୁ ମୁରୁକି ମୁରୁକି ହସୁଚି । ଛନ୍ଦ ନାହିଁ କପଟ ନାହିଁ । ପଠାଣ ପିଲାଟାର ମୁହଁରେ ସରଳ ସରସ ହସ ।

 

ତୁ ଭାବିବୁ ନାହିଁ ମାଉସୀ । ତୁ ତ ମତେ ଜାଣିଚୁ । ମୁଁ ତା’ପାଇଁ ଖରଚ ଯୋଗାଇବି । ତା’ର କଅଣ ପିଲାପିଲି ହେବ । ତୋର ତ କେହି ନାହିଁ । ବାପ ମା’ ଥିଲେ ବି ତା’ର କେହିନଥିଲା ପରି । ଭଲ ପିଲାଟାଏ ।

 

ତା’ର ଛୁଆପିଲା ହବ ?

 

ହଁ, ହଁ । କହୁଚି ପରା ।

 

କିରେ କାହାଆଡ଼ୁ ? ଇଆ ମୁଣ୍ଡରେ ତ ସିନ୍ଦୂର ନାହିଁ । ବିଭା ତ ହୋଇନାଇଁରେ !

 

ଯାଉଚି ଥା । ଫଟେଇ ହଉଥା । ତା’ ହାତରେ ଜଗନ୍ନାଥ ଠାକୁର ଅଛି । ମୁଁ ପରା ପଠାଣଟାଏ । ତମରି ହିନ୍ଦୁଘର ଖଣ୍ଡେଇତ ଝିଅ ସେ ।

 

ଅନି ଡିବାଟା ଧରି ଯମୁନାର ମୁହଁ ଦେଖୁଚି । ସେ କାନ୍ଦୁଚି । ଅନି ମୁହଁ ଫଟାଇ କାନ୍ଦିପକାଇଲା । ହାତ ଧରି ଭିତରକୁ ନେଇଗଲା ‘‘ଆଲୋ ମା’ ! ମୁଁ ସେ ଟୋକାକୁ ଚିହ୍ନେ, ଜାଣେ-। ସେଇଟା ମୋ ପୁଅ ।’’

 

ବାବୁମିଆଁ ଜଣେ ବ୍ୟବସାୟୀଙ୍କ ଟ୍ରକରେ ଡ୍ରାଇଭର କାମ କଲା । ପ୍ରତିଦିନ ଚାରିଦିନେ ଥରେ ସେ ଆସେ । ଚାଉଳ, ଡାଲି, ପନିପରିବା, ତେଲ ଲୁଣ ସବୁ ଆଣିଥାଏ ସାଙ୍ଗରେ ।

 

‘‘ମାଉସୀ ଲୋ–କବାଟ ଫିଟା ।’’

 

ସଞ୍ଜପହର ଅନି କବାଟ ଫିଟାଇଦିଏ । ପୁଟୁଳି ମୁଣାତକ ଛୋଟ ବଖୁରିଟି ଭିତରକୁ ଥୋଇଦେଇ ପିଣ୍ଡାଉପରେ ବସିପଡ଼େ ବାବୁମିଆଁ । ଡିବାଟିଏ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ । ଦୀର୍ଘନିଃଶ୍ୱାସ ଟାଣି ଯମୁନି ପିଣ୍ଡା ଉପରକୁ ଆସି ବସିପଡ଼େ ଅଦୂରରେ । କହେ–ମତେ କାହିଁକି ଏଠି ଅଟକାଇ ରଖିଲ ବାବୁ ଭାଇ ! ତମ ମନରେ କଅଣ ଅଛି ? ମୁଁ ମୋ ବୋଉ ପାଖକୁ ଯିବି । ବାପାକୁ ଦେଖିବି । ମୋ ଦିହ ଅତିଶୟ ।

 

ଦୀର୍ଘଶ୍ୱାସ ଟାଣି ଫିକା ହସ ହସିପକାଇ ବାବୁମିଆଁ କହେ–ତୋରି ମନଭିତରେ ସବୁଯାକ ପାପ ଅଛି ଯମୁନି । କଅଣ ଭାବି ହଉଚୁ । କାହାକୁ ସନ୍ଦେହ କରୁଚୁ ।

 

ବାବୁମିଆଁ ମନ କହିପକାଏ ମନେମନେ–କାହାକୁ ? ତତେଇରେ ବାବୁମିଆଁ ! ଯମୁନି ତୋର କିଏ ? କାହିଁକି ତୁ ତା’ପାଇଁ ଏତେ ପଇସା ଖରଚ କରୁଚୁ ?

 

କଅଣ ଖାଲି ତୁଚ୍ଛାଟାରେ ?

 

ଛାତି ଭିତରଟା ତା’ର ଦୁଲୁଦୁଲୁ ପଡ଼େ ଉଠେ । ନିଜ ଭିତରେ ନିଜେ ସେ ଚୋର ପାଲଟିଯାଏ । ମୁହଁଟି ଛାଏଁ ଛାଏଁ ଶୁଖିଯାଏ । ହସଟା ଫିକାପଡ଼ି ଝାଉଁଳିଯାଏ । ଯୁଆନ ଟୋକା ସେ । ଅରକ୍ଷ ଯମୁନା–କେହି ନାହିଁ ସାହାଭରସା । ହାୟ ହାୟ ହୋଇ ବାପା ତା’ର କେତେଦିନୁ ମଲାଣି । ମାଆ ତା’ର ବିଛଣା ଧରିଲାଣି । ସବୁ ଜାଣେ ବାବୁମିଆଁ; କିନ୍ତୁ ଯମୁନାକୁ କୌଣସି ଖବର ଦେଇପାରେ ନାହିଁ । ଦିଏ ନାହିଁ । ଗାଁକୁ ଯିବାକୁ ସେ ବାହାରିଲେ ମନାକରି କହେ–କାହା ପାଖକୁ ଯିବୁ ତୁ ଯମୁନା, କିଏ ତତେ ପାଖରେ ପୂରାଇବ । ଗାଁଲୋକେ ମାରିଦେବେ ତତେ ।

 

ତଳକୁ ମୁହଁକରି ଯମୁନା କହିଉଠେ–ତୁ ମତେ ଏଠି ଖାଇବୁରେ ପଠାଣ ଟୋକା । ଖାଇବାକୁ ଗଣ୍ଡାଏ ଦଉନାହୁଁ ଯେ, ତୁ ବିଷ ଦଉଚୁ ।

 

ସବୁ ସହେ ବାବୁମିଆଁ । କେବଳ ହସିଦେଇ । ହାତଟାଏ ଧରିପକାଇ ସବୁକଥା ବୁଝାଇଦେବାକୁ ମନହୁଏ; କିନ୍ତୁ ମୁହଁ ଖୋଲେ ନାହିଁ କି ହାତ ଆଗାଏ ନାହିଁ । ଛାତି ଦମ୍ଭ କରି ସେ ଉଠିଯାଏ । କହିଯାଏ–ଅନି ମାଉସୀ ଲୋ–ଯମୁନିକି ତୁ ବୁଝାଇ ରଖ । ସେ ପଗଳା ହୋଇଯାଉଚି-

 

ଯମୁନାର ଝିଅପିଲାଟିଏ ଜନ୍ମ ହେଲା । ବାବୁମିଆଁର ବାପ ହକିମମିଆଁ କାନରେ କଥାଟା ବାଜିଲା । ଗାଁରୁ ସେ ଧାଇଁଆସି ପୁଅ ବସାରେ ରହିଲା । ଖରଚ ବରଚରେ ପୁଅଠାରୁ ହିସାବ ନେଲା । ଲୁଚି ଛପି ବାବୁମିଆଁର ଗତିବିଧି ଲକ୍ଷ୍ୟ କଲା । ଯମୁନାର ସନ୍ଧାନ ନେଲା । ବାବୁମିଆଁକୁ ଭଲ ବୋହୂଟିଏ ଦେଖି ବାହାକରାଇଦେଲା । ମୁସଲମାନ ଘରର ପରଦାନସିନ୍‍ ବୋହୂ । କିନ୍ତୁ ଚାବିକାଠିଟା ତାରି ହାତରେ । ପଡ଼ିଲା ଚାବି–‘‘ଅନି ଘରକୁ ଯାଇପାରିବ ନାହିଁ ତୁମେ-। ଛତରଖାଇଟାକୁ ପାହୁଲାଟାଏ ଦେଇପାରିବ ନାହିଁ ।’’

 

ଯମୁନା ଗାଁର ସବୁ ଖବର ଶୁଣିଲାଣି । ବାପା ପଛରେ ମାଆ ବି କେବଠଉଁ ମଲାଣି । ଚାଳିଆ ଅରାକ ଦଖଲକରି ନେଲେଣି ଗାଁଲୋକେ–ଭାଗବତ ଘର ତୋଳା ସରିଲାଣି । କାହାର ସର୍ବନାଶରେ ଏଙ୍କର ଧର୍ମମନ୍ଦିର ତୋଳା ହେଲାଣି । ଧର୍ମ ନାମରେ ଅଧର୍ମର ଆଡ୍‍ଡା ଦୁନିଆରେ ନୂଆ କଥା ନୁହେଁ । ବାବୁଭାଇ ଆଉ ଆସିପାରେ ନାହିଁ । ଲୁଚାଇ ଚୋରାଇ ଟ୍ରକ ଘେନି ଫେରିଲାବେଳକୁ ରାସ୍ତାଉପରେ ଗାଡ଼ିରଖି ନିଝୁମ ରାତିରେ ଦିନେ ଦିନେ ଆସି ସାନ ଜଳାକବାଟି ବାଟେ ତୁନି ତୁନି ଡାକେ–ଯମୁନି, ହେ ଯମୁନି ?

 

ପଟିଖଣ୍ଡିକ ଉପରେ ପାଖରେ ଶୋଇଥାଏ ସାନ ଛୁଆଟି । ଯମୁନା ଜଳାଭିତରୁ ଜବାବ ଦିଏ ତୁନି ତୁନି–‘‘କିଏ–ବାବୁଭାଇ ?’’

 

‘‘ହଁ ମୁଇଁ ।’’

 

ତୁମେ କାହିଁକି ଆସ ଏତେ ରାତିରେ । କିଏ ଦେଖିବ କଅଣ ଭାବିବ ଯେ ?

 

ନିଜ ମନଭିତରେ ଭୋକ ବୁଡ଼ିମରେ । ଉଠେ, ବୁଡ଼େ ଉବୁଡୁବୁ ଖାଉଥାଏ । ନିଛାଟିଆ ଏକୁଟିଆ ରାତିରେ ମନ ଚାହେଁ ସାଥୀ । କିନ୍ତୁ କବାଟ ଫିଟାଇ ଦେବାକୁ ହାତ ଯାଏ ନାହିଁ । ଘରପୋଡ଼ିଆ ଗୋରୁ ସିନ୍ଦୂରାମେଘ ଦେଖି ଛାନିଆ ।

 

ବାବୁମିଆଁ ବାହାରେ କାନ୍ଥକୁ ଆଉଜି କାଠପରି ଠିଆହୋଇ ରହେ । ଦେହ ଥରେ । ମନ ଥରେ ସ୍ନେହ ଶ୍ରଦ୍ଧାରେ ହାତ ବଢ଼ାଏ । ହାତ ପାଏ ନାହିଁ, କାନ୍ଥର ଏପଟେ ଇଏ, ସେପଟେ ସିଏ । ଆକାଶରେ ମିଟି ମିଟି ତାରା–ଚାରିଆଡ଼ ଅନ୍ଧାର । ଦିହିଙ୍କ କଲିଜା ଥରୁଛି । ଦେହ ଶୀତେଇ ଉଠୁଛି । ଚାଉଳ ଡାଲି ପନିପରିବାର ପୁଡ଼ି ପୁଟୁଳି କେତୋଟି ଭିତରକୁ ଗଳାଇପକାଇ ବାବୁ ପଳାଇଯାଏ । ଦୂରେଇ–କହେ–ଥାଆ’ ଯମୁନି–ଯାଉଚି । ଛୁଆକୁ ଯତ୍ନ କର, ଜଗନ୍ନାଥକୁ ପୂଜା କର । ସେଇ ତୋତେ ରଖିବେ । ଯାଉଚି ।

 

ଭିତରୁ ଘଡ଼ିକେ ଶୁଭେ–ତୁମେ ଆଉ ଆସିବ ନାହିଁ ବାବୁଭାଇ । ବିବି ତମର ଜାଣିଲେ ରାଗିବ । ମୁଁ ମୂଲ ପାତି ଲାଗି ପେଟ ପୋଷିବି । ତୁମେ କିଛି ମତେ ଆଉ ଦବ ନାହିଁ । ବାବୁମିଆଁ ଦୂରେଇ ଯାଉଚି–ଯାଇପାରୁନାହିଁ । ପାଦ ପଛକୁ ଭିଡ଼ି ହେଉଛି । ଠିଆହୋଇଯାଉଛି । ପୁଣି ଫେରିପଡ଼ୁଚି ଜଳାପାଖକୁ, କହୁଛି–ଯମୁନି–ମୁଁ ତୋର କଅଣ କେହି ନୁହେଁ ?

 

ହଁ–ସବୁ–ବାବୁଭାଇ; କିନ୍ତୁ ଦୁନିଆ କଅଣ କହିବ ? ତୁମେ ଜାଣ ? ଆଉ ଆସିବ ନାହିଁ-

 

ଦୁହିଁଙ୍କ କଲିଜା ଫଟାଇ ଦୀର୍ଘଶ୍ୱାସ ଉଠୁଚି । ବାୟୁମଣ୍ଡଳ ଥରୁଚି, ଶୂନ୍ୟଆକାଶ ହାହାକାର କରୁଚି । ଦୂରରୁ କଳା ହୋଇ ଦିଶିଯାଉଚି ମସ୍‌ଜିଦ୍‌ର ଝାପ୍‌ସା ଗମ୍ବୁଜ । ଘରଭିତରେ ପଟାଖଣ୍ଡକ ଉପରେ ଜଗନ୍ନାଥ ଫଟଟି ଚାହିଁରହିଚି ଦିନରାତି, ଫୁଲଗଦା ଭିତରେ ।

 

ଛୁଆ କଡ଼ ଲେଉଟାଇଲା । କାନ୍ଦିଉଠିଲା । ଯମୁନାର ନିଦ ଭାଙ୍ଗିଗଲା । ବାବୁଭାଇ ଝାପ୍‌ସା ଆଲୁଅ ଭିତରେ ଉଭେଇଗଲାଣି କେତେବେଳୁ । ରାସ୍ତାଉପରେ ଟ୍ରକଟା ଘୁଁ ଘୁଁ ରାବି ଉଠିଲାଣି । ସ୍ୱପ୍ନପରି ଲାଗୁଚି ସବୁ କଥା । ସବୁ ଘଟନା; କିନ୍ତୁ ଛୁଆକୁ କୋଳରେ ପୂରାଇ, ଦୁଧ ଖୁଆଉ ଖୁଆଉ ଯମୁନା ସାରା ରାତିଟି କାନ୍ଦୁଚି ଓ ଭାବୁଚି । ମନେମନେ ହାଉଳି ଖାଉଚି–ଭାଳି ହେଉଚି । ଆଖି କସା ପଡ଼ୁନାହିଁ । ପାଖରେ ଥାଇ ତା’ର କେହିନାହିଁ । ସବୁ ଦେଉଚି, କିନ୍ତୁ ମାଗୁନାହିଁ କିଛି । କିଏ ସେ କିନ୍ତୁ କେହି ନୁହେଁ । ଭାବୁ ଭାବୁ ରାତି ଭୋର ହେଲା । ସିନ୍ଦୂରା ଫାଟିଲା-। ଛନକା ପଶିଲା ଛାତିରେ । ରାତି ଦିନ ହେଲା । ଅନ୍ଧାର ଉଭେଇଗଲା । କିନ୍ତୁ ଦିନର ଆଲୋକ ଭିତରେ ସ୍ମୃତି ଚାହେଁ ଅନ୍ଧାର ରାତିର ସ୍ୱପ୍ନିଳ ଘଟଣାବଳୀ । ମନଭିତରେ ଗୁଞ୍ଜରିଉଠେ କାହାର କେଉଁ ଗୁଣୁ ଗୁଣୁ, ଭୁଣୁ ଭୁଣୁ ।

 

ଅନି ମାଉସୀ ଦୁଆର ମୁହଁରେ ଠିଆହୋଇଯାଏ । ଭିତରକୁ ଅନାଏ । ଚାଉଳ ଡାଲି ପନିପରିବାର ପୁଡ଼ି ପୁଟୁଳି ରାତିର ସ୍ୱପ୍ନକୁ ସତ୍ୟ ବୋଲି ପ୍ରମାଣ କରେ । ଅନି ମାଉସୀ ମୁରୁକି ହସି ପଚାରିଦିଏ–କାହା ପାଟି ଶୁଭୁଥିଲା କି ଏତେ ରାତିରେ ? ବାବୁ ଆସିଥିଲା ?

 

ନାହିଁ ବୋଲି କହିପାରେ ନାହିଁ ଯମୁନା । ହଁ କରିବାକୁ ମୁହଁ ଖୋଲିବାକୁ ଯାଇ ଦେଖେ ମନଭିତରେ ଅତି କୁତ୍ସିତ, କଦର୍ଯ୍ୟ ଗୋଟାଏ ଛାୟା ଛବି । ଚମକିପଡ଼େ–ଜବାବ ଦିଏ–ମାଉସୀ ଲୋ–ମୋ’ପାଇଁ ଦି’ଘର ଘରେ କାମ ଠିକଣା କର । ବାସନ ମାଜିବି, ଦୁଆର ଘର ଲିପାପୋଛା କରିବି । ପେଟ ପୋଷ, ନାହିଁ ଦୋଷ ।

 

ହଉଲୋ ମା’, ପାରିବୁ ତ ? –ଅନି ଆଡ଼େଇ ହୋଇଯାଏ । ଗଲା ରାତିର ଘଟନାଟାକୁ ଘଣ୍ଟାଚକଟା କରିବାକୁ ମନବଳାଏ ନାହିଁ । ଦୁନିଆର ଖସଡ଼ା ବାଟରେ ତା’ର ବି ଦିନେ ଗୋଡ଼ ଖସିଯାଇଥିଲା । କଚଡ଼ା ଖାଇ ସେ ସଳଖି ଠିଆହୋଇ ଯାଇଚି । ପାଦ ତା’ର ଟାଣ ହୋଇପଡ଼ୁଚି ଏଥର । ଆଉ ତା’ର ଭୟନାହିଁ । କିନ୍ତୁ ଯମୁନା–ସମାଜର ଡାଳହଣା ଥୁଣ୍ଟାଗଛ । ଅଭାବରେ ମରୁ ଅଞ୍ଚଳରେ ଥାଇ ସୁଦ୍ଧା ଆଜି ବସନ୍ତର ଜବାବ ଦେଉଚି ଅଙ୍ଗ ଅବୟବ ତା’ର–ଖୁଣ୍ଟା ଗଛରେ ଫୁଲପେନ୍ଥା, କୋମଳ ପଲ୍ଲବ । ମରୁରେ ମଣିମରକତରେ ମଞ୍ଜୁଳଶୋଭା ଫୁଟିଉଠିଛି ତା’ର ଅଣୁ ପରମାଣୁରେ । ଆଖି ଚାହିଁରହେ ତାରି ଆଡ଼କୁ ସଭିଙ୍କର ।

 

ନାହିଁ କେହି କରିପାରିଲେ ନାହିଁ । କୋଳରେ ଛୁଆଟିକି ଧରି ସେ ଭୋର ମହାପାତ୍ରଙ୍କ ଦୁଆରେ ବାସନ ଖୁଡ଼ୁ ଖୁଡ଼ୁ କରି ମାଜିବସେ । ସାତଟା ଆଠଟା ବେଳକୁ ଦାସଙ୍କ କୂଅ ଉପରେ ଛିଡ଼ାହୋଇ ପାଣି କାଢ଼େ । ନଅଟା ବେଳକୁ ପଟ୍ଟନାୟକ ବାବୁଙ୍କ ପିଣ୍ଡାଉପରେ ଛୁଆକୁ ଧରିବସି ଦୁଧ ଖୁଆଉ ଖୁଆଉ ଭାବିହୁଏ କେତେଦିନ ଏ କଷ୍ଟ ଆଉ ଭୋଗିବାକୁ ପଡ଼ିବ । ବାର ଦୁଆରେ ଦିନସାରା ବାରଶହ ଗୋହରଣା ଖଟିଲେ ବି ପେଟ ଚାଖଣ୍ଡକ ପୂରୁନାହିଁ କି ପିଠି ଅରାକ ଲୁଚୁନାହିଁ-

 

ତଥାପି ଅନି ମାଉସୀ କହେ–ଏମିତି କାହିଁକି ହଉଚୁ ଯମୁନା, ମୁଁ ବି ତୋରିପରି ହେଉଥିଲି ଲୋ–ମା’–ଧୀରେ ଧୀରେ ଦିହସୁହା ହୋଇଗଲା । ମନ ଦମ୍ଭ ଧ । ଝିଅଟି ବଡ଼ ହୋଇଗଲେ ତୋର ବି ଦୁଃଖ ଯିବ ! ଦୁଃଖ ଯିବନା ବଢ଼ିବ ମାଉସୀ ! ବଢ଼ିଲା ଝିଅ–ଆଉଟା ଘିଅ ।

 

ନାହିଁଲୋ ମା’–ସେଦିନ ଆଉ ନାହିଁ । ତୋ ଝିଅଟି ବଡ଼ହେବ । ପାଠ ପଢ଼ିବ, ଚାକିରି କରିବ । ତାକୁ କିଏ କଅଣ କହିବ ? ସାହସ ପାଇବ ନାହିଁ ।

 

କେତେ ଆଶା, କେତେ କଳ୍ପନା, କେତେ ସ୍ୱପ୍ନ ଏଇ ଛୁଆ ଚାଖଣ୍ଡକକୁ କୋଳରେ ଧରି ଭାବିଯାଏ ଯମୁନା । ବାଟଗଲା ଲୋକେ ଚାହିଁ ଚାହିଁ ଯାଆନ୍ତି, ଟାହିଟାପରା କରିଥାଆନ୍ତି । ଇଙ୍ଗିତ କରିଯାଆନ୍ତି । ଆହା କରିବାକୁ ଆସି ପିଠି ଆଉଁସି ଦିଅନ୍ତି । ହାତ ଧରିପକାନ୍ତି । ଆଖି ଲୁହ ପୋଛିଦିଅନ୍ତି, ହାତ ଦେଇ ଆସ୍ୱାଦି ନିଅନ୍ତି ଯମୁନାର ମୁକ୍ତ ଯୌବନର–ଯତ୍‍କିଞ୍ଚିତ ମଧୁ ମାଦକତା-। ଚମକିଉଠେ ଯମୁନା–ଚମକି ପଳାଏ–ଛୁଆଁଦିଏ ନାହିଁ କାହାରିକି । ମନ ତା’ର ଛୁଏଁ ନାହିଁ କାହାରି ପରଶ । ଜୀବନର ସଂଗ୍ରାମ ପଥରେ ସେ ଲଢ଼ିଚାଲେ ଦିନରାତି–ସବୁ ଦୁଃଖ କଷ୍ଟ ସହି ମାନ ଅପମାନକୁ ପାସୋରି ପକାଏ । ଦିନ ଯାଏ ରାତି ଆସେ, ମାସଯାଏ, ବର୍ଷ ପୂରେ । ଯମୁନା କୋଳରେ ଛୋଟ ଶିଶୁ ଧୀରେ ଧୀରେ ବଡ଼ ହୁଏ ।

 

ଦିନେ ଦିନେ ବାବୁମିଆଁର ଗାଡ଼ି ଅଟକିଯାଏ ମଝିବାଟରେ । ଯମୁନାର ଝିଅଟି ଠିଆହୋଇଚି । ବାବୁମିଆଁ ଧାଇଁଆସି ନିଜ ଛାତିଉପରକୁ ଟେକିନେଇ ଜାବୁଡ଼ି ଧରିଚି । କାନ୍ଦି ପକାଉଚି, ଚୁମା ଖାଉଚି, ନିଜେ ଅଜ୍ଞାନ ହୋଇ କେତେ ସମୟ ଠିଆହୋଇ ରହିଲାଣି । କେତେବେଳଯାକେ ପିଲାଟି ତା’ କୋଳଭିତରେ ରହିଲାଣି ଏକାବେଳକେ ସେ ପାସୋରିପକାଏ । ବାଟଗଲା ଲୋକେ ଅଟକି ଯାଆନ୍ତି । ବିଦ୍ରୂପ କରନ୍ତି । ହସିଉଠନ୍ତି । ଟାହିଟାପରା କରନ୍ତି–ହେଇଟି ହୋ–ଯମୁନା ଝିଅଟି କାହାର ଦେଖ । ଚମକିପଡ଼େ ବାବୁମିଆଁ, ଛାଡ଼ିଦିଏ ପିଲାଟିକି ତଳକୁ । ଗାଡ଼ି ନେଇ ପଳାଏ । ବିଷାକ୍ତ ଦୁନିଆରେ ସବୁରି ଆଖିରେ ବିଷ ପୂରି ରହିଚି । ମନରେ ସନ୍ଦେହର କୁତ୍ସିତତା । ପିଲାଟି ଘରକୁ ଫେରି ମାଆକୁ ପଚାରେ ସେ କିଏ ? ଯମୁନା ଉତ୍ତର ଦେଇପାରେ ନାହିଁ ।

 

ସମୟ କାହାରି ଅଭାବ ଅସୁବିଧାକୁ ଅନାଇ ବସେ ନାହିଁ । ଯମୁନାର ଝିଅଟି ବଢ଼ିଚାଲିଚି । ଏବେ ସେ କିଛିଦୂର ପଢ଼ିଗଲାଣି । ଆଖିକି ଦେଖାଗଲାଣି ତା’ର ରୂପରେଖ । ମାଆ ତା’ର ଧୀରେ ଧୀରେ ଦୁର୍ବଳ ହେଇଆସିଲାଣି । ପିଲାଟିକୁ ଶିକ୍ଷକମାନେ ନାଁ ଦେଇଛନ୍ତି–ପଦ୍ମା । ସମସ୍ତଙ୍କ ସ୍ନେହ ଆଦର ପାଇ ପଦ୍ମାଟି ବଢ଼ୁଚି ଚଞ୍ଚଳ । ପଢ଼ୁଚି ବି ଭଲ । ଗରିବ ଛୁଆଟି ପ୍ରତି ସମସ୍ତଙ୍କ ଆଖି । ଆଉ ଏଇ ‘‘ଆଖି’’ ପଛରେ ସାକ୍ଷୀରୂପରେ ଲୁଚି ରହିଥାଏ କାହାର କେତେ ଆଶା ମରୀଚିକାର ଛାୟା ଛବି । ଯାହା ମନରେ ଯାହା ଥାଉନା କାହିଁକି ପଦ୍ମା ନିଜ ବାଟରେ ଚାଲିଯାଏ । ବାଟ ଲୋକେ ବାର ଇଙ୍ଗିତ କରନ୍ତି–ଗରିବ ସଭିଙ୍କର ଟାହିଟାପରାର ପାତ୍ର ।

 

ଯମୁନା ହୁସିଆର କରିଦେଇଚି–‘‘ଝିଅ, ହୁସିଆର ।’’ ମାଆଝିଅ ସକାଳୁ ଇଆ ତା’ ଦୁଆରେ କାମ କରନ୍ତି । ଇଆ ତା’ଠୁ ମାଗିଯାଚି ଆଣେ ବହି, କାଗଜ ଦି’ଖଣ୍ଡି ପଦ୍ମା । ଛିଣ୍ଡା ଦଦରା କନା କବାଟରେ ନିଜର ବଢ଼ନ୍ତ ରୂପ ରେଖାକୁ ଯଥାସମ୍ଭବ ଲୁଚାଇ ଇସ୍କୁଲକୁ ଯାଏ ପଦ୍ମା । ବଢ଼େ ଆଉ ପଢ଼େ । ଏଇଥି ଭିତରେ ଥରେ ଗଣେଷ ପୂଜାକୁ ଛାତ୍ରଛାତ୍ରୀ ମିଶି ମଞ୍ଚ ଅଭିନୟ କଲେ । ଅଭିଭାବକ କେତେଜଣ ଯୁବକ ଶିକ୍ଷକ । ଅଭିନୟ ମଧ୍ୟରେ ଆଦିରସର ଅଭିନୟ କରିବାକୁ ଲାଳସୀ ହୋଇ ଜଣେ ଶିକ୍ଷକ ପଦ୍ମାର ପୂରିଆସୁଥିବା ଅଙ୍ଗଲତାକୁ ଅନ୍ତରାଳରେ ଆଲିଙ୍ଗନ କରିପକାଇଲେ । ଫଣିନୀ ପଦ୍ମା ଗର୍ଜିଉଠିଲା–‘‘ଆପଣ ଆଜ୍ଞା, ଗୁରୁ ପରା, ବାପା ସମାନ–ଛି, ଥୁ ।’’

 

ପଦ୍ମା ହାଇସ୍କୁଲ ଛାଡ଼ିଦେଲା । ଛି, ଥୁ ।

 

ବାବୁମିଆଁ ଡାକିଲା–ଆଲୋ ମା’, କଟକ ଯିବୁ । ନିଃସନ୍ଦରେ ପଦ୍ମା ତାରି ସାଙ୍ଗରେ ଚାଲିଆସିଲା କଟକ ।

 

କେତେଦିନର ଘଟଣା ହେଲାଣି । ଆଡ଼ଭୋକେଟ ସାମନ୍ତରାୟଙ୍କ ଝିଅ ଜ୍ୟୋତ୍ସ୍ନା । ଦେଈ ଆସିଛନ୍ତି ବୋହୂ ହୋଇ ଭାର ସମ୍ଭାର ଘେନି ହରିଚନ୍ଦନ ବାବୁଙ୍କ ଘରକୁ । କିନ୍ତୁ ମନଭିତରେ ତାଙ୍କର ପ୍ରବେଶ ଦ୍ୱାରରେ ସିଙ୍କୁଳିଟା ଭଲଭାବରେ ଫିଟୁନାହିଁ । ସବୁ ହସ, ଖେଳ, ମଜା, ମଜଲିସ ମଝିରେ ଫାଙ୍କ ଫାଙ୍କ ଭାବ । ମନଟା ଯେମିତିକି ଛୁଇଁ ଛୁଉଁ ନାହିଁ । ଧରି ଧରୁ ନାହିଁ, ପାଇ ପାଉ ନାହିଁ, ଏଇଭଳି ସଦାବେଳେ । ମାସ ମାସ, ବର୍ଷ ବର୍ଷ ବିତିଲା, ଗୋଟିକ ପରେ ଆଉ ଗୋଟିଏ, ତା’ ପଛକୁ ଆଉ ଗୋଟିଏ ହୋଇ ଚାରି ପାଞ୍ଚଟି ଛୁଆ ଆସି ଲେଉଟିଲେ । ବଡ଼ଲୋକର ଝିଅ ଜ୍ୟୋତ୍ସ୍ନା ଅନ୍ୟମନା ରୁଗ୍‍ଣା, ଡାକ୍ତର, ବୈଦ୍ୟ, ଔଷଧ, ପଥ୍ୟ ସବୁ ବ୍ୟର୍ଥ । ମନଭିତରେ ଘୁଣପୋକ ଲାଗିଛି ଦୁହିଙ୍କର । ବିବାହ ପରେ ଦୁଇଟା ପ୍ରାଣ ଗୋଟାଏ ହୁଏ; କିନ୍ତୁ ୟାଙ୍କର ଦୁଇଟା ପ୍ରାଣ ଯେମିତିକି ଦୁଇଶହଟା ପ୍ରାଣ ହେବାକୁ ଯାଉଚି । ଅଫିସରେ ଫାଇଲଚାଷ ଚାଲିଚି, ଘରେ ରେଡ଼ିଓ ବାଜୁଚି । ଛୁଟିରେ ମଟରଗାଡ଼ି ଦିହିଙ୍କି ଧରି କେତେଆଡ଼େ ଘୂରିବୁଲୁଚି ତେବେ ବି ଶାନ୍ତ ନାହିଁ ।

 

ଜ୍ୟୋତ୍ସ୍ନା ଯେ ଦିନକୁଦିନ ରୁଗ୍‍ଣା ହୋଇପଡ଼ୁଚନ୍ତି ! ହରିଚନ୍ଦନ ବାବୁ ସ୍ଥାନ ପରିବର୍ତ୍ତନ କରୁଚନ୍ତି । ଏଠୁ ସେଠିକି, ସେଠୁ ପୁଣି ଏଠିକି ବଦଳ ହେଉଚନ୍ତି । ଯୌବନ ଗଲାଣି ପ୍ରୌଢ଼ ଆସିଲାଣି । ମନେମନେ ଏବେ ବି ଫୁଲଗଛର ଆକାଶିଆ ସରୁ ଡାହିଟା ଉପରେ ଚଢ଼ି ଯମୁନା ଫୁଲ ତୋଳୁଚି ଆଉ ହସୁଚି । ଫୁଲତୋଡ଼ା ଆଣି ଟେବୁଲ ଉପରେ ସଜାଡ଼ି ଦେଇଯାଉଚି । ଖଟ ଉପରେ ଅନ୍ଧାର ଭିତରେ ଜ୍ୟୋତ୍ସ୍ନାର ଅଙ୍ଗଲତାରେ ଅନୁଭୂତ ହେଉଚି ଯମୁନାର ସ୍ପର୍ଶ ସୁଖ ।

 

କିନ୍ତୁ ଯମୁନା, କାହିଁ ସେ ? ସର୍ବନାଶ ହେବଣି ତା’ର କେତେଦିନୁ । କେତେକାଳୁ ସେ ମରିଯିବଣି । ଦାରିଦ୍ର୍ୟ ତା’ର ବାଡ଼ ଦେଲା ସେଦିନ ସିନା–ଆଜି ତ ନୁହେଁ । ଆଜି ତା’ର ସ୍ମୃତି ମାତ୍ର ଜୀବିତ ଅଛି ସିନା !

 

ସ୍ମୃତି–ନିର୍ଜୀବ–କିଏ କହେ । ହୁଏତ ବାୟାଣୀ ହୋଇ କାହିଁ ବୁଲୁଥିବ, ନୁହେଁ ତ ଛୁଆଟିକି ଜନ୍ମକରି ସେ ମରିଥିବ । ତା’ର ପ୍ରେତାତ୍ମା ଆଜି ଘୂରି ବୁଲୁଚି–ହରିଚନ୍ଦନ ବାବୁଙ୍କ ମନେମନେ ଧ୍ୟାନେ ଧ୍ୟାନେ ଜ୍ଞାନେ ଅଜ୍ଞାନେ ସ୍ୱପ୍ନେ ଜାଗରଣେ । ବଡ଼ଲୋକର ଝିଅ ଜ୍ୟୋତ୍ସ୍ନା ସେ ଆଜି ନିତାନ୍ତ ଏକୁଟିଆ ।

 

ମନର ଗୋପନ କଥା କହିହୁଏ ନାହିଁ କାହାରି ଆଗରେ । ମନର ନିଆଁ ଭିତରେ ଭିତରେ କୁହୁଳୁଥାଏ–ନିଭେ ନାହିଁ । ନିଭିପାରେ ନାହିଁ ।

 

ଜ୍ୟୋତ୍ସ୍ନା ଦିନେ ବିକଳ ହୋଇ ପଚାରିଦେଲେ–ତୁମେ କାହିଁକି ଏମିତି ହୋଇଯାଉଚ ଦିନକୁଦିନ ?

 

କାହିଁ ? କିଛି ତ ନାହିଁ, ମୁଁ ଭାବିଚି ଚାକିରି ଛାଡ଼ିଦେବି ।

 

କାନ୍ଦି ଆସୁଚି ଜ୍ୟୋତ୍ସ୍ନା । ଭକୁଆ ଭଳି ଅନାଇ ରହୁଚି ସ୍ୱାମୀ ମୁହଁକୁ–ତୁମେ କଅଣ ତେବେ ମୋତେ ପାଇ ସୁଖୀ ନୁହଁ ? ଆଉ କାହାକୁ ଭଲପାଉଥିଲ ।

 

ଦୀର୍ଘଶ୍ୱାସ ! ତଥାପି ଆତ୍ମସମ୍ବରଣ କରିବାକୁ ଚେଷ୍ଟା କଲେ ହରିଚନ୍ଦନ ବାବୁ–ଜ୍ୟୋତ୍ସ୍ନାକୁ କୋଳକୁ ଟାଣିନେଇ, ଆଖି ଲୁହରେ ତା’ର କପାଳ ଧୌତ କରିଦେଇ–ଛି ଜ୍ୟୋତ୍ସ୍ନା, କଅଣ ତୁମେ ଭାବିହେଉଚ କାହିଁକି ? ଏତେଦିନ ଘରସଂସାର କଲ, ତେବେ ବି ମୋତେ ଚିହ୍ନିପାରିଲ ନାହିଁ ।

 

ନା–ଚିହ୍ନିପାରିଲି ନାହିଁ । ତୁମ ଭିତରେ ମୁଁ ପଶି ପାରୁନାହିଁ । ନିରାଟ ସତକଥାଟା କହିପକାଇଲା ଜ୍ୟୋତ୍ସ୍ନା ।

 

ଅନ୍ତଃସତ୍ତ୍ୱା ଯମୁନି, ନିରୀହ ବାଳିକା–ସର୍ବନାଶ କରି ଆସିଛନ୍ତି ହରିଚନ୍ଦନ ବାବୁ । ସେ ବଞ୍ଚିଲା କି ମଲା, ତା’ର ଦରିଦ୍ର ସରଳ ବାପାମା’ଙ୍କ ଦଶା କଅଣ ହେଲା ? ଆଣବିକ ବୋମା ନିକ୍ଷେପ କରି ହରିଚନ୍ଦନ ବାବୁ ଦୂରେଇ ଆସିଚନ୍ତି । ହିରୋସୀମାର ଅବସ୍ଥା କଅଣ ହେଲା ସେଇକଥା ଭାବିହେଉଚନ୍ତି ମନେମନେ । ଅବିରାମ, ମନଭିତରେ କୁକାର୍ଯ୍ୟର ଭୀଷଣ ସ୍ମୃତି ଭୟଙ୍କର ରୂପ ଘେନି ମୁହୁର୍ମୁହୁଃ ଆକ୍ରମଣ କରୁଚି । ମାତ୍ର ଅନ୍ତରର କଥା, ହୃଦୟର ଯନ୍ତ୍ରଣା କାହାରି ଆଗରେ ଖୋଲିଦେବାର ଉପାୟ ନାହିଁ ।

 

ହରିଚନ୍ଦନ ବାବୁ କାମ କରିପାରିଲେ ନାହିଁ । ଗୋଟିକ ପରେ ଗୋଟିଏ ହୋଇ ଜ୍ୟୋସ୍ନା କୋଳକୁ ପିଲାଗୁଡ଼ିଏ ଆସି ଲେଉଟିଯାଇଛନ୍ତି । ଜ୍ୟୋସ୍ନା ରୋଗଗ୍ରସ୍ତା, ଶଯ୍ୟାଶାୟୀ । କୌଣସି ଔଷଧ କାମ ଦେଉନାହିଁ । ରୋଗଟା ମନକୁ ଆକ୍ରମଣ କରି ଖାଇଯାଉଚି । କୌଣସି ଔଷଧର ଗତି କେତେଦୂର ଯାଉନାହିଁ । ହରିଚନ୍ଦନ ବାବୁ ଚାକିରି ଛାଡ଼ିଦେଇଚନ୍ତି । ଗାଁକୁ ଯାଇ ବିଶ୍ରାମ ନେଉଚନ୍ତି-। ସବୁ ଛାଡ଼ିଛୁଡ଼ି ଦେଇ ବିଶ୍ରାମନେଲେ ବି ନିସ୍ତାର ନାହିଁ । ଯୌବନର ଆଦିପର୍ବରେ ସେ ନିଜଭିତରେ ଯେଉଁ ବିଷବୀଜ ରୋପଣ କରିଚନ୍ତି ତାରି ବିଷମୟ ପରିଣାମ ଆଜି ସେଇ ଏକା ଭୋଗୁଚନ୍ତି । ଆଉ, କିଛି ନଜାଣି ସୁଦ୍ଧା ତାଙ୍କରି ସମ୍ପର୍କରେ ଆସି ଜ୍ୟୋତ୍ସ୍ନାର ଅବସ୍ଥା ଏତେଦୂର ହେଲାଣି ।

 

ଦୈନନ୍ଦିନ ଜୀବନଯାତ୍ରା ଭିତରେ ମଣିଷ ବେଳେବେଳେ ଦୁର୍ବଳ ମୁହୂର୍ତ୍ତର ଆବର୍ତ୍ତରେ ପଡ଼ି ଭୁଲ୍ କରିପକାଏ । ଭଲଲୋକର ବିବେକ ନିଜେ ନିଜର ବିଚାର କରେ, ନିଜେ ନିଜକୁ ଦଣ୍ଡ ଦିଏ । ଭଣ୍ଡ ଭୁରୁଡ଼ାଏ, ଅନ୍ୟର ବିଚାରକୁ ଫାଙ୍କିଦିଏ । ଭଲ ଆଉ ଭଣ୍ଡ ଭିତରେ ତଫାତଟା ଏତିକି-। ନୋହିଲେ ମନୁଷ୍ୟ ମାତ୍ର ଭୁଲ୍ କରିବାଟା ସ୍ୱାଭାବିକ ।

 

ହରିଚନ୍ଦନ ବାବୁ ନିଜର ବିଚାର ନିଜେ କରୁଚନ୍ତି । ବିଚାର ଶେଷ ହୋଇପାରୁନାହିଁ । ରାୟ ବାହାରିବାକୁ ବିଳମ୍ବ ଅଛି । ଜ୍ୟୋତ୍ସ୍ନାର ଅବସ୍ଥା ଅତି ସାଙ୍ଘାତିକ । ହାସପାତାଳକୁ ନନେଲେ ଉପାୟ ନାହିଁ । ହରିଚନ୍ଦନ ବାବୁ ଟେଲିଫୋନ କରି ଆମ୍ବୁଲେନ୍‌ସ ମଗାଇଚନ୍ତି । ବିଛଣା ପତ୍ର ସଜଡ଼ା ଚାଲିଚି । ମୁଣ୍ଡ ଘୂରିଯାଉଚି । ଅଭାବର ଛାୟା ଚାରିଆଡ଼ୁ ଘୋଟି ଆସୁଚି । ଆଭିଜାତ୍ୟ ଅପସରି ଗଲାଣି । ଚାକିରି ଚାଲିଲା ପରେ ଆସନ ଓ ପଦମର୍ଯ୍ୟାଦା ଦୂରେଇ ଯାଇଚି । ନିଜକୁ ଧନ୍ୟ ବୋଲି କହିବାର ଉପାୟ ନାହିଁ । ଦରିଦ୍ର ଶ୍ରେଣୀଭୁକ୍ତ ହେବାକୁ ମନ କହୁନାହିଁ । ସମତାର ସାମ୍ୟବାଦ ‘‘ଛୁଇଁ ଛୁଇଁ’’ ହେଉଛି ।

 

ଅଦୂରରୁ ଆମ୍ବୁଲାନ୍‌ସ ଶବ୍ଦ ଶୁଭିଲାଣି । ରୋଗୀକୁ ଶୀଘ୍ର ଉଠାଇନେବାକୁ ହେବ । ଅଳ୍ପ ସମୟ ଭିତରେ ଅକ୍‌ସିଜେନ ନଦେଲେ ଉପାୟ ନାହିଁ । ପାଗଳ ପରି ହରିଚନ୍ଦନ ବାବୁ ଡାକଦେଲେ ‘‘ଷ୍ଟ୍ରଚରଟାଏ କାହୁଁ ମିଳିବରେ ?’’ ସେଇ ପୁଣି ନିଜର ଉତ୍ତର ଦେଲେ । ଆମର ଯୋଗାଡ଼ କରିବା ଦରକାର ନାହିଁ । ଜ୍ୟୋତ୍ସ୍ନାକୁ ନେବାକୁ ଯିଏ ଆମ୍ବୁଲାନ୍‌ସ ଆଣୁଚି ସେଇ ଷ୍ଟ୍ରେଚର ଆଣିଥିବ ସାଥିରେ ନିଶ୍ଚୟ ।

 

ହରିଚନ୍ଦନ ବାବୁଙ୍କ ଆଖିରୁ ଲୁହଧାର ଝରିଆସୁଛି । ହାତ ପିଠିରେ ପୋଛି ପକାଉଚନ୍ତି । କୋଡ଼ିଏ ବର୍ଷତଳେ ଜ୍ୟୋତ୍ସ୍ନା ବଧୂବେଶରେ ସାଜି ଆସିଥିଲା ଏ ଘରକୁ–ଦୁଇଟି ପ୍ରାଣକୁ ଏକ କରିବା ଲାଗି । କିନ୍ତୁ କୋଡ଼ିଏ ବର୍ଷ ଭିତରେ ଯୋଡ଼ ଲାଗିପାରିଲା ନାହିଁ । କେତେ ବସାଘର, କେତେ ଡାକ ବଙ୍ଗଳା, କେତେ ଫୁଲ ବଗିଚା, କେତେ ଝରଣା କୂଳ, ଏକ ହୋଇ ବସିଚନ୍ତି–ରହିଚନ୍ତି ଦିଜଣ ଯାକ । କେତେ ଆନନ୍ଦ, ହସ ଖେଳ, କେତୋଟି ପିଲା ଜନ୍ମ ହୋଇଚନ୍ତି; କିନ୍ତୁ ମଝିରେ ଥାଇ କେଉଁ ସ୍ମୃତିରେ ଗୋଟିଏ ଅଦୃଶ୍ୟ ପରଦା ଉଭୟଙ୍କୁ ଫାଙ୍କ ଫାଙ୍କ କରି ରଖିଛି । ଆଲିଙ୍ଗନ ପାଶରେ ଥାଇ ସୁଦ୍ଧା ଜ୍ୟୋତ୍ସ୍ନା ହରିଚନ୍ଦନଙ୍କୁ ସ୍ପର୍ଶ କରିପାରିନାହିଁ । ମଝିରେ ଯେମିତିକି ଗୋଟାଏ ମୋଟା ଚାଦର ଜଡ଼ିରହିଚି ହରିଚନ୍ଦନ ବାବୁଙ୍କ ସାରା ଅଙ୍ଗ ଓ ମନ ପ୍ରାଣରେ । ଦୀର୍ଘ ଏତେବର୍ଷ ଭିତରେ ଦାମ୍ପତ୍ୟ ଜୀବନର ଏତେକଥା ଭିତରେ ବି ସେ ଅଠା ଛାଡ଼ିନାହିଁ କି ସେ ଅଦୃଶ୍ୟ ପରଦା ଘୁଞ୍ଚିଯାଇନାହିଁ ।

 

ଆମ୍ବୁଲାନ୍‌ସ ଦାଣ୍ଡ ଦୁଆରେ ଠିଆହେଲା । ଡ୍ରାଇଭର ଓହ୍ଲାଇଆସି ସଲାମ କଲା–ହଜୁର ସଲାମ ।

 

ହରିଚନ୍ଦନ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ, ପଚାରିଦେଲେ–କିଏ ? ବାବୁମିଆଁ ?

 

ହଜୁର ।

 

ତୁମେ ।

 

ମୁଁ କେତେଦିନ ହେଲା ଆମ୍ବୁଲାନ୍‌ସ ଡ୍ରାଇଭର କାମ କରୁଚି ଆଜ୍ଞା ।

 

ବାବୁମିଆଁର ବୟସ ହୋଇଗଲାଣି । ତଥାପି ତା’ର ମନଭିତରେ ପ୍ରଫୁଲ୍ଲତା ଓ ନିର୍ମଳତାର ତେଜ ଦପ୍‌ ଦପ୍‌ ଜଳିଲାପରି ଲାଗୁଚି । ପ୍ରାଣରେ ତା’ର ଉତ୍ସାହ ପୂରି ରହିଚି ।

 

ହରିଚନ୍ଦନ ବାବୁଙ୍କ ମୁହଁରେ ସ୍ୱାଭାବିକ ହସଟି ଲାଗି ରହିଚି ସତ; ମାତ୍ର ସହସ୍ର ଚିନ୍ତାରେ ଝାଉଁଳିପଡ଼ିଚି । ବାହାରର ଆବରଣଟା ଭିତରର କ୍ଷୟକୁ କୌଣସି ପ୍ରକାରେ ଲୁଚାଇ ରଖିପାରୁ ନାହିଁ ।

 

ଆଖିରେ ବିନ୍ଦୁ ବିନ୍ଦୁ ଲୁହ । ହରିଚନ୍ଦନ ବାବୁ ଧୀର ଓ ଆବେଗଭରା କଣ୍ଠରେ ପଚାରୁଛନ୍ତି–ବାବୁମିଆଁ ତମେ ଆସିଚ ?

 

ଆସିଚି, ହଜୁର । ମୁଁ ଡ୍ରାଇଭର ।

 

ଡ୍ରାଇଭର ମାତ୍ର ! ଗାଡ଼ିର ମାଲିକ ସେ ନୁହେଁ ? ଆଉ ଜଣେ ? ହରିଚନ୍ଦନ ବାବୁ । ଜ୍ୟୋତ୍ସ୍ନା ଓ ଆଉମାନେ ସମସ୍ତେ ଯାତ୍ରୀ ମାତ୍ର ! ମାଲିକ କେହି ନୁହେଁ ।

 

ବାବୁମିଆଁର ସ୍ମୃତି । କେତେ ବର୍ଷ ତଳର । ଯୁବକ ବାବୁମିଆଁ ଗଛତଳୁ ଫୁଲ ଗୋଟାଉଚି ଆଉ, ହସୁଚି । ଗଛ ଉପରେ ଚଢ଼ି ଫୁଲ ତୋଳୁଚି–ଯମୁନା । କୈଶୋର ବିଦାୟ ନେଇ ନାହିଁ, ଯୌବନ ଦ୍ୱାରରେ ହାତ ମାରି ଡାକୁଚି । ଗଛରେ ଫୁଲ ଫୁଟିଚି । ଫୁଟନୋନ୍ମୁଖ କଳିକାଟିକୁ ତୋଳିବାକୁ ଉଠିଛି ଯମୁନା–ଅଡ଼ର୍ଲିର ଝିଅ ଯମୁନି । କାହିଁ ସେ, କଅଣ ତା’ର ହେଲା ?

 

ଷ୍ଟ୍ରେଚରରେ ଜ୍ୟୋତ୍ସ୍ନାର ଅଙ୍ଗଲତା ଅବଗୁଣ୍ଠିତା–ଶାୟିତା–ଜ୍ଞାନହୀନା । ହରିଚନ୍ଦନ ବାବୁଙ୍କ ଚେତନା ପଶିଲା । କାମିଜ ଖଣ୍ଡେ ଦେହରେ ଗଳାଇ ପକାଇ ସେ ବି ଉଠିପଡ଼ିଲେ ଆମ୍ବୁଲାନ୍‌ସ ଉପରକୁ । ଯିବାକୁ ହେବ ସାଥିରେ । ଜ୍ୟୋତ୍ସ୍ନା । ବାହାରିଲା । ପାଖରେ ବସି ହାତଟିକୁ କୋଳ ଉପରକୁ ଟେକିଧରି ହରିଚନ୍ଦନ ଆଉଁଷି ଦେଉଚନ୍ତି । ଆଖି ଓଦା ହୋଇଯାଉଚି । ଜ୍ୟୋତ୍ସ୍ନା ଆଖି ଦୋଟି ଢୁଳାଇ ପକାଉଚି । ଧୀରେ ଧୀରେ ନିଃଶ୍ୱାସ ଛାଡ଼ୁଚି । ହରିଚନ୍ଦନ ବାବୁଙ୍କ ମନ-ଆଖିରେ ଛାଇ ଛାଇକା ମେଘ, କ୍ଷଣେ ଅନ୍ଧାର କ୍ଷଣେ ଆଲୋକ ଦେଖାଇ ଭାସିଯାଉଚି । ଚିନ୍ତାର ବାଦଲ; କ୍ଷଣେ ଛାଇ କ୍ଷଣେ ଖରା । ଯମୁନାର ଛାୟା ରୂପ, ଜ୍ୟୋତ୍ସ୍ନାର ମଳିନ ଚେହେରା । ଦୀର୍ଘଶ୍ୱାସ ।

 

‘‘ବାବୁମିଆଁ ଜଲଦି ଚଲାଓ । ପଚାଶ ମାଇଲ୍‌ ଷାଠିଏ ମାଇଲ୍‌ । ସତୁରୀ ମାଇଲ୍‍–ଘଣ୍ଟାକେ ।’’

 

ଗାଡ଼ି ଖଣ୍ଡିକ ଉଡ଼ିଚାଲିଛି । ତେବେ ବି ମନେହେଉଛି ସତେକି କିଏ ତାକୁ ପଛକୁ ଭିଡ଼ିଧରିଛି ।

 

ହାସପାତାଳର ଉପର ମହଲା । କଟେଜର ଦୁଆର ମୁହଁରେ ଖଣ୍ଡେ ପରଦା ଝୁଲୁଚି । ବାରଣ୍ଡା ଉପରେ ଠିଆହୋଇ କଡ଼ରେ କର୍ନିସର ରେଲିଙ୍ଗ ଧରି ଧୀରେ ଧୀରେ ଏପଟସେପଟ ଝୁଲୁଚି ବାବୁମିଆଁ–ଆଖି ତା’ର ଶୂନ୍ୟ ଆକାଶ ଆଡ଼େ–ମନ ଭିତରଟା ଚିନ୍ତାଶୂନ୍ୟ । ରହି ରହି ଦୀର୍ଘନିଃଶ୍ୱାସଟିଏ ଟାଣୁଚି ସେ । ଘରଭିତରେ ସ୍ପ୍ରିଂ ଖଟିଆ ଉପରେ ବହଳ ବିଛଣା । ତା’ ଉପରେ ସମ୍ପୂର୍ଣ୍ଣ ଜ୍ଞାନହୀନ ଅବସ୍ଥାରେ ଜ୍ୟୋତ୍ସ୍ନା, କଡ଼କୁ ଖଣ୍ଡିଏ ଚଉକି ଉପରେ ବସିଚନ୍ତି ହରିଚନ୍ଦନ ବାବୁ; ଏକଲୟରେ ଚାହିଁ ରହିଚନ୍ତି ରୋଗିଣୀର ବିଶୁଷ୍କ ମୁହଁଟି ଆଡ଼କୁ । ଅକ୍‌ସିଜନ ଟିଉବ୍‌ଟି ରୋଗୀର ନାକ ଭିତରେ ଦିଆଯାଇଛି । ଡାକ୍ତର ହାର୍ଟ ପରୀକ୍ଷା କରୁଚନ୍ତି । ଯୁବତୀ ନର୍ସଟି ପାଖରେ ଛିଡ଼ାହୋଇ ଥରେ ହରିଚନ୍ଦନଙ୍କ ଆଡ଼କୁ ଆଉ ଥରେ ରୋଗିଣୀ ଆଡ଼କୁ ଅନାଇ ଦୀର୍ଘନିଃଶ୍ୱାସ ଟାଣୁଚି । ଚାକିରି ଜୀବନରେ କେତେ ରୋଗୀ ମରିଚନ୍ତି ସେ ଦେଖିଚି । କିନ୍ତୁ କାହାରିପାଇଁ ତ ପ୍ରାଣ ଭିତରେ ଏଭଳି ଝଙ୍କାର ଉଠି ନାହିଁ ତା’ର !

 

ହରିଚନ୍ଦନ ହାରିଲେ । ଚିକିତ୍ସା ପରାଜୟ ସ୍ୱୀକାର କଲା । ଜ୍ୟୋତ୍ସ୍ନାର ହିକ୍‌କା ଉଠିଲା–ଏକ, ଦୁଇ, ତିନି ତା’ପରେ ସବୁ ଶୂନଶାନ୍‌ । କଳ ବନ୍ଦ ହୋଇଗଲା । ଡାକ୍ତର ମୁହଁ ଶୁଖାଇ ନାଡ଼ି ଛାଡ଼ିଦେଲେ । ଅଦୃଶ୍ୟ ଆମ୍ବୁଲାନ୍‌ସ କେଉଁବାଟେ ଗାଡ଼ି ଆଣି କେଉଁ ଷ୍ଟ୍ରେଚରରେ କାହାକୁ ଘେନି ପଳାଇଲା–କେଉଁ ବାବୁମିଆଁ ଡ୍ରାଇଭର–କେହି ଜାଣିପାରିଲେ ନାହିଁ । ଜ୍ୟୋତ୍ସ୍ନାର ଜ୍ୟୋତ୍ସ୍ନାମୟ ଅଙ୍ଗଲତା ଖଣ୍ଡିକ ଶବରୂପେ ପଡ଼ି ରହିଲା ବହଳ ଶେଯ ଖଣ୍ଡିକ ଉପରେ । ଚୌକି ଉପରେ ଜଡ଼ ପଥର ପରି ବସି ରହିଲେ ହରିଚନ୍ଦନ ବାବୁ । ଓଠ ଥରୁଚି । ଆଖିରୁ ଲୁହ ବିନ୍ଦୁ ଝରୁଚି । ହାତଧରି ଡାକ୍ତର ତାଙ୍କୁ ଉଠାଇ ଠିଆ କରାଇ କହିଲେ–ଆସନ୍ତୁ ବାହାରକୁ । ଆପଣ–ଗୁଣୀ, ଜ୍ଞାନୀ–କଅଣ ଭାବୁଚନ୍ତି ।

 

ଯନ୍ତ୍ର ଚାଳିତ ଭଳି ହରିଚନ୍ଦନ ବାବୁ ବାହାରକୁ ଆସିଲେ । ବାବୁମିଆଁ ରେଲିଂ ଧରି ଝୁଲୁଚି । ଦୂରରୁ ଦିଶିଯାଉଚି ଗୋଟାଏ ମସ୍‌ଜିଦର ଗୁମ୍ବୁଜ ଚୂଡ଼ା । ‘‘ଇଆ ଆଲା’’–ବାବୁମିଆଁର ଦି’ଆଖିରୁ ବହିଆସୁଚି ଦି’ଧାର ଲୁହ । ଓଠ ତା’ର ଥର ଥର ଥରୁଚି । ଦରଦୀ ପ୍ରାଣ ତା’ର ପର ଦୁଃଖରେ କାତର ହୋଇପଡ଼ିଚି । ପଠାଣର ପ୍ରାଣରେ ହିନ୍ଦୁ ପାଇଁ ଏତେ ମମତା ? କିଏ କହେ ହିନ୍ଦୁ ଆଉ ମୁସଲମାନ ଦୁଇଟା ବୋଲି ? ଦୁନିଆଁର ମଣିଷ ଗୋଟାଏରେ, ଦୁଇଟା ନୁହେଁ । ତା’ର ମନ, ପ୍ରାଣ ଆଉ ଅନ୍ତରାତ୍ମା ଏକ । ଦୁଇ ଦୁଇଟା କରୁଚନ୍ତି କେତୁଟା ବୀଭତ୍ସ ଧର୍ମ-ଧ୍ୱଜାଧାରୀ ଧର୍ମପଣ୍ଡା–ଯେଉଁମାନେ କି ମାନବିକ ଧର୍ମର ସମ୍ପୂର୍ଣ୍ଣ ବିରୋଧୀ–ଅପରାଧୀରୂପେ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ନିତାନ୍ତ ଉଚିତ ।

 

ବାହାରକୁ ଆସି ହରିଚନ୍ଦନ ପାଗଳ ପରି ଧରିପକାଇଲେ ବାବୁମିଆଁର ହାତଟାକୁ–ସବୁ ମୋର ସରିଗଲାରେ ବାବୁମିଆଁ ! ଦୁନିଆଁରେ କେହି ନାହିଁ ଆପଣାର ବୋଲି–ବାବୁ । ଶେଷରେ ତୁଇ ମୋତେ ଛାଡ଼ି ନାହୁଁ ।

 

ବାବୁମିଆଁର ଚଉଡ଼ା କାନ୍ଧ ଉପରେ ହରିଚନ୍ଦନ ବାବୁଙ୍କ ମୁକୁଳା ମୁଣ୍ଡଟା । ଆଖିରୁ ଲୁହ ବହିଯାଉଚି ବାବୁମିଆଁର ଛାତି ଉପର ଦେଇ । ଅଦୂରରେ ଠିଆହୋଇ ଏ ଦୃଶ୍ୟ ଦେଖି ଦର ଦର କାନ୍ଦିପକାଉଚି ନର୍ସ ଝିଅଟି । ବାବୁ ତା’ ଆଡ଼କୁ ଚାହିଁଲା । ଧୀର ସ୍ୱରରେ ଡାକିଲା–ଆ ଆ, ମା’ ପଦ୍ମା ।

 

ପଦ୍ମା ପାଖକୁ ଆସିଲା ।

 

ମୁଣ୍ଡିଆ ମାରେ ଝିଅ–ଇଏ ତୋର ବାପା ।

 

‘‘ବାପା ! ମୋର ବାପା !’’ ପଦ୍ମା ଆଣ୍ଠୁମାଡ଼ି ବସିପଡ଼ିଲା ହରିଚନ୍ଦନ ବାବୁଙ୍କ ଆଗରେ । ପାଦ ଦୋ’ଟି ଉପରେ ଦି’ହାତ ଥୋଇଦେଲା । ମୁଣ୍ଡ ତା’ର ହରିଚନ୍ଦନ ବାବୁଙ୍କ ପାଦଉପରେ–ମୋରି ବାପା ?

 

‘‘ବାପା ! ମୁଁ ତୋରି ବାପା ?’’ –ହରିଚନ୍ଦନ ବାବୁ ବିସ୍ମିତ ବିହ୍ୱଳ ନେତ୍ରରେ ଥରେ ପଦ୍ମା ଆଡ଼କୁ ପୁଣି ଥରେ ବାବୁମିଆଁ ଆଡ଼କୁ ଅନାଇଚନ୍ତି । ମିଆଁ କାନ୍ଧ ଉପରୁ ସେ ମୁଣ୍ଡ ଉଠାଇ ନେଇଚନ୍ତି–‘‘ମୋର ଝିଅ ପଦ୍ମା ।’’ ପଦ୍ମା ଆଡ଼କୁ ଅନାଉଚନ୍ତି ।

 

ବାବୁମିଆଁ– ଆପଣଙ୍କ ଝିଅ ପଦ୍ମା । ଯମୁନି ଏବେ ବି ବଞ୍ଚିଚି । ତା’ର ବାପା ମା’ ମରିଯାଇଚନ୍ତି । ବଡ଼ ଦୁଃଖରେ ମଣିଷ ହୋଇଚି ପଦ୍ମା ।

 

ପଦ୍ମାର ହାତ ଦୋଟି ଧରି ଧୀରେ ଧୀରେ ଉପରକୁ ଉଠାଇଚନ୍ତି ହରିଚନ୍ଦନ ବାବୁ–କହୁଚନ୍ତି–ମୋରି ଝିଅ ପଦ୍ମା ! ଯମୁନିର ଝିଅ ! ଆଉ ତୁମେ କିଏ ବାବୁମିଆଁ ?

 

‘‘ବାବୁମିଆଁ ମୋରି ଭାଇ । ସେ ତୁମର ଡ୍ରାଇଭର ନୁହେଁ, ବନ୍ଧୁ । ତୁମେ ମୋ ବାପା ମାଆକୁ ମାରିଦେଇ ଆସିଚ, କିନ୍ତୁ ବାବୁ ଭାଇ ମତେ ବଞ୍ଚାଇଚି, ଆଉ ତମ ଝିଅକୁ ମଣିଷ କରିଚି ।’’

 

ଦୂରରୁ କିଏ ଗୋଟାଏ ପାଗଳୀ ଧାଇଁଆସୁଚି । ନୁଖୁରା ବାଳଗୁଡ଼ାକ ମୁକୁଳା ମୁଣ୍ଡରେ ଫୁରୁ ଫୁରୁ ଉଡ଼ୁଚି । ଦିହରେ ଖଣ୍ଡେ ଧଳା ଧୋତି ଗୁଡ଼ିଆ ହୋଇଚି, ଅଡ଼ୁଆ ତଡ଼ୁଆ ହୋଇଯାଇଚି-। ଆଖି ଦି’ଟା ଖୋଳା ଖୋଳା ପଶିଯାଇଚି । ହାତ ଗୋଡ଼ରେ ହାଡ଼ ଗଣି ହୋଇଯାଉଚି–ଜୀଅନ୍ତା ପ୍ରେତ ମୂର୍ତ୍ତି ଚାଲି ଚାଲି ଆସୁଚି–ଟଳିପଡ଼ୁଚି, ଉଠିପଡ଼ୁଚି । ସେ ବି ଆସି ହରିଚନ୍ଦନ ବାବୁଙ୍କ ପାଦପାଖରେ ପଡ଼ିଗଲା । ପକ୍‌କା ମେଜିଆ ଉପରେ ଅନେକଦିନର ରୁଗ୍‌ଣ ଶୀର୍ଣ୍ଣ ଶରୀରଟା ତା’ର କଚାଡ଼ି ହୋଇ ପଡ଼ିଲା ଗଛ କାଟିଲା ପରି । ସେ ବି ଥିଲା ହାସପାତାଳର ଆଉ ଗୋଟିଏ କୋଠରୀ ଭିତରେ ଖଟିଆ ଉପରେ । ତା’ପାଇଁ ବି ଶେଷରେ ଆମ୍ବୁଲାନ୍‌ସ ଆଣି ହରିଚନ୍ଦନ ବାବୁଙ୍କ ପାଦ ପାଖରେ ଥୋଇଦେଲା କେଉଁ ଅଜଣା ରାଜ୍ୟର ଅଦୃଶ୍ୟ ଡ୍ରାଇଭର ।

 

‘‘ଯମୁନା’’ ଚିତ୍କାର କରିଉଠିଲେ ହରିଚନ୍ଦନ ବାବୁ । ଓହଳିପଡ଼ି ହାତ ଦି’ଟା ତା’ର ଧରି ଉଠାଇବାକୁ ଚେଷ୍ଟା କଲେ ମାତ୍ର ପାରିଲେ ନାହିଁ । ଯମୁନା କାହିଁ ଆଉ ? ଶବଟା ନଡ଼ ନଡ଼ ହୋଇ ଲୋଟିପଡ଼ି ଘୋଷାରି ହୋଇଗଲା ତଳେ । ଚାରିଆଡ଼େ ରୋଗୀ, ଡାକ୍ତର, ନର୍ସ ଓ ମେହେନ୍ତର ଜମା ହୋଇଗଲେଣି । ବାବୁମିଆଁ ରେଲିଂ ଧରି ଦୂରକୁ ଚାହିଁ ଝୁଲୁଚି–ଇଆ ଆଲା–କେଉଁ ମସଜିଦରେ ଝାପ୍‌ସା ଖିଲାଣ ଛବି ଦିଶିଯାଉଚି ଲୁହ ବିନ୍ଦୁ ଭିତରେ, ଥର ଥର ହୋଇ ଥରିଉଠୁଚି ।

 

ପଦ୍ମାର ହାତଟିକୁ ଧରିଲେ ହରିଚନ୍ଦନ ବାବୁ–ଚାଲ ମା’–ଆଉ କାହିଁକି ? କିଏ ଅଛି ମୋର ଆଉ ତୋ ଛଡ଼ା ।

 

ପଦ୍ମା ବାପାର ହାତଧରି କାନ୍ଦୁଚି ।

 

ବାବୁମିଆଁ ଝୁଲୁଚି । ମନ ତା’ର ଝୁଲୁଚି ଭିତରେ ଭିତରେ । ହାକିମ ହରିଚନ୍ଦନ ବାବୁ ଶେଷକୁ ରାୟ ଶୁଣାଇଦେଲେ–ଚାଲ ବାବୁ ଭାଇ ! ତୁମେ–ମୋର ବନ୍ଧୁ ।

★★★

 

ନଈ ଶୁଖିଲେ

 

ଗୋଟିଏ ଦୀର୍ଘଶ୍ୱାସ ଆଉ ଯୋଡ଼ିଏ ଢିମା ଢିମା ଆଖି । ଆଖିଯୋଡ଼ିକ ଏକ ଲୟରେ ଅନାଇ ରହିଚି ଆଗରେ ଥିବା ଛୋଟ ଗଡ଼ିଆଟି ଆଡ଼କୁ, ଅଳ୍ପ ପାଣି, ଦଣ୍ଡିକିରି ମାଛ ଖେଳୁଛି, ଭାକୁର ଛୁଆ କେଇଟା ବେଳେବେଳେ ପାଟି ପାକୁ ପାକୁ କରି ଉପରକୁ ଉଠୁଛନ୍ତି, ପୁଣି ବୁଡ଼ିଯାଉଛନ୍ତି । ଯୋଡ଼ିଏ ଆଖି ଚାହିଁଛି । ଚାହିଁଛି ସିନା, କିଛି ଦେଖିପାରୁ ନାହିଁ । ଲୁହ ବିନ୍ଦୁଗୁଡ଼ିକ ଗଡ଼ିଆସୁଛି । ଡୋଳା ଦି’ଟା ଭରିଯାଉଚି, ତଳକୁ ଖସିପଡ଼ୁଛି କୋଳ ଉପରକୁ । ଆଉ ଗୋଟିଏ ଗହିଡ଼ିଆ ଦୀର୍ଘଶ୍ୱାସ । ଭଜନା ଦାଦି ଫଳନ୍ତି ପିଜୁଳି ଗଛଟି ମୂଳେ ଭୋର ଭୋର ବସିପଡ଼ି ମାୟା ଛିଡ଼ାଇଚି । ଡୋରି ଛିଡ଼ାଇ ଦେବାକୁ ଚେଷ୍ଟା କରୁଛି ।

 

ଭଜନା ଦାଦି, ଗାଁଯାକର ଦାଦି, ପଚାଶ ବର୍ଷ ବୟସ ହବ । ଅତି ବୁଢ଼ା ନୁହେଁ କି ଦରବୁଢ଼ା ନୁହେଁ, ବୁଢ଼ା ହେବାକୁ ଯାଉଚି । କିନ୍ତୁ ନଳି ନଳି ହାତଗୋଡ଼, ପେଟଟା ଫୁଲୁକା, ମୁହଁଟା ସୁଲୁମା ସୁଲୁମା । କେତେଦିନ ହେଲା ଦିହ ବେମାର ହୋଇଚି, ହାତଗୋଡ଼ ଚଳୁନାହିଁ, ଦିହରେ ରକ୍ତ ନାହିଁ ।

 

ରକ୍ତ କୁଆଡ଼େ ଗଲା ? ଏଇ ଘର, ଏଇ ବାଡ଼ି ବଗିଚା, ଏଇ ଗଛ ବୃକ୍ଷ, ଆଉ ମୋର ଏଇ ମାଛ ପୋଖରୀ, ଯୋଡ଼ିଏ ହାତ ଆଉ ଏଇ ଦିହ ଖଣ୍ଡିକରେ ବର୍ଷ ବର୍ଷର ମିହନ୍ତ । ତାରି ଫଳ ଆଜି ଫଳୁଚି । କିନ୍ତୁ ଦାଦି ଆଜି ମାୟାଡୋରି ଛିଣ୍ଡାଉଚି । ଆଜି ଚାଲିଯିବ ଆଉ ରହିବ ନାହିଁ । ରହିପାରିବ ନାହିଁ ଏ ଘରେ । ଏ ଘରେ ସେ କେହି ନୁହଁ । ମାଲିକ ଦୋସରା ।

 

ପିଜୁଳି ଗଛ ଆଡ଼କୁ ଦାଦି ଅନାଉଚି, ଆଖିରେ ଲୁହ ରହୁନାହିଁ । ମନ ଭିତରଟା କଇଁ କଇଁ ହୋଇଉଠୁଛି, କୋଡ଼ି ଗାଣ୍ଡୁଆ ଧରି ଏକା ଏକା ସେ ପୋଖରୀଟାକୁ ଖୋଳିଚି । ଏକା ଏକା ମାଟି ଗଦାକରି ମୂଳୁଦୁଆ ତିଆରି କରିଚି, ନିଜ ହାତରେ କାନ୍ଥ ଦେଇଚି, ରୁଅ, ଶେଣୀ ପକାଇ ଛାଆଣି କରିଛି । ସାନ ବାଛୁରୀ ଦିଇଟା କାହାଘରୁ ଆଣି ପାଳି ହଳେ ବଳଦ କରିଚି–ନାଲା, ଧଳା, ଡାକିଦେଲେ କାନଡେରି ଅନାଇ ରହୁଚନ୍ତି; ଜବାବ ଦଉଚନ୍ତି । କେଡ଼େ ସ୍ନେହ ସେମାନଙ୍କର । ଏ ଘରର କୁକୁର ବିଲେଇ ଦିଇଟା ବି ଚିହ୍ନିଚନ୍ତି ଦାଦିକି । ଡାକିଦେଲେ ଦୌଡ଼ିଆସୁଚନ୍ତି, ଲାଙ୍ଗୁଡ଼ ହଲାଇ ଗୋଡ଼ ଚାରିକଡ଼େ ଘଷିହୋଇ ବୁଲୁଚନ୍ତି । କିନ୍ତୁ ସେମାନେ ଏଘରର ମାଲିକ ନୁହଁ ।

 

ଅଢ଼େଇବର୍ଷର ପିଲାଟିଏ ହୋଇଥାଏ ସୋବନା । ବାପା ମା’ ମରିଗଲେ । ଲେଖାଯୋଖାରେ ଦାଦି ହିସାବ । ଭଜନା ଦାଦି, ବାପାର ପିଇସିପୁଅ ଭାଇ ହବପରା । ମା’ ମରିଯାଇଥାଏ । ବାପ ଶେଷ ନିଃଶ୍ୱାସ ଛାଡ଼ିବା ଉପରେ, ଭଜନାର ହାତ ଧରିପକାଇଲା । ଭଜନୀ ଚାକରପରି ତୁ ମୋ ଘରକୁ ଆସିଥିଲୁ । ମୁଁ ବାହାରିଲି ଭାଇ, ଅଣ୍ଡା ବକଟକ ତତେ ଲାଗିଲା । ଘର ଭାଙ୍ଗିଗଲାଣି, ବିଲ ମାଣକ ପଡ଼ିଆ ପଡ଼ିଲାଣି । ଅଢ଼େଇବର୍ଷର ଅଣ୍ଡାଟି । ମୁଁ ଚାଲିଲି ଭାଇ । ଆଉ ବଞ୍ଚିପାରିବି ନାହିଁ ।

 

ସେଦିନ ଭଜନା ଉପିଆ ଭାଇ ହାତଟାକୁ ଧରିପକାଇ କହିଥିଲା–ମୁଁ ଅଛି ଭାଇ, ତୁମେ କାନ୍ଦନା ।

 

ତୁମେ କାନ୍ଦନା ଉପିଆ ଭାଇ, ମୁଁ ଅଛି । ଗରିବ ଉପେନ୍ଦ୍ର ପରିଡ଼ା ମରିଗଲା । ଭଙ୍ଗାଘର, ପଡ଼ିଆ ଜମି, ଗୋରୁଗାଈ ଶୂନ୍ୟ ଗୁହାଳ ଚାଳିଆ ଆଉ ଖଣ୍ଡିଆଖାବରା ଗୁଣ୍ଠକ ବାଡ଼ିବଗିଚା ଭିତରେ ଯୂଣ ପଡ଼ିଆ । କୁଡ଼ିଆ ବଖୁରିକ ଭିତରୁ ଚାଳକଣାବାଟେ ସୂର୍ଯ୍ୟଚନ୍ଦ୍ର ମୁହଁ ଦେଖାଉଛନ୍ତି । ଅଢ଼େଇ ବର୍ଷର ଅନାଥ ପିଲା ସୋବନି ଆଉ ସାତପର ଭଜନା ଦାଦି । ଚାକରପରି ଏ ଘରକୁ ସେ ଆସିଥିଲା । ଚାକରପରି କାମଦାମ କରି ମୁଠିଏ ଖାଉଥିଲା । ବର୍ଷକୁ ଦଶଟଙ୍କା ଦରମା ଦବାକୁ ଜବାବ ସିନା କରିଥିଲା ଉପିଆ ଭାଇ, ଦେଇପାରିଲା ନାହିଁ । ଭଜନୀର ବୁଢ଼ୀ ମାଆଟି ପୁଅ ବାଟକୁ ଅନାଇ ବସିଛି–ପୁଅ କେବେ ଟଙ୍କା ବଟେଇବ । ଧାନ କୁଟି ପେଟ ପୋଷୁଚି ।

 

ସାତପର ଭଜନାଦାଦି । ଅଢ଼େଇବର୍ଷର ସୋବନି । ପୁଞ୍ଜାଏ ପଖାଳ ମୁନ୍ଦାଏ ତୋରାଣି, ସୋବନିକି ଶୋଇ ସକାଳୁ ସକାଳୁ କାନ୍ଧରେ ତାକୁ ବସାଇ ବାହାରିପଡ଼େ ଭଜନା, ବାରଦୁଆରେ ମୂଲ ଲାଗିବା ପାଇଁ । ମୂଲଲାଗି ଯାହା ଆଣେ ସେଇଥିରେ ଦୁଃଖେକଷ୍ଟେ ଚଳିଯାଏ ତା’ ସଂସାରଟି–ସେ ନିଜେ ଆଉ ସୋବନା । ଅଢ଼େଇ ବରଷର କଅଁଳା ବାଛୁରୀଟି । ଚାରୋଟି ପଇସାର ଦୁଧ ନାଗୁଆ କରିଥାଏ ତାରିପାଇଁ ।

 

ଶୁକ୍ରବାରକୁ ଶୁକ୍ରବାର ହାଟପାଳି–‘‘ଦାଦି ଲୋ ମୋ ପେଇଁ ବରା ଆଣିବୁ । ମୁଁ ରାମାଘରେ ଖେଳୁଥିବି, ଝଅଟ ଆସିବୁ । ଦିନ ଥାଉଁ ଥାଉଁ ଆସିବୁ ଚାଲି । ମତେ ଡରମାଡ଼ିବଟି । ବୁଝି ଖବରଦାର, ମୋ’ପାଇଁ କଅଣ ଆଣିବୁଟି ?’’

 

ଭଜନା ଆଉ ସୋବନା । ଭଜନାର କାନ୍ଧ ଉପରେ ସୋବନା ଚାଲେ ବିଲବାଡ଼ିକି । ସାଇପଡ଼ିଶାରୁ ହଳ ହଡ଼ା ମାଗିଆଣି ଭଜନା ବିଲମାଣକ ଚାଷକରେ । ବିହନ କାହୁଁ କରଜ ଆଣି ବୁଣିଦିଏ । ବିଲ ବାଛେ, ବେହୁଡ଼େ, ଫସଲ କାଟେ, ମଳେ । ସଦାବେଳେ ସୋବନିଟି ଲାଙ୍ଗୁଡ଼ପରି ତାରି ପଛେ ପଛେ । ଧୀରେ ସୋବନାଟି ବଢ଼ିଲା, ଏଡ଼ୁଟିରୁ ଏଡ଼ୁଟିଏ ହେଲା । ଦାଦି ସାଙ୍ଗରେ ଖାଏ ଦାଦି ପାଖରେ ଶୁଏ, ଦାଦି ସାଙ୍ଗରେ ବିଲବାଡ଼ି, ହାଟ ବଜାର ସବୁଆଡ଼କୁ ଯାଏ ।

 

ବୁଢ଼ୀ ମାଆ ଧାନ କୁଟି ପେଟ ପୋଷେ । ପୁଅ ଉପରେ ଦିକ୍‌ଦାର ହୁଏ । ଦିନେଦିନେ ଧାଇଁଆସେ । କହେ–ଇରେ ଭଜନା ! କେତେଦିନ ଆଉ ମୁଁ ଧାନ କୁଟୁଥିବି ? ତୋପରି ପୁଅ ଥାଉଁ ଥାଉଁ ଗୋଟିଏ ପଇସାକୁ ଭାର୍ଜନ ହେଲୁନାହିଁରେ ଅକୁଳା ? ବିଭାଚାରା ହେଲୁ ନାହିଁ କି ଘରସଂସାର କଲୁ ନାହିଁ । ପରଘରେ କେଇଦିନ ଆଉ ପଡ଼ିଥିବୁରେ ମାହାଳିଆ । ଟୋକାଟାର ମାମୁ ଅଛି, ମାଈଁ ଅଛି, ଖୁଡ଼ୁତିଆ ଦେଢ଼ୁତିଆ ତ କେତେସବୁ ଅଛନ୍ତି, ତା’ କୁଟୁମ୍ବରେ । ତୁ କିଆଁ ଛାଁଆକୁ ଛାଁ ବାପ ଦାଦି ହେଇପଡ଼ୁଚୁ ?

 

ହସିଦିଏ ଭଜନା, ଆଡ଼େଇ ହେଇଯାଏ । ମୁଣ୍ଡ ବାଡ଼େଇ ବୁଢ଼ୀ ମାଆ ତା’ର ଫେରିଯାଏ ଗାଆଁକୁ–ଯାଉ ଯାଉ କହିଯାଏ । ଅଣ୍ଡା ସିନା ଫୁଟଉଚୁରେ ଚଣ୍ଡାଳ, କୋଇଲି ଛୁଆ କୁଆକୁ କେଭେଁ ପଚାରିବ ନାହିଁ ଜାଣିଥା ।

 

ହସିଦିଏ ଭଜନା–ଜଞ୍ଜାଳ ଲଦିଦେଇଚନ୍ତି ତା’ ଉପରେ ଭଗବାନ । ତାଙ୍କ ଇଚ୍ଛା ଯାହା ଥିବ ତାହା ହବ ।

 

ଭଗବାନଙ୍କ ଇଚ୍ଛା ନା ମଣିଷର ଇଚ୍ଛା ? ମୋର ମୋର କରି ଭଜନା ସୋବନାକୁ ଅଣ୍ଡାରୁ ଭେଣ୍ଡାକଲା । ତା’ ବିଲତକ ଚାଷକି ତାରିଘରେ ବର୍ଷ ବର୍ଷ ଧରି କୁଢ଼େଇଦେଲା । ବାରଦୁଆର ମୂଲପାତି ଲାଗି ଇଆରିଘରେ ପୂରାଇଲା । ଦୁଃଖ କଷ୍ଟ ସହି ସହି ବୁଢ଼ୀମାଆ ତା’ର ମରିଗଲା ପଛକେ ପୁଅ ମୁହଁ ଦେଖିପାରିଲା ନାହିଁ । ମୋର ମୋର କରି ଭଜନା ବାଡ଼ିଘର, ଗଛଲଟା, ପୋଖରୀ ଗଡ଼ିଆ ସବୁ କରିଦେଲା, ଗଢ଼ିଦେଲା, ଖୋଳିପକାଇଲା, କିନ୍ତୁ ଆଜି ? ଆଜିତ ସେ ଏ ଘରେ କେହି ନୁହଁ । ମାଲିକ ଦୋସରା ଲୋକ । ଫଳନ୍ତି ପିଜୁଳି ଗଛଟି ମୂଳକୁ ବସିପଡ଼ି ସେ ଆଜି କାନ୍ଦୁଚି । ତା’ ଦିହ ଭଲନାହିଁ, ମନ ଭଲନାହିଁ, ମାୟା ଛାଡ଼ୁନାହିଁ । କାୟାଟା ମାଟିହେଇ ଏ ଭିଟାରେ ମିଶିଯାଆନ୍ତା କି, ସେ ଶାନ୍ତିରେ ନିଃଶ୍ୱାସ ମାରନ୍ତା ।

 

କିନ୍ତୁ ମାଲିକ ଦୋସରା । ସୋବନା ଆଉ ନିଜ ଅକ୍‌ତିଆରରେ ନାହିଁ । ପାଖରେ ଶୁଆଇ ପାଟିରୁ କାଢ଼ି ଖୁଆଇ, କାନ୍ଧରେ ବୋହି ଅଣ୍ଡାରୁ ଭେଣ୍ଡାଟିଏ କରିଦେଲା ଭଜନା ଦାଦି । ଦିନେ ସୋବନା କହିଥିଲା–ଦାଦି, ଲୋ ତୁ ମୋର ବାପ ଆଉ ମାଆ । ତୁ ମୋର ସବୁ । ତୋ ଋଣ ମୁଁ କିମିତି ଶୁଝିବି ? ତୁ ମାଆକୁ ପଚାରିଲୁ ନାହିଁ, ସେ ତେଣେ ମଲା, ବିଭାହେଲୁ ନାହିଁ ଖାସ ମୋରିପାଇଁ । ହେଲେ ତୋ ଋଣ କେମିତି ମୁଁ ସୁଝିବି କହିଦେ ।

 

ଭଜନା ହସେ । କହେ ତୋ ପୁଅ ଝିଅ ହେଲେ ସେଇମାନେ ସୁଝିବେ ସୋବନି ।

 

ଭଜନା ପାଖ ଗାଁରେ ଝିଅଟିଏ ଯୋଗାଡ଼ କଲା । ସୋବନାକୁ ବିଭା କରାଇଲା । ସୋଦରା ଏ ଘରକୁ ବୋହୂହୋଇ ଆସିଲା, ‘‘ପାଖରେ ଶୁଏ, କାନରେ କୁହେ’’ ଧୀରେ ଧୀରେ ସୋବନାର ମନ ବଦଳିଲା । ପଛକଥା ଧୀରେ ଧୀରେ ପାସୋର ହୋଇଆସିଲା । ବର୍ଷେ ଗଲା, ଦିବର୍ଷ ଗଲା, ତିନି ଚାରିବର୍ଷ ବିତିଲା, ଗୋଟିକ ପଛକୁ ଆଉଗୋଟିଏ ହୋଇ ଦୋଟି ଛୁଆ ଆସିଲେ-। ଭଜନାର କାଖରେ କୋଳରେ ହଗିଲେ, ମୁତିଲେ । ତେବେ ବି ବୋହୂର ମନ ଚାହେଁନାହିଁ ଏ ଘରେ କାହାରି ଗୋଟାଏ ଶାସନରେ ରହିବାପାଇଁ । ସୋବନାର ଘର ଇଏ, ସେ ତାକୁ ବିଭାହୋଇ ଏ ଘରର ମାଲିକାନା ପାଇଚି । ତା’ ଉପରେ ପୁଣି କଥା କଥାକେ ଭଲମନ୍ଦ ବାଛିଦବାକୁ ଭଜନାଟା କିଏ ? ଇଏ ଏ ଘରକୁ ଆସିନଥିଲାବେଳେ ସିନା ତା’ର ଅଧିକାର ଥିଲା, ଏଇକ୍ଷଣି ପୁଣି ସେଇଟା କିଏ ? ତା’ ଗାଁକୁ ସେ ଚାଲିଯାଉ । ବୁଢ଼ା ହେଲାଣି, ବେମାରିଆ ହେଲାଣି, ଦିହ ହାତ ଚଳୁନାହିଁ । କାମ ପାଇଟି କରିପାରୁ ନାହିଁ । ମିଛରେ ତାକୁ ପୁଣି କାହିଁକି ପୋଷିବ ? ଯେମିତି ଖାଉଥିଲା ପିଉଥିଲା ସେମିତି କାମ ପାଇଟି କରୁଥିଲା, କି ତୁମକୁ କୋଳରେ କାଖରେ କରୁଥିଲା । ଏଇକ୍ଷଣିକା ଆମର ଆଉ ତ ଲୋକ ଦରକାର ନାହିଁ ! ସେ ପୁଣି ବେମାରିଆଟା । ବୋଝ ଉପରେ ନଳିତା ବିଡ଼ା । ଆମ ସଂସାର ଆମକୁ ବଳାଇଲାଣି । ସେ ଯାଉ ତା’ ଗାଆଁକୁ । ଆଳିଆ ଲେଖାରେ ବାଳିଆ ବନ୍ଧୁ, କି ଦାଦି ସେ ଆମର ?

 

ମାଲିକର ହୁକୁମ । ରୂପ ଅଛି, ବୟସ ଅଛି, ଘରଦ୍ୱାର କାମଧନ୍ଦା ସବୁ ଆଦରି ନେଇଛି-। ଛୁଆଦୋଟି ଜନମ କରି ଥୋଇଦେଇଚି । ଏ ଘରେ ଘରଣୀ ସେ, ଭଜନାର ଓଜନ ହାଲୁକା ହୋଇଗଲାଣି ।

 

ସୋବନାର ପୁଅଟି ତିନି ଚାରିବର୍ଷର । ପାଖରେ ଆସି ବସୁଚି । ଦିହ ହାତ ଆଉଁସିଦେଇ କହୁଚି, କଅଣ ହେଇଚି ତୋ ଦିହ–ସାଁଆତାପା ? ତୁ ଉଠୁନଉଁ କାହିଁକି ?

 

ଗୁଲୁରୁ ଗୁଲୁରୁ କଥା । ଛୋଟ ଛୁଆଟିର ପ୍ରାଣରେ ମାୟା । ସୋବନାର ପୁଅ । କିଛି କିଛି ବୁଝିଲାଣି । ବୁଝିନପାରି ପଚାରିଲାଣି । ଉପରକୁ ଲଦିହୋଇପଡ଼ି ହସୁଚି, କାନ୍ଦୁଚି । ‘‘ସାନ୍ତାପା-? କାହିଁକି କାନ୍ଦୁଚୁ । ସଦାବେଳେ କିଆଁ ତୁ ନୁହ ଗଡ଼ଉଚୁ ?’’

 

ଦୁଆର ମୁହଁକୁ ଲାଗି ବାହାରପଟେ ଠିଆହୋଇ ଡାକୁଚି ତା’ ମାଆ–ଆରେ ହରିଆ, ଉଠିଆ ! ରୋଗ ଉଡ଼ିବ ।

ଯାଆରେ ହରି, ଉଠିଯା । ରୋଗ ଉଡ଼ିବ ! ଭଜନାର ଦି’ଆଖିରୁ ଦିଧାର ଲୁହ । ପିଲାଟା ଉଠୁନାହିଁ । ଯାଉନାହିଁ । ମାଆ ତା’ର ତମ ତମ ହୋଇ ହାତଧରି ଭିଡ଼ିଓଟାରି ନେଇଯାଉଚି–କହୁଚି–ଉଠିଆ ! ବେମାରିଆଟା ଯାଉନାହିଁ କୁଆଡ଼େ, ମୋ ପ୍ରାଣ ଖାଉଚି ।

ସୋବନା ଶୁଣୁଚି ସ୍ତ୍ରୀର କଥା । କିଛି ଜବାବ ଦଉନାହିଁ । ପିଲାଟି କାନ୍ଦୁଚି–ଛାଡ଼ିଦେଲୋ ବୋଉ । ମୁଁ ସାନ୍ତାପା କତିକି ଯିବିଲୋ ବୋଉ । ମୋ ସାନ୍ତାପା ଦିହ ଭଲନାଇଲୋ ବୋଉ, ମୋ ସାନ୍ତାପା କାନ୍ଦୁଚିଲୋ ବାପା ।

‘‘କାନ୍ଦୁଚି ?’’ ବିକୃତ ସ୍ୱରରେ କହିଉଠୁଚି ତା’ ବୋଉ ।

ମାୟା ଛାଡ଼ୁନାହିଁ । ଅଣ୍ଡାରୁ ଭେଣ୍ଡା ହେଲା ଏଇ କୋଳରେ କାଖରେ ସୋବନା । ତା’ର ପୁଅ ଝିଅ ଦୋଟି–ମାୟା ସିକୁଳି କସିଦେଲେଣି ଗୋଡ଼ରେ ହାତରେ । ମନ ଛାଡ଼ୁନାହିଁ, ପ୍ରାଣ କାନ୍ଦୁଚି, ପିଜୁଳି ଗଛଟି ମୂଳକୁ ବସିପଡ଼ି ଭଜନା କାନ୍ଦୁଚି । ଏଇ ଗଛ ସେ ଲଗାଇଚି । ଇଆରି ଫଳ ଖୋଇଚି ସୋବାନାକୁ । ଇଆରି ଫଳ ତୋଳି ଦେଉଚି ନାତି ନାତୁଣୀ ଦୋଟିଙ୍କି । ତଥାପି ମାଲିକ ଦୋସରା । ଆଉ ସହିହବନାହିଁ । ନଈ ଶୁଖିଗଲାଣି–ନାଆ ଆଉ କଅଣ କରିବ ? ମାଆଠଉଁ କ୍ଷୀର ଶୁଖିଗଲାଣି–ମାଆଠେଇଁ ଆଉ କି କାମ ?

ସେଇଦିନ ସଞ୍ଜ ଅନ୍ଧାରରେ ଭଜନା ଦାଦି ଏକ କାନିକିଆ ହୋଇ ଘର ଛାଡ଼ିଲା, ଗାଁ ଛାଡ଼ିଲା, ନଈ ପାରିହେଲା, ବିଲବାଡ଼ି ଟପି ହିଡ଼େ ହିଡ଼େ ଚାଲିଲା । କୋଶେ ବାଟ, ଦିକୋଶ ବାଟ । ବେମାରିଆ ଦିହ ଆଉ ଦୁର୍ବଳିଆ ଗୋଡ଼ ଦି’ଟାକୁ ଘୋଷାରି ଘୋଷାରି ଅନ୍ଧାର ରାତିରେ ଭଜନା ଚାଲିଛି ଆଗକୁ ଆଗକୁ ।

ମୋ ସାନ୍ତାପା କୁଆଡ଼େ ଗଲାଲୋ ବୋଉ ? ତୁ ତାକୁ ମାରିଲୁଣିନା କଅଣ ? ସଦାବେଳେ ତା’ ଉପରେ ଗର ଗର ଖର ଖର । ମୋ ସାନ୍ତାପାକୁ ଆଣିଦେ, ନଇଲେ ମୁଁ ଖାଇବି ନାହିଁ । ମୁଁ କୁଆଡ଼େ ପଳେଇଯିବି । ତୋ ପାଖରେ ରହିବି ନାହିଁ । ସାନ୍ତାପା କୁଆଡ଼େ ଗଲା କହ, ମୁଁ ତା’ କତିକି ଯିବିଲୋ ।

ରାହାଧରି ପିଲାଟା କାନ୍ଦୁଚି । ମା’ ବୁଝଉଚି, ମାରୁଚି, ବୁଝୁନାହିଁ । ବାପର ପ୍ରାଣ କାନ୍ଦିଉଠୁଚି । ପୁଅକୁ କାଖେଇନେଇ ଦାଣ୍ଡଆଡ଼େ ଯାଉଚି । ପିଲା ବୁଝୁନାହିଁ । ଅଝଟ ଧରି କାନ୍ଦୁଚି । ‘‘ମୋ ସାନ୍ତାପା !’’

‘‘ତୋ ସାନ୍ତପା ଆସିବରେ ବାପ ।’’

କାହିଁ ଆଣିଦେ, ଏଇନେ ଆଣିଦେ କହୁଚି, ମୋ ସାନ୍ତପା ।

ଦିନକୁଦିନ ପିଲା ଦୁର୍ବଳ ହୋଇପଡ଼ୁଚି । ଖାଉନାହିଁ ଭଳକରି । ଶୋଇବା ଶେଯରୁ ଉଠିପଡ଼ୁଚି । ଦାଣ୍ଡକୁ ଧାଇଁଯାଉଚି । ‘‘ହେଇଟିଲୋ ବୋଉ’’ ‘‘ସାନ୍ତାପା ଡାକୁଚି ।’’

ଦିନକୁଦିନ ଦୁର୍ବଳ ହୋଇପଡ଼ୁଚି । ଦି ତିନି ମାସ ଭିତରେ ଶେଯ ଧରିଲାଣି । ପାଞ୍ଚମାସ ସରିକି କଣ୍ଟା ହେଇଗଲାଣି । କାହିଁ ଭଜନା ଦାଦି ? ଗାଁଯାକ ସମସ୍ତେ ଖୋଜୁଚନ୍ତି । କାହିଁ କୁଆଡ଼େ ଗଲା ? ନଈ ପୋଖରୀକି ଡେଇଁପଡ଼ିଲା ନା କଅଣ ? ମୁର୍ଦ୍ଦାରଟା କଅଣ ଭାସିଲା ନାହିଁ ?

 

ଛଅମାସ ସରିକି ପିଲାଟା ଅତିଶୟ ହେଲା । ଗୁଣିଗାରିଡ଼ି ସବୁ ସରିଲା । ଏଥର ଚିକିତ୍ସା ଦରକାର । ବାସିଳେଇଙ୍କ ପାଦୁକ ଡଉଁରିଆ କିଛି କାମ ଦେଲାନାହିଁ । ବାସୁ କବିରାଜର ବଟିକା କାଟୁ କଲାନାହିଁ । ମାଧିଆ ରଣାର ଝଡ଼ାଫୁଙ୍କାରେ କିଛି ହେଲାନାହିଁ । ଶେଷକୁ ଭରସା–ଚକୁଳିଆ ମଠ ବାବାଜିର ହୁକୁମ । ବାଆକୁବତା । ସମସ୍ତେ ତ କହୁଚନ୍ତି । ବାପ ମା’ ଶନିବାର ପାହାନ୍ତା ପହରୁ ଗାଧୋଇପାଧୋଇ ଛୁଆ ଦୋଟିଙ୍କି କାନ୍ଧରେ ବସାଇ ବାହାରିପଡ଼ିଲେ ଗହୀରେ ଗହୀରେ ।

 

ଚକୁଳିଆ ମଠ । ବାବାଜି ସୀତାରାମ ଦାସ । ବାଳଗୋପାଳ ଠାକୁର । ବଣଜଙ୍ଗଲ ଭିତରେ ଚକା ପଥର ଚଟାଣ ଉପରେ ଛୋଟ ଦେଉଳ ଖଣ୍ଡେ । ଠାକୁରଙ୍କର ମହିମାରେ ବାବାଜି ହୁକୁମବାଜ । ରୋଗ ବଇରାଗ, ଭୂତ ଡାଆଣୀ, ସବୁକଥାକୁ ବାବାଜିଙ୍କ ବିଭୂତି ଅକାଟ ଔଷଧ । ଦାଣ୍ଡ ଅଗଣାରେ ଅଁଳା, ବେଲ, ଅଶୋକା ଗଛ ଗୁଡ଼ିଏ । ବାଡ଼ିଆଡ଼କୁ ପଥରକଟା ପୋଖରୀ । କାଚଧାର ପରି ଝରଣା ପାଣି । ବାବାଜିଙ୍କ ମହିଁମାରେ ବଣ ହସିଉଠିଚି । କାହୁଁ କାହୁଁ କଅଣ ସବୁ ଆସୁଚି । ଖରଚ ହେଉଚି । ଯିଏ ଆସୁଚି, ଦଉ ବା ନ ଦଉ, ପ୍ରସାଦ ପାଉଚି ।

 

ବାଟ ଚାଲି ଚାଲି ଦିନ ପହଡ଼କ ସରିକି ଥକ୍‌କା ମାରି ବସିପଡ଼ିଛନ୍ତି ପୋଖରୀ ପାହାଚ ଉପରେ ସ୍ୱାମୀ ସ୍ତ୍ରୀ ଛୁଆ ଦୋଟିଙ୍କି ଧରି ଗୋଡ଼ ହାତ ଧୋଇବାକୁ ପାଣିକୂଳକୁ ଗଡ଼ୁଚନ୍ତି । କାଚ ଧାର ପରି ନିର୍ମଳ ପାଣି । ଥଣ୍ଡା ଯେମିତି ସ୍ୱାଦ ସେମିତି । ବୁଡ଼ି ପଡ଼ିବାକୁ ମନହେଉଚି, କିନ୍ତୁ ରୋଗା ଛୁଆଟା ଅଝଟ ଧରିଚି ।

 

ହେଇଲୋ ବୋଉ, ସାନ୍ତାପା ।

 

ହାଉଳି ଖାଇ ଉଠିଲା ହରିଆ । ଏମିତି ସଦାବେଳେ ଭଜନା ଭୂତ ତାକୁ ଦେଖା ଦେଉଚି-। ହେଇଟି ବା, ସେ ଗଛମୂଳେ ।

 

ପଥରର ମୂର୍ତ୍ତିଟାଏ । ଆରକଡ଼ରେ ଚମ୍ପାଗଛ ମୂଳକୁ ବସିଚି । ପାଷାଣର ଅଚଳ ପ୍ରତିମାଟାଏ

 

ସାନ୍ତାପା, ମତେ ନେଇଯା ।

 

ଇଏ କଅଣ ହେଲା ? ପଥର ପ୍ରତିମା ଉଠି ଠିଆହେଲା । ହେଇଟି ଚାଲି ଚାଲି ଆସୁଚି ତ ଏଣିକି । ମୁଣ୍ଡ ଲଣ୍ଡା ପଛ ଆଡ଼କୁ ଚୁରୁକିଟିଏ । ମୁଣ୍ଡରେ ତିଳକ ଚିତା, ବେକରେ ବରଡ଼ା ମାଳି, ଅଣ୍ଟା ତଳକୁ ଗେରୁଆ ବହିବାସ । ପଥର ପ୍ରତିମାତ ନୁହେଁ ବାବଜି ଜଣେ । ଚାଲି ଚାଲି ଆସୁଚି ।

 

ସାନ୍ତାପା ଲୋ, ମତେ ନେ, ମୁଁ ଉଠିପାରୁନାହିଁ ।

 

ସନ୍ନ୍ୟାସୀ ପାଖକୁ ଲାଗିଆସୁଚି । ଇଏ କଅଣ ? ସନ୍ନ୍ୟାସୀ କାନ୍ଦୁଚି କାହିଁକି ? ସଂସାର ତ୍ୟାଗୀ ରୋଗା ପିଲାଟାକୁ ଛାତିଉପରକୁ ଟେକିନେଉଚି କାହିଁକି ? ଆଖି ଲୁହ ବୋଲ ମାନୁନାହିଁ । ଛାତି ଉପର ଭିଜିଗଲାଣି । କଇଁ କଇଁ ହୋଇ କାନ୍ଦିଉଠୁଚି କାହିଁକି ସର୍ବତ୍ୟାଗୀ ବାବାଜି ?

 

ଛାତିଉପରେ ମୁହଁ ଗୁଞ୍ଜି ପିଲାଟା କୁଣ୍ଢାଇଛି ବାବାଜିକି–‘‘ତୁ ଚାଲ୍ ସାନ୍ତାପା । ମୁଁ ତତେ ଛାଡ଼ି ରହିପାରିବି ନାହିଁ ।’’

 

ବାବାଜିର ଓଠ ଥରୁଚି । ଓଠ କାମୁଡ଼ି ପକାଇ ସେ ନିଜକୁ ସମ୍ଭାଳିନେବାକୁ ଚେଷ୍ଟା କରୁଚି ।

 

ପାଦତଳେ ମୁଣ୍ଡ ଥୋଇ ପଡ଼ିଚନ୍ତି ସୋବନା ଆଉ ସୋଦାରା । ପଦ ଦି’ଟାକୁ ଜାବୁଡ଼ି ଧରି ସୋଦାର କହୁଚି–ତୁମେ ଚାଲ ଦାଦି । ମୋର ସବୁ ଭୁଲ୍ । ମୋରି ଉପରେ ରାଗକରି ଚାଲିଆସିଲ ! ମୁଁ କଅଣ ତମର ଝିଅ ନୁହେଁ ?

 

ସୋବାନା କହୁଚି– ସବୁ ଭୁଲ୍ ମୋର । ଘରକୁ ଫେରିଚାଲ ଦାଦି । ତତେ ଛାଡ଼ି ହରିଆ ମରିଯିବ ।

 

ବାବାଜି ଆଖି ଭାସିଯାଉଚି ଲୁହରେ । ସଂସାରକୁ ଛାଡ଼ିଦେଇ ଆସିଲେ ସୁଦ୍ଧା ସଂସାରର ମାୟା ଛାଡ଼ୁନାହିଁ । ପଥରର ବାଳଗୋପାଳ ମନ୍ଦିରକୁ ପଳାଇ ଆସିଲେ ବି ଜିଅଁନ୍ତା ବାଳଗୋପାଳ ପଛରୁ ଧାଇଁଆସି ବିକଳରେ ଡାକ ଛାଡ଼ିଚି–ଆ ସାନ୍ତାପା, ଘରକୁ ଯିବୁ ।

 

ଭଜନାର ଘର ସଂସାର । ହସମାଡ଼େ ଭାବିଲା ବେଳକୁ । କିଏ ଅଛି ତା’ର ସେଠି ଆପଣାର ବୋଲି ? ଭଜନା, ସୋଦରା, ହରିଆ, ମରୁଆ, ସଭିଏଁ ତ ତା’ର ପର । ସଭିଏଁ ତା’ ଆଖିରେ ବାଳଗୋପାଳ । ଘରେ ଥାଇ ସେ ତ ସନ୍ନ୍ୟାସୀ । ମଠକୁ ଆସିଲେ ଯାହା ଘରେ ଥିଲେ ତାହା ।

 

ଛାତିଉପରେ ହରିଆକୁ ଜାକିଧରି ଭଜନା ଫେରିପଡ଼ିଲା । ଆଖିରୁ ଲୁହଧାର ଗଡ଼ି ପଡ଼ୁଥାଏ । ଡାକିଲା–ଆ ସୋବନି, ଆ ଆଲୋ ବୋହୂ । ତମେସବୁ ମତେ ମରିବାକୁ ବି ଛାଡ଼ିଦବ ନାହିଁ ।

Image